ପ୍ରେମ ମାନେନା ସୀମା ସରହଦ୍: ୫୦ ବର୍ଷ ପରେ ଆସିଲା ଲଭ୍ ଲେଟର୍


୫୦ ବର୍ଷ ତଳର ପ୍ରେମିକାଙ୍କ ଚିଠି ପାଇଥିବା ୮୨ ବର୍ଷୀୟ
ପ୍ରେମ ଶାଶ୍ବତ, ପ୍ରେମ ଅଜୟ ଅମର। ପ୍ରେମ ମଣିଷ ଜୀବନକୁ ସମ୍ପୂର୍ଣ୍ଣ ଭାବେ ବଦଳାଇଦିଏ, ଏହା ତ୍ରିବାର ସତ୍ୟ ବୋଲି କହିପାରିବା। ବିଶେଷକରି ନିକଟରେ ରାଜସ୍ଥାନର ୮୨ ବର୍ଷୀୟ ବୃଦ୍ଧ ୫୦ ବର୍ଷ ତଳର ପ୍ରେମିକାଙ୍କଠାରୁ ଲଭ୍ ଲେଟର୍ ପାଇ ସେଇ ପୁରୁଣା ଦିନକୁ ଫେରିଯାଇଛନ୍ତି। କାରଣ ଦୀର୍ଘ ୫ ଦଶନ୍ଧି ପରେ ତାଙ୍କୁ ତାଙ୍କର ବିଦେଶିନୀ ପ୍ରେମିକା ଚିଠି ଲେଖି ଭଲମନ୍ଦ ବୁଝିବା ସହ ପ୍ରତିଦିନ ଟେଲିଫୋନ୍ ଯୋଗେ କଥାବାର୍ତ୍ତା କରୁଥିବା ଜଣାପଡ଼ିଛି। ନିଜ ଭାଗ୍ୟକୁ ଉକ୍ତ ୮୨ ବର୍ଷୀୟ ଗେଟ୍ କିପର୍ ଜଣକ ସହଜରେ ବିଶ୍ବାସ କରିପାରୁନାହାନ୍ତି। ଜୀବନରେ ପିଲାଛୁଆଙ୍କ ଭଲମନ୍ଦ ବୁଝିବା ସହ ସେମାନଙ୍କୁ ବିବାହ କରାଇବା ପରେ ପତ୍ନୀ ଦୁଇ ବର୍ଷ ତଳେ ତାଙ୍କୁ ଛାଡ଼ି ଚାଲିଯାଇଛନ୍ତି। ପିଲାଛୁଆ ନିଜ ଜୀବନରେ ବ୍ୟସ୍ତ ରହିଛନ୍ତି। ଫଳସ୍ବରୂପ ପତ୍ନୀଙ୍କ ଅବର୍ତ୍ତମାନରେ ବୃଦ୍ଧ ଜଣକ ସମ୍ପୂର୍ଣ୍ଣ ଭାବେ ଏକାକୀ ହୋଇଯାଇଥିବା ବେଳେ ଏବେ ତାଙ୍କ ଉଜୁଡ଼ା ଜୀବନରେ ବସନ୍ତ ସାଜି ଆସିଛନ୍ତି ତାଙ୍କର ପୁରୁଣା ଅଷ୍ଟ୍ରେଲୀୟ ପ୍ରେମିକା ମାରିନା। ଏପରି ଏକ ରୋଚକ ଖବର ଫେସବୁକ୍ ପୃଷ୍ଠା ‘ହ୍ୟୁମାନ୍ସ ଅଫ୍ ବମ୍ବେ’ରେ ଗତ ଗୁରୁବାର ସ୍ଥାନ ପାଇଛି ଓ ଫେସବୁକ୍ ୟୁଜରମାନେ ଏହାକୁ ବେଶ୍ ମନଧ୍ୟାନ ଦେଇ ଉପଭୋଗ କରିଛନ୍ତି।

ତାଙ୍କୁ ଯେତେବେଳେ ୩୦ ବର୍ଷ ବୟସ ହୋଇଥିଲା, ସେତେବେଳେ ମାରିନା ଜୈସଲମେର୍‌ରେ ପହଞ୍ଚିଥିଲେ। ଅଷ୍ଟ୍ରେଲିଆରୁ ଭାରତର ସୌନ୍ଦର୍ଯ୍ୟ ଓ ଇତିହାସ ସମ୍ପର୍କରେ ଜାଣିବା ସକାଶେ ଭାରତରେ ପହଞ୍ଚିଥିବା ମାରିନା ଓ ତାଙ୍କୁ ପରିଭ୍ରମଣରେ ସହାୟତା କରିବା ସକାଶେ ଉକ୍ତ ୩୦ ବର୍ଷୀୟ ଯୁବକ ଜଣକଙ୍କ ମଧ୍ୟରେ ପ୍ରଥମ ନଜରରେ ପ୍ରେମ ସମ୍ପର୍କ ସ୍ଥାପିତ ହୋଇଥିଲା। ୭୦ ଦଶକରେ ୫ଦିନିଆ ଗସ୍ତରେ ଆସିଥିବା ମାରିନାଙ୍କୁ ଯୁବକ ଜଣକ ଓଟ ଚଢ଼ିବା ଶିଖାଇଥିଲେ। ଭାରତ ଛାଡ଼ିବା ପୂର୍ବରୁ ମାରିନା ତାଙ୍କୁ ତିନିଟି ମ୍ୟାଜିକାଲ୍ ଶବ୍ଦ ‘ଆଇ ଲଭ୍ ୟୁ’ ବୋଲି କହିଥିଲେ। କିନ୍ତୁ ଯୁବକ ଜଣକ ଏହାର ଜବାବରେ କିଛି ବି କହିପାରି ନ ଥିଲେ। କିନ୍ତୁ ତାଙ୍କ ଖୁସିର ସୀମା ରହି ନ ଥିଲା। ଭାରତ ଛାଡ଼ିବା ପରେ ବି ଉଭୟଙ୍କ ମଧ୍ୟରେ ଚିଠି ଦେଣନେଣ ପର୍ବ ଜାରି ରହିଥିଲା। କିଛି ସପ୍ତାହ ପରେ ମାରିନା ତାଙ୍କୁ ଅଷ୍ଟ୍ରେଲିଆ ଆସିବାକୁ ନିୟନ୍ତ୍ରଣ କଲେ। ଏପରି ନିମନ୍ତ୍ରଣ ପାଇବା ପରେ ଉକ୍ତ ଯୁବକ ଜଣକ ଖୁସିରେ ପାଗଳ ପ୍ରାୟ ହୋଇଯାଇଥିଲେ ଓ ତୁରନ୍ତ ଅଷ୍ଟ୍ରେଲିଆ ଯିବା ସକାଶେ ସମସ୍ତ ପ୍ରକାର ପ୍ରସ୍ତୁତି ସମସ୍ତଙ୍କ ଅଗୋଚରରେ ଆରମ୍ଭ କରିଦେଇଥିଲେ।

ପରିବାର ଲୋକଙ୍କୁ ନ ଜଣାଇ ସେ ୩୦ ହଜାର ଟଙ୍କା ଋଣ କରି ମେଲବର୍ଣ୍ଣ ଯିବା ସକାଶେ ଟିକେଟ୍ ଖରିଦ୍ କରିବା ସହ ଭିସା ପ୍ରସ୍ତୁତ କରିଥିଲେ। ମେଲବର୍ଣ୍ଣରେ ପହଞ୍ଚିବା ପରେ ସେଠାରେ ସେ ଓ ମାରିନା ପାଖାପାଖି ୩ ମାସ ସାଥୀ ହୋଇ ରହିଥିଲେ। ସେଠାରେ ମାରିନା ତାଙ୍କୁ ଇଂରାଜୀ ଶିଖାଇଥିବା ବେଳେ ଯୁବକ ଜଣକ ମାରିନାଙ୍କୁ ଘୁମର୍ ନାଚ ଶିଖାଇଥିଲେ। ତେବେ ଅଚାନକ ଦିନେ ମାରିନା ତାଙ୍କୁ ବିବାହ କରିବା ସକାଶେ ପ୍ରସ୍ତାବ ଦେଲେ। କିନ୍ତୁ ବିବାହ କରିବା ସହ ମାରିନା ତାଙ୍କୁ ଅଷ୍ଟ୍ରେଲିଆରେ ସବୁଦିନ ପାଇଁ ରହିବା ସକାଶେ କହିବା କହିଥିଲେ। ଏଥିରେ କିନ୍ତୁ ଯୁବକ ଜଣକ ରାଜି ହୋଇ ନ ଥିଲେ। କାରଣ ତାଙ୍କ ପରିବାର ସହ ମାତୃଭୂମିଠାରୁ ଦୂରେଇ ରହିବାକୁ ସେ ଚାହୁଁ ନ ଥିଲେ। ତେଣୁ ଉଭୟ ପରସ୍ପରଠାରୁ ଦୂରେଇ ଯିବାକୁ ନିଷ୍ପତ୍ତି ନେଇଥିଲେ। ସେଦିନ ରାତିରେ ବିଚ୍ଛେଦ ବେଦନାରେ ମାରିନା ଖୁବ୍ କାନ୍ଦିଥିଲେ। କିନ୍ତୁ ଶେଷରେ ଯୁବକ ଜଣକ ରାଜସ୍ଥାନ ଫେରିଆସିଥିଲେ। କିଛି ଦିନ ପରେ ପରିବାର ପ୍ରତିପୋଷଣ ପାଇଁ ସେ କୁଲଧାରାରେ ଗେଟ୍ କିପର୍ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ତାଙ୍କର ବିବାହ ମଧ୍ୟ ହୋଇଥିଲା ଓ ସେ ସାଂସାରିକ ଜୀବନରେ ବ୍ୟସ୍ତ ରହିଥିଲେ। କିନ୍ତୁ ମାରିନାଙ୍କୁ ସେ କଦାପି ଭୁଲିପାରି ନ ଥିଲେ। ମାରିନା ତାଙ୍କ ପରି ବିବାହ କରିଥିବେ କି ନାହିଁ, ତାଙ୍କ ସହ ଜୀବନରେ ପୁଣିଥରେ ଭେଟ୍ ହେବ କି ନାହିଁ ବୋଲି ବାରମ୍ବାର ଚିନ୍ତା କରୁଥିଲେ। କିନ୍ତୁ କଦାପି ମାରିନାଙ୍କୁ ଚିଠି ଲେଖିବାକୁ ସାହସ ସଞ୍ଚୟ କରିପାରି ନ ଥିଲେ।

ଇତିମଧ୍ୟରେ ପିଲାପିଲି ସହ ନିଜ ସଂସାରରେ ବ୍ୟସ୍ତ ରହିଲେ ଓ ଦୁଇ ବର୍ଷ ତଳେ ପତ୍ନୀ ମଧ୍ୟ ତାଙ୍କୁ ଛାଡ଼ି ଚାଲିଗଲେ। ଏପରି ଏକ ସମୟରେ ୮୨ ବର୍ଷ ବୟସର ବୃଦ୍ଧ ତାଙ୍କ ଜୀବନରେ ଆଉ କୌଣସି ସରସତା ନାହିଁ ବୋଲି ବିଚାର କରିଥିଲେ। କିନ୍ତୁ ଅଚାନକ ତାଙ୍କ ନିଃସଙ୍ଗ ଜୀବନରେ ପୁଣିଥରେ ରଙ୍ଗ ଭରିଥିଲେ ତାଙ୍କ ପୁରୁଣା ପ୍ରେମିକା ମାରିନା। ପାଖାପାଖି ମାସେ ତଳେ ସେ ଅଚାନକ ମାରିନାଙ୍କ ଚିଠି ପାଇଲେ। ଚିଠିରେ ତାଙ୍କର ଭଲମନ୍ଦ ବୁଝିବା ସହ ପାଖାପାଖି ୫୦ ବର୍ଷ ପରେ ବି ତାଙ୍କୁ ଭୁଲି ନ ଥିବା ଜାଣି ନିଜକୁ ସବୁଠାରୁ ଭାଗ୍ୟବାନ ବ୍ୟକ୍ତି ବୋଲି ବୃଦ୍ଧ ଜଣକ ମନେ କରିଥିଲେ। ଏହାପରେ ବର୍ତ୍ତମାନ ପ୍ରତିଦିନ ଉଭୟ ପରସ୍ପର ସହ କିଛି ସମୟ କଥା ହୋଇ ବେଶ୍ ଖୁସିରେ ଜୀବନ କାଟୁଛନ୍ତି। ତେବେ ସେ ବିବାହ କରିଥିଲେ ମଧ୍ୟ ମାରିନା ଆଜୀବନ ଅବିବାହିତା ରହିଯାଇଛନ୍ତି। ତା’ଛଡ଼ା ଖୁବଶୀଘ୍ର ମାରିନା ଭାରତ ଆସିବେ ବୋଲି କହିବା ପରେ ୮୨ ବର୍ଷୀୟ ବୃଦ୍ଧ ଏବେ ନିଜକୁ ୨୧ ବର୍ଷର ଯୁବକ ବୋଲି ଅନୁଭବ କରୁଥିବା କହିଛନ୍ତି। ରାଜସ୍ଥାନର ଏକ ଅପରିଚିତ ଗ୍ରାମରେ ଗେଟ୍ କିପର୍ କାର୍ଯ୍ୟ କରୁଥିବା ଜଣେ ବୃଦ୍ଧଙ୍କୁ ୫୦ ବର୍ଷ ତଳେ ଭଲ ପାଇଥିବା ଜଣେ ବିଦେଶୀ ଯୁବତୀ ଏବେ ବି ମନେ ରଖିଛନ୍ତି ଓ ତାଙ୍କ ପାଇଁ ବିବାହ ବି କରିନାହାନ୍ତି, ତାହା ନିଶ୍ଚିତ ଭାବେ ଏକ ଆଶ୍ଚର୍ଯ୍ୟଚକିତ କରିବା ଭଳି ବିଷୟ। ତେଣୁ ପ୍ରେମର କୌଣସି ଜାତି ନାହିଁ କି ପରିଚୟ ନାହିଁ କି ପ୍ରେମ କୌଣସି ସୀମା ସରହଦ ମାନେ ନାହିଁ ବୋଲି କହିପାରିବା। ସେହିପରି ପ୍ରେମର ମଧ୍ୟ ଏକ ସ୍ବତନ୍ତ୍ର ଶକ୍ତି ରହିଛି, ଯାହା ୮୨ ବର୍ଷର ବୃଦ୍ଧକୁ ୨୧ ବର୍ଷର ଯୁବକରେ ପରିଣତ କରିଦେଇପାରେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ