ବିଜୟରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ଆରମ୍ଭ କଲା ଟିମ୍ ଇଣ୍ଡିଆ


ମ୍ୟାଚ୍ ବିଜୟୀ ଇନିଂସ ଖେଳିବା ଅବସରରେ ସୂର୍ଯ୍ୟକୁମାର ଏକ ବଡ଼ ଶଟ୍ ଖେଳୁଛନ୍ତି
ଜୟପୁର: ବୁଧବାରଠାରୁ ଟିମ୍ ଇଣ୍ଡିଆ-ନ୍ୟୁଜିଲ୍ୟାଣ୍ଡ୍ ସିରିଜ୍ ଆରମ୍ଭ ହୋଇଛି। ଟି-୨୦ ଫର୍ମାଟରୁ ସିରିଜ୍ ଆରମ୍ଭ ହୋଇଥିବା ବେଳେ ଘରୋଇ ଟିମ୍ ବିଜୟରୁ ଅଭିଯାନ ଆରମ୍ଭ କରିଛି। ପ୍ରଥମ ଥର ପାଇଁ ରୋହିତ ଶର୍ମା ବିଧିବଦ୍ଧ ଅଧିନାୟକ ଦାୟିତ୍ବ ତୁଲାଇଥିବା ବେଳେ ମୁଖ୍ୟ କୋଚ୍ ଭାବେ ଟିମ୍ ଇଣ୍ଡିଆ ପକ୍ଷରୁ ରାହୁଲ୍ ଦ୍ରାବିଡ ଡେବ୍ୟୁ କରିଛନ୍ତି। ଏହି ମ୍ୟାଚରେ ରୋହିତ ଓ ଦ୍ରାବିଡ ଯୋଡ଼ି ବିଜୟ ସହ ସେମାନଙ୍କ କ୍ୟାରିୟରର ଏକ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟ ଆରମ୍ଭ କରିଛନ୍ତି। ବୁଧବାର ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିବା ପାଇଁ ଆହ୍ବାନ ପାଇବା ପରେ ନ୍ୟୁଜିଲ୍ୟାଣ୍ଡ୍ ୬ ୱିକେଟରେ ୧୬୪ ରନ୍ କରିଥିଲା। ଦଳ ପକ୍ଷରୁ ଓପନର ମାର୍ଟିନ୍ ଗପ୍ଟିଲ୍ ସର୍ବାଧିକ ୭୦ ରନ୍ କରିଥିବା ବେଳେ ମାର୍କ ଚାପମାନ୍ ଦ୍ବିତୀୟ ସର୍ବାଧିକ ୬୩ ରନ୍ କରିଥିଲେ। ଦଳ ଅନ୍ୟତମ ଓପନର ଡାରିଲ୍ ମିଚେଲଙ୍କ ୱିକେଟ୍ ପ୍ରଥମ ଓଭରରେ ହରାଇଥିଲେ ହେଁ ଦ୍ବିତୀୟ ୱିକେଟରେ ଗପ୍ଟିଲ୍ ଓ ଚାପମାନ୍ ୧୦୯ ରନ୍ ଯୋଡ଼ିଥିଲେ। ଚାପମାନ୍ ୬ଟି ଚୌକା ଓ ୨ଟି ଛକା ସହ ୬୩ ରନ୍ କରି ଆଉଟ୍ ହେବା ପରେ ଗ୍ଲେନ୍ ଫିଲିପ୍ସ ଖାତା ଖୋଲିବା ପୂର୍ବରୁ ବିଦାୟ ନେଇଥଲେ। ଏହାପରେ ଗପ୍ଟିଲ୍ ମାତ୍ର ୪୨ଟି ବଲରେ ୩ଟି ଚୌକା ଓ ୪ଟି ଛକା ସହ ୭୦ ରନ୍ କରି ଆଉଟ୍ ହେବା ପରେ ଆଉ କେହି ବଡ଼ ସ୍କୋର୍ କରିପାରି ନ ଥିଲେ। କେବଳ ଟିମ୍ ସିଫର୍ଟ ୨ଟି ଚୌକା ସହ ୧୨ ରନ୍ କରିଥିଲେ।

ଘରୋଇ ଦଳ ପକ୍ଷରୁ ଭୁବନେଶ୍ବର କୁମାର ଓ ରବିଚନ୍ଦ୍ରନ୍ ଅଶ୍ବିନ୍ ୨ଟି ଲେଖାଏଁ ଏବଂ ଦୀପକ ଚହର୍ ଓ ମହମ୍ମଦ ସିରାଜ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ବ୍ୟାଟିଂରେ ଭାରତର ଦୁଇ ଓପନର ଲୋକେଶ ରାହୁଲ୍ ଓ ଅଧିନାୟକ ରୋହିତ ୫୦ ରନ୍ ଯୋଡ଼ିଥିଲେ। ରାହୁଲ୍ ଗୋଟିଏ ଲେଖାଏଁ ଚୌକା ଓ ଛକା ସହ ୧୫ ରନ୍ କରି ଆଉଟ୍ ହେବା ପରେ ରୋହିତଙ୍କ ସହ ମିଶି ସୂର୍ଯ୍ୟକୁମାର ଯାଦବ ୫୯ ରନ୍ ଯୋଡ଼ି ଭାରତକୁ ବିଜୟ ନିକଟତର କରାଇଥିଲେ। ରୋହିତ ୫ଟି ଚୌକା ଓ ୨ଟି ଛକା ସହ ୪୮ ରନ୍ କରି ଆଉଟ୍ ହେବା ପରେ ସୂର୍ଯ୍ୟକୁମାର ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ। ସେ ମାତ୍ର ୪୦ଟି ବଲ୍ ଖେଳି ୬ଟି ଚୌକା ଓ ୩ଟି ଛକା ମାଧ୍ୟମରେ ୬୨ ରନ୍ କରି ଆଉଟ୍ ହୋଇଥିଲେ। ଏହାପରେ ଦଳ ଶ୍ରେୟସ୍ ଆୟର୍ (୫) ଓ ଡେବ୍ୟୁଟାଣ୍ଟ୍ ଭେଙ୍କଟେଶ ଆୟର୍ (୪)ଙ୍କ ୱିକେଟ୍ ହରାଇବା ଫଳରେ ନ୍ୟୁଜିଲ୍ୟାଣ୍ଡ୍ ମ୍ୟାଚକୁ ଫେରିବା ନେଇ ଆଶାବାଦୀ ହୋଇପଡ଼ିଥିଲା। କିନ୍ତୁ ଋଷଭ ପନ୍ତ୍ ଶେଷ ଓଭରର ଦ୍ବିତୀୟ ବଲରେ ଚୌକା ଲଗାଇ ଦଳୀୟ ସ୍କୋରକୁ ୧୬୬/୫ରେ ପହଞ୍ଚାଇଥିଲେ। ସେ ୨ଟି ଚୌକା ସହ ୧୭ ରନ୍ କରି ଅପରାଜିତ ରହିଥିବା ବେଳେ ଏହି ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି। ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ଟ୍ରେଣ୍ଟ୍ ବୋଲ୍ଟ ୨ଟି ଏବଂ ଟିମ୍ ସାଉଦି, ମିଚେଲ୍ ସାଣ୍ଟନର ଓ ଡାରିଲ୍ ମିଚେଲ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ସୂର୍ଯ୍ୟକୁମାର ଯାଦବ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିବା ବେଳେ ସିରିଜର ଦ୍ବିତୀୟ ମ୍ୟାଚ୍ ଶୁକ୍ରବାର ରାଞ୍ଚିଠାରେ ଖେଳାଯିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।
ପ୍ରମୋଦ ଡେଇଁପଡ଼ି ମୋତେ କୁଣ୍ଢାଇବେ ବୋଲି ଭାବି ନ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଇତିହାସରେ ଏହା ଏକ ଅବିସ୍ମରଣୀୟ ଦୃଶ୍ୟ । ଟୋକିଓ ପାରାଲିମ୍ପିକ୍ସର ପୁରୁଷ ଏସ୍‌ଏଲ୍‌୩ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟର ଫାଇନାଲ ମ୍ୟାଚ୍ ଜିତି ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଉତ୍ସବମୁଖର ନ ହୋଇ ସିଧା ଭାରତୀୟ ଦଳର ପ୍ରଶିକ୍ଷକ ଗୌରବ ଖାନ୍ନାଙ୍କ ପାଖକୁ ଦୌଡ଼ିଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ପ୍ରମୋଦ ଏତେ ଖୁସି ହୋଇ ଯାଇଥିଲେ ଯେ ଗୌରବଙ୍କୁ ସେ ଆଲିଙ୍ଗନ କରି ଝୁଲି ପଡ଼ିଥିଲେ। ଗୌରବ କହିଛନ୍ତି ଯେ ଏହା ଅପ୍ରତ୍ୟାଶିତ ଥିଲା ଏବଂ ପ୍ରମୋଦ ଏପରି କରିବେ ବୋଲି ସେ ଆଦୌ ଆଶା କରି ନ ଥିଲେ। ପ୍ରମୋଦଙ୍କ ଏପରି ଆଚରଣ ତାଙ୍କୁ ବହୁତ ଖୁସି ଦେଇଥିଲା ବୋଲି ଭାରତୀୟ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ଗୌରବ କହିଛନ୍ତି।