ମହାନିଦ୍ରାରେ ମନୋଜ: ଯଶସ୍ବୀ କଥାକାରଙ୍କ ମହାଯାତ୍ରା


ସାରସ୍ବତ ସାଧକ ମନୋଜ ଦାସ (ଫଟୋ ପ୍ରତିନିଧି)
ଭାଷା ସାହିତ୍ୟର ଶ୍ରେଷ୍ଠ ପୁରୁଷ, ଖ୍ୟାତିସମ୍ପନ୍ନ କଥାକାର, ବାଗ୍ମୀ ତଥା ସାଧକ ମନୋଜ ଦାସଙ୍କ ମଙ୍ଗଳବାର ରାତି ୮ଟାରେ ପରଲୋକ ଘଟିଛି। ଉଭୟ ଇଂରାଜୀ ଓ ଓଡ଼ିଆ ସାହିତ୍ୟରେ ଅସଂଖ୍ୟ ଗଳ୍ପ ଓ ଉପନ୍ୟାସ ଲେଖି ବିଶ୍ବ ସ୍ତରରେ ସ୍ବତନ୍ତ୍ର ସୁନାମ ସାଉଁଟିଥିବା ମନୋଜ ୮୭ ବର୍ଷ ବୟସରେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ପରଲୋକ ଗମନ କରିଛନ୍ତି। ଶ୍ରୀ ଦାସ ନିଜର ନିଆରା ଶୈଳୀ, ଶବ୍ଦ ବିନ୍ୟାସ ତଥା ସୁଖପାଠ୍ୟ ପାଇଁ ପାଠକଙ୍କ ହ୍‌ଦୟରେ ବର୍ଷ ବର୍ଷ ଧରି ରାଜୁତି କରି ଆସିଛନ୍ତି।

ମନୋଜ ଦାସଙ୍କ କଲମରୁ ନିସୃତ ହୋଇଛି ୧୦ରୁ ଅଧିକ ଉପନ୍ୟାସ, ୧୫ରୁ ଊର୍ଦ୍ଧ୍ବ ଗଳ୍ପ ସଂକଳନ, ୨ଟି କବିତା ସଂକଳନ, ୬ଟି ଭ୍ରମଣ ପୁସ୍ତକ, ଜୀବନଦର୍ଶନ ଓ ଶିଶୁ ସାହିତ୍ୟ। ତାଙ୍କର ଅନେକ ଲେଖା ଇଂରାଜୀ, ହିନ୍ଦୀ ସମେତ ପ୍ରାୟ ଅଧିକାଂଶ ଭାରତୀୟ ଭାଷାରେ ଅନୁବାଦିତ ହୋଇଛି। ବିଭିନ୍ନ ବର୍ଗର ପାଠକଙ୍କ ପାଇଁ ବିଭିନ୍ନ ଭାରତୀୟ ଭାଷାରେ ପ୍ରକାଶ ପାଉଥିବା ଚନ୍ଦାମାମା ପ୍ରକାଶନ ପକ୍ଷରୁ ମନୋଜ ଦାସଙ୍କ ପରିକଳ୍ପିତ ‘ଦ ହେରିଟେଜ’ ମାସିକ ଶ୍ରେଷ୍ଠ ପତ୍ରିକା ଭାବେ ଲକ୍ଷ ଲକ୍ଷ ପାଠକଙ୍କ ନିକଟରେ ମନଛୁଆଁ ହୋଇପାରିଥିବା ବେଳେ ମାସିକ ପତ୍ରିକା ‘ସଚିତ୍ର ବିଜୟା’ର ସେ ଥିଲେ ମାର୍ଗଦର୍ଶକ।

ବାଲେଶ୍ବର ଶଙ୍ଖାରୀ ଗାଁରେ ୧୯୩୪ ମସିହା ଫେବ୍ରୁଆରୀ ୨୭ରେ ଜନ୍ମିତ ମନୋଜ ଅରବିନ୍ଦ ଦର୍ଶନର ଥିଲେ ଜଣେ ସୁବକ୍ତା ତଥା ବ୍ୟାଖ୍ୟାକାର। ନିଜର ସାଧନା ଓ ସିଦ୍ଧି ପାଇଁ ତାଙ୍କୁ ପଦ୍ମଭୂଷଣ, ପଦ୍ମଶ୍ରୀ, ସରସ୍ବତୀ ସମ୍ମାନ, କେନ୍ଦ୍ର ସାହିତ୍ୟ ଏକାଡେମୀର ଫେଲୋଶିପ, ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନରେ ସମ୍ମାନିତ କରାଯାଇଛି। ବିଶିଷ୍ଟ ଐତିହାସିକ ଡ.ମନ୍ମଥ ନାଥ ଦାସ ହେଉଛନ୍ତି ତାଙ୍କର ଅଗ୍ରଜ।

ମନୋଜଙ୍କ ଗ୍ରନ୍ଥ ସମ୍ଭାର
ସମୁଦ୍ରକୂଳର ଏକ ଗ୍ରାମ (ସ୍ମୃତି କଥା), ଅମୃତ ଫଳ, ଆକାଶର ଇସାରା, ତନ୍ଦ୍ରାଲୋକର ପ୍ରହରୀ, ଗୋଧୂଳିର ବାଘ, ବୁଲଡୋଜର, ପ୍ରଭଞ୍ଜନ, ଶେଷ ତାନ୍ତ୍ରିକର ସନ୍ଧାନରେ, କନକ ଉପତ୍ୟକାର କାହାଣୀ, ଗଳ୍ପ ସଂକଳନ ମନୋଜ ପଞ୍ଚବିଂଶତି, ମନୋଜ ଦାସଙ୍କ କଥା ଓ କାହାଣୀ, ଆବୁ ପୁରୁଷ ଓ ଅନ୍ୟାନ୍ୟ କାହାଣୀ, ଧୂମ୍ରାଭ ଦିଗନ୍ତ ଓ ଅନ୍ୟାନ୍ୟ କାହାଣୀ, ଲକ୍ଷ୍ମୀର ଅଭିସାର, ସମୁଦ୍ରର କ୍ଷୁଧା, ଜୀବନର ସ୍ବାଦ, ବିଷକନ୍ୟାର କାହାଣୀ, ଆରଣ୍ୟକ, ଶେଷ ବସନ୍ତର ଚିଠି, ଅବୋଲକରା କାହାଣୀ, ମନୋଜ ଦାସଙ୍କ ଗଳ୍ପ, ଉପକଥା ଶତକ, କିଶୋର ସାହିତ୍ୟ, ଚତୁର୍ଥ ବନ୍ଧୁ ଓ ଅନ୍ୟାନ୍ୟ କାହାଣୀ, ଆଲୋକ ଓ ଆନନ୍ଦର କାହାଣୀ, ରାକ୍ଷସର ସନ୍ଧାନରେ, ଅର୍ଦ୍ଧଶତ କିଶୋର କାହାଣୀ, ଅନ୍ତରଙ୍ଗ ଭାରତ, ଭ୍ରମଣ କାହାଣୀ ଅଦୂର ବିଦେଶ, ଇଣ୍ଡୋନେସିଆ ଅନୁଭୂତି, କେତେ ଦିଗନ୍ତ, ଅରଣ୍ୟ ଉଲ୍ଲାସ, ପ୍ରବନ୍ଧ ସ୍ମୃତିର ପ୍ରଦୀପ, ସ୍ମରଣିକା ପ୍ରବନ୍ଧ, ସନ୍ଧାନ ଓ ସଙ୍କେତ, ଚେତନାର ଦିଗବଳୟ ପ୍ରବନ୍ଧ ପୁସ୍ତକ ପାଇଁ ମନୋଜ ଦାସ ଅଗଣିତ ପାଠକଙ୍କ ହ୍‌ଦୟରେ ଚିର ସ୍ମରଣୀୟ ରହିବେ। ଏଥିସହିତ ତାଙ୍କର କାଳଜୟୀ କବିତା ସଂକଳନ କବିତା ଉତ୍କଳ, ତୁମ ଗାଁ ଓ ଅନ୍ୟାନ୍ୟ କବିତା, ଶତାବ୍ଦୀର ଆର୍ତ୍ତନାଦ, ପଦଧ୍ବନି, ନନ୍ଦାବତୀର ମାଝୀ ସ୍ବତନ୍ତ୍ର ପାଠକୀୟ ସ୍ବୀକୃତି ଲାଭ କରିଛି।

ପାଠକଙ୍କ ଶ୍ରଦ୍ଧାଞ୍ଜଳି
ପ୍ରବୀଣ ସାରସ୍ବତ ସାଧକ ବିଶ୍ବ ବିଖ୍ୟାତ ଦାର୍ଶନିକ ପଦ୍ମଭୂଷଣ ପ୍ରଫେସର ମନୋଜ ଦାସଙ୍କ ଅବର୍ତ୍ତମାନରେ ତାଙ୍କର ବିପୁଳ ସଂଖ୍ୟକ ପାଠକ ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଛନ୍ତି। ଖବର ପ୍ରସାରିତ ହେବା ମାତ୍ରେ ସାମାଜିକ ଗଣମାଧ୍ୟମ ଓ ସୋସାଲ ହ୍ୟାଣ୍ଡଲ ଗୁଡ଼ିକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ଆରମ୍ଭ କରି ସାଧାରଣ ପାଠକ ଯାଏ ଶୋକବ୍ୟକ୍ତ କରିଛନ୍ତି। ଚନ୍ଦନ କୁମାର ସାହୁ ନାମକ ଜଣେ ମନୋଜ ସାହିତ୍ୟର ବିଦଗ୍ଧ ପାଠକ ତାଙ୍କର ସାହିତ୍ୟ କୃତି ଗୁଡ଼ିକୁ ସଜାଇ ଶ୍ରଦ୍ଧାଞ୍ଜଳି ବାଢ଼ିଛନ୍ତି। ସଂଗ୍ରାମ ମହାରଣା ନାମକ ଅନ୍ୟଜଣେ ପାଠକ ଏଭଳି ସଜାଇଛନ୍ତି -

‘ଶେଷ ତାନ୍ତ୍ରିକର ସନ୍ଧାନରେ’
ହେ ମନୋଜ ଦାସ
ଆଜି ତୁମେ ଗଲା ପରେ
‘ଜିଜ୍ଞାସା’ର ‘ଦିଗ ଦିଗନ୍ତ’
ଆଉ ସେ ‘ଗୋଧୁଳି ବେଳର ବାଘ’
ସବୁକିଛି ‘ଚତୁର୍ଥ ଚକ୍ଷୁ’ର ଅନ୍ବେଷଣରେ
ତୁମର ସେ ‘ସମୁଦ୍ର କୂଳର ଗ୍ରାମ’ରେ
ତୁମ ‘ତନ୍ଦ୍ରାଲୋକର ପ୍ରହରୀ’
ଆଜି ବି ‘ଆକାଶର ଇସାରା’ରେ
ଅଦୂର ବିଦେଶ ଭିତରେ ରଖିଥଲା
‘ସୁନାର କଳସ’
ତୁମେ ଏବେ ‘ଶେଷ ବସନ୍ତର ଚିଠି’
ତୁମେ ଗଲା ପରେ
ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଏଇଠି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ