ଟୋକିଓ ଅଲିମ୍ପିକ୍ସ
ଗୋଲଡେନ୍ ବୟ ନୀରଜଙ୍କୁ ଆନନ୍ଦଙ୍କ ମହିନ୍ଦ୍ରା ଏକ୍ସୟୁଭି ୭୦୦ ଉପହାର

ଆନନ୍ଦ ମହିନ୍ଦ୍ରା ଓ ନୀରଜ ଚୋପ୍ରା
ନୂଆଦିଲ୍ଲୀ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଗତ ଶନିବାର ଭାରତ ପାଇଁ ଆଥଲେଟିକ୍ସରେ ଦ୍ବିତୀୟ ପଦକ ଓ ପ୍ରଥମ ସ୍ବର୍ଣ୍ଣପଦକ ଜିତି ଐତିହାସିକ ସଫଳତା ହାସଲ କରିଛନ୍ତି ଜାଭେଲିନ୍ ଥ୍ରୋୟର୍ ନୀରଜ ଚୋପ୍ରା। ସେ ଜାଭେଲିନ୍ ଥ୍ରୋ’ରେ ଜବରଦସ୍ତ ପ୍ରଦର୍ଶନ ପୂର୍ବକ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଏକ ନମ୍ବରରେ ରହିବା ସହ ସ୍ବାଧୀନ ଭାରତର ପ୍ରଥମ ଟ୍ରାକ୍ ଏଣ୍ଡ୍ ଫିଲ୍ଡ ସ୍ବର୍ଣ୍ଣପଦକ ବିଜେତା ହୋଇ ସମଗ୍ର ଦେଶବାସୀଙ୍କ ହୃଦୟ ଜିତିପାରିଛନ୍ତି। ସେ ମଧ୍ୟ ୧୨୦ ବର୍ଷ ପରେ ଦେଶ ପାଇଁ ଟ୍ରାକ୍ ଏଣ୍ଡ୍ ଫିଲ୍ଡରେ ପଦକ ଜିତି ସମଗ୍ର ବିଶ୍ବକୁ ଚକିତ କରିଦେଇଛନ୍ତି। ତାଙ୍କର ଏହି ସଫଳତା ପାଇଁ ଆବାଳବୃଦ୍ଧବନିତା ଗୌରବାନ୍ବିତ ଅନୁଭବ କରିଛନ୍ତି। ଏହି ସ୍ବର୍ଣ୍ଣିମ ସଫଳତା ମାଧ୍ୟମରେ ଅଲିମ୍ପିକ୍ସ ଇତିହାସରେ ମଧ୍ୟ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ ସମ୍ଭବପର ହୋଇପାରିଛି। ଗତ ଲଣ୍ଡନ ଅଲିମ୍ପିକ୍ସରେ ଭାରତ ୬ଟି ପଦକ ଜିତିଥିଲା, ଯାହାକି ଟୋକିଓ ଅଲିମ୍ପିକ୍ସ ପର୍ଯ୍ୟନ୍ତ ଭାରତର ଶ୍ରେଷ୍ଠ ସଫଳତା ରହିଥିଲା। କିନ୍ତୁ ଟୋକିଓରେ ଭାରତ ୭ଟି ପଦକ ପାଇବା ଫଳରେ ଏହି ସଂସ୍କରଣଟି ଦେଶବାସୀଙ୍କ ପାଇଁ ସ୍ମରଣୀୟ ହୋଇପାରିଛି। ଅପୂର୍ବ ସଫଳତା ପାଇଁ ନୀରଜଙ୍କୁ ଚାରିଆଡ଼ୁ ପୁରସ୍କାରର ସୁଅ ଛୁଟିଥିବା ବେଳେ ଏଥିରେ ସାମିଲ୍ ହୋଇଛନ୍ତି ଦେଶର ଜଣାଶୁଣା ଚାରିଚକିଆ ଯାନ ନିର୍ମାଣକାରୀ କମ୍ପାନୀ ମହିନ୍ଦ୍ରା ଏଣ୍ଡ୍ ମହିନ୍ଦ୍ରା ମୁଖ୍ୟ ଆନନ୍ଦ ମହିନ୍ଦ୍ରା। ସେ କର୍ପୋରେଟ୍ ଜଗତର ପ୍ରଥମ ବ୍ୟକ୍ତି ଭାବେ ନୀରଜଙ୍କ ପାଇଁ ପୁରସ୍କାର ଘୋଷଣା କରିଛନ୍ତି। ମହିନ୍ଦ୍ରା ଗ୍ରୁପ୍ ଅଧ୍ୟକ୍ଷ ରହିଥିବା ମହିନ୍ଦ୍ରାଙ୍କ ଘୋଷଣା ଅନୁସାରେ, ଖୁବଶୀଘ୍ର ନୀରଜଙ୍କୁ ଏକ ଏକ୍ସୟୁଭି ୭୦୦ ପ୍ରଦାନ କରିବେ।
ଏକ ଟ୍ବିଟ୍ର ଜବାବରେ ମହିନ୍ଦ୍ରା ଉଲ୍ଲେଖ କରିଛନ୍ତି, ଗୋଲଡେନ୍ ବୟ ନୀରଜଙ୍କୁ ଏକ ଉପହାର ପ୍ରଦାନ କରିବା ମୋ ପାଇଁ ସୌଭାଗ୍ୟର ବିଷୟ। ଦେଶ ପାଇଁ ସ୍ବର୍ଣ୍ଣପଦକ ଜିତି ୧୨ ବର୍ଷ ପରେ ଏହି ତାଲିକାରେ ଅଭିନବ ବିନ୍ଦ୍ରାଙ୍କ ପରେ ଦ୍ବିତୀୟ ଭାରତୀୟ ହୋଇଥିବା ନୀରଜ ଦେଶ ପାଇଁ ଅପୂର୍ବ ଗୌରବ ହାସଲ କରିଛନ୍ତି। ତେଣୁ ତାଙ୍କ ପାଇଁ ଗୋଟିଏ ଏକ୍ସୟୁଭି ପ୍ରସ୍ତୁତ ରଖିବାକୁ ବିଭାଗୀୟ ମୁଖ୍ୟଙ୍କୁ କହିଛନ୍ତି। ଅଦ୍ୟାବଧି କମ୍ପାନୀ ପକ୍ଷରୁ ଏହି ମଡେଲ ଲଞ୍ଚ୍ ହୋଇ ନ ଥିବା ବେଳେ ଏହାର ପ୍ରଥମ ଗାଡ଼ିଟିକୁ ନୀରଜଙ୍କୁ ପ୍ରଦାନ କରାଯିବା ସକାଶେ ଆନନ୍ଦ ଘୋଷଣା କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଜାଭେଲିନ୍ ଥ୍ରୋ ’ଏପରି ଏକ ଇଭେଣ୍ଟ୍ ଯାହାକି ନିୟମିତ ବ୍ୟବଧାନରେ କୌଣସି ସ୍ମାରକୀରେ ବ୍ୟବହାର ହୋଇଆସିଛି। ଆମ କମ୍ପାନୀ ପକ୍ଷରୁ ମଧ୍ୟ ଏପରି ଏକ ମୁଦ୍ରାର ଅଫିସିଆଲ୍ ରିଲିଜ୍ କରାଯିବ, ଯେଉଁଥିରେ ନୀରଜଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଫଟୋ ସ୍ଥାନିତ ହେବ ବୋଲି ଆନନ୍ଦ କହିଛନ୍ତି। ସୂଚନାଯୋଗ୍ୟ ଯେ ମହିନ୍ଦ୍ରା ଏକ୍ସୟୁଭି ୭୦୦ ଉଭୟ ପେଟ୍ରୋଲ୍ ଓ ଡିଜେଲ୍ ଇଞ୍ଜିନ୍ ବିଶିଷ୍ଟ ହେବ। ୨.୨ ପେଟ୍ରୋଲ୍ ବିକଳ୍ପ ବିଶିଷ୍ଟ ମଡେଲର ଇଞ୍ଜିନ୍ କ୍ଷମତା ସର୍ବାଧିକ ୨୦୦ ବିଏଚପି ରହିଥିବା ବେଳେ ୨.୨ ଲିଟର୍ ବିଶିଷ୍ଟ ଏମ୍ହକ୍ ଇଞ୍ଜିନର କ୍ଷମତା ୧୮୫ ବିଏଚପି ରହିବ। ଏହାଛଡ଼ା ଉଭୟ ମଡେଲରେ ମାନୁଆଲ୍ ଓ ଅଟୋମ୍ୟାଟିକ୍ ଗିୟରବକ୍ସ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି। ମହିନ୍ଦ୍ରାର ଏହି ମଡେଲ୍ ହ୍ୟୁଣ୍ଡାଇ ଆଲକାଜାର, ଟାଟା ସଫାରୀ ଓ ଏମଜି ହେକ୍ଟର ପ୍ଲସ୍ ସହ ପ୍ରତିଦ୍ବନ୍ଦ୍ବିତା କରିବ।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ