ପେଟ୍ରୋଲ୍ ଲିଟର ପିଛା ଶହେ ଟପିଲା, କ୍ରମାଗତ ଚତୁର୍ଥ ଦିନରେ ଦର ବୃଦ୍ଧି


ଏକ ପେଟ୍ରୋଲ୍ ପମ୍ପ୍‌ର ଦୃଶ୍ୟ (ଫାଇଲ୍ ଫଟୋ)
ଶୁକ୍ରବାର କ୍ରମାଗତ ଭାବେ ୪ ଦିନ ଧରି ଦେଶର ତୈଳ ବିତରଣକାରୀ କମ୍ପାନୀମାନେ ପେଟ୍ରୋଲ୍ ଓ ଡିଜେଲ୍ ଦର ବଢ଼ାଇବା ଫଳରେ ପେଟ୍ରୋଲ୍ ଲିଟର ପିଛା ଶହେ ଟଙ୍କାକୁ ଟପିଯାଇଛି। ଫଳସ୍ବରୂପ ଗତ ମାର୍ଚ୍ଚ ୨୪ରୁ ଏପ୍ରିଲ୍ ୧୫ ମଧ୍ୟରେ ତୈଳ ଦର ଯେତିକି ହ୍ରାସ ପାଇଥିଲା, ଶୁକ୍ରବାରର ବୃଦ୍ଧି ପରେ ଯାନବାହନ ଚାଳକଙ୍କ ପକେଟ୍ ଉପରେ ବେଶ୍ ବୋଝ ପଡ଼ିବା ନିଶ୍ଚିତ ହୋଇଛି। ଶୁକ୍ରବାର ପେଟ୍ରୋଲ୍ ଦର ଲିଟର ପିଛା ୨୮ ପଇସା ବଢ଼ିଥିବା ବେଳେ ଡିଜେଲ୍ ଦର ୩୧ ପଇସା ବଢ଼ିଛି। ଏଥିସହ ଗତ ୪ ଦିନ ମଧ୍ୟରେ ପେଟ୍ରୋଲ୍ ଓ ଡିଜେଲ୍ ଦରରେ ପାଖାପାଖି ଏକ ଟଙ୍କା ବୃଦ୍ଧି ଘଟିସାରିଛି। ଫଳସ୍ବରୂପ ଦେଶର କେତେକ ସ୍ଥାନରେ ପେଟ୍ରୋଲ୍ ଦର ଶହେ ଅତିକ୍ରମ କରିଛି। ରାଜସ୍ଥାନର ଶ୍ରୀ ଗଙ୍ଗାନଗରଠାରେ ଗାଡ଼ି ଚାଳକମାନଙ୍କୁ ଏକ ଲିଟର ପେଟ୍ରୋଲ୍ ପାଇଁ ୧୦୨ ଟଙ୍କା ୧୫ ପଇସା ଖର୍ଚ୍ଚ କରିବାକୁ ପଡ଼ୁଥିବା ବେଳେ ମଧ୍ୟ ପ୍ରଦେଶର ଅନୁପ୍ପୁରଠାରେ ଏହି ଦର ୧୦୧ ଟଙ୍କା ୮୬ ପଇସାରେ ପହଞ୍ଚିଥିବା ଜଣାପଡ଼ିଛି। ସେହିପରି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ୍ ଦର ଗୁରୁବାର ୯୦ ଟଙ୍କା ୯୯ ପଇସା ଥିବା ବେଳେ ଏବେ ତାହା ୯୧ ଟଙ୍କା ୨୭ ପଇସାରେ ପହଞ୍ଚିଛି। ଏହାଛଡ଼ା ମୁମ୍ବାଇରେ ବର୍ତ୍ତମାନ ପେଟ୍ରୋଲ୍ ଦର ଲିଟର ପିଛା ୯୭ ଟଙ୍କା ୬୧ ପଇସାରେ ପହଞ୍ଚିଥିବା ବେଳେ ଅନ୍ୟାନ୍ୟ ମେଟ୍ରୋ ସହର କୋଲକାତା ଓ ଚେନ୍ନାଇରେ ପେଟ୍ରୋଲ୍ ଦର ଲିଟର ପିଛା ଯଥାକ୍ରମେ ୯୧ ଟଙ୍କା ୪୧ ପଇସା ଓ ଚେନ୍ନାଇରେ ୯୩ ଟଙ୍କା ୧୫ ପଇସାରେ ପହଞ୍ଚିଛି।

ଆହୁରି ବେଙ୍ଗାଲୁରୁରେ ପେଟ୍ରୋଲ୍ ଦର ଲିଟର ପ୍ରତି ୯୪ ଟଙ୍କା ୩୦ ପଇସା, ହାଇଦ୍ରାବାଦରେ ୯୪ ଟଙ୍କା ୮୬ ପଇସା, ଜୟପୁରରେ ୯୭ ଟଙ୍କା ୬୫ ପଇସା ଓ ପାଟନାରେ ୯୪ ଟଙ୍କା ୩୧ ପଇସା ହୋଇଥିବା ଜଣାପଡ଼ିଛି। ପେଟ୍ରୋଲ୍ ଦର ସହ ତାଳ ଦେଇ ଡିଜେଲ୍ ଦର ବଢ଼ିଥିବାରୁ ଦିଲ୍ଲୀରେ ଏବେ ଦର ଲିଟର ପିଛା ୮୧ ଟଙ୍କା ୭୩ ପଇସାରେ ପହଞ୍ଚିଛି ଏବଂ ମୁମ୍ବାଇରେ ଏହା ପାଖାପାଖି ୮୯ ଟଙ୍କା ରହିଥିବା ବେଳେ କୋଲକାତାରେ ୯୪ ଟଙ୍କା ୫୭ ପଇସାରେ ପହଞ୍ଚିଛି। ଆହୁରି ଏଣିକି ଚେନ୍ନାଇରେ ୮୬ ଟଙ୍କା ୬୫ ପଇସାରେ ଏକ ଲିଟର ପେଟ୍ରୋଲ୍ ମିଳିବ। ଦେଶର ଅନ୍ୟାନ୍ୟ ପ୍ରମୁଖ ସହର ମଧ୍ୟରେ ବେଙ୍ଗାଲୁରୁରେ ଡିଜେଲ୍ ଦର ଲିଟର ପିଛା ୮୬ ଟଙ୍କା ୬୪ ପଇସା ରହିଥିବା ବେଳେ ହାଇଦ୍ରାବାଦରେ ୮୯ ଟଙ୍କା ୩ ପଇସା, ଜୟପୁରରେ ୯୦ ଟଙ୍କା ୨୫ ପଇସା ଓ ପାଟନାରେ ୮୭ ଟଙ୍କା ୬୮ ପଇସାରେ ପହଞ୍ଚିଥିବା ଜଣାପଡ଼ିଛି। ଦେଶରେ କୋରୋନା ସଂକ୍ରମଣ ତା’ର ଦ୍ବିତୀୟ ଲହରୀରେ ତାଣ୍ଡବ ରଚିଚାଲିଥିବା ବେଳେ ଏଥିରେ ସାଧାରଣ ଜନତା ବେହାଲ୍ ହୋଇପଡ଼ିଛି। ଏପରି ସ୍ଥିତିରେ ତୈଳ ବିତରଣକାରୀ କମ୍ପାନୀମାନଙ୍କ ଲାଭଖୋର ମନୋବୃତ୍ତି ସାଧାରଣ ମଣିଷର ଅଣ୍ଟା ଭାଙ୍ଗିଦେବାକୁ ବସିଛି ବୋଲି କହିଲେ ଅତ୍ୟୁକ୍ତି ହେବ। ଏହାର ପ୍ରଭାବ ଅତ୍ୟାବଶ୍ୟକ ସାମଗ୍ରୀର ଦର ଉପରେ ମଧ୍ୟ ପଡ଼ିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ