ଟ୍ବେଣ୍ଟି-୨୦ ବିଶ୍ବକପ୍
ଅଷ୍ଟ୍ରେଲିଆ ଟି-୨୦ ବିଶ୍ବକପ୍ ଚାମ୍ପିଅନ: ପ୍ରଥମ ଥର ହାତେଇଲା ଟାଇଟଲ
ମାର୍ଶ ଓ ୱାର୍ଣ୍ଣରଙ୍କ ଧୂଆଁଧାର ବ୍ୟାଟିଂରେ ନ୍ୟୁଜିଲ୍ୟାଣ୍ଡ ଧରାଶାୟୀ

ଟି-୨୦ ବିଶ୍ବକପ୍ ଟ୍ରଫି ସହ ଚାମ୍ପିଅନ ଦଳ ଅଷ୍ଟ୍ରେଲିଆ
ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ଚଳିତ ପୁରୁଷ ଟି-୨୦ ବିଶ୍ୱକପ୍ରେ ଅଷ୍ଟ୍ରେଲିଆ ଚାମ୍ପିଅନ ହୋଇଛି। ଟି-୨୦ ଫର୍ମାଟରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ହୋଇଛି ବିଶ୍ବ ଚାମ୍ପିଅନ। ଏହି ବିଜୟ ସହିତ ଅଷ୍ଟ୍ରେଲିଆର ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି। ଆଉ ପ୍ରଥମ ଆଇସିସି ବିଶ୍ବ ଟେଷ୍ଟ ଚାମ୍ପିଅନ ନ୍ୟୁଜିଲ୍ୟାଣ୍ଡ ହାତରୁ ଖସିଯାଇଛି ଟି-୨୦ ବିଶ୍ବକପ୍ ଟ୍ରଫି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ ରବିବାର ଖେଳାଯାଇଥିବା ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ୮ ୱିକେଟ୍ରେ ପରାସ୍ତ କରି ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ ଟି-୨୦ ବିଶ୍ବକପ୍ ଚାମ୍ପିଅନ ହେବାର ଗୌରବ ଅର୍ଜନ କରିଛି। ଅଧିନାୟକ କେନ୍ ଓ୍ଵିଲିୟମ୍ସନ୍ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ନ୍ୟୁଜିଲ୍ୟାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୪ଟି ୱିକେ୍ଟ ହରାଇ ୧୭୨ ରନ୍ କରିଥିଲା। ଜବାବରେ ଡେଭିଡ୍ ୱାର୍ଣ୍ଣର ଓ ମିଚେଲ୍ ମାର୍ଶଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ୧୮.୫ ଓଭରରେ ୨ଟି ୱିକେ୍ଟ ହରାଇ ୧୭୩ ରନ୍ର ବିଜୟ ଲକ୍ଷ୍ୟକୁ ହାସଲ କରିନେଇଥିଲା। ବିସ୍ଫୋରକ ଅର୍ଦ୍ଧଶତକ କରିଥିବା ମିଚେଲ୍ ମାର୍ଶ ପ୍ଲେୟର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ। ଚଳିତ ଟି-୨୦ ବିଶ୍ୱକପ୍ରେ ଧୂଆଁଧାର ବ୍ୟାଟିଂ କରି ୨୮୯ ରନ୍ କରିଥିବା ଡେଭିଡ୍ ୱାର୍ଣ୍ଣର ପ୍ଲେୟର ଅଫ୍ ଦ ସିରିଜ୍ ବିବେଚିତ ହୋଇଥିଲେ।
ଅଷ୍ଟ୍ରେଲିଆର ଇନିଂସ ଆରମ୍ଭ କରିଥିଲେ ଡେଭିଡ୍ ୱାର୍ଣ୍ଣର ଓ ଅଧିନାୟକ ଆରୋନ୍ ଫିଞ୍ଚ। ଫିଞ୍ଚ କ୍ରିଜ୍ରେ ଅଧିକ ସମୟ ପର୍ଯ୍ୟନ୍ତ ରହିପାରି ନ ଥିଲେ। ସେ ୭ଟି ବଲ୍ର ସାମ୍ନା କରି ଗୋଟିଏ ଚୌକା ସହାୟତାରେ ବ୍ୟକ୍ତିଗତ ଭାବେ ଦଳ ପାଇଁ ୫ ରନ୍ର ଯୋଗଦାନ କରି ଟ୍ରେଣ୍ଟ୍ ବୋଲ୍ଟଙ୍କ ବଲ୍ରେ ଡାରିଲ୍ ମିଚେଲଙ୍କୁ କ୍ୟାଚ୍ ଦେଇ ପାଭଲିଅନ୍କୁ ଫେରି ଆସିଥିଲେ। ଅଷ୍ଟ୍ରେଲିଆ ୧୫ ରନ୍ରେ ପ୍ରଥମ ୱିକେଟ୍ ହରାଇଥିବା ବେଳେ ୧୦୭ ରନ୍ରେ ୨ୟ ୱିକେଟ୍ ଭାବେ ୱାର୍ଣ୍ଣର ଆଉଟ୍ ହୋଇଥିଲେ। କିନ୍ତୁ ଆଉଟ୍ ହେବା ପୂର୍ବରୁ ୱାର୍ଣ୍ଣର ୩୮ଟି ବଲ୍ ଖେଳି ୪ଟି ଚୌକା ଓ ୩ଟି ଛକା ବଳରେ ୫୩ ରନ୍ ସଂଗ୍ରହ କରିଥିଲେ। ସେ ବୋଲ୍ଟଙ୍କ ଦ୍ବାରା ଆଉଟ୍ ହୋଇଥିଲେ। ଏହାପରେ ୫୦ଟି ବଲ୍ରେ ୬ଟି ଚୌକା ଓ ୪ଟି ଛକା ସହ ଅପରାଜିତ ୭୭ ରନ୍ ଏବଂ ଗ୍ଲେନ୍ ମ୍ୟାକ୍ସୱେଲ୍ ୧୮ଟି ବଲ୍ରେ ୪ଟି ଚୌକା ଓ ଗୋଟିଏ ଛକା ସହ ଅପରାଜିତ ୨୮ ରନ୍ କରି ଦଳକୁ ବିଜୟୀ କରାଇଥିଲେ।
ଟି-୨୦ ବିଶ୍ୱକପ୍ର ଫାଇନାଲ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଟସ୍ ଜିଣି ବୋଲିଂ ନିଷ୍ପତ୍ତି ନେଇଥିଲା। ଟସ୍ ଜିତିବା ପରେ କ୍ୱିୱି ଦଳକୁ କଙ୍ଗାରୁ ଟିମ୍ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ନ୍ୟୁଜିଲ୍ୟାଣ୍ଡର ଇନିଂସ ଆରମ୍ଭ କରିଥିଲେ ମାର୍ଟିନ ଗପ୍ଟିଲ ଓ ଡାରିଲ୍ ମିଚେଲ୍। ଉଭୟ ବ୍ୟାଟ୍ସମ୍ୟାନ୍ ଦମଦାର ଆରମ୍ଭ କରିଥିଲେ। ନ୍ୟୁଜିଲାଣ୍ଡ ୩.୫ ଓଭରରେ ୨୮ ରନ୍ରେ ଡାରିଲ୍ ମିଚେଲ୍ (୧୧ ରନ୍)ଙ୍କୁ ହରାଇଥିଲା। ମିଚେଲ୍ ଆଉଟ୍ ହୋଇଯିବା ପରେ ନ୍ୟୁଜିଲାଣ୍ଡ ପରବର୍ତ୍ତୀ ୪ ଓଭରରେ ମାତ୍ର ୧୦ ରନ୍ କରିଥିଲା। ୭୬ ରନ୍ ସ୍କୋରରେ ଅଷ୍ଟ୍ରେଲିଆର ୨ୟ ଶିକାର ହୋଇଥିଲେ ମାର୍ଟିନ୍ ଗପ୍ଟିଲ୍। ସେ ୩୫ଟି ବଲ୍ ଖେଳି ୩ଟି ଚୌକା ସହାୟତାରେ ୨୮ ରନ୍ ସଂଗ୍ରହ କରିଥିଲେ। କିନ୍ତୁ ଆରମ୍ଭରୁ ଧୀମା ଗତିରେ ଖେଳିଥିବା ଅଧିନାୟକ କେନ୍ ୱିଲିୟମ୍ସନ୍ ପରବର୍ତ୍ତୀ ସମୟରେ ଧୂଆଁଧାର ବ୍ୟାଟିଂ କରିଥିଲେ। ନ୍ୟୁଜିଲ୍ୟାଣ୍ଡ ୧୪୪ ରନ୍ରେ ଗ୍ଲେନ୍ ଫିଲିପ୍ସ ଓ ୧୪୮ ରନ୍ରେ ୱିଲିୟମ୍ସନ୍ଙ୍କୁ ହରାଇଥିଲା। ଫିଲିପ୍ସ ବ୍ୟକ୍ତିଗତ ଭାବେ ୧୮ ରନ୍ ସଂଗ୍ରହ କରିବା ପାଇଁ ୧୭ଟି ବଲ୍ର ସାମ୍ନା କରିଥିଲେ। ଏଥିରେ ଗୋଟିଏ ଚୌକା ଓ ଛକା ସାମିଲ ଥିଲା। ଜେମ୍ସ ନୀଶମ୍ ୭ଟି ବଲ୍ରେ ଗୋଟିଏ ଛକା ସହାୟତାରେ ଅପରାଜିତ ୧୩ ରନ୍ ଓ ଟିମ୍ ସେଫର୍ଟ ୬ଟି ବଲ୍ରେ ଗୋଟିଏ ଚୌକା ସହାୟତାରେ ଅପରାଜିତ ୮ ରନ୍ କରି ପାଭଲିଅନ୍କୁ ଫେରିଥିଲେ। ୱିଲିୟମ୍ସନ୍ଙ୍କ ବିସ୍ଫୋରକ ୮୫ ରନ୍ ଯୋଗୁ ନ୍ୟୁଜିଲ୍ୟାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୪ଟି ୱିକେଟ୍ ହରାଇ ୧୭୨ ରନ୍ କରିଥିଲା। ଫଳରେ ଅଷ୍ଟ୍ରେଲିଆକୁ ୧୭୩ ରନ୍ର ବିଜୟ ଲକ୍ଷ୍ୟ ମିଳିଥିଲା। କେନ୍ ୱିଲିୟମ୍ସନ୍ ନ୍ୟୁଜିଲ୍ୟାଣ୍ଡ ପାଇଁ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୪୮ଟି ବଲ୍ର ସାମ୍ନା କରି ୧୦ଟି ଚୌକା ଓ ୩ଟି ଛକା ମାରି ୧୭୭.୦୮ ହାରରେ ୮୫ ରନ୍ ସଂଗ୍ରହ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଜୋସ୍ ହେଜଲଉଡ୍ ୩ଟି ୱିକେଟ୍ ନେଇଥିଲେ। ଆଦାମ୍ ଜାମ୍ପାଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ