ବଦଳିଛି ଚିନ୍ତାଧାରା: ଜେଲ୍‌, ଥାନା ସୃଷ୍ଟି କରୁଛି ପାର୍କ ଓ ହୋଟେଲ୍‌ର ଭ୍ରମ


ଚନ୍ଦକା ଥାନାର ମନୋରମ ପରିବେଶ
ଜେଲ୍‌ ଜୀବନ ସବୁଠାରୁ କଷ୍ଟ। ଯେଉଁଠି କଏଦୀମାନଙ୍କୁ ରହିବା ଓ ଖାଇବାର କୌଣସି ସଠିକ୍‌ ସୁବିଧା ନ ଥାଏ। ଗଣ୍ଡେ ଖାଇବା ପାଇଁ କଏଦୀଙ୍କୁ ଥାଳି ଧରି ଲମ୍ବା ଲାଇନ୍‌ରେ ଛିଡ଼ା ହେବାକୁ ପଡ଼ିଥାଏ। ଖାସ୍‌ ଏହି କାରଣ ପାଇଁ ଯେତେ ବଡ଼ ଅପରାଧୀ ହୁଅନ୍ତୁ ପଛେ, ଜେଲ୍‌ ଜୀବନ ବିତାଇବା ପାଇଁ କେହି ବି ପସନ୍ଦ କରନ୍ତି ନାହିଁ। କୁହାଯାଏ ସ୍ବଚ୍ଛ ପରିବେଶ ମାନସିକ ଚାପରୁ ଆରୋଗ୍ୟ କରିବାରେ ସହାୟ ହୋଇଥାଏ। ଆଉ ସେମାନଙ୍କ ମନରେ ଆଣିଥାଏ ସକାରାତ୍ମକ ଚିନ୍ତାଧାରା। ସ୍ବଚ୍ଛ ପରିବେଶ ସୃଷ୍ଟି କରିବା ସହିତ ଅନ୍ତେବାସୀଙ୍କୁ ଚାରିକାନ୍ଥ ଭିତରେ ପରିବର୍ତ୍ତନ କରାଇବା ପାଇଁ ଚେଷ୍ଟା ଚଳାଇଛନ୍ତି କେତେକ ଜେଲ୍‌ କର୍ତ୍ତୃପକ୍ଷ। ଏଥିପାଇଁ କେଉଁଠି ଜେଲ୍‌ରେ ହୋଟେଲ୍‌ ଭଳି ସୁବିଧା ମିଳୁଛି ତ, ଆଉ କେଉଁଠି ଜେଲ୍‌ରେ ପ୍ରାକୃତିକ ପରିବେଶ ସୃଷ୍ଟି କରାଯାଇଛି। ରଙ୍ଗ ବେରଙ୍ଗ ଫୁଲ ଓ ଫଳ ଗଛରେ ସଜେଇ ହୋଇଛି ପୂରା ପରିବେଶ। ସେହିପରି ପୋଲିସ୍ ଥାନାରେ ଏବେ ଚୋରା ଗାଡ଼ିର ଗଦା ନୁହେଁ, ଫୁଲର ବଗିଚା ଦେଖିବାକୁ ମିଳୁଛି। ଥାନା କାନ୍ଥରେ ଝଲସୁଛି ଐତିହ୍ୟ ଓ ସଂସ୍କୃତିର ଚିତ୍ର, ଆଉ ଶୁଭୁଛି ଝରଣାର କୁଳୁ କୁଳୁ ଶବ୍ଦ। ଯାହା କି କୌଣସି ପାର୍କ କି ପର୍ଯ୍ୟଟନ ସ୍ଥଳୀର ଠାରୁ ବି କମ୍‌ ନୁହେଁ। ଲୋକଙ୍କ ମନରେ ପୋଲିସ ପ୍ରତି ଥିବା ଧାରଣା ଓ ଭୟକୁ ଦୂର କରିବା ମୁଖ୍ୟ ଲକ୍ଷ୍ୟ ହୋଇଛି। ଆସନ୍ତୁ ଜାଣିବା ଏମିତି କିଛି ଜେଲ୍‌ ଓ ଥାନା ବିଷୟରେ।

ମହିଳା କଏଦୀଙ୍କ ପାଇଁ ଲଗଜୁରୀ ଜେଲ୍‌
ସୋସାଲ୍‌ ମିଡିଆରେ ଏବେ ଏକ ଲଗଜୁରୀ ଜେଲ୍‌ର ଫଟୋ ଭାଇରାଲ୍‌ ହୋଇଛି। ଇଂଲଣ୍ଡର କେମ୍ବ୍ରିଜଶାୟରରେ ରହିଛି ଏହି ମହିଳା ଲଗଜୁରୀ ଜେଲ୍‌। ଏହି ଜେଲ୍‌ରେ କଏଦୀମାନେ ବେଶ୍‌ ଆରାମ ଦାୟକ ଜୀବନ ଅତିବାହିତ କରୁଛନ୍ତି। କଏଦୀଙ୍କ ରହିବା ପାଇଁ ବ୍ୟକ୍ତିଗତ ରୁମ୍‌ ରହିଛି। ଏହି ରୁମ୍‌ ଭିତରେ ଡବଲ୍‌ ବେଡ୍‌ ପଡ଼ିଥିବା ବେଳେ ତା’ ଉପରେ ପଡ଼ିଛି ଆରାମଦାୟକ ଗଦି। ମହିଳାଙ୍କ ପସନ୍ଦର ରଙ୍ଗରେ ମଧ୍ୟ ଚାରିକାନ୍ଥକୁ ପେଣ୍ଟିଂ କରାଯାଇଛି। ଏଥିସହ ମନୋରଞ୍ଜନ ପାଇଁ ଟିଭି ମଧ୍ୟ ଯୋଗାଇ ଦିଆଯାଇଛି। ଜଣେ ମହିଳା କଏଦୀ ଏହି ଲଗଜୁରୀ ଜେଲ୍‌ର ଫଟୋ ସୋସାଲ୍‌ ମିଡିଆରେ ଅପଲୋଡ୍‌ କରିବା ପରେ ଏହା ଏବେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି। ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଏହି ସ୍ବତନ୍ତ୍ର ଜେଲ୍‌ରେ ଏବେ ପାଖାପାଖି ୪୦୦ କଏଦୀ ରହୁଛନ୍ତି। ଜେଲ୍‌ ଅଧିକାରୀ ଚାର୍ଲି ଟେଲର୍‌ ନିଜ ପ୍ରଚେଷ୍ଟାରେ ଏହି ଜେଲ୍‌ ପରିବେଶ ବଦଳାଇ ଦେଇଥିବା ବେଳେ କଏଦୀଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ତାଙ୍କ କହିବା କଥା କଏଦୀମାନଙ୍କ ମନ ଖୁସି ରହିଲେ ସେମାନେ ଆଉ ପରବର୍ତ୍ତୀ ସମୟରେ କୌଣସି ଅପରାଧ କରିବେ ନାହିଁ।

ବିଶ୍ବର ଆଉ କେତେକ ଚର୍ଚ୍ଚିତ ଜେଲ୍‌
ଫିଲିଫାଇନ୍ସର ଏକ ଜେଲ୍ ଅଛି ଯାହାର ନାମ ସେବୁ ଜେଲ। ଏହି ଜେଲରେ କଏଦୀମାନଙ୍କୁ ନୃତ୍ୟ ଓ ସଙ୍ଗୀତ ଶିଖାଯାଇଥାଏ। କୁହାଯାଏ ଯେ, ଏହାଦ୍ୱାରା ସେମାନଙ୍କର ଚରିତ୍ରରେ ସୁଧାର ଆସିଥାଏ। ସେହିଭଳି ଅଷ୍ଟ୍ରିଆରେ ଥିବା ‘ଜଷ୍ଟିସ୍ ସେଣ୍ଟର୍‌ ଲିୟୋବେନ’ ନାମକ ଏକ ଜେଲ୍‌ ବିଶ୍ୱର କୌଣସି ନାମୀଦାମୀ ଷ୍ଟାର୍‌ ହୋଟେଲଠାରୁ କମ୍ ନୁହେଁ। ଏଠାରେ କଏଦୀମାନଙ୍କୁ ସୁନ୍ଦର ରୁମ୍ ଦିଆଯାଏ। ବିଶ୍ୱର ଆଉ ଏଭଳି ଏକ ଜେଲ୍‌ ଅଛି, ଯେଉଁଠି କଏଦୀମାନଙ୍କୁ ସେଲ୍ କିଣିବାକୁ ପଡ଼ିଥାଏ। ବୋଲିଭିୟାର ପେଡ୍ରୋ ଜିଲ୍ଲାରେ ଏହି ଜେଲ୍‌ଟି ରହିଛି। ଏଠାକାର କଏଦୀ ଟଙ୍କା ଦେଇ ପ୍ରଥମେ ଜେଲ୍‌ର ଘର କିଣିବା ପରେ ଏହି ଜେଲ୍‌ରେ ରହିଥାନ୍ତି।

ସଜା ନୁହେଁ ଏଠି ଦିଆଯାଉଛି ଶିକ୍ଷା
ବାଜୁଛି ଯୋଡ଼ି ନାଗରା, ସାହାନାଇର ତାଳେ ତଳେ ଜଣକ ପରେ ଜଣେ ଗାଉଛନ୍ତି ଜଗନ୍ନାଥଙ୍କ ଭଜନ। ଦେଶାତ୍ମବୋଧକ ଗୀତରେ ମଜିଯାଉଛନ୍ତି ସମସ୍ତେ। ଅମେ କୌଣସି ସଙ୍ଗୀତ ଶିକ୍ଷା କେନ୍ଦ୍ର କଥା କହୁ ନାହୁଁ। ଆମେ କହୁଛୁ ଏକ ଜେଲ୍‌ କଥା, ଯେଉଁଠି ପ୍ରତିଦିନ ଦେଖିବାକୁ ମିଳୁଛି ଏଭଳି ଚିତ୍ର। ଜେଲ୍‌ର ଚାରିକାନ୍ଥ ଭିତରେ ବନ୍ଦୀ ଜୀବନ କାଟୁଥିବା ଅନ୍ତେବାସୀଙ୍କ ପାଇଁ ଏଭଳି ଆୟୋଜନ କରିଛନ୍ତି ଜେଲ୍‌ କର୍ତ୍ତୃପକ୍ଷ। ବାଲେଶ୍ବର ଜିଲ୍ଲାରେ ଥିବା ଜଳେଶ୍ବର ଉପକାରାଗାର ପରିସରକୁ ସ୍ବଚ୍ଛ, ସୁନ୍ଦର ଓ ଆଧ୍ୟାତ୍ମିକ ରଖିବା ପାଇଁ ଏଭଳି ପ୍ରୟାସ କରିଛନ୍ତି ଜେଲ୍‌ କର୍ତ୍ତୃପକ୍ଷ। କେବଳ ସଙ୍ଗୀତ ଶିକ୍ଷା ନୁହେଁ, ଅନ୍ତେବାସୀମାନେ ମିଳିମିଶି କରୁଛନ୍ତି ଚାଷ। ସେମାନେ ଜୈବିକ ପଦ୍ଧତିରେ ପନିପରିବା ଚାଷ କରୁଥିବା ବେଳେ ଗତବର୍ଷ ଧାନ ଚାଷ ମଧ୍ୟ କରିଥିଲେ ଅନ୍ତେବାସୀ। ଜେଲ୍‌ ପରିସରରେ ଏବେ ଭଳିକି ଭଳି ଆମ୍ବ ଗଛ ରହିଥିବା ବେଳେ କଦଳୀ, ବନ୍ଧାକୋବି ଓ ବିଭିନ୍ନ ପ୍ରକାରର ପରିବା ଚାଷ କରାଯାଉଛି। ଆଉ କେତେକ ଅନ୍ତେବାସୀ ତ ମାଟିରେ ମୂର୍ତ୍ତି ଗଢ଼ିବା କାମ ମଧ୍ୟ କରୁଛନ୍ତି। ଆଉ ସେ ମୂର୍ତ୍ତିରେ ବିଭିନ୍ନ ରଙ୍ଗ ଦେଇ ଜୀବନ୍ତ କରୁଛନ୍ତି। ବଜାରରେ ମଧ୍ୟ ଏହି ମୂର୍ତ୍ତିର ବେଶ୍‌ ଚାହିଦା ରହିଛି।

ଜେଲ୍‌ ଅନ୍ତେବାସୀଙ୍କ ମନକୁ ପରିବର୍ତ୍ତନ କରିବା ପାଇଁ ଏଭଳି ପ୍ରୟାସ କରାଯାଉଥିବା କହିଛନ୍ତି କର୍ତ୍ତୃପକ୍ଷ। କଏଦୀମାନେ ଏଠାରୁ ଥରେ ବାହାରକୁ ଗଲେ ସେମାନେ ଯେମିତି ଆଉ କୌଣସି ଅପରାଧରେ ସମ୍ପୃକ୍ତି ନ ହେବେ ସେଥିପାଇଁ ଏହି ପ୍ରୟାସ କରାଯାଉଛି। ଜେଲ୍‌ରେ ଏବେ ୧୦୦ ଜଣ ଅନ୍ତେବାସୀ ରହିଛନ୍ତି। ଏମାନେ ସମେସ୍ତ ବିଚାରାଧୀନ କଏଦୀ। ଅର୍ଥାତ କାହାରି ଦଣ୍ଡ ବିଧାନ ହୋଇ ନାହିଁ କି କେହି ଦୋଷୀ ସାବ୍ୟସ୍ତ ହୋଇ ନାହାନ୍ତି। ଭିନ୍ନ ଏକ ପରିବେଶରେ ଅନ୍ତେବାସୀଙ୍କ ଜେଲ୍‌ ଜୀବନରେ ସୁଧାର ଆଣିବା ପାଇଁ ଲାଗିଛନ୍ତି ଜେଲ୍‌ ସୁପରିଣ୍ଟେଣ୍ଡେ
ଣ୍ଟ ଅନୁସୂୟା ଷଡ଼ଙ୍ଗୀ।

ପୋଲିସ୍‌ ଥାନାରେ ପାର୍କର ଭ୍ରମ
ନୂଆ ରୂପରେ ରାଜଧାନୀର ଥାନା: କମିଶନରେଟ୍‌ ପୋଲିସ୍‌ ଅଧୀନରେ ଥିବା ଏକାଧିକ ଥାନାରେ ଏବେ ବଦଳିଛି ଚିତ୍ର। ବଭିନ୍ନ ଥାନାରେ ପାର୍କର ଭ୍ରମ ସୃଷ୍ଟି ହୋଇଥିବା ବେଳେ ଫୁଲର ବଗିଚା ସାଙ୍ଗକୁ କୃତ୍ରିମ ଝରଣା ମଧ୍ୟ ଦେଖିବାକୁ ମିଳୁଛି। କେବଳ ସେତିକି ନୁହେଁ, ବସିବା ପାଇଁ ଚେୟାର ମଧ୍ୟ ପଡ଼ିଛି। ଭୁବନେଶ୍ୱର ଉପକଣ୍ଠରେ ଥିବା ଚନ୍ଦକା ଥାନର ବଦଳି ଯାଇଛି ରୂପ। ଯିଏ ଦେଖୁଛି ସିଏ ଘଡ଼ିଏ ଅଟକି ଯାଉଛି। ସମସ୍ତେ ଏହାକୁ ଥାନା ନୁହେଁ, ପାର୍କ ବୋଲି ଭାବୁଛନ୍ତି। କେବଳ ଚନ୍ଦକା ନୁହେଁ, ଭୁବନେଶ୍ୱର ବିଭିନ୍ନ ଥାନାରେ ଏଭଳି କ୍ଳିନ୍‌ କ୍ୟାମ୍ପସ୍‌ ଦେଖିବାକୁ ମିଳିଛି। ସେହିଭଳି ଏୟାରଫିଲ୍ଡ ଥାନା କାନ୍ଥ କହୁଛି ଓଡ଼ିଶାର କଳା ସଂସ୍କୃତିର କାହାଣୀ। କ୍ୟାମ୍ପସ୍‌ ଭିତରେ ମନ୍ଦିର ସାଙ୍ଗକୁ ମନୋରମ ବଗିଚା ମନ ମୋହୁଛି। ଷ୍ଟାଫ୍‌ ଫିଟ୍‌ ରହିବା ପାଇଁ ଥାନା ଭିତରେ ରହିଛି ଜିମ୍‌। ରାଜ୍ୟ ତଥା ରାଜ୍ୟ ବାହରର ରଙ୍ଗବେରଙ୍ଗର ଫୁଲ ଲାଗିଛି। ସେହିଭଳି ଧଉଳି ଥାନା କାନ୍ଥରେ ଦେଖିବାକୁ ମିଳିଛି ଓଡିଶାର ପଟ୍ଟଚିତ୍ର, ଐତିହ୍ୟ କଳାକୃତି, ଝୋଟି ସାଙ୍ଗକୁ ମନ୍ଦିରର ଚିତ୍ର। କ୍ୟାପିଟାଲ୍‌ ଥାନା ପରିସରରେ ମଧ୍ୟ ସୃଷ୍ଟି କରାଯାଇଛି ମନୋରମ ପରିବେଶ। ସେହିପରି ଶହୀଦ ନଗର ଏବଂ ଲକ୍ଷ୍ମୀସାଗର ଥାନାର ମଧ୍ୟ ବଦଳି ଯାଇଛି ଚିତ୍ର। ଏହି ଥାନାକୁ ଦେଖି ଏବେ ଲୋକଙ୍କ ମନରେ ଥିବା ଥାନା ପ୍ରତି ଭୟ ଏବଂ ନକାରାତ୍ମକ ଚିନ୍ତାଧାରା ପରିବର୍ତ୍ତନ ଆସୁଛି।

ମହିଳା ଥାନାର ସ୍ବତନ୍ତ୍ର ଉଦ୍ୟମ: ଲୋକମାନେ ଥାନାକୁ ଅଭିଯୋଗ କରିବାକୁ ଆସୁଥିବା ବେଳେ ସାଙ୍ଗରେ ଛୋଟ ପିଲାମାନଙ୍କୁ ଧରି ଆସିଥାନ୍ତି। ସାଧାରଣତଃ ଥାନା ଛୋଟ ପିଲଙ୍କା ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ପିଲାଙ୍କ ମନରୁ ଏହି ଧାରଣା ଦୂର କରିବା ପାଇଁ ମହିଳା ଥାନା ପରିସରରେ ସୃଷ୍ଟି ହୋଇଛି ସ୍କୁଲ୍‌ ଓ ଘର ଭଳି ପରିବେଶ। ଥାନା ଭିତରେ ଓ ବାହାରେ ରହିଛି ପିଲାଙ୍କ ଛବି, କାନ୍ଥରେ ହାତୀ, ବାଘ, ଭାଲୁ  ସାଙ୍କୁଚ ଚିତ୍ର। ମୋ ସ୍କୁଲ୍‌ର ଛବି ଭଳି ଅଙ୍କା ହୋଇଛି ରଙ୍ଗ ବେରଙ୍ଗର ଛବି। ଛୋଟ ପିଲାମାନେ ପାଠ ପଢ଼ିବା ସହ ଶୈଶବ ଜୀବନକୁ କେମିତି ଉପଭୋଗ କରୁଛନ୍ତି, ସେହି ଦୃଶ୍ୟ ଅଙ୍କା ଯାଇଛି ଥାନାର କାନ୍ଥରେ। ଏ ସବୁ ଚିତ୍ର ଦେଖିଲା ପରେ ପିଲାମାନଙ୍କର ଥାନା ପ୍ରତି ଥିବା ଭାବନା ଦୂର ହେବ ବୋଲି କୁହାଯାଉଛି।

ବୌଦ୍ଧ ଆଦର୍ଶ ଥାନା: ବୃକ୍ଷରାଜିରେ ପାର୍କର ଭ୍ରମ ସୃଷ୍ଟି କରୁଥିବା ଆଉ ଏକ ଥାନା ହେଉଛି ବୌଦ୍ଧ ଜିଲ୍ଲା ସଦର ମହକୁମାର ଆଦର୍ଶ ଥାନା। ଥାନାର କଳେବର ଏବେ ସମ୍ପୂର୍ଣ୍ଣ ବଦଳିଯାଇଛି। ରଙ୍ଗବେରଙ୍ଗ ଫୁଲ ଗଛରେ ସଜେଇ ହୋଇଛି ପୂରା ପରିବେଶ। ବୌଦ୍ଧ ଏକ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ପାଇବା ପରେ ଏହି ଛୋଟ ଥାନାର ରୂପରେ ଅନେକ ପରିବର୍ତ୍ତନ ଆସିଛି। ଥାନା ପରିସରରେ ପବନପୁତ୍ର ବୀର ହନୁମାନଙ୍କ ଏକ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ପ୍ରତିଷ୍ଠା ସହ ଏକ ବାଟିକା ଲୋକାର୍ପିତ ହୋଇଛି।

ଅଇଁଠାପାଲି ଥାନା: ଥାନା ପ୍ରତି ଲୋକଙ୍କ ମନରୁ ଭୟ ଦୂର କରିବାକୁ ଅଭିନବ ପ୍ରୟାସ ଆରମ୍ଭ କରିଛି ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା। ସମ୍ବଲପୁର ଶାଢ଼ି ଡିଜାଇନ୍‌ରେ ସଜେଇ ହୋଇଛି ଥାନା ପରିସର। ଜୈବିକ ଗାର୍ଡ଼େନ ସାଙ୍ଗକୁ ସମ୍ବଲପୁରୀ ସଂସ୍କୃତିର ଝଲକ ଦେଖିବାକୁ ମିଳିଛି ଏହି ଥାନାରେ। ସମ୍ବଲପୁରୀ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଥାନାର ମୁଖ୍ୟ ଫାଟକରେ ସମ୍ବଲପୁରୀ ସପ୍ତାପୁରୀ ଡିଜାଇନ୍‌ର ରଙ୍ଗ ଦିଆଯାଉଛି। କେବଳ ଥାନା ଗେଟ୍ ନୁହେଁ, ଭିତରେ ମଧ୍ୟ ପରିଷ୍କାର ପରିଚ୍ଛନ୍ନତା ଓ ଜୈବିକ ବଗିଚା ଲୋକଙ୍କୁ ଆକର୍ଷିତ କରୁଛି।

ବନ୍ତଳା ଥାନା: ପୋଲିସ୍‌ ଓ ପବ୍ଲିକ୍‌ ମଧ୍ୟରେ ଥିବା ଉତ୍ତମ ସମ୍ପର୍କ ଗଢ଼ିବାକୁ ଉଦ୍ୟମ ଆରମ୍ଭ କରିଛି ଆଉ ଏକ ଥାନା। ସକାଳୁ ସଞ୍ଜ ଯାଏ ଏଠି ଲୋକଙ୍କ ଭିଡ଼ ଜମୁଛି। କୌଣସି ମାମଲା ସମାଧାନ କିମ୍ବା ଅଭିଯୋଗ କରିବା ପାଇଁ ନୁହେଁ। ଥାନା ପରିସରରେ ଥିବା ଫୁଲ ବଗିଚା ଦେଖିବା ପାଇଁ। ଥାନା ପରିସର ଏବେ ଲୋକଙ୍କ ପାଇଁ ପର୍ଯ୍ୟଟନସ୍ଥଳ ପାଲଟିଛି। ଥାନା ପରିସରରେ ଲାଗିଛି ୧୦୦ରୁ ଅଧିକ ପ୍ରଜାତିର ଫୁଲ ଗଛ। କୌଣସି ପାର୍କ ଠାରୁ କମ ଲାଗୁନି ଅନୁଗୁଳ ଜିଲ୍ଲା ବନ୍ତଳା ଥାନା। ପୂର୍ବତନ ଥାନା ଅଧିକାରୀ ସବ୍ୟସାଚୀ ରାଉତ ପ୍ରଥମେ ଏହି ଉଦ୍ୟମ କରିଥିଲେ। ଥାନା ପରିସରକୁ ସବୁଜ ସୁନ୍ଦର କରିବା ପାଇଁ ସେ ଏହାକୁ ପାର୍କର ରୂପ ଦେଇଥିଲେ। ଏହାପରଠୁ ଥାନାର ନବକଳେବର ଅନେକଙ୍କୁ ଆଦୃତ କରୁଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ