ନୂଆଦିଲ୍ଲୀ: ଦେଶରେ କୋରୋନାର ଦ୍ବିତୀୟ ଲହରି ବେଳକୁ ବେଳ ଭୟଙ୍କର ହେଉଥିଲା ବେଳେ ଏବେ କୋରୋନାଜନିତ ମୃତ୍ୟୁ ବି ବଢ଼ିବା ଆରମ୍ଭ କରିଛି। ମାର୍ଚ୍ଚରୁ ପୁଣି ଥରେ ସଂକ୍ରମଣ ବଢ଼ିବା ଆରମ୍ଭ କରିଥିଲେ ବି ମୃତ୍ୟୁହାର ଆରମ୍ଭରୁ ଅପେକ୍ଷାକୃତ କମ ରହିଥିଲା। ମାତ୍ର ଏବେ ଦେଶରେ କୋରୋନା ମୃତ୍ୟୁହାର ବହୁତ ବଢ଼ି ଯାଇଥିବା ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟରୁ ସ୍ପଷ୍ଟ ହୋଇଛି। ମାର୍ଚ୍ଚ ୮ରୁ କୋରୋନା ମୃତ୍ୟୁର ହିସାବକୁ ବିଚାରକୁ ନେଇ କୁହାଯାଇଛି ଯେ ମାସକ ଭିତରେ ମୃତ୍ୟୁହାର ପ୍ରାୟ ୪.୫ ପ୍ରତିଶତ ବଢ଼ିଛି। ମାର୍ଚ୍ଚ ୮ରେ ଦୈନିକ ମୃତ୍ୟୁସଂଖ୍ୟା ୯୬ ରହିଥିଲା ବେଳେ ଏପ୍ରିଲ ୪ରେ ଦୈନିକ ମୃତ୍ୟୁ ୪୨୫କୁ ବଢ଼ିଛି।
ସେହିପରି ଭାବେ ମାର୍ଚ୍ଚ ୨୯ରୁ ଏପ୍ରିଲ ୪ ତାରିଖ ମଧ୍ୟରେ ଦେଶରେ କୋରୋନା ମୃତ୍ୟୁସଂଖ୍ୟା ବଢ଼ି ୨ ହଜାର ୯୭୪ରେ ପହଞ୍ଚିଛି। ଏହା ତା’ର ପୂର୍ବ ସପ୍ତାହ ତୁଳନାରେ ପ୍ରାୟ ୫୯ ପ୍ରତିଶତ ଅଧିକ ବୋଲି ଦର୍ଶାଯାଇଛି। ପୂର୍ବ ସପ୍ତାହରେ କୋରୋନାଜନିତ ମୃତ୍ୟୁ ୧୮୭୫ ରହିଥିଲା ବେଳେ ସପ୍ତାହକ ଭିତରେ ଏହା ପ୍ରାୟ ୧୧ ଶହ ବଢ଼ିବା ଦେଶର କୋରୋନା ମୃତ୍ୟୁ କିପରି ଭାବେ ଉଦବେଗଜନକ ଭାବେ ବଢ଼ୁଛି ତାହାର ପ୍ରମାଣ ମିଳିଛି। ଦେଶରେ ଦୁଇ ଦିନରେ ପ୍ରାୟ ୨ ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବାରୁ ପରବର୍ତ୍ତୀ ସପ୍ତାହରେ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଏକପ୍ରକାର ନିଶ୍ଚିତ ହୋଇଛି।