ଇଂଲଣ୍ଡକୁ ହରାଇ ଟି-୨୦ ବିଶ୍ବକପ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ


ବିଜୟ ପରେ ପ୍ଲେୟର ଅଫ୍ ଦ ମ୍ୟାଚ୍‌ ଡାରିଲ୍ ମିଚେଲଙ୍କ ପ୍ରତିକ୍ରିୟା
ଅବୁ ଧାବୀ:  ଚଳିତ ଟି-୨୦ ବିଶ୍ବକପ୍‌ରେ ପ୍ରଥମ ଦଳ ଭାବେ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି ନ୍ୟୁଜିଲ୍ୟାଣ୍ଡ। ବୁଧବାର ଅବୁ ଧାବୀଠାରେ ଖେଳା ଯାଇଥିବା ପ୍ରଥମ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ୫ ୱିକେଟରେ ଇଂଲଣ୍ଡକୁ ପରାସ୍ତ କରିଛି। ମୋଇନ୍ ଅଲୀଙ୍କ ଅପରାଜିତ ଅର୍ଦ୍ଧଶତକ ସହ କିଛି ଉପଯୋଗୀ ଯୋଗଦାନ ବଳରେ ୨୦୧୦ର ଚାମ୍ପିଅନ୍ ଇଂଲଣ୍ଡ ୪ ୱିକେଟରେ ୧୬୬ ରନ୍‌ କରିଥିଲା। ଏକଦା କଷ୍ଟସାଧ୍ୟ ସ୍ଥିତିରେ ଥିବା ନ୍ୟୁଜିଲ୍ୟାଣ୍ଡ ଡାରିଲ୍ ମିଚେଲ, ଡେଭନ୍ କନ୍‌ୱେ ଓ ଜେମ୍‌ସ ନୀଶମ୍‌ଙ୍କ ଚମତ୍କାର ବ୍ୟାଟିଂ ବଳରେ ୧୬୭ ରନର ବିଜୟ ଲକ୍ଷ୍ୟକୁ ୬ଟି ବଲ୍‌ ବାକିଥାଇ ୧୯ତମ ଓଭରରେ ୫ ୱିକେଟ ହରାଇ ହାସଲ କରିନେଇଥିଲା। ବିସ୍ଫୋରକ ଅର୍ଦ୍ଧଶତକ କରିଥିବା ଡାରିଲ୍ ମିଚେଲ ପ୍ଲେୟର ଅଫ୍ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ। ପୂର୍ବରୁ ୨ ଥର ଟି-୨୦ ବିଶ୍ବକପ୍‌ ସେମିଫାଇନାଲରେ ପରାସ୍ତ ହୋଇଥିବା ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଥର ପାଇଁ ଟି-୨୦ ବିଶ୍ବକପ୍‌ ଫାଇନାଲରେ ପହଞ୍ଚିଛି। ପୁଣି ଏହି ବିଜୟ ସହ ନ୍ୟୁଜିଲ୍ୟାଣ୍ଡ ଇଂଲଣ୍ଡଠାରୁ ୨୦୧୯ ଦିନିକିଆ ବିଶ୍ବକପ୍‌ ଫାଇନାଲ ମ୍ୟାଚ୍‌ରେ ପରାଜୟର ପ୍ରତିଶୋଧ ନେଇପାରିଛି। ପାକିସ୍ତାନ-ଅଷ୍ଟ୍ରେଲିଆ ୨ୟ ସେମିଫାଇନାଲ ମ୍ୟାଚ୍‌ର ବିଜେତା ବିରୋଧରେ ନ୍ୟୁଜିଲ୍ୟାଣ୍ଡ ରବିବାର ଫାଇନାଲ ମୁକାବିଲା ଖେଳିବ।

ଦ୍ୱିତୀୟ ପାଳିରେ ୧୬୭ ରନ୍‌ର ଟାର୍ଗେଟକୁ ହାସଲ କରିବା ଲକ୍ଷ୍ୟରେ ବ୍ୟାଟିଂ କରିଥିବା ନ୍ୟୁଜିଲ୍ୟାଣ୍ଡ ୩ୟ ଓଭରରେ ୧୩ ରନ୍‌ର ସ୍କୋର୍‌ରେ ୨ଟି ୱିକେଟ ହରାଇଥିଲା। ନ୍ୟୁଜିଲ୍ୟାଣ୍ଡର ସଫଳ ଓପ୍‌ନର ମାର୍ଟିନ୍ ଗପ୍‌ଟିଲ ୪ ରନ୍‌ କରି ବିଦାୟ ନେଇଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ବ୍ୟାଟିଂର ମେରୁଦଣ୍ଡ ଅଧିନାୟକ କେନ୍ ୱିଲିୟମ୍‌ସନ ୫ ରନ୍‌ କରି ଆଉଟ ହୋଇଥିଲେ। ପରେ ଓପ୍‌ନର ଡାରିଲ୍ ମିଚେଲ ଓ ଡେଭନ୍ କନ୍‌ୱେ ଲଢ଼େଇ କରି ୩ୟ ୱିକେଟ ପାଇଁ ୧୧ ଓଭରରେ ୮୨ ରନ୍‌ ଯୋଡ଼ିଥିଲେ। କନ୍‌ୱେ ୩୮ଟି ବଲ୍‌ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୪୬ ରନ୍‌ କରି ଆଉଟ ହୋଇଥିଲେ। ଗ୍ଲେନ୍‌ ଫିଲିପ୍‌ସ ୨ ରନ୍‌ କରି ବିଦାୟ ନେଇଥିଲେ। ପରେ ଡାରିଲ୍ ମିଚେଲ ଓ ଜେମ୍‌ସ ନୀଶମ୍‌ ସଂଘର୍ଷ ଜାରି ରଖିଥିଲେ। ଶେଷ ୪ ଓଭରରେ ନ୍ୟୁଜିଲ୍ୟାଣ୍ଡ ୫୭ ରନ୍‌ ଆବଶ୍ୟକ କରୁଥିବା ବେଳେ ୩ ଓଭରରେ ଏହା ହାସଲ କରି ନେଇଥିଲା। ନ୍ୟୁଜିଲ୍ୟାଣ୍ଡ ୧୭ତମ ଓଭରରେ ୨୩, ୧୮ତମ ଓଭରରେ ୧୪ ଓ ୧୯ତମ ଓଭରରେ ୨୦ ରନ୍‌ ନେଇ ଜିତିଥିଲା। ନୀଶମ୍‌ ବିସ୍ଫୋରକ ବ୍ୟାଟିଂ କରି ୧୦ଟି ବଲ୍‌ରୁ ୩ଟି ଛକା ଓ ଗୋଟିଏ ଚୌକା ସହ ୨୭ ରନ୍‌ କରିଥିଲେ। ମିଚେଲ ୪୭ ବଲ୍‌ରୁ ୪ଟି ଲେଖାଏଁ ଛକା ଓ ଚୌକା ସହ ୭୨ ରନ୍‌ କରି ଅପରାଜିତ ରହିଥିଲେ। ଇଂଲଣ୍ଡ ପକ୍ଷରୁ କ୍ରିସ୍‌ ୱକ୍‌ସ ଓ ଲିଆମ୍‌ ଲିଭିଙ୍ଗ୍‌ଷ୍ଟୋନ୍‌ ୨ଟି ଲେଖାଏଁ ୱିକେଟ ନେଇଥିଲେ।

ଟସ୍ ଜିତି ନ୍ୟୁଜିଲ୍ୟାଣ୍ଡ ଫିଲ୍‌ଡିଂ କରିଥିଲା। ୫ ଓଭରରେ ଇଂଲଣ୍ଡ ଓପ୍‌ନିଂ ଯୋଡ଼ିରେ ୩୭ ରନ୍‌ କରିବା ପରେ ଜନି ବେୟାରଷ୍ଟୋ ୧୩ ରନ୍‌ କରି ଆଉଟ ହୋଇଥିଲେ। ୮ ଓଭରରେ ସ୍କୋର୍ ୫୩ ରନ୍‌ ଥିବା ବେଳେ ଜୋସ୍‌ ବଟ୍‌ଲର ୨୪ଟି ବଲ୍‌ରୁ ୪ଟି ଚୌକା ସହ ୨୯ ରନ୍‌ କରି ଆଉଟ ହୋଇଥିଲେ। ଡେୱିଡ୍‌ ମଲାନ୍ ଓ ମୋଇନ୍ ଅଲୀ ଆରମ୍ଭରୁ ଜଗିରଖି ଖେଳିବା ପରେ ଆକ୍ରମଣ କରିଥିଲେ। ୩ୟ ୱିକେଟ ପାଇଁ ମଲାନ୍ ଓ ମୋଇନ୍ ୪୩ଟି ବଲ୍‌ରୁ ୬୩ ରନ୍‌ ଯୋଡ଼ିଥିଲେ। ମଲାନ୍ ୩୦ଟି ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୪୧ ରନ୍‌ କରିଥିଲେ। ଲିଆମ୍ ଲିଭିଙ୍ଗଷ୍ଟୋନଙ୍କ ସହ ମୋଇନ୍ ୪ ଓଭରରୁ ୪୦ ରନ୍ ଯୋଡ଼ିଥିଲେ। ଲିଭିଙ୍ଗ୍‌ଷ୍ଟୋନ୍‌ ୧୦ଟି ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୭ ରନ୍‌ କରିଥିଲେ। ମୋଇନ୍‌ ଅଲୀ ୩୭ଟି ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୫୧ ରନ୍‌ କରି ଅପରାଜିତ ରହିଥିଲେ। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଟିମ୍ ସାଉଦି, ଆଡାମ ମିଲନେ, ଇଶ୍ ସୋଢୀ ଓ ଜେମ୍‌ସ ନୀଶମ୍ ଗୋଟିଏ ଲେଖାଏଁ ୱିକେଟ୍ ହାସଲ କରିଥିଲେ। ଟିମ୍ ସାଉଦୀ ୪ ଓଭରରୁ ମାତ୍ର ୨୪ ରନ୍‌ ଦେଇ ଗୋଟିଏ ୱିକେଟ ନେଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।
ପ୍ରମୋଦ ଡେଇଁପଡ଼ି ମୋତେ କୁଣ୍ଢାଇବେ ବୋଲି ଭାବି ନ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଇତିହାସରେ ଏହା ଏକ ଅବିସ୍ମରଣୀୟ ଦୃଶ୍ୟ । ଟୋକିଓ ପାରାଲିମ୍ପିକ୍ସର ପୁରୁଷ ଏସ୍‌ଏଲ୍‌୩ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟର ଫାଇନାଲ ମ୍ୟାଚ୍ ଜିତି ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଉତ୍ସବମୁଖର ନ ହୋଇ ସିଧା ଭାରତୀୟ ଦଳର ପ୍ରଶିକ୍ଷକ ଗୌରବ ଖାନ୍ନାଙ୍କ ପାଖକୁ ଦୌଡ଼ିଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ପ୍ରମୋଦ ଏତେ ଖୁସି ହୋଇ ଯାଇଥିଲେ ଯେ ଗୌରବଙ୍କୁ ସେ ଆଲିଙ୍ଗନ କରି ଝୁଲି ପଡ଼ିଥିଲେ। ଗୌରବ କହିଛନ୍ତି ଯେ ଏହା ଅପ୍ରତ୍ୟାଶିତ ଥିଲା ଏବଂ ପ୍ରମୋଦ ଏପରି କରିବେ ବୋଲି ସେ ଆଦୌ ଆଶା କରି ନ ଥିଲେ। ପ୍ରମୋଦଙ୍କ ଏପରି ଆଚରଣ ତାଙ୍କୁ ବହୁତ ଖୁସି ଦେଇଥିଲା ବୋଲି ଭାରତୀୟ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ଗୌରବ କହିଛନ୍ତି।