ନାରୀ
ସାଉଦି ଆରବରେ ନାରୀଶକ୍ତିର ଉତ୍ଥାନ
ମକ୍କା ମଦିନାରେ ପ୍ରଥମ ଥର ପାଇଁ ମହିଳା ସୁରକ୍ଷାକର୍ମୀ ନିୟୋଜିତ

ମକ୍କା ମଦିନା ବାହାରେ ନିୟୋଜିତ ହୋଇଥିବା ମହିଳା ସୁରକ୍ଷାକର୍ମୀ
ବର୍ଷ ୨୦୧୮ରେ ସାଉଦି ଆରବ ସରକାର ମହିଳାଙ୍କ ଅଧିକାରରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ, ଯଦ୍ବାରା ସେଠାକାର ସମାଜରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ବିଶେଷକରି ମହିଳାଙ୍କ ଅଧିକାର କ୍ଷେତ୍ରରେ ଏହି ପରିବର୍ତ୍ତନ ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ଯେ ସାଉଦି ଆରବର ପବିତ୍ର ସ୍ଥଳ ମକ୍କାର ସୁରକ୍ଷାରେ ମହିଳା ସୁରକ୍ଷାକର୍ମୀଙ୍କୁ ନିଯୁକ୍ତ କରାଯାଇଛି। ଏଭଳି ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି। ଏଠାରେ ନିୟୋଜିତ ଥିବା ମହିଳା ସୁରକ୍ଷାକର୍ମୀ ହଜ କରିବାକୁ ଆସୁଥିବା ତୀର୍ଥଯାତ୍ରୀଙ୍କୁ ସାହାଯ୍ୟ କରୁଛନ୍ତି।
ମକ୍କା ମଦିନାରେ ତୀର୍ଥଯାତ୍ରୀଙ୍କ ସୁରକ୍ଷା ଦାୟିତ୍ବ
ଏକ ରିପୋର୍ଟ ମୁତାବକ ଗତ ଏପ୍ରିଲ ମାସରୁ ମହିଳା ସୁରକ୍ଷା ବାହିନୀରେ ଅଧିକ ମହିଳା ସାମିଲ ହୋଇଛନ୍ତି। ଏବେ ଏହି ମହିଳାମାନେ ଇସଲାମର ମୁଖ୍ୟ ତୀର୍ଥସ୍ଥଳ ମକ୍କା ଏବଂ ମଦିନାରେ ତୀର୍ଥଯାତ୍ରୀଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ସୁରକ୍ଷାକର୍ମୀ କହିଛନ୍ତି ଯେ ସେ ତାଙ୍କର ଦିବଂଗତ ପିତାଙ୍କ ପ୍ରେରଣାରେ ଏହି ସୁରକ୍ଷାବଳ ବାହିନୀରେ ସେ ସାମିଲ ହୋଇଛନ୍ତି।
ହଜ ଯାତ୍ରୀଙ୍କ ସେବା କରିବା ସମ୍ମାନଜନକ
ମକ୍କାରେ ସୁରକ୍ଷା କାମରେ ନିୟୋଜିତ ସୁରକ୍ଷାକର୍ମୀ ମୋନା ଏହା ଉପରେ ନିଜର ଅନୁଭବ କହିଛନ୍ତି। ଖାକି ୟୁନିଫର୍ମ, ଜ୍ୟାକେଟ ଓ କଳା ଟୋପି ପିନ୍ଧି ସେ ମକ୍କାର ଗ୍ରାଣ୍ଡ ମସଜିଦ ଚାରିପଟ ସୁରକ୍ଷାର ଧ୍ୟାନ ରଖୁଛନ୍ତି। ନିଜ ପାରିବାରିକ ନାମ ଗୋପନ ରଖି ମୋନା କହିଛନ୍ତି ଯେ ସବୁଠାରୁ ପବିତ୍ର ସ୍ଥାନ ମକ୍କାରେ ସୁରକ୍ଷାକର୍ମରେ ନିୟୋଜିତ ହୋଇ ନିଜ ଦିବଂଗତ ପିତାଙ୍କ ଅଧୁରା ସ୍ବପ୍ନକୁ ପୂରା କରୁଛନ୍ତି। ହଜଯାତ୍ରୀଙ୍କ ସେବା କରିବା ଅତ୍ୟନ୍ତ ସମ୍ମାନଜନକ କାମ ବୋଲି ମୋନା କହିଛନ୍ତି।
ଆଧୁନିକ ସାଉଦି ଆରବ କରିବା ପ୍ରୟାସରେ ଏମବିଏସ
ସୂଚନାଯୋଗ୍ୟ ଯେ ସାଉଦି ଆରବର ପ୍ରିନ୍ସ ମହମ୍ମଦ ବିନ ସଲମାନ (ଏମବିଏସ) ନିଜ ଦେଶକୁ ଆଧୁନିକ ଢାଞ୍ଚାରେ ଗଢ଼ିବାରେ ଲାଗିଛନ୍ତି। ଏଥିପାଇଁ ସେ ଗତ କିଛି ଦିନ ହେଲା ଅନେକ ଗୁଡ଼ିଏ ସାମାଜିକ ଓ ଆର୍ଥିକ ପରିବର୍ତ୍ତନ କରିବାରେ ଲାଗିଛନ୍ତି। ସାଉଦି ଆରବରେ ପ୍ରଚଳିତ ଚିନ୍ତାଧାରାକୁ ବି ସଲମାନ ବଦଳାଇବାକୁ ଚାହୁଛନ୍ତି। ବିଦେଶୀ ନିବେଶକଙ୍କୁ ଆକର୍ଷିତ କରିବା ଲାଗି ସେ ଚିରାଚରିତ ଧାରାରୁ ହଟି ନୂଆ କିଛି କରିବାର ସଂକଳ୍ପ ନେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ସାଉଦି ଆରବ ଗତ କିଛି ବର୍ଷ ହେଲାଣି ମହିଳାଙ୍କ ଅଧିକାରକୁ ନେଇ ବଡ଼ ପରିବର୍ତ୍ତନ କରିଛି। ନିଜ ଭିଜନ ୨୦୩୦ ଅଧୀନରେ ସାଉଦିର ପ୍ରିନ୍ସ ମହିଳାଙ୍କୁ ଗାଡ଼ି ଚଳାଇବା ଉପରେ ଥିବା ପ୍ରତିବନ୍ଧକକୁ ବି ହଟାଇଛନ୍ତି। କେବଳ ଏତିକି ନୁହେଁ, ସେ ବୟସ୍କ ମହିଳାମାନଙ୍କୁ ନିଜ ଅଭିଭାବକଙ୍କ ବିନା ଅନୁମତିରେ ଯାତ୍ରା କରିବାକୁ ଅନୁମତି ଦେଇଛନ୍ତି ଓ ପାରିବାରିକ ମାମଲାରେ ମହିଳାଙ୍କୁ ଅଧିକ ଅଧିକାର ଦେଇଛନ୍ତି।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ