ଡିଏମକେ ପ୍ରତିଷ୍ଠାତା ଆନ୍ନାଦୁରାଇଙ୍କ ପ୍ରତିମୂର୍ତ୍ତିକୁ ପୋଡ଼ିଦେଲେ ଦୁର୍ବୃତ୍ତ


ପୋଡ଼ିଯାଇଥିବା ଆନ୍ନାଦୁରାଇଙ୍କ ପ୍ରତିମୂର୍ତ୍ତି, ପୋଲିସକୁ ସ୍ମାରକପତ୍ର ଦେଉଛନ୍ତି ସ୍ଥାନୀୟ ଜନସାଧାରଣ
ତାମିଲନାଡ଼ୁରେ ବିଧାନସଭା ନିର୍ବାଚନ ପାଇଁ ଆଉ ମାତ୍ର ସପ୍ତାହେରୁ ବି କମ୍ ସମୟ ବାକି ଥିବା ବେଳେ କେତେକ ଦୁର୍ବୃତ୍ତ ଡିଏମକେର ପ୍ରତିଷ୍ଠାତା ସିଏନ୍ ଆନ୍ନାଦୁରାଇଙ୍କ ପ୍ରତିମୂର୍ତ୍ତିକୁ ପୋଡ଼ିଦେଇଛନ୍ତି। ଏହି ଘଟଣା ପରେ ତାମିଲନାଡ଼ୁର କାଲାକୁରିଚି ଜିଲ୍ଲାରେ ଉତ୍ତେଜନା ଲାଗି ରହିଛି। ତାମିଲନାଡ଼ୁର ଏହି ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ କେତେକ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ଅନ୍ୟପକ୍ଷରେ କାଲାକୁରିଚି ପୋଲିସ୍ ସ୍ଥାନୀୟ ଅଞ୍ଚଳରେ ଉପଲବ୍ଧ ସିସିଟିଭି କ୍ୟାମେରାର ଭିଡିଓ ଫୁଟେଜ୍ ସଂଗ୍ରହ କରି ଦୁର୍ବ୍‌ତ୍ତମାନଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ ଚଳାଇଛି। ବିଭିନ୍ନ ରାଜନୈତିକ ଦଳର ନେତାମାନେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀମାନଙ୍କୁ କଠୋର ଦଣ୍ଡ ବିଧାନ କରିବା ସକାଶେ ପୋଲିସ୍‌କୁ ସ୍ମାରକପତ୍ର ମଧ୍ୟ ପ୍ରଦାନ କରିଛନ୍ତି। ଆନ୍ନାଦୁରାଇ ଦ୍ରାବିଡ ଆନ୍ଦୋଳନର ମୁଖ୍ୟ ପୁରୋଧା ଥିବା ବେଳେ ୧୯୬୭ରୁ ୧୯୬୯ ପର୍ଯ୍ୟନ୍ତ ତତ୍କାଳୀନ ମାଡ୍ରାସର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଏହାପରେ ସେ ତାମିଲନାଡ଼ୁର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଶାସନ କରିଥିଲେ।

ଦ୍ରାବିଡ ଆନ୍ଦୋଳନ ସହ ଜଡ଼ିତ ଦୁଇ ଜଣ ବିଶିଷ୍ଟ ବ୍ୟକ୍ତି କେ. କରୁଣାନିଧି ଓ ଏମଜି ରାମଚନ୍ଦ୍ରନ୍‌ଙ୍କ ପାଇଁ ସେ ମେଣ୍ଟର ଭାବେ କାର୍ଯ୍ୟ କରିଥିଲେ। ତାଙ୍କୁ ତାଙ୍କର ସମର୍ଥକମାନେ ସ୍ନେହରେ ଆନ୍ନା ବୋଲି ସମ୍ବୋଧନ କରୁଥିଲେ। ଏହି ଘଟଣା ପରେ ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ୍ କହିଛନ୍ତି ଯେ ତାମିଲନାଡ଼ୁରେ ଏପରି ଅଘଟଣ ଘଟାଇ ଯେଉଁମାନେ ହିଂସାକାଣ୍ଡ ଭିଆଇବାକୁ ଉଦ୍ୟମ କରୁଛନ୍ତି, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି। ରାଜ୍ୟରେ ପେରିୟାର୍, ଆନ୍ନା, ଏମଜିଆରଙ୍କ ପ୍ରତିମୂର୍ତ୍ତି ପ୍ରତି ଅସମ୍ମାନ ପ୍ରଦର୍ଶନ କରାଯାଉଥିଲେ ହେଁ ରାଜ୍ୟ ସରକାର ଏଥିପ୍ରତି ଆଖିବୁଜି ଦେଇଛନ୍ତି। ଏହା ନିହାତି ଲଜ୍ଜାକର ବିଷୟ ବୋଲି ଷ୍ଟାଲିନ୍ କହିଛନ୍ତି। ସୂଚନାଯୋଗ୍ୟ ଯେ ଗତ ବର୍ଷ ସେପ୍ଟେମ୍ବରରେ ଦ୍ରାବିଡ ଆଇକନ୍ ପେରିୟାର ଇଭି ରାମାସାମିଙ୍କ ତ୍ରିଚି ଜିଲ୍ଲାସ୍ଥିତ ପ୍ରତିମୂର୍ତ୍ତିକୁ କେତେକ ଦୁର୍ବ୍‌ତ୍ତ ଅସମ୍ମାନିତ କରିଥିଲେ। ଉକ୍ତ ପ୍ରତିମୂର୍ତ୍ତିରେ ଗେରୁଆ ରଙ୍ଗ ବୋଳିବା ସହ ତାଙ୍କ ବେକରେ ଜୋତା ମାଳ ପିନ୍ଧାଇଦେଇଥିଲେ। ଏହାଛଡ଼ା ଗତ ବର୍ଷ ଜୁଲାଇରେ ତାମିଲନାଡ଼ୁର କୋଏମ୍ବାଟୁର ଅନ୍ତର୍ଗତ ସୁନ୍ଦରପୁରମ୍‌ଠାରେ ଥିବା ପେରିୟାରଙ୍କ ଏକ ପ୍ରତିମୂର୍ତ୍ତିକୁ କେତେକ ଅସାମାଜିକ ଯୁବକ ଭାଙ୍ଗିରୁଜି ପକାଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ