ରାଜନୀତି
କଂଗ୍ରେସରେ ସାମିଲ୍ ହେଲେ କହ୍ନୈୟା କୁମାର ଓ ଜିଗ୍ନେଶ ମେୱାନୀ

କଂଗ୍ରେସ ମୁଖ୍ୟାଳୟଠାରେ କଂଗ୍ରେସରେ ଯୋଗଦେବା ଅବସରରେ ରାହୁଲ୍ ଗାନ୍ଧିଙ୍କ ସହ କହ୍ନୈୟା କୁମାର ଓ ଜିଗ୍ନେଶ ମେୱାନୀ
ସିପିଆଇର ଯୁବ ନେତା ତଥା ଜବାହରଲାଲ୍ ନେହରୁ ୟୁନିଭର୍ସିଟିର ପୂର୍ବତନ ଛାତ୍ର ନେତା କହ୍ନୈୟା କୁମାର ଓ ଗୁଜରାଟ ବିଧାୟକ ଜିଗ୍ନେଶ ମେୱାନୀ ମଙ୍ଗଳବାର କଂଗ୍ରେସରେ ଯୋଗ ଦେଇଛନ୍ତି। ସେମାନେ ଏଠାରେ ଦଳୀୟ ମୁଖ୍ୟାଳୟଠାରେ ପହଞ୍ଚି ଦଳର ପୂର୍ବତନ ସଭାପତି ରାହୁଲ୍ ଗାନ୍ଧିଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ୍ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଦଳର ପ୍ରମୁଖ ମୁଖପାତ୍ର ରଣଦୀପ ସିଂ କହିଛନ୍ତି ଯେ ଦୁଇ ଯୁବ ନେତା କଂଗ୍ରେସରେ ସାମିଲ୍ ହେବା ନିଶ୍ଚିତ ଭାବେ ଏକ ସ୍ବତନ୍ତ୍ର ମୁହୂର୍ତ୍ତ। ଉଭୟ କହ୍ନୈୟା କୁମାର ଓ ଜିଗ୍ନେଶ ମେୱାନୀ ମୋଦୀ ସରକାର ବିରୋଧରେ ସବୁବେଳେ ସ୍ବର ଉତ୍ତୋଳନ କରିଆସିଛନ୍ତି। କେନ୍ଦ୍ର ସରକାରଙ୍କର କୌଣସି ଖୁଣ ବାଛିବାରେ ଏହି ଦୁଇ ଯୁବ ନେତା ଚାମ୍ପିଅନ୍ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ସିଂ କହିଛନ୍ତି। ସେହିପରି କଂଗ୍ରେସର ସାଧାରଣ ସମ୍ପାଦକ କେସି ବେନୁଗୋପାଲ ଦେଶବାସୀଙ୍କ ବାକ୍ ସ୍ବାଧୀନତା ପାଇଁ ଲଢ଼େଇ କ୍ଷେତ୍ରରେ କହ୍ନୈୟା କୁମାର ଏକ ପ୍ରମୁକ ନାମ ବୋଲି ମତ ଦେଇଛନ୍ତି। କଂଗ୍ରେସ ହାତ ଧରିବା ପରେ ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହ୍ନୈୟା କୁମାର ପ୍ରଥମେ ଶହୀଦ ଭଗତ ସିଂଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ଏହାପରେ ସେ କହିଥିଲେ ଯେ ଦେଶର କେତେକ ନେତା ଚିନ୍ତାଧାରାକୁ ବଦଳାଇବା ପାଇଁ ଉଦ୍ୟମ କରୁଛନ୍ତି। ସେମାନଙ୍କ ଏହି ଉଦ୍ୟମକୁ ଚେକ୍ ଦେବା ସକାଶେ ସେ କଂଗ୍ରେସରେ ସାମିଲ୍ ହୋଇଛନ୍ତି। କଂଗ୍ରେସ ଦେଶର ସବୁଠାରୁ ବଡ଼ ଗଣତାନ୍ତ୍ରିକ ରାଜନୈତିକ ଦଳ ହୋଇଥିବାରୁ ଏଥିରେ ସାମିଲ୍ ହେବା ସକାଶେ ସେ ନିଷ୍ପତ୍ତି ନେଇଥିବା କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଦେଶର ଯୁବପିଢ଼ି ବର୍ତ୍ତମାନ ଏହା ବୁଝିବା ଆରମ୍ଭ କଲେଣି ଯେ ଯଦି କଂଗ୍ରେସ ଶେଷ ହୋଇଯାଏ, ତା’ହେଲେ ଦେଶର ଭବିଷ୍ୟତ କଦାପି ସୁରକ୍ଷିତ ନୁହେଁ। ଜେଏନୟୁର ଏହି ପୂର୍ବତନ ଛାତ୍ର ନେତା କହ୍ନୈୟା କୁମାର ଗତ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ସିପିଆଇରେ ଯୋଗ ଦେଇଥିଲେ। ସେ ଉକ୍ତ ନିର୍ବାଚନରେ ବେଗୁସରାଇ ନିର୍ବାଚନମଣ୍ଡଳୀରୁ ସିପିଆଇ ଟିକେଟରେ ବିଜେପିର ଗିରିରାଜ ସିଂଙ୍କ ବିରୋଧରେ ଲଢ଼ିଥିଲେ। ତେବେ ଶେଷରେ ସେ ଗିରିରାଜଙ୍କଠାରୁ ପରାସ୍ତ ହୋଇଥିଲେ। ଅନ୍ୟପକ୍ଷରେ ଜିଗ୍ନେଶ ମେୱାନୀ ଗୁଜରାଟର ବଡଗାମ୍ ନିର୍ବାଚନମଣ୍ଡଳୀରୁ ଜଣେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ। ଜଣେ ଦଳିତ ନେତା ଭାବେ ଜଣାଶୁଣା ଜିଗ୍ନେଶ ଆଗାମୀ ୨୦୨୨ ଗୁଜରାଟ ବିଧାନସଭା ନିର୍ବାଚନରେ କଂଗ୍ରେସ ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବାର ସମ୍ଭାବନା ରହିଛି।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ