ଭାରତରେ ଦୁନିଆର ସବୁଠୁ ମହଙ୍ଗା ପରିବା ଫଳାଇ ଅମରେଶ ଏବେ ଗେମ୍‌ ଚେଞ୍ଜର୍‌

ଲକ୍ଷେ ଟଙ୍କିଆ ଏହି ପରିବାରେ ରହିଛି ଅନେକ ଔଷଧୀୟ ଗୁଣ

ହପ୍‌ ଶୁଟ୍‌ସ ଚାଷ କରୁଥିବା ଚାଷୀ ଅମରେଶ ସିଂ
ବର୍ତ୍ତମାନ ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅହେତୁକ ଦରଦାମ୍‌ ବୃଦ୍ଧି ସାଧାରଣ ଲୋକଙ୍କ ମୁଣ୍ଡରେ ଚଡ଼କ ପକାଇଛି। ପେଟ୍ରୋଲ୍‌, ଡିଜେଲ୍‌ଠାରୁ ଆରମ୍ଭ କରି ଆଳୁ, ପିଆଜ ଓ ତେଲ, ଲୁଣ ଦର ଆକାଶ ଛୁଇଁଛି। ଦରଦାମ୍‌ ବୃଦ୍ଧି କାରଣରୁ ବିଗିଡ଼ିବାରେ ଲାଗିଛି ହାଣ୍ଡିଶାଳର ବଜେଟ୍‌। କ’ଣ କିଣିବେ, କ’ଣ ନାହିଁ, ତାକୁ ନେଇ ଏକାଧିକ ଥର ଭାବିବାକୁ ପଡ଼ୁଛି। ଦରଦାମ ବୃଦ୍ଧିକୁ ନେଇ ସମସ୍ତେ ଚିନ୍ତିତ ଥିବା ବେଳେ ଏବେ ଏକ ପରିବାର ଦେଶବ୍ୟାପୀ ଚର୍ଚ୍ଚାରେ ରହିଛି। ଯାହାର ମୂଲ୍ୟ ଶୁଣିଲେ ଆପଣଙ୍କ ହୋଶ୍‌ ଉଡ଼ିଯିବ। ଏହାର ମୂଲ୍ୟ ସୁନାଠାରୁ ମଧ୍ୟ ଅଧିକ ବେଶୀ। ଏହି ପରିବାର ନାଁ ହେଉଛି ‘ହପ୍ ଶୁଟ୍‌ସ‌‌’। ଏହାର କିଲୋପିଛା ଦାମ୍‌ ୧ ଲକ୍ଷ ଟଙ୍କା ରହିଛି। ବିଶ୍ବାସ ହେଉ ନ ଥିଲେ ମଧ୍ୟ ସତ୍ୟ। ଏହାକୁ ବିଶ୍ୱର ସବୁଠାରୁ ମହଙ୍ଗା ପରିବା ବୋଲି ମଧ୍ୟ କୁହାଯାଉଛି। ଏହି ପରିବାକୁ ଚାଷ କରି ବିହାର ଔରଙ୍ଗାବାଦର ଅମରେଶ ସିଂ ନାମକ ଜଣେ ଚାଷୀ ଏବେ ଚର୍ଚ୍ଚାକୁ ଆସିଛନ୍ତି। ଏହାକୁ ସଫଳତାର ସହ ଫଳାଇ ସେ ତାଙ୍କ ଆର୍ଥିକ ଅବସ୍ଥାରେ ସ୍ବଚ୍ଛଳତା ଆଣିବା ସହ ଶତାଧିକ ଚାଷୀଙ୍କୁ ପ୍ରଶିକ୍ଷଣ ଦେଇ ଗେମ୍‌ ଚେଞ୍ଜର ପାଲଟିଛନ୍ତି। ତେବେ ଏହି ମହଙ୍ଗା ପରିବା ଯେ କେବଳ ଖାଇବା ଉପଯୋଗୀ ହୋଇଥାଏ, ତାହା ନୁହେଁ। ଏହାକୁ ବିୟର, ମେଡିସନ୍‌ ପ୍ରସ୍ତୁତ ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ। ଏହାର ଫଳର ଚାହିଦା ସର୍ବାଧିକ ଥିବାବେଳେ ଫୁଲ, ପତ୍ର ଏବଂ ଡାଳ ମଧ୍ୟ ବେଶ୍‌ ଉପଯୋଗୀ ହୋଇଥାଏ। ସବୁଠୁମହଙ୍ଗା ହେବା ସତ୍ତ୍ବେ ଏହି ପରିବାର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି।

ହପ୍ ଶୁଟ୍‌ସ କ’ଣ?
ହପ୍ ଶୁଟ୍‌ସ ହେଉଛି ଏକ ଔଷଧୀୟ ଉଦ୍ଭିଦ। ଶୀତଦିନେ ପଡ଼ୁଥିବା କୁହୁଡ଼ିରେ ଏହା ମରିଯାଉଥିବା ବେଳେ ମାର୍ଚ୍ଚରେ ଗରମ ଆରମ୍ଭ ହେବା ପରେ ଏହା ପୁଣି ଥରେ ଉଠିବା ଆରମ୍ଭ କରେ। ହପ୍ ଶୁଟ୍‌ସ ଚାଷ ପାଇଁ ବସନ୍ତ ଋତୁ ସବୁଠାରୁ ବେଶ ଅନୁକୁଳ ବୋଲି କୁହାଯାଏ। ଗଛ ଉଠିବା ସମରେ ଏହାର ରଙ୍ଗ ବାଇଗଣୀ ହୋଇଥାଏ। କିନ୍ତୁ କିଛି ଦିନ ପରେ ଏହା ଉଜ୍ଜ୍ୱଳ ସବୁଜ ରଙ୍ଗରେ ବଦଳି ଯାଇଥାଏ। ଏହି ଉଦ୍ଭିଦଗୁଡ଼ିକ ଆର୍ଦ୍ରତା ଏବଂ ସୂର୍ଯ୍ୟ କିରଣ ପାଇବା ମାତ୍ରେ ଦ୍ରୁତ ଗତିରେ ବଢ଼ିଥାନ୍ତି। ଏହାର ଫଳର ଚାହିଦା ସର୍ବାଧିକ ଥିବାବେଳେ ଫୁଲ, ପତ୍ର ଏବଂ ଡାଳ ମଧ୍ୟ ବେଶ୍‌ ଉପଯୋଗୀ ହୋଇଥାଏ। ଏହି ପରିବା ମହଙ୍ଗା ହେବାର କାରଣ ହେଉଛି ଏଥିରେ ଅନେକ ଔଷଧୀୟ ଗୁଣ ରହିଛି। ବାସ୍ତବରେ ଅନେକ ପ୍ରକାରର ଆଣ୍ଟିବାୟୋଟିକ୍ ହପ୍ ଶୁଟ୍‌ସରେ ମିଳିଥାଏ। ଏହା ଅନେକ ଔଷଧ ତିଆରିରେ ବ୍ୟବହୃତ ହୁଏ। ଜର୍ମାନୀରେ ଏହାର ଡାଳରୁ ଚାମଚ ତିଆରି କରାଯାଏ, ଯାହାକୁ ସେଠାକାର ଲୋକମାନେ ପସନ୍ଦ କରନ୍ତି। ଏହି ପରିବା ସମ୍ଭବତଃ ଆପଣ କୌଣସି ଷ୍ଟୋର୍‌ କିମ୍ବା ବଜାରରେ ଦେଖିବାକୁ ପାଇବେ ନାହିଁ। କାରଣ ଏହାକୁ ସାଧାରଣ ପରିବାର ଭଳି ବଜାରରେ ବିକ୍ରି କରାଯାଏ ନାହିଁ। ୟୁରୋପୀୟ ଦେଶରେ ବହୁଳ ମାତ୍ରାରେ ଏହି ପରିବା ଚାଷ କରାଯାଏ। ବ୍ରିଟେନ୍‌ ଓ ଜର୍ମାନୀରେ ଲୋକେ ଏହି ପରିବାକୁ ବହୁତ ପସନ୍ଦ କରନ୍ତି।

ସ୍ବାସ୍ଥ୍ୟ ପାଇଁ ଲାଭକାରୀ
ବୈଜ୍ଞାନିକମାନେ ହଟ୍‌ ଶୁଟ୍‌ସରେ ଥିବା ଏକାଧିକ ରାସାୟନିକ ପଦାର୍ଥ ଆବିଷ୍କାର କରିଛନ୍ତି। ଯାହା ମେନୋପୋଜର ଲକ୍ଷଣ ହ୍ରାସ କରିବାରେ ସାହାଯ୍ୟ କରେ। କେବଳ ଏତିକି ନୁହେଁ, ଏହା କର୍କଟ କୋଷର ବିସ୍ତାରକୁ ରୋକିବାରେ ମଧ୍ୟ ସାହାଯ୍ୟ କରିଥାଏ। କିଙ୍ଗ୍‌ କଲେଜ୍‌ ଅଫ୍‌ ଲଣ୍ଡନ୍‌ର ପ୍ରଫେସର ଷ୍ଟୁଆର୍ଟ ମିଲିଗାନ୍‌ ଏହି ହପ୍ ଶୁଟ୍‌ସରୁ ଏକ ହର୍ମୋନ୍ ବୃଦ୍ଧିକାରୀ ସକ୍ରିୟ ପଦାର୍ଥ ଆବିଷ୍କାର କରିଥିଲା। ଏହି ରାସାୟନିକ ପଦାର୍ଥରେ ମହିଳା ପାଇଁ ଶକ୍ତିଶାଳୀ ଫାଇଟୋ ଇଷ୍ଟ୍ରୋଜେନ୍ ହରମୋନ୍ ସୃଷ୍ଟି କରିବାର କ୍ଷମତା ରହିଛି। ଅନିଦ୍ରା ଦୂର କରିବାରେ ହପ୍ ଶୁଟ୍‌ସ ମଧ୍ୟ ସହାୟକ ହୋଇଥାଏ। ଯେଉଁମାନଙ୍କୁ ରାତିରେ ଭଲ ନିଦ ହୁଏ ନାହିଁ, ଶୋଇଲା ବେଳେ ମୁଣ୍ଡପାଖରେ ହପ୍‌ ଶୁଟ୍‌ସ ରଖି ଶୋଇଥିଲେ ଭଲେ ନିଦ ହୋଇଥାଏ। ଏଥିସହ ହପ୍‌ର ଶୁଟ୍‌ସ୍‌ ସୁପ୍‌ ପିଇବା ଦ୍ବାରା ମଧ୍ୟ ନିଦ୍ରାହୀନତାର ସମସ୍ୟା ଦୂର କରିଥାଏ। ହପ୍‌ ହଜମ କରିବାରେ ମଧ୍ୟ ସହାୟକ ହୋଇଥାଏ। ମଦ୍ୟପାନରୁ ମୁକ୍ତି ପାଇବା ପାଇଁ ଏହା ଉଭୟ ପାରମ୍ପରିକ ଚାଇନିଜ୍ ମେଡିସିନ୍ ଏବଂ ଦେଶୀ ଆମେରିକୀୟ ମେଡିସିନ୍‌ ଭାବେ ଦୀର୍ଘଦିନ ଧରି ବ୍ୟବହୃତ ହୋଇଆସୁଛି। ଚୀନ୍‌ର ଡାକ୍ତରମାନେ ଯକ୍ଷ୍ମା ଚିକିତ୍ସା ପାଇଁ ହପ୍‌ ଶୁଟ୍‌ସକୁ ଆଣ୍ଟିବାୟୋଟିକ୍ ଭାବରେ ବ୍ୟବହାର କରନ୍ତି।

ହପ୍‌ ଶୁଟ୍‌ସରୁ ପ୍ରସ୍ତୁତ ହୁଏ ବିୟର, ଔଷଧ ଓ ଆଚାର

ହପ୍ ଶୁଟ୍‌ସର ସବୁଠାରୁ ବଡ଼ କ୍ରେତା ହେଲା ଆମେରିକା। ଏହି ପରିବା ବଜାରରେ ଉପଲବ୍ଧ ହୁଏନାହିଁ। ଆଣ୍ଟିବାୟୋଟିକ୍ ଔଷଧ ତିଆରି କରିବା ପାଇଁ ଏହି ପରିବା ବ୍ୟବହାର କରାଯାଏ। ଟିବି ଚିକିତ୍ସା ପାଇଁ ହପ୍ ଶୁଟ୍‌ସରେ ତିଆରି ଔଷଧ ପ୍ରଭାବଶାଳୀ ପ୍ରମାଣିତ ହୋଇଥାଏ। ଏହାର ଡାଳରୁ ପ୍ରସ୍ତୁତ ମେଡିସିନ୍‌ ଯକ୍ଷ୍ମା ଚିକିତ୍ସାରେ ଯଥେଷ୍ଟ ପ୍ରଭାବଶାଳୀ। ୟୁରୋପୀୟ ଦେଶଗୁଡ଼ିକରେ ‘ହର୍ବାସ୍’ ନାମରେ ହପ୍ ଶୁଟ୍‌ସ ମଧ୍ୟ ଲୋକପ୍ରିୟ। ସେଠାରେ ଚର୍ମକୁ ଚମକାଇବା ପାଇଁ ସେଠାରେ ବ୍ୟବହୃତ ହୁଏ। ଏହାର ଫୁଲ ବିୟର ତିଆରି ପାଇଁ ବ୍ୟବହାର କରଯାଏ। ବିୟରରେ ସ୍ବାଦ ପାଇଁ ଏହାକୁ ବ୍ୟବହାର କରାଯାଏ। ଏଥିରୁ ପ୍ରସ୍ତୁତ ଔଷଧ ହଜମ ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରିବା ସହିତ ଉଦାସୀନତା, ଚିନ୍ତା ଏବଂ ଅନିଦ୍ରା ସମସ୍ୟାକୁ ମଧ୍ୟ ଭଲ କରିଥାଏ। ଏହାର ଫୁଲକୁ ହପ୍ କୋନ୍ସ କୁହାଯାଏ। ବାକିତକ ଅଂଶ ଖାଇବାରେ ଉପଯୋଗ କରାଯାଇଥାଏ। ଏଥିରେ ଆଚାର ମଧ୍ୟ ତିଆରି କରାଯାଏ। ଏହି ଆଚାର ମଧ୍ୟ ବହୁତ ମହଙ୍ଗା ହୋଇଥଏ।

ହପ୍ ଶୁଟ୍‌ସ ଚାଷ କରି ଚର୍ଚ୍ଚାରେ ଅମରେଶ
ଏହି ମହଙ୍ଗା ପରିବା ଦେଖିବାକୁ ହେଲେ ଆପଣଙ୍କୁ ଔରଙ୍ଗାବାଦ ସ୍ଥିତ କରମଡ଼ି ଗ୍ରାମରେ ରହୁଥିବା ଚାଷୀ ଅମରେଶ କୁମାର ସିଂଙ୍କ କ୍ଷେତକୁ ଯିବାକୁ ପଡ଼ିବ। କାରଣ ଅମରେଶ ତାଙ୍କ କ୍ଷେତରେ ଫଳାଇଛନ୍ତି ଏହି ପରିବା। ୪ ଲକ୍ଷ ଟଙ୍କା ବିନିଯୋଗ କରି ଅମରେଶ ତାଙ୍କର ପାଞ୍ଚ ଏକର ଜମିରେ ଏହି ପରିବା ଚାଷ ଆରମ୍ଭ କରିଛନ୍ତି। ପ୍ରାରମ୍ଭରେ ଅମରେଶ ଏହାକୁ ଚାଷ କରିବାକୁ ପସନ୍ଦ କରୁ ନ ଥିଲେ। ମାତ୍ର କିଛି ମାସ ପରେ ଅମଳ ବୃଦ୍ଧି ପାଇଲା ଏବଂ ଆମେରିକାରୁ ଚାହିଦା ଆସିବା ଆରମ୍ଭ ହେଲା। ତା’ପରେ ଆମରେଶଙ୍କ ଉତ୍ସାହ ଏବଂ ଲାଭ ବହୁଗୁଣିତ ହେଲା। ଅମରେଶଙ୍କ ସମସ୍ତ ଅମଳ ବର୍ତ୍ତମାନ ଆମେରିକାରେ ବିକ୍ରି ହେଉଛି। ଏକ କିଲୋଗ୍ରାମ ‘ହପ୍ ଶୁଟ୍‌ସ’ର ହାରାହାରି ମୂଲ୍ୟ ୮୦ ହଜାରରୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସେ ବିକ୍ରି କରି ବାର୍ଷିକ ପାଖାପାଖି ୪୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।

୨୦୧୫ରୁ କରିଥିଲେ ହପ୍‌ ଶୁଟ୍‌ସ ଚାଷ
ବିହାରର ଔରଙ୍ଗାବାଦରେ ରହୁଥିବା ଅମରେଶ ସିଂ ଏକ ସାଧାରଣ ଚା‌ଷୀ। ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିବା ଅମରେଶ ଚାଷରେ ହିଁ ନିଜର କ୍ୟାରିୟର ତିଆରି କରିଛନ୍ତି। ୨୦୧୫ ପର୍ଯ୍ୟନ୍ତ ଅମରେଶ ଅନ୍ୟ ଚାଷୀଙ୍କ ପରି ସାଧାରଣ ଚାଷ କରୁଥିଲେ। କିନ୍ତୁ ଏଥିରେ କୌଣସି ଲାଭ ପାଉ ନ ଥିଲା। ତେବେ କୃଷି ବୈଜ୍ଞାନିକ ଡକ୍ଟର ରାମକିଶୋରୀ ଲାଲଙ୍କୁ ଭେଟି ଅମରେଶ ଚାଷ କରିବାର ପ୍ରଣାଳୀ ଶିଖିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଏହାପରେ ଲାଲ ତାଙ୍କୁ ହପ୍‌ ଶୁଟ୍‌ସ ଚାଷ କରିବା ପାଇଁ ପରାମର୍ଶ ଦେଇଥିଲେ। ପ୍ରଥମ ଥର ପାଇଁ ଅମରେଶ ଏହି ପରିବାର ନାମ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିନ୍ତୁ ପରେ ଡକ୍ଟର ଲାଲ ହିମାଚଳ ପ୍ରଦେଶରୁ ଏହାର ଚାରା ଆଣି ଅମରେଶଙ୍କୁ ଦେଇଥିଲେ ଏବଂ ଏହାର ଚାଷ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେଇଥିଲେ। ଏହାପରେ ଅରମେଶ ଆରମ୍ଭ କରିଥିଲେ ହଟ୍‌ ଶୁଟ୍‌ସ ଚାଷ। ଏବେ ହଟ୍‌ ଶୁଟ୍‌ସ ଚାଷ କରି ସେ ଜଣେ ସଫଳ ଚାଷୀ ହୋଇପାରିଛନ୍ତି। ଏବେ ଅମରେଶଙ୍କ ନାମ ଦେଶର ପ୍ରଗତିଶୀଳ ଚାଷୀଙ୍କ ତାଲିକାରେ ରହିଛି। ସେ ଶହେରୁ ଅଧିକ ଚାଷୀଙ୍କୁ ପ୍ରଶିକ୍ଷଣ ମଧ୍ୟ ଦେଇ ସାରିଲେଣି।

ମୋଦୀଙ୍କ ନିକଟରେ ଅପିଲ୍‌
ଏହାକୁ ଚାଷ କରୁଥିବା କୃଷକ ଅମରଶ ସିଂ କହିଛନ୍ତି, ୬୦ ପ୍ରତିଶତରୁ ଅଧିକ ହପ୍ ଶୁଟ୍‌ସ ଚାଷ ସଫଳ ହୋଇଛି। ଏଥିପାଇଁ ସେ ଖୁସି। ଭାରତରେ ହପ୍‌ ଶୁଟ୍‌ସ ଚାଷକୁ ଅଧିକ ବ୍ୟାପକ କରିବା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ନିବେଦନ କରିଛନ୍ତି। ଯଦି ପ୍ରଧାନମନ୍ତ୍ରୀ ମୋଦୀ ହପ୍ ଶୁଟ୍‌ସ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ବିଶେଷ ବ୍ୟବସ୍ଥା କରନ୍ତି, ତେବେ କିଛି ବର୍ଷ ମଧ୍ୟରେ ଅନ୍ୟ କୃଷକମାନେ ମଧ୍ୟ ଏହାକୁ ଚାଷ କରି ବେଶ୍‌ ଲାଭାବାନ ହୋଇପାରନ୍ତେ ବୋଲି ଅମରେଶ କହିଛନ୍ତି।

ହିମାଚଳରେ ବି ହେଉଥିଲା ଚାଷ
ବ୍ରିଟେନ୍‌, ଜର୍ମାନୀ ଏବଂ ଅନ୍ୟ ୟୁରୋପୀୟ ଦେଶରେ ହପ୍‌ ଶୁଟ୍‌ସ ଚାଷ କରାଯାଉ ଥିବାବେଳେ ପୂର୍ବରୁ ଭାରତର ହିମାଚଳ ପ୍ରଦେଶରେ ମଧ୍ୟ ଏହି ପରିବା ଚାଷ କରାଯାଉଥିଲା। କିନ୍ତୁ ଅଧିକ ମୂଲ୍ୟ ହେତୁ ଏହାର ମାର୍କେଟିଂ ଠିକ୍ ଭାବରେ ହୋଇପାରିଲା ନାହିଁ ଏବଂ ପରେ ଚାଷ ବନ୍ଦ ହୋଇଗଲା। ହପ୍ ଶୁଟ୍‌ସ ପରି ଭାରତରେ ଏପରି ଆଉ ଏକ ବିରଳ ପରିବା ଦେଖିବାକୁ ମିଳେ। ଯାହା ରୂପ ଆଉ ଗୁଣ ହପ୍ ଶୁଟ୍‌ସ ସହିତ ସମାନ। ଏହି ପରିବାର ନାମ ହେଉଛି ଗୁଚି। ଏଥିରେ ଥିବା ଔଷଧୀୟ ଗୁଣ ଯୋଗୁ ଏହା କିଲୋଗ୍ରାମରେ ୩୦ରୁ ୪୦ ହଜାର ଟଙ୍କାରେ ବିକ୍ରି ହୁଏ। ଏହା ଶିମଲାରେ ମିଳିଥାଏ। କୁହାଯାଏ ଯେ ଏହାକୁ ଖାଇବା ଦ୍ୱାରା ହୃଦ୍‌ଘାତ ହୁଏ ନାହିଁ। କାରଣ ଏଥିରେ ଭିଟାମିନ୍ ବି, ଡି, ସି ଏବଂ କେ ଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ