ପଶ୍ଚିମବଙ୍ଗ ନିର୍ବାଚନୀ ହିଂସା: ମୃତକଙ୍କ ପାଇଁ କ୍ଷତିପୂରଣ ଘୋଷଣା, କେନ୍ଦ୍ର ମନ୍ତ୍ରୀଙ୍କ ଗାଡ଼ିକୁ ଟାର୍ଗେଟ୍


କେନ୍ଦ୍ର ମନ୍ତ୍ରୀଙ୍କ କାର୍ ଉପରକୁ ଆକ୍ରମଣ ହେଉଥିବା ବେଳର ଫଟୋ
ଗତ ମେ’ ୨ ତାରିଖରେ ପଶ୍ଚିମବଙ୍ଗ ସମେତ ସମୁଦାୟ ୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ପାଇଁ ହୋଇଥିବା ନିର୍ବାଚନ ଫଳାଫଳ ଘୋଷଣା ହୋଇଥିଲା। ଏଥିରେ ପଶ୍ଚିମବଙ୍ଗରେ କ୍ଷମତା ହାତେଇବା ପାଇଁ ଆଶା କରିଥିବା ବିଜେପି ବେଶ୍ ବଡ଼ ବ୍ୟବଧାନରେ ଶାସକ ଟିଏମସିଠାରୁ ପରାଜୟ ବରଣ କରିଥିଲା। ଫଳରେ ମମତା ବାନାର୍ଜୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଗତ ବୁଧବାର କ୍ରମାଗତ ୩ୟ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି। କିନ୍ତୁ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଗତ ସୋମବାର ସନ୍ଧ୍ୟାରେ ଟିଏମସି କର୍ମୀମାନଙ୍କ ଲଙ୍କାକାଣ୍ଡ କାରଣରୁ କେତେକ ବିଜେପି କର୍ମୀଙ୍କ ଜୀବନ ଯାଇଥିଲା। ଏହି କାଣ୍ଡ ପାଇଁ ବିଜେପି ସମ୍ପୂର୍ଣ୍ଣ ଭାବେ ଟିଏମସିକୁ ଦାୟୀ କରିବା ସହ ଏହା ପ୍ରତିବାଦରେ ସମଗ୍ର ଦେଶରେ ଗତ ବୁଧବାର ଗୋଟିଏ ଦିନ ପାଇଁ ଉପବାସ ପାଳନ କରାଯାଇଥିଲା। ଇତିମଧ୍ୟରେ ଏହି ଘଟଣାକୁ ୪ ଦିନ ବିତିଯାଇଥିଲେ ମଧ୍ୟ ବିଜେପି ଓ ଟିଏମସି ମଧ୍ୟରେ ଆରୋପ ପ୍ରତିଆରୋପ ପର୍ବ ଜାରି ରହିଛି। ଗୁରୁବାର ଟିଏମସି ମୁଖ୍ୟ ମମତା ଉକ୍ତ ହିଂସାକାଣ୍ଡରେ ମୃତ୍ୟୁବରଣ କରିଥିବା କର୍ମୀଙ୍କ ପରିବାର ସକାଶେ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। କିନ୍ତୁ ଏହି ଅବସରରେ ବିରୋଧୀ ବିଜେପି ଉପରେ ଦୋଷ ଲଦିବାକୁ ମମତା ଭୁଲିନାହାନ୍ତି। ଅନ୍ୟପକ୍ଷରେ ଗୁରୁବାର ପୂର୍ବାହ୍ନରେ କେନ୍ଦ୍ର ବହିଃବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି. ମୁରଲୀଧରନ୍‌ଙ୍କ ଗାଡ଼ିକୁ ପଶ୍ଚିମବଙ୍ଗର ମିଦନାପୁର ଜିଲ୍ଲାର କଞ୍ଚକୁରିଠାରେ ଭଙ୍ଗାରୁଜା କରାଯାଇଥିବା ବେଳେ ଏହା କେବଳ ଟିଏମସି ଗୁଣ୍ଡାମାନଙ୍କ କାମ ବୋଲି ମୁରଲୀଧରନ୍ ଟ୍ବିଟ୍ କରି ଅଭିଯୋଗ କରିଛନ୍ତି।

ସେହିପରି ମମତା ତାଙ୍କ କର୍ମୀମାନଙ୍କୁ କୌଣସି ପ୍ରକାର ହିଂସାକାଣ୍ଡଠାରୁ ଦୂରେଇ ରହିବାକୁ ନିବେଦନ କରିଥିଲେ ମଧ୍ୟ ନିର୍ବାଚନ ପରେ ବିଜେପି କର୍ମୀଙ୍କୁ ଆକ୍ରମଣରେ ପ୍ରାଣ ହରାଇବାକୁ ପଡ଼ିଥିଲା। କିନ୍ତୁ ନିର୍ବାଚନ ଜିତିବା ପରେ ବିଜେପି ପକ୍ଷରୁ ଟିଏମସି କର୍ମୀମାନଙ୍କୁ ଟାର୍ଗେଟ୍ କରାଯାଉଛି ବୋଲି ମମତା ଅଭିଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ୨୪ ଘଣ୍ଟା ପୂରି ନ ଥିବା ବେଳେ ବିଜେପି ପକ୍ଷରୁ ଚିଠି ପଠାଯିବା ସହ ବିଭିନ୍ନ ଟିମ୍ ଓ ମନ୍ତ୍ରୀମାନଙ୍କୁ ପଶ୍ଚିମବଙ୍ଗକୁ ପଠାଗଲାଣି। କିନ୍ତୁ ରାଜ୍ୟରେ ବିଜେପି କୌଣସି ପ୍ରକାର ହିଂସାକାଣ୍ଡରୁ ବିରତ ରହିବାକୁ ମମତା ନିବେଦନ କରିବା ସହ ନିର୍ବାଚନ ଫଳାଫଳକୁ ଗ୍ରହଣ କରିବା ଉଚିତ ବୋଲି କହିଛନ୍ତି। ନିର୍ବାଚନରେ ଯେଉଁଠାରେ ବିଜେପି ପ୍ରାର୍ଥୀମାନେ ନିର୍ବାଚିତ ହୋଇଛନ୍ତି, ସେଠାରେ କ୍ରମାଗତ ଭାବେ ହିଂସାକାଣ୍ଡ ଭିଆଉଛନ୍ତି। କୁଚବେହାରରେ ବିଜେପି କର୍ମୀମାନେ ଟିଏମସିୀ ନେତା ଉଦୟନ ଗୁହାଙ୍କ ହାତ ଭାଙ୍ଗିଦେଇଛନ୍ତି। କିନ୍ତୁ ଟିଏମସି କର୍ମୀମାନେ କୌଣସି ପ୍ରକାର ହିଂସାକାଣ୍ଡରୁ ଦୂରେଇ ରହିବାକୁ ସେମାନଙ୍କୁ ନିର୍ଦେଶ ଦିଆଯାଇଛି ବୋଲି ମମତା କହିଥିବା ବେଳେ ଏହି ନିର୍ଦେଶର ଅବମାନନା କଲେ ସେ ତାଙ୍କ କର୍ମୀଙ୍କ ବିରୋଧରେ ବି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଗତ ବୁଧବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଅଭିଯୋଗ କରିଥିଲେ ଯେ ଟିଏମସି କ୍ଷମତାକୁ ଆସିବା ପରେ ଜଣେ ୧୪ ଜଣ ବିଜେପି କର୍ମୀଙ୍କୁ ହତ୍ୟା କରାଯାଇସାରିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ