କୋରୋନା କାଳର ନିଆରା ମଣିଷ


ବାଣ୍ଟିବା ପୂର୍ବରୁ ଖାଦ୍ୟ ପ୍ୟାକ କରୁଛନ୍ତି ପଣ୍ଡା ପରିବାର

ରାଜ୍ୟରେ ପୁଣିଥରେ କାୟା ମେଲାଇଛି କୋରୋନା। ମହାମାରୀ କବଳରେ ଜୀବନ ଓ ଜୀବିକାକୁ ନେଇ ଜନଜୀବନ ଶଙ୍କିତ ଥିବା ବେଳେ ସହଯୋଗ ପାଇଁ ଆଗକୁ ଆସିଛନ୍ତି ଅନେକ ବ୍ୟକ୍ତି ଓ ସଂଗଠନ। ଅଭିନେତା ସୋନୁ ସୁଦ ଓ ସବ୍ୟସାଚୀଙ୍କ ଠାରୁ ଆରମ୍ଭ କରି ବାଣୀବିହାରର ପ୍ରଫେସର ଡକ୍ଟର ତାପସ ପଣ୍ଡା ଓ ଶିଖ ବ୍ୟବସାୟୀ ଶତବୀର ସିଂଙ୍କ ଯାଏ ନିଜ ନିଜ ପରିସରରେ ଦୁର୍ଦ୍ଦଶାଗ୍ରସ୍ତ ଲୋକଙ୍କୁ ସହାୟତା କରିଛନ୍ତି।

ଚର୍ଚ୍ଚାରେ ପଣ୍ଡା ପରିବାର
ସଙ୍ଗରୋଧରେ ରହିଥିବା ପରିବାର ଗୁଡ଼ିକ ନିକଟରେ ରନ୍ଧାଖାଦ୍ୟ ପହଞ୍ଚାଇ ଚର୍ଚ୍ଚାକୁ ଆସିଛନ୍ତି ଉତ୍କଳ ବିଶ୍ବବିଦ୍ୟାଳୟର ଅଧ୍ୟାପକ ଡ.ତାପସ ପଣ୍ଡା। ତାପସ ରହନ୍ତି ରାଜଧାନୀ ଭୁବନେଶ୍ବରର ନନ୍ଦନ ବିହାର ଅଞ୍ଚଳରେ। ଘରେ ନିଜର ପତ୍ନୀ, ଝିଅ ଓ ଭାଣିଜୀ। ସହରରେ ଦିନକୁ ଦିନ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଅନେକ ପରିବାର ଗୃହରେ ସଙ୍ଗରୋଧରେ ରହିବାକୁ ବାଧ୍ୟ ହୋଇଛନ୍ତି। କଟକଣା ଭିତରେ ଦୁଇ ଓଳି ଦୁଇମୁଠା ରାନ୍ଧି ଖାଇବା ପାଇଁ ଅନେକ ସକ୍ଷମ ହୋଇପାରୁ ନ ଥିବା ଦେଖି ଡ.ପଣ୍ଡା ନିଜ ଘରେ ଖାଦ୍ୟ ରାନ୍ଧି ଆବଶ୍ୟକତା ଲୋଡ଼ୁଥିବା ପରିବାର ନିକଟରେ ଯାଇ ଦେବାର ପ୍ରୟାସ ଆରମ୍ଭ କରିଛନ୍ତି। ବିଗତ ୭ ଦିନ ମଧ୍ୟରେ ପଣ୍ଡା ପରିବାର ଶତାଧିକ ପରିବାର ନିକଟରେ ନେଇ ଖାଦ୍ୟ ପହଞ୍ଚାଇଛନ୍ତି।

ମାଗଣା ଅମ୍ଳଜାନ ଯୋଗାଉଛନ୍ତି ଶତବୀର
ଦିଲ୍ଲୀ, ମହାରାଷ୍ଟ୍ର, ଗୁଜରାଟ ଭଳି କେତେକ ସହରରେ କୋରୋନା ଗୁରୁତର ରୋଗୀ ଅକ୍ସିଜେନ ସିଲିଣ୍ଡର ପାଇଁ ଡହଳ ବିକଳ ହେଉଛନ୍ତି। ଗୋଟିଏ ସିଲିଣ୍ଡର ଜଣେ ବ୍ୟକ୍ତିଙ୍କ ଜୀବନଦାତା ଭାବେ ପରିଗଣିତ ହେଉଛି। ଅକ୍ସିଜେନ ଅଭାବରୁ କେତେକ ଡାକ୍ତରଖାନା ରୋଗୀ ଗ୍ରହଣ କରୁ ନ ଥିବା ବେଳେ ଭୁବନେଶ୍ବରରେ ଶତବୀର ସିଂ ଓ ତାଙ୍କ ସାଥୀମାନେ କୋରୋନା ସଂକ୍ରମିତ ଥାଇ ହୋମ ଆଇସୋଲେସନରେ ଥିବା ଲୋକଙ୍କ ପାଇଁ ଦେବଦୂତ ପାଲଟିଛନ୍ତି। ଗୃହ ସଙ୍ଗରୋଧରେ ଥିବା ରୋଗୀଙ୍କ ମଧ୍ୟରୁ ଅନେକ ଅକ୍ସିଜେନ ଲୋଡ଼ୁଥିବା ବେଳେ ସେମାନଙ୍କୁ ସରକାର ଏହା ଯୋଗାଇ ନ ଥାନ୍ତି। ଘରେ ରହି ଚିକିତ୍ସା କରିହେବ ବୋଲି ମୂଳରୁ ଶୁଣି ଆସିଥିବା ରୋଗୀ ଘରେ ରହି ଚିକିତ୍ସା କରୁ କରୁ ଗୁରୁତର ହୋଇ ପଡ଼ିଲେ ଅକ୍ସିଜେନ ସିଲିଣ୍ଡରଟିଏ କେଉଁଠୁ ପାଇବ, ସରକାର ତାର ଉତ୍ତର ଦେଉନାହାନ୍ତି। ଏଭଳି କ୍ଷେତ୍ରରେ ରୋଗୀମାନଙ୍କ ପାଇଁ ଭରସା ପାଲଟିଛନ୍ତି ଶତବୀର ଓ ତାଙ୍କ ସାଥୀମାନେ । କୋରୋନାର କାୟା ଓ ଲୋକଙ୍କ ଦୁର୍ଦ୍ଦଶା ଦେଖି ସେ ଓ ତାଙ୍କ ବନ୍ଧୁମାନେ ଗତ ମାର୍ଚ୍ଚ ୨୦୨୦ରେ ଶିଖଏଡ ଡଟ କମ ନାମରେ ଏକ ସାମାଜିକ ସଂଗଠନ ଗଢ଼ିଛନ୍ତି। ସଂଗଠନ ପକ୍ଷରୁ କୋଭିଡ ଯୋଦ୍ଧାମାନଙ୍କୁ ମାସ୍କ, ସାନିଟାଇଜର, ଫେସଶିଲ୍ଡ ଓ ଅନ୍ୟାନ୍ୟ ମେଡିକାଲ ଉପକରଣ ବିତରଣ କରାଯାଇଛି। ଘରେ ରହି ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ଏହି ସଂଗଠନ ପକ୍ଷରୁ ଶହେରୁ ଅଧିକ ସିଲିଣ୍ଡର ଯୋଗାଇ ଦିଆଯାଇଛି। ଯେଉଁମାନେ ଘରେ ରହି ଚିକିତ୍ସିତ ହେଉଛନ୍ତି ଓ ଅକ୍ସିଜେନର ଆବଶ୍ୟକତା ଲୋଡ଼ୁଛନ୍ତି ସେମାନଙ୍କ ନିକଟରେ ସିଲିଣ୍ଡର ଉପଲବ୍ଧ କରାଇବା ଦିଗରେ ସରକାର ଦାୟିତ୍ବ ନିଅନ୍ତୁ ବୋଲି କହିଛନ୍ତି କୋରୋନା କାଳର ଏହି ନିଆରା ମଣିଷ ଶତବୀର ସିଂ।

ବୁଲା କୁକୁରଙ୍କୁ ଖାଦ୍ୟ ବାଣ୍ଟୁଛନ୍ତି ପ୍ରତାପ
ଷ୍ଟ୍ରିଟ ଭେଣ୍ଡର ଆସୋସିଏସନ କର୍ମକର୍ତ୍ତା ତଥା କିନ୍ନର ସଂଘର ପରାମର୍ଶଦାତା ପ୍ରତାପ ସାହୁ ଜଣେ ଦରଦୀ ମଣିଷ। କୋରୋନା ସଙ୍କଟ ଆରମ୍ଭରୁ ପ୍ରତାପ ଲକଡାଉନ ଓ ଶଟଡାଉନ ସମୟରେ ବୁଲି ବୁଲି ରାଜଧାନୀର ବସ୍ତି ଓ ଆବଶ୍ୟକତା ଲୋଡ଼ୁଥିବା ଲୋକଙ୍କ ନିକଟରେ ମେଡିକାଲ ଉପକରଣ ସହିତ ମାସ୍କ, ସାନିଟାଇଜର ଓ ଶୁଖିଲା ଖାଦ୍ୟ ଯୋଗାଡ଼ କରି ପହଞ୍ଚାଉଥିଲେ। ବୁଲା କୁକୁରଙ୍କ ପାଇଁ ଖାଦ୍ୟ ଓ ପକ୍ଷୀମାନଙ୍କ ପାଇଁ ଆହାର ସହ ଜଳଦାନ କରି ସେ ଚର୍ଚ୍ଚାକୁ ଆସିଛନ୍ତି। ଏଥିପାଇଁ ସେ ନିଜ ପକେଟରୁ ଖର୍ଚ୍ଚ କରୁଥିବା ବେଳେ କେହି କେହି ବଦାନ୍ୟ ବ୍ୟକ୍ତି ପ୍ରତାପଙ୍କ ଏଭଳି ମହତ କାମରେ ଯତପରୋନାସ୍ତି ସାହାଯ୍ୟ କରୁଛନ୍ତି। ନିଜସ୍ବ ଉଦ୍ୟମରେ ପ୍ରତାପ ଏକ ସ୍ବେଚ୍ଛାସେବୀ ବାହିନୀ ଗଢ଼ି ଆବଶ୍ୟକୀୟ ସେବା ପାଇଁ ମାର୍ଗଦର୍ଶନ ଦେଉଥିବା ଜଣାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ