ଓଡ଼ିଶାରେ ନୂଆ ଆଶା ଦେଖାଇଛି ସେଓ ଚାଷ


ପ୍ରତୀକାତ୍ମକ ଫଟୋ
ହିମାଚଳ ପ୍ରଦେଶ ଓ ଜମ୍ମୁ-କଶ୍ମୀର ସେଓ ଚାଷ ପାଇଁ ପ୍ରସିଦ୍ଧ। ଥଣ୍ଡା ଜଳବାୟୁରେ ଏହା ଭଲ ଅମଳ ଦେଇଥାଏ। କିନ୍ତୁ ଏବେ ଏହି ଚାଷ ଉଷ୍ମ ଜଳବାୟୁରେ ମଧ୍ୟ ସଫଳତା ପୂର୍ବକ ହେଉଛି। ହିମାଚଳ ପ୍ରଦେଶର ବାସିନ୍ଦା ତଥା ସେଓ ମଣିଷ ଭାବେ ପରିଚିତି ପାଇଥିବା ହରିମନ ଶର୍ମା ଉଷ୍ମ ଜଳବାୟୁରେ ଅମଳ ଦେଉଥିବା ନୂଆ ଏକ ପ୍ରଜାତିର ସେଓ ଚାରା ବିକଶିତ କରିବା ପରେ ସେଓ ଚାଷ ଆଉ ଜମ୍ମୁ କଶ୍ମୀର କି ହିମାଚଳର ଫଳ ଭାବେ ସୀମିତ ହୋଇ ରହିନି। ଫଳରେ ଭାରତବର୍ଷର ୨୯ ରାଜ୍ୟରେ ଆରମ୍ଭ ହୋଇଛି ସେଓ ଚାଷ। ଓଡ଼ିଶାରେ ମଧ୍ୟ ଏହି ପ୍ରଜାତିର ସ୍ୱାଦିଷ୍ଟ ସେଓ ଅମଳ ହେଉଛି। ରାଜ୍ୟର ୧୬ଟି ଜିଲ୍ଲାର ୧୫୦ ଚାଷୀ ସେଓ ଚାଷ ଆରମ୍ଭ କରିଥିବା ଜଣାଯାଇଛି।

କଥାଟା ବିଶ୍ୱାସ ହେଉ ନ ଥିଲେ ମଧ୍ୟ ସତ। ଓଡ଼ିଶା ଜଳବାୟୁରେ ସେଓ ଚାଷ କରି ସଫଳ ହୋଇଛନ୍ତି ୩ ଓଡ଼ିଆ ଚାଷୀ। ଏମାନେ ହେଉଛନ୍ତି ଗୋଟିଏ ପରିବାରର ୩ ଭାଇ। ଓଡ଼ିଶାରେ ସେଓର ଚାହିଦା ଢେର ଅଧିକ। ହେଲେ ସେଓ ପାଇଁ ଏଠାକାର ଲୋକଙ୍କୁ ଜମ୍ମୁ-କଶ୍ମୀର ଉପରେ ନିର୍ଭର କରିବାକୁ ପଡ଼ିଥାଏ। କାରଣ ସେଠାକାର ଜଳବାୟୁ ସେଓ ଚାଷ ପାଇଁ ଅଧିକ ଉପଯୋଗୀ। ହେଲେ ଏବେ ଏହି ମିଠା ଓ ପୁଷ୍ଟିକର ଫଳଚାଷ ପହଞ୍ଚି ପାରିଛି ସମ୍ବଲପୁରର ଜମନକିରା ବ୍ଲକ ଗମ୍ଭାରୀମୁଣ୍ଡା ଗାଁରେ। ଉମାକାନ୍ତ କଉଡ଼ି ଓ ତାଙ୍କ ୨ ଭାଇ ନିଜ ଘର ପଛପଟ ବାଡ଼ିରେ ଲଗାଇଛନ୍ତି ୫୦ ସେଓ ଗଛ। ୟୁଟ୍ୟୁବରେ ଏହାର ପ୍ରସ୍ତୁତି ପ୍ରଣାଳୀ ଦେଖିବା ପରେ ଅନ୍‌ଲାଇନ୍‌ରେ ମଗାଇଥିଲେ ଚାରା। ଦୀର୍ଘ ୧୭ ମାସର ଅକ୍ଳାନ୍ତ ପରିଶ୍ରମ ପରେ ତିନି ଭାଇଙ୍କର ସ୍ୱପ୍ନ ପୂରା ହୋଇଛି। ଗଛରେ ଆରମ୍ଭ ହୋଇଛି କଷି କଷି ସବୁଜ ସେଓ। ଗତବର୍ଷ ମଧ୍ୟ କିଛି ଫଳ ଆସିଥିଲା। ରୋପଣ ହେବାର ତିନିବର୍ଷ ପରେ ସେଓ ଫଳେ ବୋଲି କୃଷି ବିଜ୍ଞାନୀମାନେ କହୁଥିବା ବେଳେ ଗମ୍ଭାରୀମୁଣ୍ଡା ଗାଁର ଉମାକାନ୍ତ ଓ ତାଙ୍କ ଭାଇମାନେ ୧୭ ମାସରେ ଗଛଗୁଡିକରେ ଫଳ ଆସିଥିବା ଦେଖିଥିଲେ।

ବୋଲଗଡ଼ରେ ସେଓ ଚାଷ
ଗ୍ରୀଷ୍ମ ଜଳବାୟୁରେ ସେଓ ଚାଷ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ ଆରିକିମା ଗାଁର ଅରୁଣ ନାୟକ। ୟୁଟ୍ୟୁବରୁ ଦେଖି ଅଷ୍ଟମ ଯାଏ ପାଠ ପଢିଥିବା ଅରୁଣ ଏଭଳି ଚାଷ ଖୋର୍ଦ୍ଧା ଜିଲ୍ଲାରେ ୪୦ରୁ ୪୫ ଡିଗ୍ରୀ ଉତ୍ତାପରେ ହୋଇପାରିବ ଜାଣିବା ପରେ ହିମାଚଳ ପ୍ରଦେଶରୁ ମଗାଇଥିଲେ ୩୦ଟି ଗଛ। ୩୦ଟି ଗଛରୁ ୩ଟି ଗଛ ମରିଯାଇଥିଲା ଓ ୨୭ଟି ଗଛ ବେଶ ଭଲ ଭାବେ ବଢିଥିଲା। ଗୋଟିଏ ଚାରାକୁ ୧୬୦ ଟଙ୍କା ଦେଇ କିଣିଥିଲେ ଅରୁଣ। ଗତ ଜୁନ ମାସରେ ସେ ପ୍ରଥମ କରି ୮/୧୦ଟି ଗଛରେ ଫଳ ଆସିଥିବା ଦେଖିଥିଲେ। ଗଛରେ ସେଓ ଫଳିବା ଦେଖି ତାଙ୍କର ଏବେ ଉତ୍ସାହ ଆହୁରି ବଢିଯାଇଛି। ଆଗାମୀ ଦିନରେ ଅଧିକରୁ ଅଧିକ ଗଛ ଲଗାଇବା ସହ ଏଥିରେ ଆନ୍ତଃ ଚାଷ ଭାବେ ଥାଇଲାଣ୍ଡ ପିଜୁଳି ଓ ଲିଚୁ ଲଗାଯିବାର ଯୋଜନା କରିଛନ୍ତି ଅରୁଣ। ସେଓ ଗଛ ଗୁଡିକରେ ୧୦ ବର୍ଷ ପରେ ଅଧିକ ଫଳ ଆସିଥାଏ । ଡାଳିମ୍ବ, ସପେଟା ସହିତ ମକାକୁ ଆନ୍ତଃ ଚାଷ ଭାବେ ନିଆଯାଇ ପାରିଲେ ସେଓ ଚାଷୀମାନେ ଆର୍ଥିକ ଦୃଷ୍ଟିରୁ ଲାଭବାନ ହୋଇ ପାରିବେ ବୋଲି କହନ୍ତି ସେଓ ଚାରାର ନୂଆ ପ୍ରଜାତି ବିକଶିତ କରିଥିବା ହରିମନ ଶର୍ମା। ଉଷ୍ମ ଜଳବାୟୁରେ ବଢି ପାରୁଥିବା ନୂଆ ପ୍ରଜାତିର ନାଁ ହରିମନ-୯୯ ରଖାଯାଇଛି।

ଓଡ଼ିଶାର ୧୬ ଜିଲ୍ଲାରେ ହେଉଛି ସେଓ ଚାଷ
କିଛି ବର୍ଷ ତଳେ ପ୍ରଥମେ ପରୀକ୍ଷାମୂଳକ ଭାବେ ୨୦୧୬ରେ ଅନୁଗୋଳ ଜିଲ୍ଲାରେ ଆରମ୍ଭ ହୋଇଥିଲା ସେଓ ଚାଷ। ଗଛ ଗୁଡିକ ଭଲ ବଢିବା ସାଙ୍ଗକୁ ଭଲ ଆକାରର ଫଳ ଆସୁଥିବା ଦେଖିବା ପରେ ଜାତୀୟ ନବ ସୃଜନ ଫାଉଣ୍ଡେସନକୁ ଏହାର ସଂଯୋଜନା ପାଇଁ ଦାୟିତ୍ୱ ଦେଇଥିଲେ ଭାରତ ସରକାର। ଏନଆରଆଇଏଫର ମାର୍ଗଦର୍ଶନ ଓ ସଂଯୋଜନାରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଚାଷୀଙ୍କୁ ସେଓ ଚାଷ ପାଇଁ ପ୍ରବର୍ତ୍ତା ଯାଇଥିଲା। କ୍ରମଶଃ ଏଥିରେ ଆସିଥିଲା ଉତ୍ସାହଜନକ ଖବର।

ଅନୁଗୋଳ, ସମ୍ବଲପୁର, ବଲାଙ୍ଗିର, ଗଜପତି, ଢେଙ୍କାନାଳ, ଖୋର୍ଦ୍ଧା, ଝାରସୁଗୁଡା, ରାୟଗଡା, କଟକ, ପୁରୀ, ଗଞ୍ଜାମ, କଳାହାଣ୍ଡି, କେନ୍ଦୁଝର, ବରଗଡ଼, ଯାଜପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ୧୫୦ ଜଣ ଚାଷୀଙ୍କ ପ୍ରୟାସରେ ଏବେ ଦେଖିବାକୁ ମିଳୁଛି ସେଓ ଚାଷର କ୍ଷେତ। ଆଗାମୀ ଦିନରେ ଏହି ଚାଷ ବ୍ୟାପକ ଅଞ୍ଚଳରେ କରାଯିବାର ଦେଇଛି ଆଶା। ହରିମନ କହିଛନ୍ତି ରୋପଣର ୨ରୁ ୩ ବର୍ଷ ମଧ୍ୟରେ ଗଛରେ ଫଳ ଆସେ। ଏହି ପ୍ରଜାତିର ଗଛରେ ଜାନୁଆରୀ ଫେବୃଆରୀରେ ଫୁଲ ଆସେ ଓ ଜୁନ ମାସ ବେଳକୁ ଫଳ ଖାଇବାକୁ ଯୋଗ୍ୟ ହୋଇଥାଏ। ଅନ୍ୟ ପ୍ରଜାତିର ସେଓ ଅକ୍ଟୋବର ମାସରେ ହେଉଥିବା ବେଳେ ଏହି ପ୍ରଜାତି ଜୁନ ମାସରେ ବଜାରକୁ ଆସୁଥିବାରୁ ଏହାର ବଜାର ଚାହିଦା ଢେର ଅଧିକ ରହେ। ଓଡିଶା ଆଗାମୀ ଦିନରେ ସେଓ ଉତ୍ପାଦନ ଦିଗରେ ନୂଆ ଏକ ସମ୍ଭାବନା ସୃଷ୍ଟି କରିବାକୁ ଯାଉଥିବା ଏସବୁ ଦେଖି ଜାଣି ହେଉଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।