କମିଲା ମୃତ୍ୟୁ ସଂଖ୍ୟା: ସୁନ୍ଦରଗଡ଼ ଓ ଖୋର୍ଦ୍ଧାରୁ ୫ ମୃତ


କୋରୋନା ମୃତକଙ୍କୁ ନିଆଯାଉଛି
ନିଦ ହଜାଇ ଦେଇଛି କୋରୋନା ମହାମାରୀର ଦ୍ବିତୀୟ ଲହରୀ। ପ୍ରତିଦିନ କୋରୋନାକୁ ନେଇ ଛାତି ଥରାଇ ଦେବା ପରି ତଥ୍ୟ ସାମ୍ନାକୁ ଆସୁଛି। ପ୍ରତିଦିନ ଦୈନିକ ସଂକ୍ରମଣ ରେକର୍ଡ ପରେ ରେକର୍ଡ କରୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଗତ କିଛିଦିନ ଧରି ୧୦ରୁ ଉର୍ଦ୍ଧ୍ବ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଉଥିବା ବେଳେ ଆଜି ହଠାତ୍‌ ମୃତ୍ୟୁ ସଂଖ୍ୟା କମିଯାଇଛି। ଯାହା ସମସ୍ତଙ୍କୁ ଆଶ୍ବସ୍ତ କରିଛି। ଗତକାଲି ୧୪ ଜଣ କୋରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ଆଉ ୫ ଜଣଙ୍କ ଜୀବନ ନେଇଛି କୋରୋନା। ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଏବଂ ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୨୦୭୩ ରେ ପହଞ୍ଚିଛି।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲାରେ ମୃତ୍ୟୁବରଣ କରିଥିବା ୩ ମୃତକ ହେଉଛନ୍ତି ମହିଳା। ସେମାନଙ୍କ ବୟସ ୩୭, ୫୨ ଓ ୫୪ ହୋଇଥିବା ବେଳେ ୫୨ ବର୍ଷୀୟ ମହିଳା ଜଣକ ମଧୁମେହ ରୋଗରେ ପୀଡ଼ିତ ଥିଲେ। ସେହିପରି ଖୋର୍ଦ୍ଧା ଜିଲ୍ଲାର ୨ ମୃତକ ହେଉଛନ୍ତି ଭୁବନେଶ୍ବରର। ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିବା ଜଣେ ୭୩ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ଜଣେ ୭୨ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୮,୯୧୪ ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୨୫୮ ଜଣ ଅଛନ୍ତି। ଖୋର୍ଦ୍ଧା ପୂର୍ବଭଳି ରାଜ୍ୟରେ ସର୍ବାଧିକ ସଂକ୍ରମିତ ଜିଲ୍ଲା ସ୍ଥାନ ବଜାୟ ରଖିଛି। ଗତ ମାସଠାରୁ ଏହି ଧାରା ଆରମ୍ଭ ହୋଇଥିବା ବେଳେ ଚଳିତ ମାସରେ ମଧ୍ୟ ଏହା ଦେଖିବାକୁ ମିଳିଛି। ବିଶେଷକରି ଭୁବନେଶ୍ବର କୋରୋନାର ହଟସ୍ପଟ୍‌ ପାଲଟିଛି।

ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ କୋରୋନା ମୃତ୍ୟୁ ୩୬୫ ହୋଇଥିବା ବେଳେ ଦ୍ବିତୀୟରେ ରହିଛି ଗଞ୍ଜାମ ଜିଲ୍ଲା। ଗଞ୍ଜାମ ଜିଲ୍ଲାରେ କୋରୋନା ମୃତ୍ୟୁସଂଖ୍ୟା ୨୬୦ ହୋଇଛି। ସେହିପରି ଅନୁଗୁଳ ଜିଲ୍ଲାରେ ୩୮ ଜଣ, ବାଲେଶ୍ବର ଜିଲ୍ଲାରେ ୯୮ ଜଣ, ବରଗଡ଼ ଜିଲ୍ଲାରେ ୪୪ ଜଣ, ଭଦ୍ରକ ଜିଲ୍ଲାରେ ୨୯ ଜଣ, ବଲାଙ୍ଗିର ଜିଲ୍ଲାରେ ୪୦ ଜଣ, ବୌଦ୍ଧ ଜିଲ୍ଲାରେ ୧୫ ଜଣ, କଟକ ଜିଲ୍ଲାରେ ୧୪୬ ଜଣ, ଦେଓଗଡ଼ ଜିଲ୍ଲାରେ ୬ ଜଣ, ଢେଙ୍କାନାଳ ଜିଲ୍ଲାରେ ୨୯ ଜଣ, ଗଜପତି ଜିଲ୍ଲାରେ ୩୨ ଜଣ, ଜଗତ୍‌ସିଂହପୁର ଜିଲ୍ଲାରେ ୩୯ ଜଣ, ଯାଜପୁର ଜିଲ୍ଲାରେ ୨୬ ଜଣ, ଝାରସୁଗୁଡ଼ା ଜିଲ୍ଲାରେ ୨୮ ଜଣ, କଳାହାଣ୍ଡି ଜିଲ୍ଲାରେ ୪୧ ଜଣ, କନ୍ଧମାଳ ଜିଲ୍ଲାରେ ୩୫ ଜଣ ପ୍ରାଣ ହରାଇଛନ୍ତି। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରେ ୨୯ ଜଣ, କେନ୍ଦୁଝର ଜିଲ୍ଲାରେ ୪୪, କୋରାପୁଟ ଜିଲ୍ଲାରେ ୨୦ ଜଣ, ମାଲକାନଗିରି ଜିଲ୍ଲାରେ ୨୫ ଜଣ, ମୟୁରଭଞ୍ଜ ଜିଲ୍ଲାରେ ୯୧ ଜଣ, ନବରଙ୍ଗପୁର ଜିଲ୍ଲାରେ ୧୫ ଜଣ, ନୟାଗଡ଼ ଜିଲ୍ଲାରେ ୪୫ ଜଣ, ନୂଆପଡ଼ା ଜିଲ୍ଲାରେ ୩୫ ଜଣ, ପୁରୀ ଜିଲ୍ଲାରେ ୧୨୬ ଜଣ, ରାୟଗଡ଼ା ଜିଲ୍ଲାରେ ୬୪ ଜଣ, ସମ୍ବଲପୁର ଜିଲ୍ଲାରେ ୮୧ ଜଣ, ସୋନପୁର ଜିଲ୍ଲାରେ ୨୧ ଜଣ, ସୁନ୍ଦରଗଡ଼ ଜିଲ୍ଲାରେ ୧୯୬ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ରାଜ୍ୟରେ ମଧ୍ୟ ଅନ୍ୟ ୫୩ ଜଣ କୋରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମାତ୍ର ସେମାନଙ୍କ ମୃତ୍ୟୁ କୋରୋନା ଯୋଗୁ ନୁହେଁ ବରଂ ଅନ୍ୟ ରୋଗ କାରଣରୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ