ଟୋକିଓ ଅଲିମ୍ପିକ୍ସରେ ଆମେରିକା ଚାମ୍ପିଅନ୍, ୪୮ତମ ସ୍ଥାନରେ ଭାରତ


୫ଟି ସ୍ବର୍ଣ୍ଣ ଜିତିଥିବା ଆମେରିକୀୟ ସୁଇମର୍ କେଲେବ୍ ଡ୍ରେସେଲ୍ ଓ ଭାରତର ନୀରଜ ଚୋପ୍ରା
ଟୋକିଓ: ଅଲିମ୍ପିକ୍ସର ୩୨ତମ ସଂସ୍କରଣ ରବିବାର ଉଦଯାପିତ ହୋଇଥିବା ବେଳେ ଏଥିରେ ଆମେରିକା ଚାମ୍ପିଅନ୍ ହୋଇଛି। ଦଳ ୩୯ଟି ସ୍ବର୍ଣ୍ଣ ସମେତ ମୋଟ ୧୧୩ଟି ପଦକ ପାଇ ତାଲିକାର ଏକ ନମ୍ବରରେ ରହିଛି। ପୂର୍ବରୁ ଶନିବାର ପର୍ଯ୍ୟନ୍ତ ପ୍ରତିଯୋଗିତାରେ ଚୀନ୍ ଏକ ନମ୍ବରରେ ରହିଥିଲା। କିନ୍ତୁ ଶେଷ ଦିନରେ ଆମେରିକା ଏହି ଦେଶକୁ ପଛରେ ପକାଇବାରେ ସକ୍ଷମ ହୋଇଥିଲା। ଅନ୍ୟପକ୍ଷରେ ଭାରତ ଅଲିମ୍ପିକ୍ସ ଇତିହାସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପୂର୍ବକ ସର୍ବଶ୍ରେଷ୍ଠ ୪୮ତମ ସ୍ଥାନରେ ସଂସ୍କରଣ ଶେଷ କରିଛି। ଭାରତ ଗୋଟିଏ ସ୍ବର୍ଣ୍ଣ, ୨ଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ୍ ପଦକ ସହ ମୋଟ ୭ଟି ପଦକ ହାସଲ କରିପାରିଛି। ଟୋକିଓ ଅଲିମ୍ପିକ୍ସର ଉଦଯାପନୀ ଦିବସରେ ପ୍ରତିଯୋଗିତା ପହଞ୍ଚିବା ବେଳକୁ ଚୀନ୍ ପଦକ ତାଲିକାରେ ୩୮-୩୬ରେ ଆଗୁଆ ଥିଲା। କିନ୍ତୁ ୩ଟି ସ୍ବର୍ଣ୍ଣପଦକ ଜିତି ଆମେରିକା ଅଳ୍ପକେ ଏହାର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଚୀନକୁ ପଛରେ ପକାଇ ଦେଇଥିଲା। ଶେଷ ଦିନରେ ଚୀନର କୌଣସି ସ୍ବର୍ଣ୍ଣପଦକ ମ୍ୟାଚ୍ ନ ଥିବାରୁ ଆମେରିକା ଚାମ୍ପିଅନ୍ ଭାବେ ପ୍ରତିଯୋଗିତା ଶେଷ କରିଛି। ରବିବାର ଆମେରିକାର ତା’ର ପ୍ରଥମ ସ୍ବର୍ଣ୍ଣଟି ମହିଳା ବାସ୍କେଟବଲରେ ହାସଲ କରିଥିଲା। ଆମେରିକା ଦଳ ଜାପାନକୁ ପରାସ୍ତ କରି ଏହି ସ୍ବର୍ଣ୍ଣପଦକଟି ହାସଲ କରିଥିଲା। ସେହିପରି ଦ୍ବିତୀୟ ସ୍ବର୍ଣ୍ଣ ପଦକଟି ଆମେରିକୀୟ ସାଇକ୍ଲିଷ୍ଟ୍ ଜେନିଫର୍ ଭାଲେଣ୍ଟ୍ ଦିନର ଦ୍ବିତୀୟ ସ୍ବର୍ଣ୍ଣପଦକ ଜିତିବା ପରେ ଚୀନ୍ ସହ ସ୍ବର୍ଣ୍ଣପଦକ ସଂଖ୍ୟା ସମାନ ହୋଇଥିଲା। ପରେ ମହିଳା ଭଲିବଲ୍ ଟିମ୍ ଅଲିମ୍ପିକ୍ସ ଇତିହାସରେ ତା’ର ପ୍ରଥମ ସ୍ବର୍ଣ୍ଣପଦକ ଜିତିବା ଫଳରେ ଆମେରିକା ଚୀନକୁ ଅତିକ୍ରମ କରିଯାଇଥିଲା।

ତେବେ ଗତ ୩୧ତମ ଅଲିମ୍ପିକ୍ସରେ ରିଓଠାରେ ଆମେରିକା ୪୬ଟି ସ୍ବର୍ଣ୍ଣପଦକ ପାଇଥିବାରୁ ଏଠାରେ ଦଳର ପ୍ରଦର୍ଶନରେ ଅବନତି ଘଟିଥିଲା। ଉକ୍ତ ସଂସ୍କରଣରେ ଟୋକିଓ ତୁଳନାରେ ୩୦ଟି କମ୍ ଇଭେଣ୍ଟ୍ ଥିଲା। ଟୋକିଓରେ ଆମେରିକା ଟ୍ରାକ୍ ଏଣ୍ଡ୍ ଫିଲ୍ଡ ଇଭେଣ୍ଟରେ ରିଓ ତୁଳନାରେ ଦୁର୍ବଳ ପ୍ରଦର୍ଶନ କରିଥିଲା। ଦେଶର କୌଣସି ଟ୍ରାକ୍ ଏଣ୍ଡ୍ ଫିଲ୍ଡର ପୁରୁଷ ସ୍ବର୍ଣ୍ଣପଦକ ହାସଲ କରିବାରେ ସକ୍ଷମ ହୋଇ ନ ଥିଲେ। ଅଲିମ୍ପିକ୍ସ ଇତିହାସରେ ଏହା ଆମେରିକା ପାଇଁ ପ୍ରଥମ ଘଟଣା ମଧ୍ୟ ଥିଲା। ତା’ଛଡ଼ା ତାରକା ଜିମ୍ନାଷ୍ଟ୍ ସାଇମନ୍ ବାଇଲ୍ସ ପ୍ରତିଯୋଗିତାରୁ ଓହରିଯିବା ମଧ୍ୟ ଆମେରିକାର ପଦକ ସଂଖ୍ୟା ହ୍ରାସ ପାଇଁ ଅନ୍ୟ ଏକ କାରଣ। ଏକ ନମ୍ବରରେ ରହିଥିବା ଆମେରିକା ୩୯ଟି ସ୍ବର୍ଣ୍ଣ ବ୍ୟତୀତ ୪୧ଟି ରୌପ୍ୟ ଓ ୩୩ଟି ବ୍ରୋଞ୍ଜ୍ ପଦକ ପାଇଥିବା ବେଳେ ଚୀନ୍ ୩୮ଟି ସ୍ବର୍ଣ୍ଣ ବ୍ୟତୀତ ୩୨ଟି ରୌପ୍ୟ ଓ ୧୮ଟି ବ୍ରୋଞ୍ଜ୍ ସମେତ ସମୁଦାୟ ୮୮ଟି ପଦକ ହାସଲ କରିଛି। ଏହାଛଡ଼ା ୩ୟ ସ୍ଥାନରେ ଥିବା ଜାପାନ ୨୭ଟି ସ୍ବର୍ଣ୍ଣ, ୧୪ଟି ରୌପ୍ୟ ଓ ୧୭ଟି ବ୍ରୋଞ୍ଜ୍ ଏହିପରି ସର୍ବମୋଟ ୫୮ଟି ପଦକ ହାସଲ କରିବାରେ ସକ୍ଷମ ହୋଇଛି। ଅନ୍ୟପକ୍ଷରେ ଭାରତ ପକ୍ଷରୁ ଜାଲେଭିନରେ ନୀରଜ ଚୋପ୍ରା, ରେସଲିଂରେ ରବି ଦହିୟା ଓ ମହିଳା ଭାରୋତ୍ତୋଳନରେ ମୀରାବାଈ ଚାନୁ, ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ, ମହିଳା ବକ୍ସିଂରେ ଲଭଲିନା ବୋରଗୋହେନ୍, ପୁରୁଷ ରେସଲିଂରେ ବଜରଙ୍ଗ ପୁନିଆ ଓ ପୁରୁଷ ହକି ଟିମ୍ ବ୍ରୋଞ୍ଜ୍ ପଦକ ହାସଲ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।
ପ୍ରମୋଦ ଡେଇଁପଡ଼ି ମୋତେ କୁଣ୍ଢାଇବେ ବୋଲି ଭାବି ନ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଇତିହାସରେ ଏହା ଏକ ଅବିସ୍ମରଣୀୟ ଦୃଶ୍ୟ । ଟୋକିଓ ପାରାଲିମ୍ପିକ୍ସର ପୁରୁଷ ଏସ୍‌ଏଲ୍‌୩ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟର ଫାଇନାଲ ମ୍ୟାଚ୍ ଜିତି ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଉତ୍ସବମୁଖର ନ ହୋଇ ସିଧା ଭାରତୀୟ ଦଳର ପ୍ରଶିକ୍ଷକ ଗୌରବ ଖାନ୍ନାଙ୍କ ପାଖକୁ ଦୌଡ଼ିଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ପ୍ରମୋଦ ଏତେ ଖୁସି ହୋଇ ଯାଇଥିଲେ ଯେ ଗୌରବଙ୍କୁ ସେ ଆଲିଙ୍ଗନ କରି ଝୁଲି ପଡ଼ିଥିଲେ। ଗୌରବ କହିଛନ୍ତି ଯେ ଏହା ଅପ୍ରତ୍ୟାଶିତ ଥିଲା ଏବଂ ପ୍ରମୋଦ ଏପରି କରିବେ ବୋଲି ସେ ଆଦୌ ଆଶା କରି ନ ଥିଲେ। ପ୍ରମୋଦଙ୍କ ଏପରି ଆଚରଣ ତାଙ୍କୁ ବହୁତ ଖୁସି ଦେଇଥିଲା ବୋଲି ଭାରତୀୟ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ଗୌରବ କହିଛନ୍ତି।