ମୁଖ୍ୟ ଖବର
ତାମିଲନାଡୁରୁ ୪୨୮ କୋଟିର ସ୍ବର୍ଣ୍ଣାଳଙ୍କାର ଓ ଟଙ୍କା ଜବତ

ତାମିଲନାଡୁରେ ନିର୍ବାଚନ ପୂର୍ବରୁ ଜବତ ହୋଇଥିବା ସ୍ବର୍ଣ୍ଣାଳଙ୍କାର ଓ ନଗଦ ରାଶି
ଚେନ୍ନାଇ: ତାମିଲନାଡୁ ବିଧାନସଭାର ମୋଟ ୨୩୪ ଆସନ ପାଇଁ ଆସନ୍ତା ମଙ୍ଗଳବାର ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ତେବେ ନିର୍ବାଚନ ପୂର୍ବରୁ ରାଜ୍ୟରେ ୪୨୮ କୋଟି ଟଙ୍କା ମୂଲ୍ୟର ସ୍ବର୍ଣ୍ଣାଳଙ୍କାର ଓ ନଗଦ ଟଙ୍କା ଜବତ ହୋଇଛି ବୋଲି ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ କୁହାଯାଇଛି। ଏଥିମଧ୍ୟରେ ନଗଦ ରାଶି ୨୨୫.୫ କୋଟି ଥିବା ବେଳେ ସ୍ବର୍ଣ୍ଣାଳଙ୍କାର ମୂଲ୍ୟ ୧୭୬.୧୧ କୋଟି ଟଙ୍କା ହେବାର ଆକଳନ କରାଯାଇଛି। ଅବଶିଷ୍ଟ ପ୍ରାୟ ୨୬ କୋଟିର ମୂଲ୍ୟବାନ ମଦ ମଧ୍ୟ ଜବତ ହୋଇଛି। ଚେନ୍ନାଇ ସମେତ କୋଏମ୍ବାଟୁର, ତିରୁପୁର ଓ କରୁରରେ ସବୁଠାରୁ ଅଧିକ ପରିମାଣର ଟଙ୍କା ଓ ସ୍ବର୍ଣ୍ଣାଳଙ୍କାର ଜବତ ହୋଇଥିବା କମିଶନ କହିଛନ୍ତି। ଭୋଟରଙ୍କୁ ପ୍ରଭାବିତ କରିବାକୁ ଏହି ଟଙ୍କା ଓ ସ୍ବର୍ଣ୍ଣାଳଙ୍କାର ବ୍ୟବହାର ହୋଇଥାନ୍ତା ବୋଲି କୁହାଯାଉଛି।
ସେହିପରି ଜବତ ସ୍ବର୍ଣ୍ଣାଳଙ୍କାର ଓ ନଗଦ ଟଙ୍କା ସମ୍ପର୍କରେ ସ୍ବତନ୍ତ୍ର ଭାବେ ସୂଚନା ଦେଇ ଇସି କହିଛନ୍ତି ଯେ ୯୧.୫୬ ଲକ୍ଷ ଟଙ୍କା ରାଣୀପେଟ ଜିଲ୍ଲାରୁ, ୧.୨୩ କୋଟି ଟଙ୍କା ଚେନ୍ନାଇର ଥାଉଜେଣ୍ଡ ଲାଇଟ୍ସ ନିର୍ବାଚନମଣ୍ଡଳୀରୁ ଓ ୧.୧୫ କୋଟି ଟଙ୍କା ଭୀରାପାଣ୍ଡି ସାଲେମ୍ ଅଞ୍ଚଳରୁ ଜବତ କରାଯାଇଛି। ଚଳିତ ଥର କମିଶନ ତାମିଲନାଡ଼ୁରେ ୧୦୫ଟି ସମ୍ବେଦନଶୀଳ ନିର୍ବାଚନମଣ୍ଡଳୀ ଚିହ୍ନଟ କରିଛନ୍ତି, ଯେଉଁଠାରେ ଭୋଟ୍ ପୂର୍ବରୁ ଟଙ୍କା କାରବାର ହେବାର ସମ୍ଭାବନା ରହିଛି। ବିଭିନ୍ନ ନିର୍ବାଚନମଣ୍ଡଳୀରେ ଏପରି ପ୍ରକ୍ରିୟାକୁ ରୋକିବା ସକାଶେ ୧୧୮ ଜଣ ଏକ୍ସପେଣ୍ଡିଚର୍ ଅବଜର୍ଭର୍ଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ଇସି ପକ୍ଷରୁ କୁହାଯାଇଛି।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ