ଆଜି ନ୍ୟୁଜିଲ୍ୟାଣ୍ଡ-ଅଷ୍ଟ୍ରେଲିଆ ଟି-୨୦ ବିଶ୍ବକପ୍ ଫାଇନାଲ: ନୂଆ ବିଶ୍ବ ବିଜେତାକୁ ଅପେକ୍ଷା


ଟି-୨୦ ବିଶ୍ବକପ୍ ଟ୍ରଫି ସହ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ଦଳର ଦୁଇ ଅଧିନାୟକ ଆରୋନ ଫିଞ୍ଚ ଓ କେନ୍ ୱିଲିୟମସନ୍
ଦୁବାଇ: ଚଳିତ ଟି-୨୦ ବିଶ୍ବକପ ପାଇବ ନୂଆ ବିଶ୍ବ ବିଜେତା। ଟି-୨୦ ବିଶ୍ବକପ-୨୦୨୧ ଫାଇନାଲରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି ଦୁଇ ପଡୋଶୀ ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ। ରବିବାର ଦୁବାଇରେ ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚଳିତ ବିଶ୍ବକପର ଫାଇନାଲ ମ୍ୟାଚ ଖେଳାଯିବ। ଉଭୟ ଦଳ ମଧ୍ୟରୁ ଯିଏ ବି ବିଜେତା ହୁଅନ୍ତୁ, ତାହା ଟ୍ବେଣ୍ଟି-୨୦ ବିଶ୍ବକପରେ ନୂଆ ବିଜେତା ସୃ​‌ଷ୍ଟି କରିବ। ଅଷ୍ଟ୍ରେଲିଆ ଦ୍ବିତୀୟ ଥର ପାଇଁ ଫାଇନାଲ ଖେଳିବାକୁ ଯାଉଥିବାବେଳେ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଥର ପାଇଁ ଫାଇନାଲ ଖେଳିବ।

୫ ଥର ଦିନିକିଆ ବିଶ୍ବକପ ବିଜୟୀ ହୋଇଥିବା ଅଷ୍ଟ୍ରେଲିଆ ଆଜି ପର୍ୟ୍ୟନ୍ତ କେବେହେଲେ ଟି-୨୦ବିଶ୍ବକପରେ ଚାମ୍ପିଅନ ହୋଇନାହିଁ। ଦଳ ୨୦୦୭ରେ ସେମିଫାଇନାଲରୁ, ୨୦୦୯ରେ ସୁପର-୮ରୁ ବିଦାୟ ନେଇଥିବାବେଳେ ୨୦୧୦ରେ ଫାଇନାଲରେ ପହଞ୍ଚିଥିଲା। ସେହି ଫାଇନାଲରେ ଇଂଲଣ୍ଡ ନିକଟରୁ ୭ ୱିକେଟରେ ପରାଜିତ ହୋଇ ରନର୍ସ-ଅପ ହୋଇଥିଲା ଅଷ୍ଟ୍ରେଲିଆ। ୨୦୧୨ରେ ଦଳ ସେମିଫାଇନାଲରୁ, ୨୦୧୪ ଓ ୨୦୧୬ରେ ଗ୍ରୁପ ପର୍ଯ୍ୟାୟରୁ ବିଦାୟ ନେଇଥିଲା। ଏଥରକୁ ମିଶାଇ ଅଷ୍ଟ୍ରେଲିଆ ଦ୍ବିତୀୟ ଥର ପାଇଁ ଫାଇନାଲରେ ପହଞ୍ଚିଛି। ଟାଇଟଲ ହାସଲ କରିବା ନେଇ ଦଳ ଦୃଢ ଆଶାବାଦୀ ମଧ୍ୟ ରହିଛି।

ସେହିପରି ନ୍ୟୁଜିଲ୍ୟାଣ୍ଡ ୨୦୦୭ରେ ସେମିଫାଇନାଲରୁ ବିଦାୟ ନେଇଥିବାବେଳେ ୨୦୦୯ରେ ସୁପର-୮ରୁ, ୨୦୧୦ରେ ସୁପର-୮ରୁ, ୨୦୧୨ରେ ସୁପର-୮ରୁ, ୨୦୧୪ରେ ଲିଗ୍‌ ପର୍ୟାୟରୁ ଓ ୨୦୧୬ରେ ସେମିଫାଇନାଲରୁ ବିଦାୟ ନେଇଥିଲା। ଏଥର ଦଳ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି। ଦଳ ୨୦୧୫ରୁ ଆଇସିସି ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରି ଆସୁଛି। ୨୦୧୫ ଦିନିକିଆ ବିଶ୍ବକପରେ ଦଳ ଫାଇନାଲ ଖେଳିଥିବାବେଳେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇ ରନର୍ସ-ଅପ ହୋଇଥିଲା। ୨୦୧୬ ଟି-୨୦ ବିଶ୍ବକପ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ପରାଜିତ ହୋଇଥିଲା। ୨୦୧୯ ଦିନିକିଆ ବିଶ୍ବକପର ଫାଇନାଲରେ ଇଂଲଣ୍ଡ ନିକଟରୁ ପରାଜିତ ହୋଇ ନ୍ୟୁଜିଲ୍ୟାଣ୍ଡ ରନର୍ସ-ଅପ ହୋଇଥିଲା। ୨୦୨୧ ପ୍ରଥମ ଆଇସିସି ବିଶ୍ବ ଟେଷ୍ଟ ଚାମ୍ପିଅନଶିପ୍‌ରେ ଭାରତକୁ ପରାସ୍ତ କରି ନ୍ୟୁଜିଲାଣ୍ଡ ଚାମ୍ପିଅନ ହୋଇଥିଲା। ଏବେ ଦଳ ୨୦୨୧ ଟି-୨୦ ବିଶ୍ବକପର ଫାଇନାଲରେ ପହଞ୍ଚିଛି। ଫାଇନାଲ ଜିତି ପ୍ରଥମ ଟି-୨୦ ବିଶ୍ବକପ୍ ଟ୍ରଫି ହାସଲ କରିବାକୁ ଉଭୟେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଦଳ ଆଶାବାଦୀ ରହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।
ପ୍ରମୋଦ ଡେଇଁପଡ଼ି ମୋତେ କୁଣ୍ଢାଇବେ ବୋଲି ଭାବି ନ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଇତିହାସରେ ଏହା ଏକ ଅବିସ୍ମରଣୀୟ ଦୃଶ୍ୟ । ଟୋକିଓ ପାରାଲିମ୍ପିକ୍ସର ପୁରୁଷ ଏସ୍‌ଏଲ୍‌୩ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟର ଫାଇନାଲ ମ୍ୟାଚ୍ ଜିତି ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଉତ୍ସବମୁଖର ନ ହୋଇ ସିଧା ଭାରତୀୟ ଦଳର ପ୍ରଶିକ୍ଷକ ଗୌରବ ଖାନ୍ନାଙ୍କ ପାଖକୁ ଦୌଡ଼ିଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ପ୍ରମୋଦ ଏତେ ଖୁସି ହୋଇ ଯାଇଥିଲେ ଯେ ଗୌରବଙ୍କୁ ସେ ଆଲିଙ୍ଗନ କରି ଝୁଲି ପଡ଼ିଥିଲେ। ଗୌରବ କହିଛନ୍ତି ଯେ ଏହା ଅପ୍ରତ୍ୟାଶିତ ଥିଲା ଏବଂ ପ୍ରମୋଦ ଏପରି କରିବେ ବୋଲି ସେ ଆଦୌ ଆଶା କରି ନ ଥିଲେ। ପ୍ରମୋଦଙ୍କ ଏପରି ଆଚରଣ ତାଙ୍କୁ ବହୁତ ଖୁସି ଦେଇଥିଲା ବୋଲି ଭାରତୀୟ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ଗୌରବ କହିଛନ୍ତି।