ସ୍ବତନ୍ତ୍ର ପ୍ରସଙ୍ଗ
ଏମିତି ଅଜାଡ଼ି ହୋଇପଡ଼େ ଟଙ୍କା

ଆମେରିକାର ଲଟେରୀ ବିଜେତା ଓକସାନା ଜାହାରୋଭ
ବିପୁଳ ସମ୍ପତ୍ତିର ଅଧିକାରୀ ହେବା ନେଇ ଅନେକ ସ୍ବପ୍ନ ଦେଖନ୍ତି। କିନ୍ତୁ ହାସଲ କରିବା ଅସମ୍ଭବ ହୋଇଯାଏ। ଅନେକଙ୍କ ଜୀବନବ୍ୟାପୀ ପରିଶ୍ରମ ମଧ୍ୟ ନିଷ୍ଫଳ ହୋଇଯାଏ। କିନ୍ତୁ ଏଭଳି କିଛି ଲୋକ ଅଛନ୍ତି ଯେଉଁମାନଙ୍କ ପାଇଁ ସେମାନଙ୍କ ଲଟେରୀ ଟିକେଟ ଲକି ସାବ୍ୟସ୍ତ ହୋଇଛି। ଜୀବନର ଗତିପଥକୁ ବଦଳାଇ ଦେଇଛି। ରାତାରାତି ଭାଗ୍ୟଦେବୀ ଘର ଉପରେ ଆଣି ଅଜାଡି ଦେଇ ଯାଇଛନ୍ତି ବିପୁଳ ସମ୍ପତ୍ତି। ଏଭଳି କିଛି ଲଟେରୀ ବିଜେତାଙ୍କ କାହାଣୀକୁ ନେଇ ଆମର ଏ ଉପସ୍ଥାପନା।
ଦୁଇଦୁଇ ଥର ଲଟେରୀ ଜିତି କୋଟିପତି
କୁହାଯାଏ ଭାଗ୍ୟ ସଳଖ ଥିଲେ ଘରେ ବସିଲେ ବି ପକେଟକୁ ଆସିଯିବ ଟଙ୍କା। ଠିକ ସେହିଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତର କାରୋଲିନାର ଡିୟୁ କ୍ରୁମ୍ଙ୍କ ନିକଟରେ। ତାଙ୍କ ଭାଗ୍ୟକୁ ବଦଳାଇ ଦେଇଛି ଲଟେରୀ ଟିକେଟ୍। ଡିୟୁ କ୍ରୁମ୍ ଗୋଟିଏ ନୁହେଁ, ଦୁଇ ଦୁଇଟି ଲଟେରୀ ଜିତିଛନ୍ତି ଏବଂ ଘରେ ବସି କୋଟିପତି ହୋଇପାରିଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ଉତ୍ତର କାରୋଲିନାର ମାରିଅନ ନିବାସୀ ଡିୟୁ କ୍ରୁମ୍ ନିଜ ଜୀବନର ଅନେକ ବର୍ଷ ବିନା ପରିଶ୍ରମରେ କୋଟି କୋଟି ଟଙ୍କା ଠୁଳ କରି ଅୟସପୁର୍ଣ୍ଣ ବିଳାସୀ ଜୀବନରେ ଉଡାଇଛନ୍ତି। ଗତ ୭ ବର୍ଷ ମଧ୍ୟରେ ତାଙ୍କର ଦୁଇ ଦୁଇଥର ଲଟେରୀ ଲାଗିଛି ଏବଂ ସେ ଘରେ ବସିଥିବା ଅବସ୍ଥାରେ ବିପୁଳ ପରିମାଣର ଟଙ୍କାର ଅଧିକାରୀ ହୋଇଛନ୍ତି। ଏ ସବୁ ମୂଳରେ ତାଙ୍କ ଭାଗ୍ୟ ନୁହେଁ ତ ଆଉ କ’ଣ ! କାରୋଲିନା କେନୋ ଲଟେରୀ ଖେଳରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଡିୟୁ କ୍ରୁମ୍ ଏକ ଲଟେରୀ ଟିକେଟ ସୁଗାର୍ ହିଲ୍ ଫୁଡ୍ ମାର୍ଟରୁ କିଣିଥିଲେ, କିନ୍ତୁ ଏହାର ଫଳାଫଳ ଯାଞ୍ଚ କରି ନ ଥିଲେ। ଗୋଟିଏ ଦିନ ପରେ ସେ ଜାଣିବାକୁ ପାଇଲେ ଯେ ତାଙ୍କର ଲଟେରୀ ଲାଗିଯାଇଛି ଏବଂ ସେ ଏ ବାବଦକୁ ୭୪,୩୭,୯୩୦ ଟଙ୍କା ଜିତିଛନ୍ତି। ଏହାପୂର୍ବରୁ ୨୦୧୪ ମସିହା ୧୬ ଡିସେମ୍ବରରେ ମଧ୍ୟ ଡିୟୁ କ୍ରୁମ୍ କ୍ୟାଶ୍ ୫ ଡ୍ରଇଂ ଲଟେରୀ ଜ୍ୟାକ୍ପଟ୍ରେ ୯୦,୫୮,୬୫୪ ଟଙ୍କା ମୂଲ୍ୟର ଜ୍ୟାକ୍ପଟ୍ ଜିତିଥିଲେ। ବର୍ତ୍ତମାନ ତାଙ୍କ ଆକାଉଣ୍ଟ୍ରେ ୧ କୋଟିରୁ ଅଧିକ ଟଙ୍କା ରହିଛି। ଡିୟୁ କ୍ରୁମ୍ କହିଛନ୍ତି ଯେ ଏହି ଟଙ୍କା ସେ ନିଜର ବ୍ୟାଙ୍କ୍ ଆକାଉଣ୍ଟରେ ସଞ୍ଚୟ କରିବେ। ଭବିଷ୍ୟତରେ ଏକ ସୁନ୍ଦର ଅବସର ଜୀବନ ଜିଇଁବା ପାଇଁ ସେ ଏହାକୁ ବ୍ୟବହାର କରିବେ।
ଭୁଲରେ କିଣି ପକାଇଥିଲେ ଲଟେରୀ ଟିକେଟ, ଜିତିଲେ ୩୭ କୋଟି
ଯଦି ଭାଗ୍ୟ ଭଲଥାଏ ତେବେ ମାଟିକୁ ଛୁଇଁଲେ ମଧ୍ୟ ତାହା ସୁନା ପାଲଟିଯାଏ। ଅବିକଳ ସେହିଭଳି ଏକ ଘଟଣା ଘଟିଛି ଆମେରିକାରେ। ଜଣେ ମହିଳା ଭୁଲବଶତଃ ଏକ ଲଟେରୀ କିଣି ପ୍ରଥମେ ଅନୁତାପ କରୁଥିଲେ, କିନ୍ତୁ ଶେଷରେ ସେ ଯେତେବେଳେ ଏହାର ଫଳ ପାଇଲେ, ତାଙ୍କର ଖୁସିର ଆଉ କୌଣସି ସୀମା ରହି ନ ଥିଲା। ଓକସାନା ଜାହାରୋଭ ନାମକ ଏହି ମହିଳା ନ୍ୟୁୟର୍କ ଲଟେରୀରୁ ଏକ ଟିକେଟ କିଣିଥିଲେ। ଓକସାନା ଏକ ଡଲାର ମୂଲ୍ୟର ଲଟେରୀ ଟିକେଟ କିଣିବାକୁ ଚାହୁଁଥିବା ବେଳେ କିନ୍ତୁ ଭୁଲବଶତଃ ତାଙ୍କୁ ୧୦ ଡଲାର ମୂଲ୍ୟର ସେଟ ଫର ଲାଇଫ ଲଟେରୀ ଟିକେଟ ଦିଆଯାଇଥିଲା। ଗୋଟିଏ ଡଲାର ବଦଳରେ ୧୦ ଡଲାର ମୂଲ୍ୟର ଟିକେଟ ଦିଆଯାଇଥିବାରୁ ତାଙ୍କର ବେଶ ମନଦୁଃଖ ହୋଇଥିଲା। ଏହାକୁ ଫେରାଇ ନେବା ପାଇଁ ଅନୁରୋଧ କରି ସେ ବିଫଳ ହୋଇଥିଲେ। କିନ୍ତୁ ସେ ଜାଣି ନ ଥିଲେ ସେଟ ଫର ଲାଇଫ ଟିକେଟ ତାଙ୍କ ଜୀବନର ଗତିପଥ ବଦଳାଇ ଦେବ ବୋଲି। ଠିକ୍ ସେହିଭଳି କିଛି ହୋଇଥିଲା ଓକସାନାଙ୍କ କ୍ଷେତ୍ରରେ। ଅଧିକ ପଇସା ଦେଇ ଟିକେଟ ଆଣିଥିବାରୁ ସେହିଦିନ ଏହାକୁ ସ୍କ୍ରାଚ କରି ନ ଥିଲେ। କିନ୍ତୁ ଯେତେବେଳେ ଏହି ଲଟେରୀ ଟିକେଟକୁ ଓକସାନା ସ୍କ୍ରାଚ କରିଥିଲେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଯେଉଁ ଟିକେଟ ପାଇଁ ସେ ମନଦୁଃଖ କରୁଥିଲେ ସେହି ଟିକେଟ ହିଁ ତାଙ୍କୁ ଖୁସି ଆଣି ଦେଇଥିଲା। ଟିକେଟ ସ୍କ୍ରାଚ କରିବା ପରେ ଯାହା ଦେଖିଥିଲେ ସେଥିରେ ଖୁସିରେ ଆତ୍ମହରା ହୋଇ ଯାଇଥିଲେ। ଲଟେରୀ ସ୍କ୍ରାଚ କରିବା ପରେ ୩୭.୬୧ କୋଟି ଟଙ୍କା ଜିତିଥିବା ସେ ଜାଣିଥିଲେ। ଏହା ଓକସାନାଙ୍କ ପାଇଁ କୌଣସି ଜ୍ୟାକପଟ ଠାରୁ ମଧ୍ୟ କମ ନ ଥିଲା।
୧୦୦ ଟଙ୍କାରେ ଲଟେରୀ ଟିକଟ୍ କିଣିଥିଲେ, ଜିତିଲେ ୧ କୋଟି
ପଞ୍ଜାବର ଜଣେ ମହିଳା ଲଟେରୀ ଜିତି ରାତାରାତି କୋଟିପତି ପାଲଟିଛନ୍ତି। ମହିଳାଜଣଙ୍କ ହେଲେ ରେଣୁ ଚୌହାନ। ସେ ଜଣେ ଗୃହିଣୀ। ଗତ ଫେବ୍ରୁଆରୀ ମାସରେ ସେ ୧୦୦ ଟଙ୍କା ଦେଇ ଏକ ଲଟେରୀ ଟିକେଟ କିଣିଥିଲେ। ଏହାପରେ ତାଙ୍କ ଭାଗ୍ୟ ଚମକିଥିଲା। ସେ ଏଥିରେ ୧ କୋଟି ଟଙ୍କା ଜିତିଥିଲେ। ପଞ୍ଜାବ ସରକାରଙ୍କ ତରଫରୁ ଜାରି ଏକ ବୟାନରେ କୁହାଯାଇଛି ଯେ ବିଜେତା ରେଣୁ ଚୌହାନ ନିଜର ଟିକେଟ୍ ଓ ଆବଶ୍ୟକୀୟ ଦସ୍ତାବିଜ ଲଟେରୀ ବିଭାଗକୁ ପ୍ରଦାନ କରିଛନ୍ତି। ତାଙ୍କୁ ଅତିଶୀଘ୍ର ଲଟେରୀ ରାଶି ପ୍ରଦାନ କରାଯିବ। ଲଟେରୀ ଟଙ୍କା ଜିତିବା ପରେ ରେଣୁ କହିଛନ୍ତି ଯେ ସେ ମଧ୍ୟବିତ୍ତ ଶ୍ରେଣୀର ଅଟନ୍ତି। ଏହି ଲଟେରୀ ତାଙ୍କ ପାଇଁ ବହୁ ଲାଭଦାୟକ ହେବ। ସେ ଓ ତାଙ୍କ ପରିବାର ଲୋକେ ବହୁତ ଖୁସି ଅଛନ୍ତି। ରେଣୁଙ୍କ ସ୍ୱାମୀ ଅମୃତସରରେ ପୋଷାକ ଦୋକାନ ଦେଇଛନ୍ତି। ଏତେ ଟଙ୍କା ତାଙ୍କ ପରିବାରକୁ ଆସିବା ପରେ ସେମାନଙ୍କ ଜୀବନଶୈଳୀରେ ପରିବର୍ତ୍ତନ ହେବ। ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ହେବ।