ଟୋକିଓ ଅଲିମ୍ପିକ୍ସ: ପ୍ରଥମ ଉଦ୍ୟମରେ ନୀରଜ ଫାଇନାଲରେ, ଶିବପାଲ୍ ଫେଲ୍


ଜାଭେଲିନ୍ ଫିଙ୍ଗୁଛନ୍ତି ନୀରଜ
ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସରେ ବୁଧବାର ସକାଳୁ ସକାଳୁ ଦେଶବାସୀଙ୍କୁ ସୁଖବର ମିଳିଛି। ଅଦ୍ୟାବଧି ଭାରତ ସିଂହଭାଗ ଇଭେଣ୍ଟରେ ଦେଶବାସୀଙ୍କୁ ନିରାଶ କରିଥିବା ବେଳେ ବୁଧବାର ସକାଳେ ଦେଶର ତାରକା ଜାଭେଲିନ୍ ଥୋୟର୍ ନୀରଜ ଚୋପ୍ରା ତାଙ୍କ ଚମତ୍କାର ପ୍ରଦର୍ଶନ ବଳରେ ସମସ୍ତଙ୍କୁ ଖୁସି କରିଦେଇଛନ୍ତି। ଏହି ପ୍ରତିଯୋଗୀ ଜଣକ ପ୍ରଥମ ଅଲିମ୍ପିକ୍ସରେ ଭାଗ ନେଉଥିବା ବେଳେ ପୁରୁଷ ଜାଭେଲିନ୍ ଥ୍ରୋ’ରେ ୮୬.୬୫ ମିଟର ଦୂରକୁ ଜାଭେଲିନ୍ ଫିଙ୍ଗି ସିଧାସଳଖ ଫାଇନାଲରେ ପ୍ରବେଶ କରିଛନ୍ତି। ସେ ତାଙ୍କ ପ୍ରତିଯୋଗୀଙ୍କଠାରୁ ଯଥେଷ୍ଟ ଅଧିକ ଦୂରତା ହାସଲ କରିଛନ୍ତି। ସେଥିସକାଶେ ତାଙ୍କୁ ଦ୍ବିତୀୟ ଉଦ୍ୟମର ବି ଆବଶ୍ୟକତା ପଡ଼ି ନ ଥିଲା। ତାଙ୍କ ପ୍ରତିଦ୍ବନ୍ଦ୍ବୀମାନଙ୍କ ମଧ୍ୟରୁ ଦ୍ବିତୀୟ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ୨୦୧୭ ୱାର୍ଲ୍ଡ ଚାମ୍ପିଅନ୍ ଜୋହାନ୍ସ ଭେଟର୍, ଯିଏକି ୮୫.୬୪ ମିଟର ଦୂରତା ହାସଲ କରିଥିଲେ। ସିଧାସଳଖ ଫାଇନାଲରେ ପହଞ୍ଚିବା ସକାଶେ ୮୩.୫ ମିଟର ଦୂରତା ହାସଲ କରିବାର ଆବଶ୍ୟକତା ଥିବା ବେଳେ ନୀରଜ ପ୍ରଥମ ଉଦ୍ୟମରେ ହିଁ ଏହି ମାର୍କ ଅତିକ୍ରମ କରିଥିଲେ। ସେହିପରି ଫିନଲାଣ୍ଡ୍ ଥ୍ରୋୟର୍ ଲାସି ଏଟେଲାଟାଲୋ ଗ୍ରୁପ୍-ଏ’ରେ ୩ୟ ସ୍ଥାନରେ ରହିଥିଲେ। ସେ ୮୪.୫ ମିଟର ଦୂରକୁ ଜାଭେଲିନ୍ ଫିଙ୍ଗିବାରେ ସକ୍ଷମ ହୋଇଥିଲେ। ଆସନ୍ତା ୭ ତାରିଖରେ ନୀରଜ ଭାରତୀୟ ସମୟ ଅପରାହ୍ନ ସାଢ଼େ ୪ଟା ସମୟରେ ଫାଇନାଲ୍ ମୁକାବିଲାରେ ଅବତୀର୍ଣ୍ଣ ହେବେ।

ପୂର୍ବରୁ ଭେଟର୍ ୨୩ ବର୍ଷୀୟ ନୀରଜ ତାଙ୍କୁ ହରାଇବାରେ ଯଥେଷ୍ଟ କଷ୍ଟ ସ୍ବୀକାର କରିବେ ବୋଲି ଦାବି କରିଥିଲେ। କିନ୍ତୁ ନୀରଜ ପ୍ରଥମ ଉଦ୍ୟମରେ ମାତ୍ର କେଇ ମିନିଟ୍ ଭିତରେ ସିଧାସଳଖ ଫାଇନାଲରେ ପହଞ୍ଚିଥିଲେ। ଅନ୍ୟପକ୍ଷରେ ନୀରଜଙ୍କୁ ନିଜର ପ୍ରତିଦ୍ବନ୍ଦ୍ବୀ ବୋଲି ମନେ କରୁଥିବା ଭେଟର୍ ତାଙ୍କର ପ୍ରଥମ ଦୁଇଟି ଉଦ୍ୟମରେ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା। ପରେ ୩ୟ ଉଦ୍ୟମରେ ସେ ୮୫.୬୪ ମିଟର ଦୂରତାକୁ ଜାଭେଲିନ୍ ଫିଙ୍ଗି ଫାଇନାଲରେ ପ୍ରବେଶ କରିଥିଲେ। ଏହି ୨୮ ବର୍ଷୀୟ ଜର୍ମାନ୍ ଆଥଲେଟ୍ ଜଣକ ଗତ ଏପ୍ରିଲରୁ ଜୁନ୍ ମଧ୍ୟରେ ଏକାଧିକ ବାର ୯୦ ମିଟରରୁ ଊର୍ଦ୍ଧ୍ବ ଦୂରତା ସହ ଅଲିମ୍ପିକକୁ ଆସିଥିଲେ ହେଁ ତାଙ୍କର ପ୍ରଥମ ଦୁଇଟି ଉଦ୍ୟମ ପରେ ସପ୍ତମ ସ୍ଥାନରେ ରହିଥିଲେ। ଫଳରେ ତାଙ୍କ ପ୍ରଶଂସକଙ୍କୁ ଭେଟର୍ ନିରାଶ କରିବେ ବୋଲି ଧାରଣା ଜନ୍ମିଥିଲା କିନ୍ତୁ ଶେଷରେ ନିଜର ୩ୟ ଉଦ୍ୟମରେ ଫାଇନାଲକୁ ଉନ୍ନୀତ ହେବା ଫଳରେ ଭେଟରଙ୍କ ପ୍ରଶଂସକମାନେ ବେଶ୍ ଆଶ୍ବସ୍ତି ଲାଭ କରିଥିଲେ। ସେହିପରି ଫିନଲାଣ୍ଡର ଏଟେଲାଟାଲୋ ପ୍ରଥମ ଉଦ୍ୟମରେ ହିଁ ୮୪.୫୦ ମିଟର ଦୂରତାକୁ ଜାଭେଲିନ୍ ଫିଙ୍ଗି ସିଧାସଳଖ ଫାଇନାଲରେ ପହଞ୍ଚିଛନ୍ତି। ୮୩.୫୦ ମିଟରରୁ ଊର୍ଦ୍ଧ୍ବ ଦୂରତା ହାସଲ କରିଥିବା ୧୨ ଜଣ ପ୍ରତିଯୋଗୀ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ତେବେ ଏହି ଇଭେଣ୍ଟରେ ଗ୍ରୁପ୍-ବି’ରେ ସ୍ଥାନ ପାଇଥିବା ଅନ୍ୟତମ ଭାରତୀୟ ପ୍ରତିଯୋଗୀ ଶିବପାଲ୍ ସିଂ ୭୬.୪୦ ମିଟର ଶ୍ରେଷ୍ଠ ଦୂରତା ସହ ୩୧ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ୨୭ତମ ସ୍ଥାନରେ ରହି ଫାଇନାଲରେ ପହଞ୍ଚିବାରେ ଅସମର୍ଥ ହୋଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।