ସହଜ ବିଜୟ ସହ ଦିଲ୍ଲୀ ପଏଣ୍ଟ୍ ଟେବଲ୍ ଶୀର୍ଷରେ, ପଞ୍ଜାବର ପଞ୍ଚମ ପରାଜୟ


ଅଫସାଇଡରେ ଏକ ଶଟ୍ ଖେଳୁଛନ୍ତି ମୟଙ୍କ
ଅହମଦାବାଦ: ଚଳିତ ଆଇପିଏଲ୍‌ରେ ସୁପର୍ ସଣ୍ଡେରେ ଖେଳାଯାଇଥିବା ଦ୍ବିତୀୟ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ବେଶ୍ ସହଜରେ ପ୍ରତିପକ୍ଷ ପଞ୍ଜାବକୁ ପରାସ୍ତ କରିଛି। ଟସରେ ହାରିବା ପରେ ପଞ୍ଜାବ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିଲା। ଦଳର ନିୟମିତ ଅଧିନାୟକ ଲୋକେଶ ରାହୁଲ ଆପେଣ୍ଡିସାଇଟିସ୍ କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କ ସ୍ଥାନରେ ମୟଙ୍କ ଅଗରୱାଲ୍ ଅଧିନାୟକତ୍ବ କରିଥିଲେ। ସେ ଓ ପ୍ରଭସିମରନ୍ ଇନିଂସ ଆରମ୍ଭ କରିଥିଲେ ହେଁ ଦଳ ନିୟମିତ ବ୍ୟବଧାନରେ ୱିକେଟମାନ ହରାଇଚାଲିଥିଲା। କିନ୍ତୁ ଗୋଟିଏ ପଟେ ମୟଙ୍କ ବେଶ୍ ସ୍ଥିର ବ୍ୟାଟିଂ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିବା ସହ ଦଳୀୟ ସ୍କୋରକୁ ୬ ୱିକେଟ୍ ବିନିମୟରେ ୧୬୬ରେ ପହଞ୍ଚାଇଥିଲେ। ସେ ୫୮ଟି ବଲ୍ ଖେଳି ୮ଟି ଚୌକା ଓ ୪ଟି ଛକା ସହ ୯୯ ରନରେ ଅପରାଜିତ ଥିଲେ। ମାତ୍ର ୧ ରନ୍ ପାଇଁ ସେ ଆଇପିଏଲରେ ଏକ ଶତକରୁ ବଞ୍ଚିତ ହୋଇଥିବା ବେଳେ ଡେୱିଡ୍ ମାଲାନ୍ ଗୋଟିଏ ଲେଖାଏଁ ଚୌକା ଓ ଛକା ସହ ୨୬ ରନ୍ କରିଥିଲେ। ତେବେ ଦଳର ଦୁର୍ଦ୍ଧର୍ଷ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ମାତ୍ର ୧୩ ରନ୍ କରିପାରିଥିଲେ। ଦିଲ୍ଲୀ ପକ୍ଷରୁ କାଗିସୋ ରବାଡା ୩ଟି ୱିକେଟ୍ ନେଇଥିଲେ।

ଜବାବରେ ଦିଲ୍ଲୀ ୧୭.୪ ଓଭରରେ ମାତ୍ର ୩ଟି ୱିକେଟ୍ ହରାଇ ୧୬୭ ରନ୍ କରି ବଡ଼ ବ୍ୟବଧାନରେ ବିଜୟୀ ହୋଇଥିଲା। ଦଳ ପକ୍ଷରୁ ଓପନର ଶିଖର ଧୱନ୍ ୪୭ ବଲରେ ୬ଟି ଚୌକା ଓ ୨ଟି ଛକା ମାଧ୍ୟମରେ ଅପରାଜିତ ୬୯ ରନ୍ କରିଥିଲେ। ଏହାଛଡ଼ା ତାଙ୍କ ଓପନିଂ ଯୋଡ଼ିଦାର ପୃଥ୍ବୀ ଶ’ ୨୨ଟି ବଲ ଖେଳି ୩ଟି ଲେଖାଏଁ ଚୌକା ଓ ଛକା ସହାୟତାରେ ୩୯ ରନ୍, ଷ୍ଟିଭେନ୍ ସ୍ମିଥ୍ ୨୨ଟି ବଲରେ ଗୋଟିଏ ଚୌକା ମାଧ୍ୟମରେ ୨୪ ରନ୍ କରିଥିଲେ। ଶେଷ ଭାଗରେ ଶିମରୋନ୍ ହେଟମେୟର୍ ମାତ୍ର ୪ଟି ବଲରେ ଗୋଟିଏ ଚୌକା ଓ ୨ଟି ଛକା ମାଧ୍ୟମରେ ୧୬ ରନ୍ କରି ଅପରାଜିତ ଥିଲେ। ପଞ୍ଜାବ ପକ୍ଷରୁ ରିଲି ମେରେଡିଥ୍, କ୍ରିସ୍ ଜୋର୍ଡାନ୍ ଓ ହରପ୍ରୀତ୍ ବ୍ରାର୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଦଳ ପରାସ୍ତ ହୋଇଥିଲେ ମଧ୍ୟ ଜବରଦସ୍ତ ଇନିଂସ ପାଇଁ ମୟଙ୍କଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ। ପ୍ରତିଯୋଗିତାରେ ସୋମବାର ଏଠାରେ କୋଲକାତା ନାଇଟ୍ ରାଇଡର୍ସ ଓ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ମଧ୍ୟରେ ଖେଳାଯିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ