ଦେଶର ତିନି ନିଆରା ‘ମ୍ୟାଙ୍ଗୋମ୍ୟାନ’


ନିଜ ବଗିଚାରୁ ଆମ୍ବ ତୋଳୁଛନ୍ତି ଦେଶର ମ୍ୟାଙ୍ଗୋମ୍ୟାନ କଲିମୁଲ୍ଲା ଖାନ
ଫଳ ଭିତରେ ରାଜା ଆମ୍ବ। ପିଲାଠୁ ବୁଢା ଯାଏ ଆମ୍ବ ସଭିଙ୍କ ପସନ୍ଦ। ସମସ୍ତେ ଏହାକୁ ଖାଇବାକୁ ଭଲ ପାଆନ୍ତି। ସାରା ଦେଶର ପୁରପଲ୍ଲୀରେ ବ୍ୟାପକ ଭାବେ ପରିଲକ୍ଷିତ ହେଉଥିବା ଫଳ ଗଛ ମାନଙ୍କ ମଧ୍ୟରେ ରହିଛି ଏହି ସ୍ୱାଦିଷ୍ଟ ଫଳର ଗଛ। ଅତୀତରେ ଗାଁ ଗହଳରେ ଆମ୍ବତୋଟା ମାନ ଦେଖିବାକୁ ମିଳୁଥିଲା। ସେତେବେଳେ ଲୋକେ ଗୋଟିଏ ଜାଗାରେ ବାଛି ବାଛି ଅନେକ ପ୍ରଜାତିର ଆମ୍ବ ଲଗାଇବାକୁ ପସନ୍ଦ କରୁଥିଲେ। ଏବେ ଏହି ଧାରା ଦେଶର ବିଭିନ୍ନ ରାଜ୍ୟରେ ଦେଖିବାକୁ ମିଳିଛି। ଅନେକ ବ୍ୟକ୍ତି ସ୍ୱାଦିଷ୍ଟ ଫଳ ଚାରା ରୋପଣ ଜରିଆରେ ନାଁ କମାଇଛନ୍ତି। ପରୀକ୍ଷା ନିରୀକ୍ଷା ଜରିଆରେ ଆମ୍ବ ପ୍ରଜାତିର ସଂରକ୍ଷଣ ଓ ନୂଆ ପ୍ରଜାତି ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ମ୍ୟାଙ୍ଗୋମ୍ୟାନର ଆଖ୍ୟା ଦିଆଯାଇଛି। ଏହିକ୍ରମରେ ଦେଶର ମ୍ୟାଙ୍ଗୋମ୍ୟାନ ଭାବେ ପରିଚିତ କଲିମୁଲ୍ଲା ଖାନ, ଗଞ୍ଜାମର ମ୍ୟାଙ୍ଗୋମ୍ୟାନ ପର୍ଶୁରାମ ପ୍ରଧାନ ଓ କର୍ଣ୍ଣାଟକର ମ୍ୟାଙ୍ଗୋମ୍ୟାନ ବି ଭି ସୁବାରାଓ ହେଗଡେଙ୍କୁ ନେଇ ପ୍ରତିନିଧିର ଏହି ସ୍ବତନ୍ତ୍ର ଆଲେଖ୍ୟ।

ଗଞ୍ଜାମର ମ୍ୟାଙ୍ଗୋମ୍ୟାନ ପର୍ଶୁରାମ
ନିକଟରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଗଞ୍ଜାମର ‘ମାଙ୍ଗୋମ୍ୟାନ’ ପର୍ଶୁରାମ ପ୍ରଧାନ। ୭୪ ବର୍ଷୀୟ ପର୍ଶୁରାମଙ୍କ ଘର ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଗେରେଡ଼ା ପଞ୍ଚାୟତର କେପିଟି ଗ୍ରାମରେ। ପର୍ଶୁରାମ ଚଳିତ ବର୍ଷ ୫ ହଜାରରୁ ଅଧିକ ଟାକୁଆ ସଂଗ୍ରହ କରି ଏହାକୁ ପୋତିଛନ୍ତି। ତାଙ୍କର ଏହି ପ୍ରୟାସକୁ ପ୍ରଶଂସା କରିଛି ବନ ବିଭାଗ। ପର୍ଶୁରାମ ନାଗା
ଲ୍ୟାଣ୍ଡରେ ଚାକିରି କରି ଅବସର ନେବା ପରେ ନିଜ ଗାଁ କେପିଟି ଫେରିଥିଲେ। ସେ ନିଃସନ୍ତାନ ଥିବା ବେଳେ ପତ୍ନୀ ମଧ୍ୟ ଆରପାରିକୁ ଚାଲିଯାଇଛନ୍ତି। ବୃକ୍ଷରୋପଣ ପାଲଟିଛି ତାଙ୍କ ନିଃସଙ୍ଗ ଜୀବନର ସାଥୀ। ବାଡ଼ିବଗିଚାରେ ଆମ୍ବଗଛ ଲଗାଇ ଏହାକୁ ଏକ ଅଭିଯାନର ରୂପ ଦେଇଥିଲେ ପର୍ଶୁରାମ। ବାଡ଼ିରେ ଆମ୍ବଗଛ ଭରପୂର ହୋଇଯିବା ପରେ ଆଖପାଖ ଜଙ୍ଗଲରେ ଓ ରାସ୍ତାକଡ଼ରେ ବନ ବିଭାଗର ସମ୍ମତି କ୍ରମେ ଗଛ ରୋପଣ କରିଥିଲେ। ଆଉ ଆମ୍ବଗଛକୁ ନିଜ ପରିବାରର ସଦସ୍ୟ ଭାବେ ଗ୍ରହଣ କରିନେଇ ପଛକୁ ଫେରି ନ ଥିଲେ। ଆମ୍ବ ଋତୁରେ ଘରକୁ ଘର ବୁଲି ଟାକୁଆ ସଂଗ୍ରହ କରିଥାନ୍ତି। ଗାଁର ଅନେକ ଲୋକ ଟାକୁଆକୁ ଏଣେତେଣେ ନ ଫୋପାଡ଼ି ପର୍ଶୁରାମଙ୍କ ଘର ନିକଟରେ ପହଞ୍ଚାଇ ଦିଅନ୍ତି। ଝୁଡ଼ିରେ ସଂଗୃହୀତ ଟାକୁଆ ନେଇ ପର୍ଶୁରାମ ଜଙ୍ଗଲ ଅଭିମୁଖେ ବାହାରିବା ସହ ଜଙ୍ଗଲର ଖାଲିପଡିଥିବା ସ୍ଥାନରେ ପୋତି ଦେଇଥାନ୍ତି। ସେହିପରି କେଉଁ ସ୍ଥାନରେ ଗଛ ଭଲ ବଢ଼ିବ ତାହା ବି ପର୍ଶୁରାମଙ୍କୁ ଜଣା। ବର୍ତ୍ତମାନ ସମୟରେ ଟାକୁଆ ଅଧିକ ମିଳୁଥିବାରୁ ନିଜସ୍ବ ଖର୍ଚ୍ଚରେ ମୂଲିଆ ମାନଙ୍କୁ ନିୟୋଜିତ କରିଛନ୍ତି। ଜଙ୍ଗଲକୁ ଟାକୁଆ ବୋହି ପୋତୁଛନ୍ତି। ନିଜର ସଞ୍ଚିତ ଅର୍ଥକୁ ଆମ୍ଭ ଟାକୁଆ ରୋପଣରେ ଖର୍ଚ୍ଚ କରୁଛନ୍ତି ଗଞ୍ଜାମର ଏହି ମ୍ୟାଙ୍ଗୋ ମ୍ୟାନ। ଚଳିତ ବର୍ଷ ପ୍ରାୟ ପାଞ୍ଚ ହଜାରରୁ ଅଧିକ ଆମ୍ବ ଟାକୁଆ ଜଙ୍ଗଲରେ ପୋତାଯାଇଥିବା ପର୍ଶୁରାମ କହିଛନ୍ତି। ବହୁବର୍ଷ ହେଲା ପର୍ଶୁରାମ ଏହି କାର୍ଯ୍ୟ ଜାରି ରଖିଥିବା ବେଳେ ଆମ୍ବ ଗଛ ଦେଖିଲେ ତାଙ୍କର ସବୁ ଦୁଃଖ ଦୂର ହୋଇଯାଉଛି ବୋଲି ସେ କହନ୍ତି। ନିଜ ସମୟକୁ ଗଛ ମାନଙ୍କ ଗହଣରେ ବିତାଇବା ସହ ଏକାକୀ ସେଗୁଡ଼ିକର ଯତ୍ନ ନେଉଛନ୍ତି। ସେହିପରି ଆମ୍ବଗଛ ରୋପଣ କଲେ ଖାଇବାକୁ ଫଳ ମିଳିବା ସହ ପଶୁପକ୍ଷୀ ବି ଉପକୃତ ହେବେ ବୋଲି ‌ପର୍ଶୁରାମ କହିଛନ୍ତି।

ଦେଶର ମ୍ୟାଙ୍ଗୋମ୍ୟାନ
ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଅନ୍ତର୍ଗତ ମାଲିହାବାଦର ବାସିନ୍ଦା କଲିମୁଲ୍ଲା ଖାନ ଦେଶର ମ୍ୟାଙ୍ଗୋମ୍ୟାନ ଭାବେ ଜଣାଶୁଣା। ଗୋଟିଏ ଗଛରେ ବିଭିନ୍ନ ଆକୃତି, ଆକାର ଏବଂ ରଙ୍ଗର ୩୦୦ରୁ ଊର୍ଦ୍ଧ୍ବ କିସମର ଆମ୍ବ ଫଳାଇ ବିରଳ କୌଶଳ କାରଣରୁ ସେ ବେଶ ପ୍ରସିଦ୍ଧ ହୋଇଛନ୍ତି। ଏଥିପାଇଁ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି। ପ୍ରେମର ସହିତ ସେ ଯତ୍ନ ନେଇ ଗଛ ଗୁଡିକର ପ୍ରତ୍ୟେକ ଡାଳକୁ ଦେଇଛନ୍ତି ନୂଆ ରୂପ। ବର୍ଷକୁ ୫ ହଜାର ମେଟ୍ରିକ ଟନ ଆମ୍ବ ଉତ୍ପାଦନ କରି ଦେଶର ପ୍ରଥମ ଆମ୍ବ ଉତ୍ପାଦନ ରାଜ୍ୟର ମାନ୍ୟତା ପାଇଥିବା ଉତ୍ତର ପ୍ରଦେଶରେ ଏକଦା ୧୩୦୦ ପ୍ରଜାତିର ଆମ୍ବ ଥିଲା। ଏବେ ତାହା କମି ମାତ୍ର ୭୦୦ରେ ସୀମିତ ହୋଇଯାଇଛି। ଏସବୁ ବିଲୁପ୍ତ ପ୍ରଜାତି ପୁଣି କିଭଳି ଉତ୍ତର ପ୍ରଦେଶକୁ ଫେରିବ ସେ ଦିଗରେ ଏବେ କାମ କରୁଛନ୍ତି ଏହି ଆମ୍ବ ବିଜ୍ଞାନୀ। ପୂର୍ବରୁ ଆଉ କୌଣସି ବ୍ୟକ୍ତି ଏଭଳି କୌଶଳରେ ଏତେ ପ୍ରକାରର ଆମ୍ବ ଅମଳ କରିପାରି ନାହାନ୍ତି। ସେ ବିକଶିତ କରିଥିବା ପ୍ରଜାତି ଏବେ ଦେଶର ବିଭିନ୍ନ ରାଜ୍ୟରେ ଲଗାଯାଇ ସଫଳ ପ୍ରମାଣିତ ହୋଇଛି।

କର୍ଣ୍ଣାଟକର ଆମ୍ବ ବିଜ୍ଞାନୀ
ବି ଭି ସୁବାରାଓ ହେଗଡେ କର୍ଣ୍ଣାଟକ ଶିଭାମୋଗାର ବେଲୁରୁ ଗାଁର ଜଣେ ବାସିନ୍ଦା। ପଶ୍ଚିମ ଘାଟ ପର୍ବତମାଳା ଅଞ୍ଚଳରୁ ସେ ୧୫୦ରୁ ଅଧିକ ଶ୍ରେଣୀର ଦେଶୀ ଆମ୍ବ ଚିହ୍ନଟ ସହିତ ସଂରକ୍ଷଣ କରିଛନ୍ତି। ଏଗୁଡ଼ିକ ମଧ୍ୟରୁ ଅନେକ ପ୍ରଜାତି ବିଲୁପ୍ତିର ଦ୍ୱାର ଦେଶରେ। ଦେଶୀ ପ୍ରଜାତିର ଆମ୍ବ ଗୁଡିକର ସଂରକ୍ଷଣ ପ୍ରକ୍ରିୟା ଏତେ ସହଜ ନ ଥିଲା। ବହୁ ବର୍ଷ ଧରି ସେ ରାଜ୍ୟର ବିଭିନ୍ନ ଗାଁ ଗଣ୍ଡା ବୁଲି ଯେଉଁ ଅଭିଜ୍ଞତା ସଂଗ୍ରହ କରିଥିଲେ ତାହା ତାଙ୍କୁ ସହାୟତା କରିଥିଲା। ସେ ପଶ୍ଚିମଘାଟ ପର୍ବତମାଳାରେ ୬ ମାସ କାଳ ବୁଲି ବୁଲି ଜଙ୍ଗଲ ଭିତରେ ଆପେ ଆପେ ଉଠିଥିବା ଆମ୍ବ ପ୍ରଜାତି ଗୁଡିକୁ ସ୍ଥାନୀୟ ଲୋକଙ୍କ ଜରିଆରେ ଚିହ୍ନଟ କରି ଏବେ ତାର ସଂରକ୍ଷଣ ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।