ବାଦ ବିବାଦ
ଟିଏମସି ନେତାଙ୍କ ଘରେ ଇଭିଏମ୍, ଅଧିକାରୀ ନିଲମ୍ବିତ

ପ୍ରତୀକାତ୍ମକ ଫଟୋ
ପଶ୍ଚିମବଙ୍ଗରେ ମଙ୍ଗଳବାର ୩ୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନର ଭୋଟ୍ ଗ୍ରହଣ ଚାଲିଥିବା ବେଳେ ଜନୈକ ଶାସକ ଟିଏମସି ଦଳର ନେତାଙ୍କ ଘରେ ଇଭିଏମ୍ ମିଳିଥିବା ଜଣାପଡ଼ିଛି। ଏହି ଇଭିଏମ୍ ଉକ୍ତ ଟିଏମସି ନେତାଙ୍କ ଘରୁ ମିଳିବା ପରେ ନିର୍ବାଚନ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ତୁରନ୍ତ ନିର୍ବାଚନ କମିଶନ୍ (ଇସି) ନିଲମ୍ବିତ କରିଛନ୍ତି। ଉକ୍ତ ଟିଏମସି ନେତାଙ୍କ ଘରୁ ଇଭିଏମ୍ ସହ ଭିଭିପାଟ୍ ଆଦି ମଧ୍ୟ ଜବତ କରାଯାଇଛି। ଉଲୁବେରିଆ ଆସନ ଅନ୍ତର୍ଗତ ସେକ୍ଟର-୧୭ ବୁଥ୍ରେ ଏପରି ଅନିୟମିତତା ଦେଖାଦେଇଛି। ତେଣୁ ଉକ୍ତ ବୁଥ ଦାୟିତ୍ବରେ ଥିବା ଅଧିକାରୀ ତପନ ସରକାରଙ୍କୁ ଇସି ନିଲମ୍ବନ କରିଛନ୍ତି। ଏହାଛଡ଼ା ଉକ୍ତ ବୁଥରେ ପୁନର୍ବାର ଭୋଟ୍ ଗ୍ରହଣ କରାଯିବା ସକାଶେ ଇସି ନିର୍ଦେଶ ଦେଇଛନ୍ତି। ସରକାର ୩ୟ ପର୍ଯ୍ୟାୟ ନିର୍ବାଚନ ପୂର୍ବଦିନ ଅର୍ଥାତ୍ ସୋମବାର ରାତିରେ ତାଙ୍କର ଜଣେ ବନ୍ଧୁଙ୍କ ଘରେ ରାତି କାଟିଥିଲେ। ଉକ୍ତ ବନ୍ଧୁ ଜଣକ ଟିଏମସିର ଜଣେ ସ୍ଥାନୀୟ ନେତା ହୋଇଥିବାରୁ ସରକାରଙ୍କ ବିରୋଧରେ ପଦକ୍ଷେପ ନିଆଯାଇଛି।
ଅବଶ୍ୟ ଉକ୍ତ ଇଭିଏମ୍ ଓ ଭିଭିପାଟ୍ଗୁଡ଼ିକ ରିଜର୍ଭ ଷ୍ଟକ୍ ଭାବେ ରହିଥିଲା ଓ ସେଗୁଡ଼ିକୁ ୩ୟ ପର୍ଯ୍ୟାୟ ନିର୍ବାଚନରେ ବ୍ୟବହାର କରାଯାଇ ନ ଥିଲା। ତେବେ ଏ ସଂକ୍ରାନ୍ତରେ ଇସି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଏହା ସମ୍ପୂର୍ଣ୍ଣ ଭାବେ ନିର୍ବାଚନ କମିଶନାଙ୍କ ନିର୍ଦେଶନାମାର ଖୋଲାଖୋଲି ଉଲ୍ଲଙ୍ଘନ। ତେଣୁ ଉକ୍ତ ଅଧିକାରୀ ଓ ଏହି ମାମଲା ସହ ଜଡ଼ିତ କୌଣସି ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରାହିଛି ବୋଲି ଇସି କହିଛନ୍ତି। ଇଭିଏମ୍ ଓ ଭିଭିପାଟଗୁଡ଼ିକ ଉଦ୍ଧାର କରାଯିବା ପରେ ସାଧାରଣ ପର୍ଯ୍ୟବେକ୍ଷକ ନୀରଜ ପୱନ୍ ଏହାର ବିଧିବଦ୍ଧ ଯାଞ୍ଚ୍ କରିଛନ୍ତି। ଇଭିଏମ୍ ଓ ଭିଭିପାଟ୍ ମେସିଗୁଡ଼ିକର ସିଲ୍ ଯଥାରୀତି ରହିଛିକି ନାହିଁ ସେ ତଦାରଖ କରିଥିଲେ। ବର୍ତ୍ତମାନ ଉକ୍ତ ଇଭିଏମ୍ ଓ ଭିଭିପାଟ ମେସିନଗୁଡ଼ିକୁ ପର୍ଯ୍ୟବେକ୍ଷକଙ୍କ ଦାୟିତ୍ବରେ ରଖାଯାଇଛି। ସେହିପରି ଉକ୍ତ ବୁଥ ଦାୟିତ୍ବରେ ଥିବା ପୋଲିସ୍ ଅଧିକାରୀଙ୍କୁ ମଧ୍ୟ ଇସି ନିଲମ୍ବନ କରିଛନ୍ତି। ଏହି ଘଟଣାରେ ବିଜେପି ଟିଏମସି ଉପରେ ଭୋଟ୍ ଲୁଟ୍ ପାଇଁ ଉଦ୍ୟମ କରୁଥିବା ଅଭିଯୋଗ ଲଗାଇଛି।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ