ଆଜି ପ୍ରଧାନମନ୍ତ୍ରୀ ମୋଦୀ ଉନ୍ମୋଚନ କରିବେ ମହତାବଙ୍କ ‘ଓଡ଼ିଶା ଇତିହାସ’ ପୁସ୍ତକର ହିନ୍ଦୀ ସଂସ୍କରଣ


ହରେକୃଷ୍ଣ ମହତାବ ଫାଉଣ୍ଡେସନ ପକ୍ଷରୁ ସୂଚନା ଦେଉଛନ୍ତି ସାଂସଦ ଭର୍ତ୍ତୃହରି ମହତାବ
ଏପ୍ରିଲ ୯ ତାରିଖରେ ନୂଆଦିଲ୍ଲୀସ୍ଥିତ ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ର ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହରେକୃଷ୍ଣ ମହତାବ ଫାଉଣ୍ଡେସନର ତତ୍ତ୍ବାବଧାନରେ ଉତ୍କଳ କେଶରୀ ସ୍ବର୍ଗତ ଡ. ହରେକୃଷ୍ଣ ମହତାବଙ୍କ ଦ୍ବାରା ଲିଖିତ ‘ଓଡ଼ିଶା ଇତିହାସ’ ପୁସ୍ତକର ହିନ୍ଦୀ ସଂସ୍କରଣର ଉନ୍ମୋଚନ କରିବେ। ଶଙ୍କରଲାଲ ପୁରୋହିତ ଏହି ପୁସ୍ତକର ହିନ୍ଦୀ ଅନୁବାଦ କରିଛନ୍ତି। ପୂର୍ବରୁ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଏହି ପୁସ୍ତକର ସଂସ୍କରଣ ଉପଲବ୍ଧ ରହିଛି। ଡ. ମହତାବଙ୍କ ଭଳି ପ୍ରେରଣାଦାୟୀ ବ୍ୟକ୍ତିତ୍ବ ଏହାର ରଚନା କରିଥିବାରୁ ଏହା ବେଶ ଗୁରୁତ୍ବ ବହନ କରୁଛି। ଏକ ସ୍ବତନ୍ତ୍ର ଅବସରରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଟକ ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ ଉପସ୍ଥିତ ରହିବେ। ପୁସ୍ତକ ଉନ୍ମୋଚନ ଅବସରରେ ଦେଶର ଇତିହାସ ଓ ସଂସ୍କୃତି ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣ ଦେବେ ବୋଲି ଜଣାପଡ଼ିଛି।

ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ତଥା ଆଧୁନିକ ଓଡ଼ିଶାର ନବନିର୍ମାତା ଭାବେ ପରିଚିତ। ଦେଶ ସ୍ବାଧୀନ ହେବା ପରେ ସେ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ (୧୯୪୬-୧୯୫୦) ଭାବେ ଦାୟିତ୍ବ ନେଇଥିଲେ। ଏହାପରେ ସେ ୧୯୫୬-୧୯୬୧ ପର୍ଯ୍ୟନ୍ତ ପୁର୍ନବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ତାଙ୍କୁ ରାଜ୍ୟର ସେବା କରିବାର ସୁଯୋଗ ମିଳିଥିଲା। ତାଙ୍କ କୃତିତ୍ବର ପ୍ରେରଣାଦାୟୀ ଅନୁଭୂତି କେବଳ ଯେ ଓଡ଼ିଶା ପାଇଁ ନୁହେଁ ବରଂ ସମ୍ପୂର୍ଣ୍ଣ ଭାରତ ବର୍ଷକୁ ଅନୁପ୍ରେରିତ କରିଥାଏ। ଏହି ପୁସ୍ତକର ହିନ୍ଦୀ ସଂସ୍କରଣ ଦେଶର ବୃହତ୍ତମ ବର୍ଗକୁ ଓଡ଼ିଶାର ଇତିହାସ ସହିତ ସମକାଳୀନ ଭାରତର ପରିସ୍ଥିତି, ସ୍ବାଧୀନତା ସଂଗ୍ରାମ ତଥା ଗଡ଼ଜାତ ରାଜ୍ୟଗୁଡ଼ିକର ଏକତ୍ରୀକରଣ ଉଦ୍ୟମ ସମ୍ପର୍କରେ ଜୀବନ୍ତ ପ୍ରମାଣ ପ୍ରଦାନ କରିବ। ଆମ ଦେଶ ‘ଅମୃତ ମହୋତ୍ସବ’ ସ୍ବାଧୀନତା ଆନ୍ଦୋଳନର ୭୫ ବର୍ଷ ପୂର୍ତ୍ତି ପାଳନ କରୁଥିବା ବେଳେ ଏହି ପୁସ୍ତକର ପ୍ରକାଶନ, ସ୍ବାଧୀନତା ଆନ୍ଦୋଳନ ତଥା ରାଷ୍ଟ୍ର ନିର୍ମାଣରେ ନିଜର ସର୍ବସ୍ବ ଜଳାଞ୍ଜଳି ଦେଇଥିବା ମହାତ୍ମାମାନଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ।

ମହତାବ ଭାରତର ସ୍ବାଧୀନତା ସଂଗ୍ରାମର ବିଶିଷ୍ଟ ନାୟକ ଥିଲେ ଡ.ମହତାବ। ସ୍ବାଧୀନତା ଆନ୍ଦୋଳନ ସମୟରେ ୧୯୪୨-୧୯୪୫ ପର୍ଯ୍ୟନ୍ତ ସେ କାରାବରଣ କରିଥିଲେ। ଅହମଦନଗର ଦୁର୍ଗ କାରାଗାରରେ ବନ୍ଦୀ ଜୀବନ ବିତାଉଥିବା ଅବସରରେ ସେ ‘ଓଡ଼ିଶା ଇତିହାସ’ ପୁସ୍ତକ ରଚନା କରିଥିଲେ। ସେଠାରେ କଂଗ୍ରେସର ୧୨ ଜଣ ଟାଣୁଆ ନେତା ଥିବା ବେଳେ ଏବଂ ସେମାନଙ୍କ ମଧ୍ୟରୁ ୬ ଜଣ ସାହିତ୍ୟ ରଚନାରେ ଲିପ୍ତ ଥିଲେ। ଓଡ଼ିଆରେ ଉପନ୍ୟାସ ‘ପ୍ରତିଭା’ ଏବଂ କବିତା ରଚନା କରିବା ବ୍ୟତୀତ, ମହତାବ ‘ଓଡ଼ିଶା ଇତିହାସ’ ପୁସ୍ତକକୁ ଉଭୟ ଇଂରାଜୀ ଏବଂ ଓଡ଼ିଆରେ ରଚନା କରିଥିଲେ। ଦୈନିକ ୧୨ ଘଣ୍ଟା ସହିତ ୨ ବର୍ଷର କଠିନ ପରିଶ୍ରମ ଦ୍ବାରା ଏପରି କୃତି ରଚନା କରିବାରେ ସେ ସଫଳ ହୋଇପାରିଥିଲେ। ଅତୀତର ଘଟଣାବଳୀକୁ ବର୍ଣ୍ଣନା କରୁଥିବା ଏହା ହେଉଛି ପ୍ରଥମ ପୁସ୍ତକ ଯେଉଁଥିରେ ମହାଭାରତ ଯୁଗରୁ ଆରମ୍ଭ କରି ୧୯୪୮ ମସିହା ପର୍ଯ୍ୟନ୍ତ ଗଡ଼ଜାତ ରାଜ୍ୟଗୁଡ଼ିକର ମ୍ମିଶ୍ରଣ ଏବଂ ବୃହତ ଓଡ଼ିଶା ନିର୍ମାଣ ବିଷୟରେ ବର୍ଣ୍ଣନା ରହିଛି।
 
ମହତାବଙ୍କ ସ୍ମୃତିରେ ୧୯୮୭ ମସିହାରେ ‘ହରେକୃଷ୍ଣ ମହତାବ ଫାଉଣ୍ଡେସନ’ ସ୍ଥାପନ କରାଯାଇଛି। ଏହା ଓଡ଼ିଶାର ବିଭିନ୍ନ ସ୍ଥାନରେ ସେମିନାର, ଆଲୋଚନାଚକ୍ର, ସ୍ମୃତିଚାରଣ ସଭା ଇତ୍ୟାଦି ଆୟୋଜନ କରିଥାଏ। ଡ. ମହତାବ ଏବଂ ତାଙ୍କ ସମ୍ପର୍କିତ ପୁସ୍ତକ ପ୍ରକାଶନ ମଧ୍ୟ କରିଥାଏ ଏବଂ ଡ. ମହତାବ ରଚନା କରିଥିବା ଉଭୟ ଓଡ଼ିଆ ଏବଂ ଇଂରାଜୀ ପୁସ୍ତକକୁ ପୁନଃପ୍ରକାଶନ କରିଥାଏ। ଫାଉଣ୍ଡେସନ ଗରିବ ତଥା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମାଧ୍ୟମିକ ଏବଂ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥାଏ। ପ୍ରତିବର୍ଷ ନଭେମ୍ବର ୨୧, ଏବଂ ଜାନୁୟାରୀ ୨ ତାରିଖରେ ଡ. ମହତାବଙ୍କ ଜନ୍ମତିଥି ଏବଂ ସ୍ମୃତି ଦିବସକୁ ପାଳନ କରିବା ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରିଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ