ନାରୀ
କେବିସି ୧୩ର ପ୍ରଥମ କୋଟିପତି ହେଲେ ହିମାନୀ, ୧୫ ବର୍ଷ ବୟସରେ ହରାଇଥିଲେ ଚକ୍ଷୁ

ହିମାନୀ ବୁନ୍ଦେଲା
ଟିଭିର ସବୁଠାରୁ ଲୋକପ୍ରିୟ କ୍ବିଜ ଶୋ’ ‘କୌନ ବନେଗା କରୋଡ଼ପତି’ ୧୩ତମ ସିଜନ ଆରମ୍ଭ କରିଛି। ଶୋ’ ଆରମ୍ଭ ହେବା କିଛି ଦିନ ହୋଇଛି। ଇତିମଧ୍ୟରେ ଶୋ’କୁ ପ୍ରଥମ କୋଟିପତି ମିଳି ସାରିଛି। କେବିସି ସିଜନ ୧୩ର ପ୍ରଥମ କୋଟିପତି ହୋଇଛନ୍ତି ହିମାନୀ ବୁନ୍ଦେଲା। ସେ ଜଣେ ଦୃଷ୍ଟିହୀନ ମହିଳା। ହିମାନୀ ୧ କୋଟି ଟଙ୍କାର ଠିକ ଉତ୍ତର ଦେଇ ୭ କୋଟି ଟଙ୍କାର ପ୍ରଶ୍ନରେ ପହଞ୍ଚି ସାରିଥିଲେ। ଏହାର ଏକ ପ୍ରମୋ ସୋନୀ ଟିଭି ଏହାର ଇନଷ୍ଟାଗ୍ରାମ ହ୍ୟାଣ୍ଡଲରେ ଶେୟାର କରିଥିଲା। କେବିସି ଇତିହାସରେ ପ୍ରଥମ ଥର ପାଇଁ କୌଣସି ଦୃଷ୍ଟିହୀନ ପ୍ରତିଯୋଗୀ ଶୋ’ରେ ଅଂଶଗ୍ରହଣ କରିଛନ୍ତି ଓ ଏତେ ବଡ଼ ରାଶି ନିଜ ନାମରେ କରିଛନ୍ତି। ଚାଲନ୍ତୁ ଜାଣିବା ହିମାନୀଙ୍କ ସମ୍ପର୍କରେ, ଯିଏ ଦୃଷ୍ଟିହୀନ ହେବା ପରେ ବି ନିଜ ସ୍ବପ୍ନର ଉଡ଼ାଣ ଭରିଛନ୍ତି।
ଗଣିତ ଶିକ୍ଷୟିତ୍ରୀ ହିମାନୀ
ହିମାନୀ ବୁନ୍ଦେଲା ଆଗ୍ରାର ଗୁରୁ ଗୋବିନ୍ଦ ନଗରରେ ରହନ୍ତି। ସେ ସ୍କୁଲରେ ଗଣିତ ଶିକ୍ଷକ ଅଛନ୍ତି। ହିମାନୀ କହିଛନ୍ତି ଯେ ସେ ୯ ବର୍ଷ ବୟସରୁ କେବିସି ଦେଖୁଛନ୍ତି। କେବିସିରେ ପ୍ରତିଯୋଗୀ ଭାବେ ଅଂଶଗ୍ରହଣ କରିବା ପାଇଁ ପିଲାଦିନୁ ତାଙ୍କର ସ୍ବପ୍ନ ଥିଲା। ଦିନେ ନା ଦିନେ କେବିସିରେ ଅଂଶଗ୍ରହଣ କରି ଅମିତାଭ ବଚ୍ଚନଙ୍କୁ ସାକ୍ଷାତ କରିବେ ବୋଲି ସେ ସ୍ବପ୍ନ ଦେଖିଥିଲେ।
୧୫ ବର୍ଷ ବୟସରେ ହୋଇଥିଲା ଦୁର୍ଘଟଣା
ହିମାନୀ ଦେଖିପାରୁ ନାହାନ୍ତି। ଏହାର କାରଣ ହିମାନୀଙ୍କ ସହ ୧୫ ବର୍ଷ ବୟସରେ ଏକ ଦୁର୍ଘଟଣା ହୋଇଥିଲା। ଏଥିରେ ସେ ତାଙ୍କର ଦୁଇଟିଯାକ ଚକ୍ଷୁ ହରାଇଥିଲେ। ସେତେବେଳେ ସେ ୯ମ ଶ୍ରେଣୀରେ ପାଠ ପଢ଼ୁଥିଲେ ଓ ସ୍କୁଲ ଯିବା ସମୟରେ ତାଙ୍କର ଦୁର୍ଘଟଣା ହୋଇଥିଲା। ଏଥିରେ ତାଙ୍କ ଆଖିର ରେଟିନା ଫାଟିଯାଇଥିଲା। ଆଖିର ଅନେକ ଚିକିତ୍ସା କରାଇଥିଲେ ମଧ୍ୟ ଏହା ଠିକ ହୋଇ ନ ଥିଲା। ଏହାସତ୍ତ୍ବେ ସେ ନିଜ ସାହସ ନ ହରାଇ ନିଜ ଲକ୍ଷ୍ୟ ପ୍ରାପ୍ତିରେ ଜୁଟି ଯାଇଥିଲେ।
ପାଠପଢ଼ା ପୂରା କରିଥିଲେ
ହିମାନୀ କେବେ ବି ନିଜ ପାଠପଢ଼ାରେ ସମସ୍ୟା ଆସିବାକୁ ଦେଇ ନ ଥିଲେ। ସେ ହ୍ୟୁମାନିଟିଜରେ ଗ୍ରାଜୁଏସନ କରିଥିଲେ ଓ ଡା. ଶକୁନ୍ତଳା ୟୁନିଭର୍ସିର୍ଟିରେ ବିଏଡ ଡିଗ୍ରୀ ହାସଲ କରିଥିଲେ। ଏହାପରେ ସେ ଏକ ସ୍କୁଲ ଟିଚର ଭାବେ ଚାକିରି କରିଥିଲେ।
୫ ବର୍ଷ ହେଲାଣି କରୁଛନ୍ତି ଚେଷ୍ଟା
ହିମାନୀ କହିଛନ୍ତି ଯେ କେବିସିରେ ଅଂଶଗ୍ରହଣ କରିବା ପାଇଁ ସେ ଗତ ୫ ବର୍ଷ ହେଲା ଚେଷ୍ଟା କରୁଥିଲେ। ଶୋ’ରେ ଅଂଶଗ୍ରହଣ କରିବା ପାଇଁ ସେ ସବୁବେଳେ ପଞ୍ଜୀକରଣର ଅପେକ୍ଷା କରୁଥିଲେ।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ