ଶ୍ରୀଲଙ୍କା ବିଉଟି କଣ୍ଟେଷ୍ଟରେ ବିଚିତ୍ର ଦୃଶ୍ୟ: ବିଜେତାଙ୍କଠାରୁ ଛଡ଼ାଇନେଲେ ମୁକୁଟ


ପୁଷ୍ପିକା ଡି’ସିଲଭା
କଲମ୍ବୋ: ନିକଟରେ ଶ୍ରୀଲଙ୍କାରେ ଅନୁଷ୍ଠିତ ବିଉଟି କଣ୍ଟେଷ୍ଟରେ ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି। ବିଜେତାଙ୍କ ନାମ ଜୁରୀ ଘୋଷଣା କରିବା ପରେ ଗତ ବର୍ଷର ମିସ୍ ଶ୍ରୀଲଙ୍କା ବିଜେତାଙ୍କ ମୁଣ୍ଡରେ ମୁକୁଟ ପିନ୍ଧାଇ ଔପଚାରିକତା ପୂରଣ କରିଥିଲେ। ଉକ୍ତ ବିଜେତା ଜଣକ ମଧ୍ୟ କ୍ୟାଟୱାକ୍ କରି ତାଙ୍କର ସମସ୍ତ ପ୍ରଶଂସକ ଓ ଜୁରୀ ସଦସ୍ୟମାନଙ୍କୁ ଧନ୍ୟବାଦ ଦେଇଥିଲେ। କିନ୍ତୁ ଉକ୍ତ ବିଜେତାଙ୍କ ଏହି ଖୁସି ମାତ୍ର କେଇ ସେକେଣ୍ଡ୍ ପରେ ଉଭେଇ ଯାଇଥିଲା। କାରଣ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା ଓ ତାଙ୍କ ମୁଣ୍ଡରୁ ବିଜେତା ମୁକୁଟଟିକୁ କାଢ଼ିନିଆଯାଇ ରନର୍ସଅପ୍ ବିଜେତାଙ୍କ ମୁଣ୍ଡରେ ପିନ୍ଧାଇ ଦିଆଯାଇଥିଲା। ଏଥିରେ କ୍ରୋଧିତ ହୋଇ ବିଜେତା ଜଣକ ତୁରନ୍ତ ଶୋ’ ଛାଡ଼ି ସେଠାରୁ ପଳାଇଯାଇଥିଲେ। କୌଣସି ବିଉଟି କଣ୍ଟେଷ୍ଟରେ ଏପରି ଘଟଣା ବୋଧହୁଏ ପ୍ରଥମ ଥାର ପାଇଁ ଦେଖିବାକୁ ମିଳିଛି। ମିଳିଥିବା ସୂଚନାନୁସାରେ, ଗତ ରବିବାର ଶ୍ରୀଲଙ୍କା ରାଜଧାନୀ କଲମ୍ବୋରେ ମିସ୍ ଶ୍ରୀଲଙ୍କା ବିଉଟି କଣ୍ଟେଷ୍ଟ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ପୁଷ୍ପିକା ଡି’ ସିଲଭାଙ୍କୁ ବିଜେତା ଘୋଷଣା କରାଯାଇଥିଲା। ଏହାପରେ ୨୦୧୯ରେ ମିସ୍ ଶ୍ରୀଲଙ୍କା ହୋଇଥିବା ତଥା ବର୍ତ୍ତମାନର ମିସେସ୍ ୱାର୍ଲ୍ଡ କ୍ୟାରୋଲିନ୍ ଜୁରି ଅନ୍ୟାନ୍ୟ ଔପଚାରିକତା ପୂରଣ କରିଥିଲେ। କିନ୍ତୁ କିଛି ସମୟ ପରେ ଘୋଷିକା ଜଣକ ଘୋଷଣା କରିଥିଲେ ଯେ ମିସ୍ ଶ୍ରୀଲଙ୍କା ଉପାଧି କେବଳ ବିବାହିତା ମହିଳାଙ୍କୁ ଦିଆଯିବାର ପ୍ରଥା ରହିଛି। ପୁଷ୍ପିକା ବିବାହିତା ହୋଇଥିଲେ ମଧ୍ୟ ସେ ତାଙ୍କ ପତିଙ୍କୁ ଛାଡ଼ପତ୍ର ଦେଇସାରିଛନ୍ତି। ତେଣୁ ଏହି ମୁକୁଟ ସକାଶେ ସେ ଅଯୋଗ୍ୟ ବୋଲି ଘୋଷିକା ଜଣକ ଘୋଷଣା କରିଥିଲେ।

ତୁରନ୍ତ ଜୁରି ପୁଷ୍ପିକାଙ୍କ ମୁଣ୍ଡରୁ ମୁକୁଟଟିକୁ ଖୋଲି ନେଇ ରନର୍ସଅପ୍ ହୋଇଥିବା ମହିଳାଙ୍କ ମୁଣ୍ଡରେ ପିନ୍ଧାଇ ଦେଇଥିଲେ। ଏଥିରେ କ୍ଷୁବ୍ଧ ହୋଇ ସଙ୍ଗେ ସଙ୍ଗେ ମଞ୍ଚ ଛାଡ଼ି ପୁଷ୍ପିକା ଚାଲିଯାଇଥିଲେ। ଏନେଇ ଫେସବୁକ୍ ମାଧ୍ୟମରେ ଏକ ଲମ୍ବା ସ୍ପଷ୍ଟୀକରଣ ଦେଇ ପୁଷ୍ପିକା କହିଛନ୍ତି ଯେ କୌଣସି ବିଉଟି କଣ୍ଟେଷ୍ଟରେ ଏହା ପ୍ରଥମ ଘଟଣା, ଯେଉଁଠି ବିଜେତାଙ୍କଠାରୁ ମୁକୁଟ ପ୍ରତ୍ୟାହାର କରିନିଆଯାଇ ଅନ୍ୟ ଜଣକୁ ପିନ୍ଧାଯାଉଛି। ଶ୍ରୀଲଙ୍କାରେ କ’ଣ, ବିଶ୍ବରେ କୌଣସି ସ୍ଥାନରେ ମଧ୍ୟ ଏପରି ବିଚିତ୍ର ଘଟଣା ଘଟି ନ ଥିବ। କିନ୍ତୁ ଏପରି କରି ଆୟୋଜକ ମୋତେ ଅପମାନିତ କରିଛନ୍ତି। ଅବଶ୍ୟ ଏହା ମୋ ପାଇଁ ଗୋଟିଏ ସାଧାରଣ ଘଟଣା। କାରଣ ମୋର ନିଜ ଉପରେ ଯେତିକି ଆତ୍ମବିଶ୍ବାସ ଥିଲା, ଏବେ ବି ତାହା ବଜାୟ ରହିଛି। ତା’ଛଡ଼ା ଆୟୋଜକ ମୋତେ ଛାଡ଼ପତ୍ର ଦେଇଥିବା ମହିଳା ଭାବେ ବର୍ଣ୍ଣନା କରୁଛନ୍ତି। କିନ୍ତୁ ଏହା ଆଦୌ ସତ୍ୟ ନୁହେଁ। ଯଦି ଏହାକୁ ଆୟୋଜତ ସତ୍ୟ ମାନୁଛନ୍ତି, ତା’ହେଲେ ସେମାନେ ମୋତେ ଛାଡ଼ପତ୍ରର କପି ଦେଖାନ୍ତୁ ବୋଲି ପୁଷ୍ପିକା ଚ୍ୟାଲେଞ୍ଜ୍ ଦେଇଛନ୍ତି। ଅନ୍ୟପକ୍ଷରେ ମିସ୍ ଶ୍ରୀଲଙ୍କ ୱାର୍ଲ୍ଡ ଶୋ’ର ଜାତୀୟ ନିର୍ଦେଶକ ଚଣ୍ଡିମାଲ୍ ଜୟସିଙ୍ଗେ ପ୍ରଥମ ବିଜେତା ପୁଷ୍ପିତାଙ୍କୁ ମଙ୍ଗଳବାର ତାଙ୍କ ମୁକୁଟ ଫେରାଇ ଦିଆଯାଇଛି ଏବଂ ଏପରି ଏକ ଅଭାବନୀୟ ପରିସ୍ଥିତି ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ଏହାଛଡ଼ା ଏହି ମାମଲାର ତଦନ୍ତ ପାଇଁ ମଧ୍ୟ ନିର୍ଦେଶ ଦିଆଯାଇସାରିଥିବା ଜୟସିଙ୍ଗେ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ