ନିଆରା ବର୍ଡର, ଘର ଭିତରେ ଯାଇଛି ସୀମାରେଖା


ନେଦରଲ୍ୟାଣ୍ଡସ ଓ ବେଲଜିୟମର ସୀମା ରେଖା
ସୀମା ରେଖାକୁ ନେଇ ସାଧାରଣତଃ ପଡ଼ୋଶୀ ଦେଶ ମଧ୍ୟରେ ଉତ୍ତେଜନା ଦେଖାଯାଇଥାଏ। ଅନେକ ସମୟରେ ସୀମା ବିବାଦକୁ ନେଇ ପରିସ୍ଥିତି ଏତେ ଖରାପ ହୋଇଯାଏ ଯେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହୋଇଯାଏ। ଅନେକ ଲୋକଙ୍କ ଜୀବନ ମଧ୍ୟ ଚାଲିଯାଏ। ଏଥିପାଇଁ ଦୁଇ ଦେଶକୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥାଏ। ଅର୍ଥବ୍ୟବସ୍ଥା ମଧ୍ୟ ବିଗିଡ଼ି ଯାଏ। ଏହି କାରଣରୁ ସାରା ବିଶ୍ବରେ ଅନେକ ଦେଶ ନିଜ ସୀମାର ସୁରକ୍ଷା ପାଇଁ ତାରବାଡ଼ କରାଇଛନ୍ତି। ସେହିପରି ୟୁରୋପରେ ଏଭଳି ଏକ ବର୍ଡ଼ର ରହିଛି, ଯେଉଁଠି ଗୋଟିଏ ଦେଶରେ ବ୍ରେକଫାଷ୍ଟ ତିଆରି କରିପାରିବେ ଓ ଅନ୍ୟ ଦେଶରେ ବସି ଖାଇପାରିବେ। ଏହି ବର୍ଡର ବାର୍ଲେରେ ଅବସ୍ଥିତ। ବାର୍ଲେ ସହର ଦୁଇ ଦେଶର ସୀମା ଭିତରେ ରହିଛି। ଏହି ସହର ନେଦରଲ୍ୟାଣ୍ଡସ ଓ ବେଲଜିୟମ ସୀମାରେ ଅବସ୍ଥିତ। ଯଦି ଆପଣ ଏହି ଦେଶରେ ରହୁଛନ୍ତି, ତେବେ ଆପଣଙ୍କ ଗୋଟିଏ ପାଦ ନେଦରଲ୍ୟାଣ୍ଡସରେ ରହିବାବେଳେ ଅନ୍ୟ ପାଦଟି ବେଲଜିୟମରେ ରଖିପାରିବେ। ଏଠାରେ ଥିବା ଅନେକଗୁଡ଼ିଏ ସାମୁଦାୟିକ ଭବନ ଓ କାଫେ ହାଉସର ଅଧା ଅଂଶ ନେଦରଲ୍ୟାଣ୍ଡସ ଓ ଅଧା ଅଂଶ ବେଲଜିୟମରେ ରହିଛି।

ବାର୍ଲେ ସହରର କିଛି ଅଂଶ ନେଦରଲ୍ୟାଣ୍ଡସ ଓ ଆଉ କିଛି ଅଂଶ ବେଲଜିୟମ ପାଖରେ ରହିଛି। ଏହି ସହରରେ ଯେଉଁ ଭାଗ ନେଦରଲ୍ୟାଣ୍ଡସରେ ରହିଛି ତାହା ବାର୍ଲେ ନାସାୟୁ ନାମରେ ଜଣାଯାଏ। ସହରର ଯେଉଁ ଅଂଶ ବେଲଜିୟମ ପାଖରେ ରହିଛି ତାହା ବାର୍ଲେ ହେରଟୋଗ କୁହାଯାଏ। ଦୁଇ ଦେଶର ଏହି ସୀମାରେଖାକୁ ଏକ ଧଳା କ୍ରସ ତିଆରି କରି ଚିହ୍ନିତ କରାଯାଇଛି। କେତେକ ସ୍ଥାନରେ ଦୁଇ ଦେଶର ସୀମାରେଖା ଲୋକଙ୍କ ଘର ଭିତର ଦେଇ ଯାଇଛି। ଏହି ସୀମାରେଖାରେ ବେଡ ରଖିଲେ ଗୋଟିଏ ପଟେ ଶୋଇବାବେଳେ ଅନ୍ୟ ଦେଶରେ କଡ଼ ଲେଉଟାଇବା ଦେଖିବାକୁ ମିଳିଥାଏ। ଏହି ସହରର ଇତିହାସ ସମ୍ପର୍କରେ ସ୍ଥାନୀୟ ପର୍ଯ୍ୟଟନ କାର୍ଯ୍ୟାଳୟର ପ୍ରମୁଖ ୱିଲିୟମ ବେନ ଗୁଲ କହିଛନ୍ତି ଯେ ବ୍ରାବାଣ୍ଟର ଡ୍ୟୁକ ହେନରୀ ପ୍ରଥମ ୧୧୯୮ରେ ଏହି ଅଞ୍ଚଳକୁ ବ୍ରେଡାର ଶାସକଙ୍କୁ ଦେଇଥିଲେ। ସେହି ସମୟରେ ଏହି ଜମିରେ ଚାଷ ହେଉ ନ ଥିଲା।

ଅନେକ ବର୍ଷ ପରେ ୧୮୩୦ରେ ନେଦରଲ୍ୟାଣ୍ଡସ ଠାରୁ ଅଲଗା ହୋଇ ବେଲଜିୟମ ଏକ ନୂଆ ଦେଶ ତିଆରି କରିବାବେଳେ ସୀମା ନିର୍ଦ୍ଧାରଣ ଆରମ୍ଭ ହୋଇଥିଲା। ସର୍ବେକ୍ଷକମାନେ ଉତ୍ତର ସାଗର ତଟରେ ଜର୍ମନ ରାଜ୍ୟକୁ ନିର୍ଦ୍ଧାରିତ କରିଥିଲେ। ସେହିପରି ସର୍ବେକ୍ଷକମାନେ ଏହି ଅଞ୍ଚଳରେ ପହଞ୍ଚିଥିଲେ। କିନ୍ତୁ ନିଷ୍ପତ୍ତି ହେବା ପରେ ସୀମା ନିର୍ଦ୍ଧାରଣ କରିବାକୁ କୁହାଯାଇଥିଲା। ପରେ ସୀମା ନିର୍ଦ୍ଧାରଣ କରିବାକୁ ଗଲାବେଳେ ସହରରେ ଅନେକ ଘର, ଦୋକାନ, ପାର୍କ ଆଦି ତିଆରି ହୋଇଯାଇଥିଲା। ତେଣୁ ବିବାଦ ନ ହେବା ପାଇଁ ସୀମାରେଖା ଟଣାଯାଇ ଯେଉଁ ଭାଗରେ ଯେଉଁ ଦେଶ ପଡ଼ୁଛି, ତାହାର ନାଗରିକତା ଦିଆଯିବାକୁ ନିଷ୍ପତ୍ତି ହୋଇଥିଲା। ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ସହରରେ ସବୁକିଛି ଦୁଇଟି ଲେଖାଏଁ ରହିଛି। ସହରର ଦୁଇଟି ନାମ, ଦୁଇଜଣ ନଗରପାଳିକା, ଦୁଇଟି ଡାକଘର ରହିଛି। କିନ୍ତୁ ଏସବୁର ନିୟନ୍ତ୍ରଣ ଗୋଟିଏ ସମିତି କରୁଛି। ଏହି ସହର ଏଥିପାଇଁ ବହୁତ ଚର୍ଚ୍ଚାରେ ରହିଛି। ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ଏହାକୁ ଦେଖିବାକୁ ଆସିଥାନ୍ତି। ଦୁଇ ଦେଶର ସୀମାରେ ଠିଆ ହୋଇ ଫଟୋ କ୍ଲିକ କରିଥାନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ