ଚକ୍ ଦେ’ ଇଣ୍ଡିଆ

ଟୋକିଓରେ କଡ଼ା ଟକ୍କର ଦେଉଛି ଭାରତୀୟ ହକି ଟିମ୍, ପଦକ ପଥେ ଅଭିଯାନ ଜାରି

କ୍ବାର୍ଟର୍ ଫାଇନାଲରେ ବିଜୟ ପରେ ମହିଳା ଓ ପୁରୁଷ ହକି ଖେଳାଳିଙ୍କ ବିଜୟୋଲ୍ଲାସ
୧୯୮୦ ପରଠାରୁ ଭାରତ ପାଇଁ ଅଲିମ୍ପିକ୍ସରେ ପଦକ ମରୁଡ଼ି ପଡ଼ିଯାଇଛି। ଶେଷ ଥର ପାଇଁ ଭାରତୀୟ ପୁରୁଷ ଦଳ ଅଲିମ୍ପିକ୍ସର ମସ୍କୋ ସଂସ୍କରଣରେ ସ୍ବର୍ଣ୍ଣପଦକ ଜିତିଥିଲା। ଅନ୍ୟପକ୍ଷରେ ମହିଳା ଦଳ ମଧ୍ୟ ଶେଷ ଥର ପାଇଁ ୧୯୮୦ରେ ହିଁ ପ୍ରତିନିଧିତ୍ବ କରିବାର ସୁଯୋଗ ପାଇଥିଲା ଓ ସେଥିରେ ଚତୁର୍ଥ ସ୍ଥାନରେ ରହିଥିଲା। ତେଣୁ ଉଭୟ ମହିଳା ଓ ପୁରୁଷ ହକି ଦଳ ଗତ ୪୧ ବର୍ଷ ହେଲା ଦେଶବାସୀଙ୍କ ଅଲିମ୍ପିକ୍ସ ପଦକ ସ୍ବପ୍ନକୁ ସାକାର କରିବାରେ ଅସମର୍ଥ ହୋଇଆସିଛନ୍ତି। ଚଳିତ ଟୋକିଓ ଅଲିମ୍ପିକ୍ସରେ ଦୁଇ ଦଳର ପ୍ରଦର୍ଶନ ଅଦ୍ୟାବଧି ବେଶ୍ ପ୍ରଶଂସନୀୟ ରହିଆସିଛି। ତେଣୁ ପୁଣିଥରେ ଦେଶବାସୀଙ୍କ ହକି ପଦକ ଆଶା ପୂରଣ ହେବାର ଆଶା ଜାଗି ଉଠିଛି। କାରଣ ଉଭୟ ଦଳ ସେମାନଙ୍କ ଶକ୍ତିଶାଳୀ ପ୍ରତିପକ୍ଷକୁ ପରାସ୍ତ କରି ସେମିଫାଇନାଲ୍ ପର୍ଯ୍ୟନ୍ତ ରାସ୍ତା ପକ୍କା କରିସାରିଛନ୍ତି। ଅବଶ୍ୟ ପରବର୍ତ୍ତୀ ସମୟରେ ଭାରତ ପଦକ ଜିତିପାରୁଛି କି ନାହିଁ, ତାହା ଭିନ୍ନ କଥା। କିନ୍ତୁ ଗତ ୪୧ ବର୍ଷ ପରେ ଦୁଇ ଦଳର ପ୍ରଦର୍ଶନ ଯେ ପ୍ରଶଂସନୀୟ ରହିଛି, ଏହା କହିବା ବାହୁଲ୍ୟ ମାତ୍ର।

ପଦକ ମରୁଡ଼ି ଦୂରେଇବ କି ପୁରୁଷ ଦଳ

୧୯୨୮ରୁ ପୁରୁଷ ହକି ଅଲିମ୍ପିକ୍ସରେ ସାମିଲ୍ ହେବା ପରଠାରୁ ଭାରତ ଯେ ଅଦ୍ବିତୀୟ ଦଳ, ଏହା ପ୍ରମାଣିତ ହୋଇଥିଲା। କ୍ରମାଗତ ଭାରତ ୬ଟି ସ୍ବର୍ଣ୍ଣପଦକ ହାସଲ କରି ନିଜର ଦବଦବା କାଏମ ରଖିଥିଲା। ୧୯୬୦ରେ ଦଳ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ ହେଁ ପର ସଂସ୍କରଣରେ ପୁନର୍ବାର ଦଳ ସ୍ବର୍ଣ୍ଣ ହାତେଇଥିଲା। ଭାରତୀୟ ହକିର ଏହି ସ୍ବର୍ଣ୍ଣିମ ଅଧ୍ୟାୟରେ ୧୯୮୦ରେ ଅଷ୍ଟମ ସ୍ବର୍ଣ୍ଣପଦକ ଯୋଡ଼ି ହୋଇଥିଲା। ୧୯୬୮ ଓ ୧୯୭୨ରେ ଦଳ ବ୍ରୋଞ୍ଜ ପଦକ ପାଇଥିଲେ ହେଁ ପ୍ରଥମ ଥର ପାଇଁ ୧୯୭୬ରେ ଭାରତ ପଦକଶୂନ୍ୟ ଭାବେ ମଣ୍ଟ୍ରିଲ ସଂସ୍କରଣରୁ ଫେରିଥିଲା। ଏହାର ପରବର୍ତ୍ତୀ ସଂସ୍କରଣଟି ମସ୍କୋରେ ଆୟୋଜିତ ହୋଇଥିଲା, ଯେଉଁଥିରେ ଭାରତ ଶେଷ ଥର ପାଇଁ ସ୍ବର୍ଣ୍ଣ ହାସଲ କରିଥିଲା। ଏହାପରେ ଭାରତୀୟ ପୁରୁଷ ହକି ଦଳ କ୍ରମଶଃ ଦୁର୍ବଳ ହେବାରେ ଲାଗିଲା। ଅଲିମ୍ପିକ୍ସରେ ସ୍ବର୍ଣ୍ଣ ତ ଦୂରର କଥା, ପଦକଟିଏ ମଧ୍ୟ ଆଜି ପର୍ଯ୍ୟନ୍ତ ଦଳ ହାସଲ କରିବାରେ ସକ୍ଷମ ହୋଇନାହିଁ। ୧୯୮୪ରୁ ୨୦୧୬ ଅଲିମ୍ପିକ୍ସ ମଧ୍ୟରେ ଦଳର ସର୍ବଶ୍ରେଷ୍ଠ ପ୍ରଦର୍ଶନ ପଞ୍ଚମ ସ୍ଥାନ ହିଁ ରହିଛି। ତେଣୁ ଏଥର ପୁରୁଷ ଦଳ ୩୭ ବର୍ଷ ପରେ ଅଲିମ୍ପିକ୍ସରେ ଶ୍ରେଷ୍ଠ ସ୍ଥାନ ହାସଲ କରିବା ନିଶ୍ଚିତ। ଅଧିକନ୍ତୁ ଦଳ ନିଜର ଲୟ ବଜାୟ ରଖିଲେ ୪୧ ବର୍ଷ ପରେ ଯେ ସ୍ବର୍ଣ୍ଣପଦକ ହାସଲ କରିବ, ଏପରି ଦାବି କଲେ ମଧ୍ୟ ଏହାକୁ କଦାପି ବାହାସ୍ଫୋଟ ବୋଲି କୁହାଯାଇପାରିବ ନାହିଁ। ଚଳିତ ଅଲିମ୍ପିକ୍ସରେ ଦଳର ପ୍ରଦର୍ଶନ ମଧ୍ୟ ବେଶ୍ ଉତ୍ସାହଜନକ ରହିଛି, ଯାହାକି ଏପରି ଦାବିକୁ ଆହୁରି ଜୋରଦାର କରୁଛି। ଗ୍ରୁପ୍ ପର୍ଯ୍ୟାୟରେ ଭାରତ ତା’ର ୫ଟି ମ୍ୟାଚ୍ ମଧ୍ୟରୁ ୪ଟିରେ ବିଜୟୀ ହୋଇଛି। ଦଳ କେବଳ ଅଷ୍ଟ୍ରେଲିଆକୁ ବାଦ୍ ଦେଲେ, ଗ୍ରୁପର ବାକି ସବୁ ଦଳକୁ ପରାସ୍ତ କରିଛି। ତେଣୁ ଭାରତ ଯେ ତା’ର ଅଲିମ୍ପିକ୍ସ ପଦକ ମରୁଡ଼ି ପ୍ରକ୍ରିୟାରେ ବ୍ରେକ୍ ଲଗାଇବ, ଏହା ଏକରକମ ନିଶ୍ଚିତ ବୋଲି ଆମେ କହିପାରିବା।

ମହିମାମଣ୍ଡିତ କରିବ କି ମହିଳା ଦଳ
ମହିଳା ହକିକୁ ସର୍ବପ୍ରଥମେ ୧୯୮୦ରେ ସାମିଲ୍ କରାଯାଇଥିବା ବେଳେ ଉକ୍ତ ସଂସ୍କରଣରେ ଭାରତ ଚତୁର୍ଥ ସ୍ଥାନରେ ରହିଥିଲା। ଉକ୍ତ ସଂସ୍କରଣରେ ଭାରତ ବ୍ରୋଞ୍ଜ୍ ପଦକ ପାଇଁ ଖେଳାଯାଇଥିବା ମ୍ୟାଚରେ ସୋଭିଏତ୍ ୟୁନିଅନଠାରୁ ହାରିଥିଲା। ଏହାପରେ ଦଳକୁ ପୁଣିଥରେ ଅଲିମ୍ପିକ୍ସକୁ ଫେରିବା ସକାଶେ ଦୀର୍ଘ ୩୬ ବର୍ଷ ଲାଗିଯାଇଥିଲା। ଗତ ୨୦୧୬ରେ ରିଓ ଅଲିମ୍ପିକ୍ସରେ ଭାରତ ଭାଗ ନେବାର ସୁଯୋଗ ପାଇଥିଲେ ହେଁ ମହିଳା ଦଳ ଏହାର ସାମାନ୍ୟତମ ଫାଇଦା ଉଠାଇପାରି ନ ଥିଲା। ବରଂ ଦଳ କାହିଁକି ଗତ ୩୬ ବର୍ଷ ହେଲା ଅଲିମ୍ପିକ୍ସରେ ଭାଗ ନେବାର ଯୋଗ୍ୟତା ପାଇପାରି ନ ଥିଲା, ତାହା ପ୍ରମାଣିତ କରିଥିଲା। ଗ୍ରୁପ୍-ବି’ରେ ସାମିଲ୍ ଥିବା ଭାରତୀୟ ମହିଳା ଦଳ ୬ଟି ମ୍ୟାଚରୁ ଗୋଟିଏ ବି ବିଜୟ ପାଇପାରି ନ ଥିଲା। ଗୋଟିଏ ମ୍ୟାଚକୁ ଡ୍ର’ ରଖି ଗୋଟିଏ ପଏଣ୍ଟ୍ ସହ ପୁଲ୍ ପର୍ଯ୍ୟାୟରେ ସବା ତଳେ ରହିଥିଲା। ତେଣୁ ଦଳ ଆଉ ଆଗକୁ ଆଗେଇ ପାରି ନ ଥିଲା ଓ ବିଫଳ ମନୋରଥ ନେଇ ମହିଳା ଖେଳାଳିମାନେ ସ୍ବଦେଶ ଫେରିଥିଲେ। କିନ୍ତୁ ଏଥର ମହିଳା ଦଳର ପ୍ରଦର୍ଶନ ସମ୍ପୂର୍ଣ୍ଣ ଭାବେ ବଦଳିଛି। ଅବଶ୍ୟ ସଫଳତା ଧାରା ପୁଲ୍ ପର୍ଯ୍ୟାୟର ଶେଷ ଭାଗରୁ ଆରମ୍ଭ ହୋଇଛି। କାରଣ ଦଳ ପ୍ରଥମ ତିନିଟି ମ୍ୟାଚରେ ହାରି ନକଆଉଟରେ ପହଞ୍ଚିବାର ଆଶଙ୍କା ମଧ୍ୟ ଦେଇ ଗତି କରୁଥିଲା। କିନ୍ତୁ ଶେଷ ଦୁଇ ମ୍ୟାଚରେ ରାନୀ ରାମପାଲଙ୍କ ନେତୃତ୍ବାଧୀନ ଦଳ ଯଥାକ୍ରମେ ଆୟରଲାଣ୍ଡ୍ ଓ ଜର୍ମାନୀକୁ ପରାସ୍ତ କରି ନକଆଉଟ୍ ଆଶା ଉଜ୍ଜୀବିତ ରଖିଥିଲା। ଏହାପରେ ଆୟରଲାଣ୍ଡ୍ ପରାଜୟ ବରଣ କରିବା ଫଳରେ ଉନ୍ନତ ଗୋଲ୍ ବ୍ୟବଧାନରେ ଭାରତ କ୍ବାର୍ଟରକୁ ଉଠିଥିଲା। ଏବେ ସେମିଫାଇନାଲରେ ପହଞ୍ଚିସାରିଥିବାରୁ ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ ପଦକ ଜିତି ଦଳ ନୂଆ ଇତିହାସ ରଚିବ, ଏହା ପ୍ରତିଟି ଭାରତୀୟ ହକିପ୍ରେମୀଙ୍କ ଏକମାତ୍ର ଆଶା ରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।