ଓଡ଼ିଶା-ଦକ୍ଷିଣ କୋରିଆ ମଧ୍ୟରେ ବାଣିଜ୍ୟ କାରବାର ପ୍ରୋତ୍ସାହନକୁ ନେଇ ଦ୍ୱି-ପାକ୍ଷିକ ଆଲୋଚନା


ଦ୍ବି-ପାକ୍ଷିକ ଆଲୋଚନାରେ ଭାଗ ନେଇଛନ୍ତି ଶକ୍ତିମନ୍ତ୍ରୀ
ଦକ୍ଷିଣ କୋରିଆ ଓ ଓଡ଼ିଶା ମଧ୍ୟରେ ଦ୍ୱି-ପାକ୍ଷିକ ବାଣିଜ୍ୟ ସୁଯୋଗ ସୃଷ୍ଟି ଉପରେ ଓଡ଼ିଆ ସରକାରଙ୍କ ଇପିକଲ ସହିତ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଏକ ଗୋଲଟେବୁଲ ବୈଠକର ଆୟୋଜନ କରିଛି। ଏହି ଭର୍ଚୁଆଲ ବୈଠକରେ ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ କହିଛନ୍ତି, ଓଡ଼ିଶା ଓ ଦକ୍ଷିଣ କୋରିଆ ମଧ୍ୟରେ କେତେକ ଚିହ୍ନଟ କରାଯାଇଥିବା ସେକ୍ଟର ଉପରେ ଅନେକ ସମ୍ଭାବନା ରହିଛି। ଓଡ଼ିଶା ତା’ର ଭିଜନ-୨୦୩୦କୁ ନେଇ ପ୍ରସ୍ତୁତ ରଣନୀତିକୁ କାର୍ଯ୍ୟକାରୀ କରୁଛି। ଏଥିରେ ଓଡ଼ିଶାରେ ନିର୍ମିତ ୫୦ ପ୍ରତିଶତ ପ୍ରାଥମିକ ମେଟାଲ୍‌ ଉତ୍ପାଦର ମୂଲ୍ୟଯୁକ୍ତ ରାଜ୍ୟରେ କରାଯିବା ପାଇଁ ପ୍ରାବଧାନ ରଖାଯାଇଛି ବୋଲି କହିଛନ୍ତି।

ଭାରତରେ ଅବସ୍ଥାପିତ ଦକ୍ଷିଣ କୋରିଆର ରାଷ୍ଟ୍ରଦୂତ ସିନ୍ ବୋଙ୍ଗକିଲ୍ କହିଛନ୍ତି, ଗତ ବର୍ଷେ ମଧ୍ୟରେ ଦକ୍ଷିଣ କୋରିଆର ୬୬ଟି ନୂତନ କମ୍ପାନୀ ଭାରତରେ କାରବାର ଆରମ୍ଭ କରିଛନ୍ତି। ଏହି କମ୍ପାନୀଗୁଡ଼ିକ ୨୦୨୦ରେ ୧୭ ମିଲିୟନ୍ ୟୁଏସ୍ ଡଲାର ପୁଞ୍ଜିବିନିଯୋଗ କରିଛନ୍ତି, ଯାହାକି କୋଭିଡ୍ ମହାମାରୀ ସମୟରେ ଏକ ବୃହତ୍ ରାଶି ବୋଲି ସେ ସୂଚିତ କରିଛନ୍ତି। କୋରିଆର ବିଶାଳ ଷ୍ଟିଲ୍‌ ଉତ୍ପାଦନକାରୀ ସଂସ୍ଥା ‘ପୋସ୍କୋ’ ଭାରତ ଇତିହାସରେ ପ୍ରଥମ ଏକକ ବିଦେଶୀ ସିଧାସଳଖ ପୁଞ୍ଜିବିନିଯୋଗକାରୀ କମ୍ପାନୀ ଭାବରେ ପ୍ରାୟ ୧୨ ବିଲିୟନ୍ ୟୁଏସ୍ ଡଲାରର ରେକର୍ଡ ପରିମାଣର ବିନିଯୋଗ କରି ଓଡ଼ିଶାରେ ସମନ୍ୱିତ ଷ୍ଟିଲ ପ୍ଲାଣ୍ଟ୍‌ ପ୍ରତିଷ୍ଠା କରିବାକୁ ଯାଉଥିବା ସେ ଦର୍ଶାଇଥିଲେ।

ଅକ୍ଷୟ ଶକ୍ତି, ଜଳ ବିଶୋଧନ ଏବଂ ସ୍ମାର୍ଟ ସିଟି ପ୍ରକଳ୍ପ କ୍ଷେତ୍ରରେ କାମ କରିବାକୁ କୋରିଆନ୍ କମ୍ପାନୀଗୁଡ଼ିକ ଅତି ଉତ୍ସାହିତ ଥିବା କୋଟ୍ରାର ନିର୍ଦେଶକ ଡ. ୟଙ୍ଗ ସେଓନ୍ ପାର୍କ ପ୍ରକାଶ କରିଥିଲେ। ଏଥିପାଇଁ ଆଗାମୀ ସେପ୍ଟେମ୍ବର ମାସରେ ଲଗାତାର ବୈଠକ ଅନୁଷ୍ଠିତ ହେବ ଏବଂ ସ୍ମାର୍ଟ ସିଟି ଉପରେ ଅଧିକ ସୁଯୋଗକୁ ଅନ୍ୱେଷଣ କରାଯିବ ବୋଲି କହିଥିଲେ। ଏହି ଭର୍ଚୁଆଲ ବୈଠକରେ ଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ତଥା ଇପିକଲର ପରିଚାଳନା ନିର୍ଦେଶକ ଡ. ନିତୀନ ଭାନୁଦାସ ଜୱାଲେ ଓଡ଼ିଶାର ସାମର୍ଥ୍ୟ ଓ ବିବିଧତା ବିଷୟରେ ଏକ ପୂର୍ଣ୍ଣାଙ୍ଗ ଚିତ୍ର ପ୍ରଦାନ କରିଥିଲେ। ରାଜ୍ୟରେ ଆଗାମୀ ଦିନରେ ୨ ଲକ୍ଷ କୋଟିର ପୁଞ୍ଜିବିନିଯୋଗର ସମ୍ଭାବନା ଥିବା ଦର୍ଶାଇଥିଲେ। ଏହି କାର୍ଯ୍ୟକ୍ରମକୁ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସର ଓଡ଼ିଶା ଚାପ୍‌ଟରର ଅଧ୍ୟକ୍ଷ ଜେବି ପାଣି ସଂଯୋଜନା କରିଥିବାବେଳେ କନ୍‌ସୁଲ ଜେନେରାଲ୍‌ ରିପବ୍ଲିକ୍ ଅଫ୍ କୋରିଆ ସିଦ୍ଧାନ୍ତ କାଉଲ୍ ଧନ୍ୟବାଦ ଅର୍ପଣ କରିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ