ରୋମାଞ୍ଚକର ମୁକାବିଲାରେ ଦିଲ୍ଲୀକୁ ୧ ରନ୍‌ରେ ହରାଇ ବାଙ୍ଗାଲୋର ଶୀର୍ଷରେ


ଶଟ୍ ଖେଳୁଛନ୍ତି ପ୍ଲେୟର ଅଫ୍ ଦ ମ୍ୟାଚ୍‌ ଏବି ଡି’ଭିଲିଅର୍ସ
ଅହମଦାବାଦ: ଚଳିତ ଆଇପିଏଲର ମଙ୍ଗଳବାର ଏକ ରୋମାଞ୍ଚକର ମ୍ୟାଚରେ ବିଜୟୀ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)। ଏଥିସହ ବିରାଟ କୋହଲିଙ୍କ ଦଳ ଦିଲ୍ଲୀ କ୍ୟାପିଟାଲ୍ସକୁ ମାତ୍ର ୧ ରନରେ ପରାସ୍ତ କରି ବିଜୟଧାରାକୁ ଫେରିଛି। ଷଷ୍ଠ ମ୍ୟାଚ୍‌ରୁ ପଞ୍ଚମ ବିଜୟ ସହ ପୁଣି ଆରସିବି ପଏଣ୍ଟ ଟେବଲର ଶୀର୍ଷସ୍ଥାନକୁ ଫେରିପାରିଛି। ଦିଲ୍ଲୀ ଷଷ୍ଠ ମ୍ୟାଚ୍‌ରୁ ଦ୍ବିତୀୟ ପରାଜୟ ବରଣ କରି  ଦିଲ୍ଲୀ ତୃତୀୟ ସ୍ଥାନରେ ରହିଛି। ଏବି ଡି’ଭିଲିଅର୍ସଙ୍କ ବିସ୍ଫୋରକ ଅପରାଜିତ ୭୫ ରନ୍ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ବାଙ୍ଗାଲୋର ୫ ୱିକେଟ ହରାଇ ୧୭୧ ରନ୍ କରିଥିଲା। ପରେ ଋଷଭ ପନ୍ତ୍ ଓ ସିମ୍ରନ୍ ହେଟମେୟରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସତ୍ତ୍ବେ ମହମ୍ମଦ ସିରାଜଙ୍କ ୟର୍କର ଭରା ଶେଷ ଓଭର କାରଣରୁ ଦିଲ୍ଲୀ ୪ ୱିକେଟ ହରାଇ ୧୭୦ ରନ୍ କରି ପାରିଥିଲା। ଶେଷ ଓଭରରୁ ୧୪ ରନ୍‌ ଆବଶ୍ୟକ ପଡ଼ିଥିବାବେଳେ ପନ୍ତ୍‌ କେବଳ ଶେଷ ଦୁଇ ବଲକୁ ଚୌକା ମାରିପାରିଥିଲେ। ରନ୍‌ ବର୍ଷା ପାଇଁ  ଡି’ଭିଲିଅର୍ସ ନିର୍ଦ୍ବନ୍ଦ୍ବରେ ପ୍ଲେୟର ଅଫ୍ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ।

୧୭୨ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଦିଲ୍ଲୀ କ୍ୟାପିଟାଲ୍ସ ଆରମ୍ଭରୁ ବିପର୍ଯ୍ୟୟ ଭୋଗିଥିଲା। ଓପନର ଶିଖର ଧୱନ ୬ ରନ୍ କରି ବିଦାୟ ନେଇଥିବା ବେଳେ ଷ୍ଟିଭେନ୍ ସ୍ମିଥ୍ ୪ ରନ୍ କରି ଆଉଟ ହୋଇଥିଲେ। ପରେ  ଓପନର ପୃଥ୍ବୀ ଶ’ ୧୮ ବଲରୁ ୩ଟି ଚୌକା ସହ ୨୧ ରନ କରି ଆଉଟ ହୋଇଥିଲେ। ଦିଲ୍ଲୀ ୪୭ ରନରେ ୩ଟି ୱିକେଟ ହରାଇବା ପରେ ଋଷଭ ପନ୍ତ୍ ଓ ମାର୍କସ ଷ୍ଟୋଇନିସ୍ ଦ୍ରୁତ ୪୫ ରନ୍ ଯୋଗ କରିଥିଲେ। ଷ୍ଟୋଇନିସ୍ ୧୭ ବଲରୁ ୩ଟି ଚୌକା ସହ ୨୨ ରନ୍ କରିଥିଲେ। ପରେ ଦୁଇ ବାମହାତି ପନ୍ତ୍ ଓ ସିମ୍ରନ୍ ହେଟମେୟର ବିଜୟ ଲକ୍ଷ୍ୟ ଆଡ଼କୁ ଆଗେଇଥିଲେ। ଶେଷ ୩ ଓଭରରୁ ୪୬ ରନ୍ ଆବଶ୍ୟକ ଥିଲା। ହେଟମେୟର ବିସ୍ଫୋରକ ବ୍ୟାଟିଂ କରି ୨୩ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। ଶେଷ ଓଭରରୁ ୧୪ ରନ୍ ଆବଶ୍ୟକ ଥିବା ବେଳେ ୧୨ ରନ୍ ହୋଇଥିଲା। ପନ୍ତ୍ ୪୮ ବଲରୁ ୬ଟି ଚୌକା ସହ ୫୮ ରନ୍ କରି ଏବଂ ହେଟମେୟର ବିସ୍ଫୋରକ ବ୍ୟାଟିଂକରି ୨୫ ବଲରୁ ୪ଟି ଛକା ଓ ୨ଟି ଚୌକା ସହ ୫୩ ରନ୍ କରି ଅପରାଜିତ ଥିଲେ। ହର୍ଷଲ ପଟେଲ ୨ଟି ୱିକେଟ ନେଇଥିଲେ।

ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ଫିଲ୍ଡିଂର ନିଷ୍ପତ୍ତି ନେଇଥିଲା। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୪ ଓଭରରେ ୩୦ ରନର ଓପନିଂ ଭାଗିଦାରୀ ପରେ ଅଧିନାୟକ ବିରାଟ କୋହଲି ୧୨ ରନ୍ କରି ଆଉଟ ହୋଇଥିଲେ। ପରବର୍ତ୍ତୀ ବଲରେ ଦେବଦତ୍ତ ପାଡିକଲ ବିଦାୟ ନେଇଥିଲେ। ବାମହାତି ପାଡିକଲ ୧୪ ବଲରୁ ୩ଟି ଦର୍ଶନୀୟ ଚୌକା ସହ ୧୭ ରନ୍ କରିଥିଲେ। ୩ୟ ୱିକେଟ ପାଇଁ ରଜତ ପଟିଦାର ଓ ଗ୍ଲେନ୍ ମ୍ୟାକ୍ସୱେଲ ୩୦ ରନ୍ ଯୋଡ଼ିଥିଲେ। ମ୍ୟାକ୍ସୱେଲ ୨୦ ବଲରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୨୫ ରନ୍ କରିଥିଲେ। ୪ର୍ଥ ୱିକେଟ ଭାଗିଦାରୀ ବାଙ୍ଗାଲୋର ପାଇଁ ଫଳପ୍ରସୂ ହୋଇଥିଲା। ରଜତ ପଟିଦାର ଓ ଏବି ଡି’ଭିଲିଅର୍ସ ୫୪ ରନ୍ ଯୋଡ଼ିଥିଲେ। ମଧ୍ୟ ପ୍ରଦେଶର ପଟିଦାର ୨୨ ବଲରୁ ୨ଟି ଛକା ସହ ୩୧ ରନ୍ କରି ଆଉଟ୍ ହୋଇଥିଲେ। ପରେ ଇନିଂସର ଶେଷ ପର୍ଯ୍ୟନ୍ତ ଡି’ଭିଲିଅର୍ସ ରାଜୁତି କରିଥିଲେ। ଶେଷ ୩ ଓଭରରୁ ବାଙ୍ଗାଲୋର ୪୩ ରନ୍ ନେଇଥିଲା। ୱାଶିଂଟନ ସୁନ୍ଦର ୯ ବଲରୁ ୬ ରନ୍ କରିଥିଲେ। ଚଳିତ ଟୁର୍ଣ୍ଣାମେଣ୍ଟରେ ୨ୟ ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିବା ଏବି ଡି’ଭିଲିଅର୍ସ ୪୨ ବଲରୁ ୫ଟି ଛକା ସହ ୭୫ ରନ୍ କରିଥିଲେ। ଶେଷ ଓଭରରେ ଡି’ଭିଲିଅର୍ସ ୩ଟି ଛକା ମାରିଥିଲେ। ଦିଲ୍ଲୀ ପାଇଁ ଈଶାନ୍ତ ଶର୍ମାଙ୍କ ସହ ଅଭେସ ଖାନ୍‌ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ