ଅପରାଧ
ଦମ୍ପତିଙ୍କ ଉପରେ ମରଣାନ୍ତକ ଆକ୍ରମଣ: ସ୍ତ୍ରୀ ମୃତ

ପ୍ରତୀକାତ୍ମକ ଫଟୋ
ସୁନ୍ଦରଗଡ଼ ସଦର ଥାନା ଜୁନାଡ଼ିହି ଗାଁରେ ଘଟିଛି ଅଭାବନୀୟ ଘଟଣା। ପୁଅର ପରକୀୟା ପ୍ରୀତି ପାଇଁ ବଳି ପଡ଼ିଛନ୍ତି ବାପା, ମା’। ଉଭୟଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ବେଳେ ମା’ର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ହେଲେ ବାଚି ଓରାମ। ଗୁରୁତର ଅବସ୍ଥାରେ ମଧୁ ଓରାମଙ୍କୁ ବୁର୍ଲା ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି। ଦମ୍ପତିଙ୍କ ପୁଅ ସହ ଗାଁର ଜଣେ ମହିଳାଙ୍କ ଅନୈତିକ ସମ୍ପର୍କ ସନ୍ଦେହରେ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ୍ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ଖବର ଅନୁଯାୟୀ, ଗତ ରାତିରେ ବାଚି ଓରାମ ଓ ତାଙ୍କ ସ୍ବାମୀ ମଧୁ ଓରାମ ରାତିରେ ଶୋଇଥିଲେ। ଏହି ସମୟରେ ଗ୍ରାମର ଜଣେ ବ୍ୟକ୍ତି ଅଚାନକ ପଶିଯାଇ ଟାଙ୍ଗିଆରେ ଉଭୟଙ୍କୁ ଆକ୍ରମଣ କରିଥିଲା। ଏଥିରେ ବାଚିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଥିବା ବେଳେ ତାଙ୍କର ସ୍ୱାମୀ ଗୁରୁତର ହୋଇଛନ୍ତି। ମଧୁଙ୍କୁ ପ୍ରଥମେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ପଠା ଯାଇଛି। ସେଠାରେ ତାଙ୍କର ଅବସ୍ଥା ଭଲ ନ ଥିବା ଜଣାଯାଇଛି। ଆକ୍ରମଣ ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି।