ଗୋଟିଏ ଭ୍ୟାନରେ ୨୨ କୋଭିଡ୍ ସଂକ୍ରମିତଙ୍କ ମୃତଦେହ, ସାଧାରଣରେ ଅସନ୍ତୋଷ


୨୨ ଜଣ କୋଭିଡ୍ ସଂକ୍ରମିତଙ୍କ ମୃତଦେହ ନେଉଥିବା ଆମ୍ବୁଲାନ୍ସ
ମହାରାଷ୍ଟ୍ରରେ ମଙ୍ଗଳବାର ଏପରି ଏକ ଘଟଣା ଘଟିଛି, ଯେଉଁଥିରେ ଜନସାଧାରଣ କ୍ଷୋଭ ପ୍ରକାଶ କରିଛନ୍ତି। ଗୋଟିଏ ଭ୍ୟାନରେ ମୃତ୍ୟୁବରଣ କରିଥିବା ୨୨ ଜଣ କୋଭିଡ୍ ସଂକ୍ରମିତଙ୍କ ଶବକୁ ଭର୍ତ୍ତି କରି ଶ୍ମଶାନକୁ ନେବା ସକାଶେ ଉଦ୍ୟମ କରାଯାଉଥିଲା। ମହାରାଷ୍ଟ୍ର ବୀଡ୍ ଜିଲ୍ଲାରେ ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ଜିଲ୍ଲା ପ୍ରଶାସନ ସଫେଇ ଦେବାକୁ ଯାଇ ବ୍ୟାପକ ମାତ୍ରାରେ ଗାଡ଼ି ଉପଲବ୍ଧ ହେଉ ନ ଥିବାରୁ ଏକକାଳୀନ ୨୨ ଜଣ ସଂକ୍ରମିତଙ୍କ ଶବକୁ ଶ୍ମଶାନକୁ ଗୋଟିଏ ଗାଡ଼ିରେ ଭର୍ତ୍ତି କରି ନିଆଯାଉଥିଲା ବୋଲି କହିଛି। ବୀଡ଼ ଜିଲ୍ଲାର ଆମ୍ବଜୋଗାଇସ୍ଥିତ ସ୍ବାମୀ ରାମାନନ୍ଦ ତୀର୍ଥ ଗ୍ରାମାଞ୍ଚଳ ସରକାରୀ ମେଡିକାଲ୍ କଲେଜର ଶବାଗାର ଭିତରେ ରହିଥିଲା। ତେବେ ସେଗୁଡ଼ିକର ଅନ୍ତିମ ସଂସ୍କାର ପାଇଁ ଗୋଟିଏ ଗାଡ଼ିରେ ଶ୍ମଶାନକୁ ନିଆଯାଉଥିଲା। କିନ୍ତୁ ସ୍ଥାନୀୟ ଲୋକେ ଏପରି ଏକ ଅଭାବନୀୟ ଦୃଶ୍ୟ ଦେଖି ଏହାର ବିରୋଧ କରିଥିଲେ। ଫଳରେ ସମାଧାନ ପାଇଁ ସ୍ଥାନୀୟ ପ୍ରଶାସନକୁ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଜନସାଧାରଣଙ୍କୁ ବୁଝାଇବାକୁ ଉଦ୍ୟମ କରିବାକୁ ପଡ଼ିଥିଲା।

ମେଡିକାଲ୍ କଲେଜର ଡିନ୍ ଡ. ଶିବାଜୀ ସୁକ୍ରେ କହିଛନ୍ତି ଯେ ମଶାଣିକୁ ଶବ ପରିବହନ କରିବା ସକାଶେ ସେମାନଙ୍କ ପାଖରେ ଆବଶ୍ୟକ ସଂଖ୍ୟକ ଗାଡ଼ି ନାହିଁ। ଗତ ବର୍ଷ କୋଭିଡ୍ ସଂକ୍ରମଣର ପ୍ରଥମ ଲହରୀ ସମୟରେ ସେମାନଙ୍କ ପାଖରେ ମାତ୍ର ୫ଟି ଆମ୍ବୁଲାନ୍ସ ଉପଲବ୍ଧ ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେଥି ମଧ୍ୟରୁ ୩ଟି ଆମ୍ବୁଲାନ୍ସକୁ ପ୍ରତ୍ୟାହାର କରିନେବାକୁ ପଡ଼ିଥିଲା। ତେଣୁ ମେଡିକାଲ୍ କଲେଜକୁ ବାଧ୍ୟ ହୋଇ ଅବଶିଷ୍ଟ ଦୁଇଟି ଆମ୍ବୁଲାନ୍ସରେ କାମ ଚଳାଇବାକୁ ପଡ଼ୁଛି। ବେଳେବେଳେ କୋଭିଡ୍‌ରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ପରିବାରକୁ ଖୋଜିବାକୁ ପଡ଼ୁଛି। ଲୋଖଣ୍ଡିସ୍ଥିତ ସାୱରଗାଓଁ ଗ୍ରାମରେ ଥିବା ଶବାଗାରରୁ ମଧ୍ୟ ଶବ ଏଠାକୁ ଆସୁଛି। ସେମାନଙ୍କ ନିକଟରେ ଶୀତଳ ଭଣ୍ଡାର ନ ଥିବାରୁ ସେଠାକାର ଶବଗୁଡ଼ିକୁ ମଧ୍ୟ ଏହି ମେଡିକାଲ୍ କଲେଜ ଶବାଗାର ଭିତରେ ରଖିବାକୁ ପଡ଼ୁଛି। ଏ ସଂକ୍ରାନ୍ତରେ ସେ ଜିଲ୍ଲା ପ୍ରଶାସନକୁ ଗତ ମାର୍ଚ୍ଚ ୧୭ ତାରିଖରେ ଅବଗତ କରାଇବା ସହ ତୁରନ୍ତ ୩ଟି ଆମ୍ବୁଲାନ୍ସ ଯୋଗାଇ ଦେବା ସକାଶେ ନିବେଦନ କରିଥିଲେ। ସେହିପରି ଶବଦାହ ସଂକ୍ରାନ୍ତ କୌଣସି ପ୍ରକାର ବିବାଦକୁ ଏଡ଼ାଇବା ସକାଶେ ମେଡିକାଲ୍ କଲେଜ ପକ୍ଷରୁ ଆମ୍ବଜୋଗାଇ ମହାନଗର ପରିଷଦକୁ ଅନ୍ତିମ ସଂସ୍କାର କରିବାକୁ ବି ଚିଠି ଲେଖାଯାଇଛି। ତେଣୁ ଏଣିକି ହସ୍ପିଟାଲରୁ ସିଧାସଳଖ ଶ୍ମଶାନକୁ କୋଭିଡ୍ ସଂକ୍ରମିତଙ୍କ ଶବ ପଠାଯିବ ବୋଲି ଡ. ସୁକ୍ରେ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ