ଅର୍ଡର ମାତ୍ରକେ ଦୁଆରେ ପହଞ୍ଚୁଛି ସାବିତ୍ରୀ ଭାର

ତାସୁକେରୁ ଖୋଲିଛି ଆପ୍ସ, ୪୫୦ ଓ ୮୫୦ ଟଙ୍କାରେ ଦୁଇଟି ପ୍ୟାକେଜ ଉପଲବ୍ଧ

ପ୍ରତୀକାତ୍ମକ ଫଟୋ
କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜାରି ହୋଇଛି କଟକଣା। ଦିନ ୧୧ରେ ବନ୍ଦ ହୋଇଯାଉଛି ବଜାର। ଏଭଳି ସଙ୍କଟ ସମୟରେ ସାବିତ୍ରୀ ବ୍ରତ ସାମଗ୍ରୀ କିଣିବାରେ ଶ୍ରଦ୍ଧାଳୁଙ୍କୁ ସହଯୋଗ ପାଇଁ ଆଗେଇ ଆସିଛି ତାସୁକେରୁ ନାମକ ଏକ ଅନଲାଇନ ସଂସ୍ଥା। ତାସୁକେରୁ ଡଟ କମରେ ଅର୍ଡର ଦେବା ମାତ୍ରକେ ଦ୍ୱାର ମୁହଁରେ ପହଞ୍ଚି ଯାଉଛି ସାବିତ୍ରୀ ଭାର। ଏଭଳି ସେବା ନିଃସଙ୍ଗ ସମୟରେ ସହରବାସୀଙ୍କ ମନରେ ଉତ୍ସାହ ଭରିଛି। ଅନଲାଇନ ଜରିଆରେ ଅର୍ଡର ଦେଇ ପୂଜା ସାମଗ୍ରୀ ଦ୍ୱାର ମୁହଁରେ ପାଇବାର ଏହି ସେବା ଭୁବନେଶ୍ୱରବାସୀଙ୍କୁ ଆମୋଦିତ କରିଛି।

ଉତ୍ସାହ ଭରିଛି ସଂସ୍ଥା
କୋରୋନା କାଳରେ ଉତ୍ସବ ପଡିଛି ଫିକା। ଦୀର୍ଘଦିନ ଧରି ଲକଡାଉନ ଓ ଶଟଡାଉନ କଟକଣା କାରଣରୁ ଗୋଟିଏ ପରେ ଗୋଟିଏ ସାମାଜିକ ଓ ସାଂସ୍କୃତିକ ଉତ୍ସବ ଆୟୋଜନରେ ଲୋକଙ୍କ ସମ୍ପୃକ୍ତି ଓ ସରାଗ ଦେଖିବାକୁ ମିଳିନାହିଁ। କେତେବେଳେ ସରକାରୀ କଟକଣା ତ କେତେବେଳେ ସଂକ୍ରମଣ ଭୟ ଓ ବଜାରରେ ତାଳବନ୍ଦ ସ୍ଥିତି ସାମାଜିକ ସମାବେଶ ଓ ଘରୋଇ ଏକାଠି ହେବା ଦିଗରେ ଅନ୍ତରାୟ ସୃଷ୍ଟି କରିଛି। ଗତବର୍ଷ ରଜ, କୁମାର ପୂର୍ଣ୍ଣମୀ, ଦୁର୍ଗାପୂଜା, କାଳୀପୂଜାରେ ବଜାରରୁ ଚମକ ହଜିଥିବା ବେଳେ ୨୦୨୧ ଆରମ୍ଭରୁ ମଧ୍ୟ ଏଭଳି ସଙ୍କଟ ଦେଖିବାକୁ ମିଳିଛି। ଅସୁସ୍ଥ ପୃଥିବୀ ଆଉ ତାର ସଂକ୍ରମିତ ସମୟରେ ମଣିଷ ମନରେ ଟିକେ ଉତ୍ସାହ ଭରିଦେବା ପାଇଁ ଆଗେଇ ଆସିଛି ତାସୁକେରୁ ନାମକ ଏକ ଅନଲାଇନ ସଂସ୍ଥା। ସଂସ୍ଥା ପକ୍ଷରୁ ରାଜଧାନୀ ଭୁବନେଶ୍ୱର ବାସୀଙ୍କ ପାଇଁ ଆରମ୍ଭ ହୋଇଛି ଅନ ଲାଇନରେ ଦ୍ୱାର ମୁହଁରେ ସାବିତ୍ରୀ ବ୍ରତର ଆବଶ୍ୟକୀୟ ସାମଗ୍ରୀ ଯୋଗାଣର ବ୍ୟବସ୍ଥା। ସଂସ୍ଥା ନିଜର ଆପ୍ସ ଜରିଆରେ ସାବିତ୍ରୀ ବ୍ରତଧାରୀଙ୍କ ବରାଦ ଅନୁଯାୟୀ ଦ୍ୱାର ମୁହଁରେ ପହଞ୍ଚାଇ ଦେଉଛି ଭୋଗ ଓ ପୂଜାସାମଗ୍ରୀ। ଜଣେ ଚାହିଁଲେ ଏହାର ଆପ୍ସ ତାସୁକେରୁ ଡଟକମ ପୃଷ୍ଠାକୁ ଯାଇ ପିକ ଆଣ୍ଡ ଡ୍ରପରେ କ୍ଲିକ କରି ଅର୍ଡର ଦେଇପାରିବେ। ଏଥିପାଇଁ ଦୁଇ ପ୍ରକାର ପ୍ୟାକେଜ ଅଛି। ଗୋଟିଏର ମୂଲ୍ୟ ୪୫୦ ଟଙ୍କା ଥିବା ବେଳେ ଆଉ ଗୋଟିଏ ପ୍ୟାକେଜର ମୂଲ୍ୟ ୮୫୦ ଟଙ୍କା ରହିଛି ବୋଲି କହିଛନ୍ତି ସଂସ୍ଥାର ଜଣେ ପ୍ରତିନିଧି ଆଶୁତୋଷ ସାହୁ। ଆଶୁତୋଷ କହିଛନ୍ତି ଯେ ମଙ୍ଗଳବାର ମୁଁ ୮ଟି ଅର୍ଡର ଦେଇ ଫେରିଛି। ଏଭଳି ସେବା ଦେଇ ପ୍ରତିବଦଳରେ ମା ମାଉସୀଙ୍କ ମୁହଁରେ ଟିକିଏ ହସ ଦେଖିଲେ ଆମକୁ ଢେର ଆତ୍ମସନ୍ତୋଷ ମିଳୁଛି ବୋଲି ଆଶୁତୋଷ କହନ୍ତି। ଆଶୁତୋଷ କହିଛନ୍ତି ଯେ ୪୫୦ ଟଙ୍କାର ପ୍ୟାକେଜରେ ସେଓ, କଦଳୀ, ଆମ୍ବ, ପଣସ, ଖଜୁରୀ ସମେତ ବ୍ରତ, ବ୍ରତବହି, ଅଳତା, ସିନ୍ଦୁର, କଳା ଓ ଲାଲ ଶଙ୍ଖା, ସିନ୍ଦୁର, ଆଦି ରହୁଥିବା ବେଳେ ୮୫୦ ଟଙ୍କାର ପ୍ୟାକେଜରେ ଲିଚୁ ସମେତ ଟିକେ ଅଧିକ ଫଳ ରହୁଛି। ଅର୍ଡର ଦେବାର ଅଳ୍ପ କିଛି ସମୟ ଭିତରେ ଏଭଳି ସେବା ଦ୍ୱାର ମୁହଁରେ ଯୋଗାଇ ଦିଆଯାଉଛି। ଅନଲାଇନରେ ଅର୍ଡର ପାଇବା ପରେ ବଜାରରେ ଖୋଜି ଖୋଜି କିଣିଥାନ୍ତି ତାସୁକେରୁର କର୍ମଚାରୀ। ଆମ୍ବ, ପଣସ, ସେଓ, ସପୁରି ଲିଚୁ ସାଙ୍ଗକୁ ଶଙ୍ଖା, ସିନ୍ଦୁର, ଅଳତା ଆଉ ବ୍ରତବହି ପ୍ୟାକେଜ ଅନୁସାରେ କିଣି ପ୍ୟାକ କରାଯାଏ।

ବଜାରକୁ ନ ଯାଇ ନିଜ ଦ୍ୱାର ମୁହଁରେ ବରାଦ ମୁତାବିକ ପୂଜା ସାମଗ୍ରୀ ପାଇଥିବା ଜଣେ ଉପଭୋକ୍ତା ଶୁଚିସ୍ମିତା ପ୍ରତିନିଧି ନିକଟରେ ନିଜର ଖୁସି ଜାହିର କରିଛନ୍ତି। କହିଛନ୍ତି ଯେ ତାସୁକେରୁ ଡଟ କମରେ ରବିବାର ଅର୍ଡର ଦେଇଥିଲି। ମଙ୍ଗଳବାର ଏହି ସଂସ୍ଥାର କର୍ମଚାରୀ ଅର୍ଡର ଅନୁଯାୟୀ ସମସ୍ତ ସାମଗ୍ରୀ ଆଣି ପହଞ୍ଚାଇଦେଲେ। ତାହା ପୁଣି ସାଧାରଣ ଦରରେ। ନିଜେ ବଜାରକୁ ଯାଇ ଶ୍ରମ, ସମୟ, ଗାଡ଼ିଭଡା ଦେଇ ହିସାବ କରିଥିଲେ ଏହା ଠାରୁ ଦୁଇଗୁଣ ଅଧିକ ଖର୍ଚ ହୋଇଥାନ୍ତା। ଆଗରୁ ଏହି ସଂସ୍ଥା ମୋତେ ଅଭଡ଼ା ଆଣି ଦେଇଥିଲା। କଟକଣା ବେଳେ ଏଭଳି ସେବା ବହୁତ ଭଲ। କୋରୋନା କାଳରେ ଲୋକଙ୍କୁ ଅନଲାଇନ ସେବା ଯୋଗାଇ ପ୍ରଶଂସା ସାଉଣ୍ଟୁଥିବା ଏହି ସଂସ୍ଥା ସାବିତ୍ରୀ ପର୍ବରେ ଦ୍ୱାର ମୁହଁରେ ପୂଜା ସାମଗ୍ରୀ ପହଞ୍ଚାଇ ଜୀବନକୁ ଉତ୍ସବ ମୁଖରିତ କରିଛି ବୋଲି କହିଛନ୍ତି ଆଉ ଜଣେ ଗ୍ରାହକ ରୁଚି ରାୟ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ