ନୂଆଦିଲ୍ଲୀ: ଅଲିମ୍ପିକ୍ସ ସ୍ୱର୍ଣ୍ଣ ବିଜୟୀ ନୀରଜ ଚୋପ୍ରାଙ୍କ ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଅଜାଡ଼ି ହୋଇ ପଡ଼ିଛି। ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ, କ୍ରୀଡ଼ା ମନ୍ତ୍ରୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ବିଟ କରି ଲେଖିଛନ୍ତି ନୀରଜ ଚୋପ୍ରାଙ୍କ ବିଜୟ ଅଭୂତପୂର୍ବ। ଆପଣଙ୍କ ଜାଭେଲିନ ସ୍ୱର୍ଣ୍ଣ ସବୁ ପ୍ରତିବନ୍ଧକକୁ ଭାଙ୍ଗି ଦେଇଛି ଓ ଇତିହାସ ସୃଷ୍ଟି କରିଛି। ଆପଣ ନିଜର ପ୍ରଥମ ଅଲିମ୍ପିକ୍ସରେ ଭାରତ ପାଇଁ ଫିଲ୍ଡ ଓ ଟ୍ରାକ୍ ଇଭେଣ୍ଟରେ ପ୍ରଥମ ସ୍ୱର୍ଣ୍ଣ ଜିତିଛନ୍ତି। ଆପଣଙ୍କ ସଫଳତା ଯୁବଗୋଷ୍ଠୀଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଆଣି ଦେବ ବୋଲି ରାଷ୍ଟ୍ରପତି ଲେଖିଛନ୍ତି। ଉପରାଷ୍ଟ୍ରପତି ଭେଙ୍କୈୟା ନାଇଡୁ ଲେଖିଛନ୍ତି ଅବିଶ୍ୱସନୀୟ ସଫଳତା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ନୀରଜଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ନୀରଜ ଯେଉଁ ଇତିହାସ ରଚିଲେ, ତାହା ସବୁବେଳେ ସ୍ମରଣୀୟ ହୋଇ ରହିବ। ଆମେ କୌଣସି ଗୁଣରେ କମ ନୁହଁ ବୋଲି ନୀରଜ ବିଶ୍ବ ଦରବାରରେ ପ୍ରମାଣିତ କରି ଦେଶକୁ ଗୌରାବନ୍ବୀତ କରିଛନ୍ତି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ସ୍ୱର୍ଣ୍ଣ ପଦକ ବିଜୟୀ ନୀରଜଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଟ୍ରାକ ଆଣ୍ଡ ଫିଲ୍ଡରେ ନୀରଜ ପ୍ରଥମ ପଦକ ହାସଲ କରି ସ୍ବର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିଛନ୍ତି। ଏହାବାଦ ବିଭିନ୍ନ ମହଲରୁ ବି ତାଙ୍କ ପାଇଁ ଅଭିନନ୍ଦନ ଓ ପୁରସ୍କାରର ସୁଅ ଛୁଟିଛି। ଏମାନଙ୍କ ବ୍ୟତୀତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅନୁରାଗ ଠାକୁର, କରିଣ ରିଜିଜୁ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କ୍ରିକେଟର ସଚିନ ତେନ୍ଦୁଲକର ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ନୀରଜଙ୍କୁ ଅଭିନନ୍ଦନ ଜଣାଇଛନ୍ତି।