୪ ସେକ୍ସ ରାକେଟ୍ ଠାବ: ୩ ମହିଳାଙ୍କ ସମେତ ୮ ଗିରଫ


ଚଢ଼ାଉ କରୁଛି ପୋଲିସ
ସେକ୍ସ ରାକେଟ୍ ଠାବ କରିବାରେ ସମ୍ବଲପୁର ପୋଲିସକୁ ମିଳିଛି ବଡ଼ ସଫଳତା। ସମ୍ବଲପୁରର ଅଇଁଠାପାଲି, ଧନୁପାଲି ଓ ଟାଉନ ଥାନା ଅଞ୍ଚଳର ୪ଟି ଜାଗାରେ  ଚଢ଼ାଉ କରି ପୋଲିସ ୮ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରେ ୩ ଜଣ ମହିଳା ରହିଛନ୍ତି। ଅଭିଯୁକ୍ତମାନଙ୍କ ମଧ୍ୟରେ ପ୍ରାୟତଃ ସମସ୍ତେ ଦଲାଲ ଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରରୁ ଯୁବତୀମାନଙ୍କୁ ଆଣି ଦେହ ବ୍ୟବସାୟ‌ରେ ଲଗାଉଥିବା କୁହାଯାଉଛି।

ସମ୍ବଲପୁର ସହରର ବିଭିନ୍ନ ଅଞ୍ଚଳରେ ବହୁଦିନରୁ ଦେହ ବେପାର ଚାଲିଥିଲା। ଠୋସ୍ ସୂଚନା ମିଳିବା ପରେ ଏସ୍‌ପି ବି.ଗଙ୍ଗାଧରଙ୍କ ନିର୍ଦେଶକ୍ରମେ ୬ଟି ଟିମ୍ ଗଠନ କରାଯାଇଥିଲା। ଗୁରୁବାର ଅପରାହ୍‌ଣରୁ ସହରର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଥିଲା ଚଢ଼ାଉ। ଧନୁପାଲି ଥାନା ଅନ୍ତର୍ଗତ ପୁଟିବନ୍ଧ ଓ ସରଲାକାନି, ଅଇଁଠାପାଲିର ଅନୁଗୁଳିଆ ପଡ଼ା ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ରାତିରେ ପୁଣି ଟାଉନ ଥାନା ଅଞ୍ଚଳର କେତେକ ଜାଗାରେ ଚଢ଼ାଉ ହୋଇଥିଲା। ପୋଲିସ ପୁଟିବନ୍ଧରୁ ଘରମାଲିକ ଏବଂ ଦଲାଲଙ୍କୁ ମିଶାଇ ଦୁଇ ଜଣ ଗିରଫ କରିଛି। ସେହିପରି ସରଲାକାନି ଅଞ୍ଚଳରୁ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ଦେହ ବ୍ୟବସାୟରେ ସଂପୃକ୍ତ ଅଇଁଠାପାଲି ଥାନା ଅଞ୍ଚଳର ଏକ ଦମ୍ପତିଙ୍କୁ ଗିରଫ କରାଯାଇଛି। ଟାଉନ ଥାନା ପୋଲିସ ମଧ୍ୟ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ଅଇଁଠାପାଲି ଥାନା ମାମଲାରେ ଆଇପିସିର ଧାରା ୩୪୨, ୪୧୭, ୩୭୦ ଓ ୩୪ ଦଫା ଲଗାଯାଇଥିବା ବେଳେ ଧନୁପାଲି ଥାନା ପୋଲିସ  ପୁଟିବନ୍ଧ ମାମଲାରେ ଆଇପିସିର ୩୭୦, ୩୪ ଦଫା ଏବଂ ଆଇଟିପି ଆଇନର ୩, ୪, ୫ ଓ ୭ ନମ୍ବର ଦଫା ଲଗାଇଛି। ସରଲାକାନିରୁ ଜଣେ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ନାବାଳିକା ଜଣକ ତାଙ୍କ ସହିତ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଆଇପିସିର ଧାରା ୩୭୦, ୩୭୬ ଏବଂ ପକ୍‌ସୋ ଆଇନର ୪ ଓ ୭ ନମ୍ବର ଧାରା ଲଗାଯାଇଛି। ଟାଉନ ଥାନା ପୋଲିସ  ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଧାରା ୩୭୦, ୧୧୪, ୩୪ ସହିତ ଆଇଟିପି ଆଇନର ୩,୪,୫ ଓ ୭ ଧାରା ଲଗାଯାଇଛି। ଚଢ଼ାଉ ବେଳେ ‌କେତେକ ଆପତ୍ତିଜନକ ସାମଢ଼ା ଜବତ କରାଯାଇଛି।

କିନ୍ତୁ ପୋଲିସ ଚଢ଼ାଉ ପୂର୍ବରୁ ଗ୍ରାହକମାନ‌େ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି। ଏହି ମାମଲାଗୁଡ଼ିକରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ତଦନ୍ତ ଜାରି ରହିଥିବା ପୋଲିସପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି। ଉଦ୍ଧାର କରାଯାଇଥିବା ଯୁବତୀଙ୍କ ମଧ୍ୟରୁ ଜଣେ ବିହାରର ଯୁବତୀ ରହିଛନ୍ତି। ସେ ଝାରସୁଗୁଡ଼ାରେ ରହୁଥିବା ଜଣାପଡ଼ିଛି। ଅନ୍ୟ  ଯୁବତୀ ବରଗଡ଼, ସୋନପୁର, ସମ୍ବଲପୁର ଆଦି ଅଞ୍ଚଳର ହୋଇଥିବା ଜଣାପଡ଼ିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ