ମୋଦିଙ୍କ ନିଷ୍ପତ୍ତିକୁ ନବୀନଙ୍କ ପ୍ରଶଂସା, ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦେଶବାସୀଙ୍କୁ ସମ୍ବୋଧନ କରି ଦୁଇଟି ବଡ଼ ଘୋଷଣା କରିଛନ୍ତି। ଦେଶର ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ନାଗରିକଙ୍କୁ ମାଗଣାରେ ଟିକା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ପୂର୍ବରୁ ୪୫ ବର୍ଷରୁ ଊର୍ଦ୍ଧ୍ୱଙ୍କୁ କେନ୍ଦ୍ର ସରକାର ମାଗଣାରେ ଟିକା ଯୋଗାଇ ଦେଉଥିବା ବେଳେ ଜୁନ ୨୧ରୁ ୧୮ ରୁ ୪୪ ବର୍ଷ ବର୍ଗର ଲୋକଙ୍କୁ ମଧ୍ୟ ମାଗଣାରେ ଟିକା ଯୋଗାଇ ଦେବେ। ସେହିପରି ମାଗଣା ଟିକା ସହ ନଭେମ୍ବର ମାସ ପର୍ଯ୍ୟନ୍ତ ମାଗଣା ରାସନ ଯୋଗାଇ ଦେବାକୁ ମଧ୍ୟ ଘୋଷଣା କରିଛନ୍ତି। ପିଏମ୍‌ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ସାମିଲ୍‌ ଦେଶର ୮୦ କୋଟି ଲୋକଙ୍କୁ ନଭେମ୍ବର ପର୍ଯ୍ୟନ୍ତ ମାଗଣାରେ ରାସନ ଯୋଗାଇଦେବେ। ପ୍ରଧାନମନ୍ତ୍ରୀଙ୍କ ଏହି ଦୁଇ ବଡ଼ ଘୋଷଣାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରି କୋଭିଡ୍ ଟିକାକରଣକୁ ଏକ ଜାତୀୟ ମିଶନ କରିଥିବାରୁ ଧନ୍ୟବାଦ ଦେଇଛନ୍ତି। ନବୀନ କହିଛନ୍ତି ଯେ, ପ୍ରତ୍ୟେକ ଜୀବନ ହେଉଛି ମୂଲ୍ୟବାନ। ସମସ୍ତଙ୍କର ଟିକାକରଣ ନ ହେବା ପର୍ଯ୍ୟନ୍ତ କେହି ନିରାପଦ ନୁହଁନ୍ତି। କୋଭିଡ୍‌-୧୯ ମହାମାରୀ ବିରୋଧରେ ଲଢ଼େଇରେ ଦେଶ ପାଇଁ ଆମେ ସମସ୍ତେ ଏକଜୁଟ ହୋଇଛେ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରଶଂସାକୁ ବେଶ୍ ଗୁରୁତ୍ୱ ଦିଆଯାଉଛି। ମୁଖ୍ୟମନ୍ତ୍ରୀ ଗତ ସପ୍ତାହରେ ଦେଶର ସମସ୍ତଙ୍କୁ ଟିକାକରଣ ପାଇଁ କେନ୍ଦ୍ର ସରକାର ନିଜେ ଟିକା କ୍ରୟ କରନ୍ତୁ ବୋଲି ଦାବି କରି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖି ସହଯୋଗ ଲୋଡ଼ିଥିଲେ।

ସେହିପରି ଧର୍ମେନ୍ଦ୍ର ଟ୍ବିଟ୍‌ କରି କହିଛନ୍ତି, ଦେଶବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେଇଥିବା ସମ୍ବେଦନଶୀଳ ନିଷ୍ପତ୍ତିକୁ ସେ ସ୍ୱାଗତ କରୁଛନ୍ତି। ସମସ୍ତଙ୍କୁ ମାଗଣା ଟିକା ଉପଲବ୍ଧ କରାଇବା ଦିଗରେ ସରକାର ଟିକାକରଣ ସହ ଜଡ଼ିତ ରାଜ୍ୟମାନଙ୍କ ଦ୍ୱାରା କରାଯାଇଥିବା ୨୫ ପ୍ରତିଶତ କାର୍ଯ୍ୟକୁ ଭାରତ ସରକାର ନିଜ ଦାୟିତ୍ୱରେ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଭାରତ ସରକାର ଟିକା ଉତ୍ପାଦନକାରୀଙ୍କ ଠାରୁ ମୋଟ ଟିକା ଉତ୍ପାଦନ ମଧ୍ୟରୁ ୭୫ ପ୍ରତିଶତ ଟିକା ରାଜ୍ୟ ସରକାରଙ୍କୁ ମାଗଣାରେ ଯୋଗାଇ ଦେବେ। ଆସନ୍ତା ଜୁନ୍ ୨୧ରୁ ଭାରତ ସରକାର ଦେଶର ସବୁ ରାଜ୍ୟରେ ଥିବା ୧୮ ବର୍ଷରୁ ଅଧିକ ନାଗରିକଙ୍କୁ ମାଗଣା ଟିକା ପ୍ରଦାନ କରିବେ ବୋଲି ଟ୍ବିଟ୍‌ କରି କହିଛନ୍ତି ଧର୍ମେନ୍ଦ୍ର।

ସେହିପରି ଧର୍ମେନ୍ଦ୍ର ଆହୁରି କହିଛନ୍ତି, ଦୁର୍ବଳ ଓ ଗରିବ ଶ୍ରେଣୀର ଲୋକଙ୍କ ପ୍ରତି ସମ୍ବେଦନଶୀଳତା ଏବଂ ଗରିବଙ୍କ କଲ୍ୟାଣ ପାଇଁ ନିଜର ପ୍ରତିବଦ୍ଧତାକୁ ଦର୍ଶାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ୮୦ କୋଟି ଜନସାଧାରଣଙ୍କ ପାଇଁ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧିକୁ ଦୀପାବଳି ପର୍ଯ୍ୟନ୍ତ ବଢ଼ାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଦ୍ୱାରା ଦେଶର ଜଣେ ଗରିବ ଉପାସରେ ରହିବ ନାହିଁ। କୋଭିଡ଼୍ ମହାମାରୀ ବିରୋଧୀ ଏହି ଲଢ଼େଇରେ ପ୍ରଧାନମନ୍ତ୍ରୀ ଜନକଲ୍ୟାଣ ପାଇଁ ନେଇଥିବା ନିଷ୍ପତ୍ତି ତାଙ୍କ ଦୂରଦର୍ଶୀ ନେତୃତ୍ୱର ପରିଚୟ ଦେଉଛି। କୋରୋନା ବିରୋଧୀ ଦେଶର ଲଢ଼େଇକୁ ଅଧିକ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆଜି ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପାଇଁ ପୁଣି ଥରେ କୃତଜ୍ଞତା ଜ୍ଞାପନ କରିଛନ୍ତି ଧର୍ମେନ୍ଦ୍ର।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ