ଦ୍ବିତୀୟ ଦିନିକିଆରେ ଭାରତର ଚମତ୍କାର ବିଜୟ: ସିରିଜରେ ଅପରାଜେୟ ଅଗ୍ରଣୀ


ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଦୀପକ ଚହର ଏକ ଶଟ୍ ଖେଳୁଛନ୍ତି
କଲମ୍ବୋ: ଚଳିତ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ଭ୍ରମଣକାରୀ ଟିମ୍ ଭାରତ ୨-୦ର ଅପରାଜେୟ ଅଗ୍ରଣୀ ହାସଲ କରିଛି। ଦଳ ପ୍ରଥମ ମ୍ୟାଚକୁ ବେଶ୍ ବଡ଼ ବ୍ୟବଧାନରେ ଜିତିବା ପରେ ମଙ୍ଗଳବାର ଖେଳାଯାଇଥିବା ଦ୍ବିତୀୟ ମ୍ୟାଚକୁ ୩ ୱିକେଟରେ ଜିତିନେଇଛି। ଏଥିସହ ଆସନ୍ତା ୨୩ରେ ଏଠାରେ ଖେଳାଯିବାକୁ ଥିବା ତୃତୀୟ ଦିନିକିଆଟି ଗୌଣ ହୋଇଯାଇଛି। ଭାରତ ବିଜୟରେ ଶୀର୍ଷ ବ୍ୟାଟ୍ସମ୍ୟାନମାନେ ଫେଲ୍ ମାରିବା ପରେ ଅଷ୍ଟମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଅଲରାଉଣ୍ଡର ଦୀପକ ଚହର ଚମତ୍କାର ଇନିଂସ ଖେଳି ଦଳକୁ ଅବିଶ୍ବସନୀୟ ବିଜୟ ପ୍ରଦାନ କରିଛନ୍ତି। ପ୍ରଥମେ ବୋଲିଂରେ ଦୁଇ ୱିକେଟ୍ ନେଇଥିବା ଦୀପକ ତାଙ୍କ ଦିନିକିଆ କ୍ୟାରିଅରର ସବୁଠାରୁ ଶ୍ରେଷ୍ଠ ଇନିଂସ ଖେଳି ଅପରାଜିତ ୬୯ ରନ୍ କରି ଭାରତକୁ ସିରିଜ୍ ବିଜୟ ଦେଇଛନ୍ତି। ସେ କୃଣାଳ ପାଣ୍ଡ୍ୟାଙ୍କ ସହ ସପ୍ତମ ୱିକେଟରେ ୩୩ ରନ୍ ଯୋଡ଼ିବା ପରେ ଅଷ୍ଟମ ୱିକେଟରେ ଉପଅଧିନାୟକ ଭୁବନେଶ୍ବର କୁମାରଙ୍କ ସହ ମ୍ୟାଚ ବିଜୟୀ ୮୪ ରନର ଭାଗିଦାରୀ କରିଥିଲେ। ୨ଟି ୱିକେଟ୍ ନେଇଥିବା ଓ ୬୯ ରନ୍ କରିଥିବା ଦୀପକ ଚହର ତାଙ୍କର ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି।

ଶୀର୍ଷ କ୍ରମରେ ଗତ ମ୍ୟାଚ୍ର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୃଥ୍ବୀ ଶ’ ପ୍ରଥମ ଓଭରରେ ୩ଟି ଚୌକା ସହ ୧୩, ଈଶାନ୍ କିଶନ୍ ୧ ରନରେ ଆଉଟ୍ ହୋଇଥିଲେ। ଏହି ସମୟରେ ଅଧିନାୟକ ଶିଖର ଧୱନ ଓ ମନୀଷ ପାଣ୍ଡେଙ୍କ ମଧ୍ୟରେ ୫୦ ରନର ଭାଗିଦାରୀ ହୋଇଥିଲା। ଧୱନ ୬ଟି ଚୌକା ସହ ୨୯ ରନ୍ କରି ବିଦାୟ ନେବା ପରେ ପାଣ୍ଡେ ୩ଟି ଚୌକା ସହ ୩୭ ରନ୍ କରି ଦୁର୍ଭାଗ୍ୟଜନକ ସ୍ଥିତିରେ ରନଆଉଟ୍ ହୋଇଥିଲେ। ପରେ ହାର୍ଦ୍ଦିକ ପାଣ୍ଡ୍ୟା ଶୂନରେ ଆଉଟ୍ ହୋଇଥିଲେ ହେଁ ତାଙ୍କ ଭାଇ କୃଣାଳ ଦ୍ବିତୀୟ ଦିନିକିଆ ଖେଳୁଥିବା ସୂର୍ଯ୍ୟକୁମାର ଯାଦବଙ୍କ ସହ ୪୪ ରନ୍ ଯୋଡ଼ିଥିଲେ। ସୂର୍ଯ୍ୟକୁମାର ୬ଟି ଚୌକା ସହ ଦିନିକିଆରେ ତାଙ୍କ ପ୍ରଥମ ଅର୍ଦ୍ଧଶତକ କରିବା ସହ ୫୩ ରନରେ ଆଉଟ୍ ହେବା ପରେ ଭାରତ ପ୍ରତି ବିପଦ ଘନେଇ ଆସିଥିଲା। କିନ୍ତୁ ଏହି ସମୟରେ ଦୀପକ ୭ଟି ଚୌକା ଓ ଗୋଟିଏ ଛକା ସହ ୬୯ ରନର ଇନିଂସ ଖେଳି ସମସ୍ତଙ୍କୁ ଚମକାଇ ଦେଇଥିଲେ।  ତାଙ୍କ ସହ ଭୁବି ଦୁଇଟି ଚୌକା ସହ ୧୯ ରନ୍ କରି ଅପରାଜିତ ରହିଥିଲେ। ଭାରତ ୪୯.୧ ଓଭରରେ ୨୭୫ ରନ୍ କରିଥିଲା। ଶ୍ରୀଲଙ୍କା ପକ୍ଷରୁ ୱାନିନ୍ଦୁ ହସରଙ୍ଗା ୩ଟି ୱିକେଟ୍ ନେଇଥିଲେ ହେଁ ଦଳର ଅନଭିଜ୍ଞ ବୋଲରମାନେ ଭାରତର ନିମ୍ନକ୍ରମ ବ୍ୟାଟ୍ସମ୍ୟାନଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲେ।

ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୯ ୱିକେଟରେ ୨୭୫ ରନ୍ କରିଥିବା ବେଳେ ଦଳ ପକ୍ଷରୁ ଚରିତ ଅସଲଙ୍କା ୬ଟି ଚୌକା ସହ ୬୫ ରନ୍ କରିଥିଲେ। ଏହାଛଡ଼ା ଓପନର ଆବିଷ୍କା ଫର୍ଣ୍ଣାଣ୍ଡୋ ୪ଟି ଚୌକା ଓ ଗୋଟିଏ ଛକା ସହ ୫୦, ଚାମିକା କରୁଣାରତ୍ନେ ୫ଟି ଚୌକା ସହ ଅପରାଜିତ ୪୪, ଅନ୍ୟତମ ଓପନର ମିନୋଦ ଭାନୁକା ୬ଟି ଚୌକା ସହ ୩୬ ଏବଂ ଧନୟ ଡି’ ସିଲଭା ଗୋଟିଏ ଚୌକା ସହ ୩୨ ରନ୍ କରିଥିଲେ। ଭାରତ ପକ୍ଷରୁ ଯୁଜବେନ୍ଦ୍ର ଚହଲ୍ ଓ ଭୁବନେଶ୍ବର କୁମାର ୩ଟି ଲେଖାଏଁ ୱିକେଟ୍ ନେଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ