ଯୁବାବସ୍ଥାରେ ଆସୁଥିବା ସମସ୍ୟାର ଏପରି କରନ୍ତୁ ସମାଧାନ


ପ୍ରତୀକାତ୍ମକ ଫଟୋ
ଜୀବନରେ ତିନୋଟି ସ୍ତର ଦେଇ ଗତି କରିବାକୁ ପଡ଼େ। ପ୍ରଥମତଃ ପିଲା, ଦ୍ବିତୀୟତଃ ଯୁବାବସ୍ଥା ଏବଂ ତୃତୀୟରେ  ବାର୍ଦ୍ଧକ୍ୟାବସ୍ଥା। ପିଲାଦିନ ଅତିକ୍ରମ କରିବା ପରେ ଯେତେବେଳେ ଯୁବାବସ୍ଥାରେ ପହଞ୍ଚନ୍ତି, ପ୍ରାକୃତିକ ଭାବେ ଜୀବନ ସହିତ ଶାରୀରିକ ଭାବେ ଅନେକ ପ୍ରକାରର ପରିବର୍ତ୍ତନ ଆସିଥାଏ। ତେଣୁ କିଶୋରାବସ୍ଥା ଏବଂ ଯୁବାବସ୍ଥାରେ ପିଲାଙ୍କ ଧ୍ୟାନ ରଖିବା ନିହାତି ଆବଶ୍ୟକ। କାରଣ ଏହି ପରିବର୍ତ୍ତନ ସମ୍ପର୍କରେ ପିଲାମାନେ ହଠାତ୍‌ ଠିକ୍‌ ଭାବେ ବୁଝିପାରନ୍ତି ନାହିଁ। ସେମାନଙ୍କ ମନରେ ଅନେକ ପ୍ରକାରର ପ୍ରଶ୍ନ ଉଠେ। ଯାହା ସମ୍ପର୍କରେ ନିଜ ମା’ ବାପାଙ୍କ ସହ ଆଲୋଚନା କରିବା ପାଇଁ ସେମାନେ ସଙ୍କୋଚ ଅନୁଭବ କରନ୍ତି। ତେଣୁ ମା’ ବାପା ପିଲାଙ୍କ ଏହି ସମ୍ବେଦନଶୀଳ ସୋପାନରେ ସେମାନଙ୍କ ମନରେ ଉଠୁଥିବା ପ୍ରଶ୍ନର ସମାଧାନ କରିବା ଉଚିତ। ଯାହା ସେମାନଙ୍କୁ ଭବିଷ୍ୟତରେ ଅନେକ ସହାୟତା କରିବ।

ଶାରୀରିକ ପରିବର୍ତ୍ତନ
ପିଲାମାନେ ଯେତେବେଳେ କିଶୋରାବସ୍ଥାରେ ପାଦ ରଖନ୍ତି, ସେମାନଙ୍କଠାରେ ଶାରୀରିକ ଭାବେ ଅନେକ ପରିବର୍ତ୍ତନ ଦେଖାଯାଏ। ଯାହାକୁ ଅନୁଭବ କରି ସେମାନେ ବ୍ୟସ୍ତବିବ୍ରତ ହୋଇ ପଡ଼ନ୍ତି। ସେମାନଙ୍କ ମନରେ ନିଜକୁ ନେଇ ଅନେକ ପ୍ରକାରର ପ୍ରଶ୍ନ ଉଠେ। ତେଣୁ ମା’ ବାପା ସେମାନଙ୍କୁ ବୁଝାନ୍ତୁ ଯେ ଏଥିରେ ଡରିବାର କିଛି ନାହିଁ। ସମସ୍ତେ ସେହି ସମାନ ଅବସ୍ଥା ଦେଇ ଗତି କରିଛନ୍ତି। ଏହିଭଳି ପରିବର୍ତ୍ତନ ସମସ୍ତଙ୍କ ଜବୀନରେ ଘଟେ। ଏଥିରେ ଡରିବାର କିଛି ନାହିଁ।

ଋତୁସ୍ରାବ
ଝିଅମାନଙ୍କୁ ମା’ମାନେ ପୂର୍ବରୁ ମାସିକ ଋତୁସ୍ରାବ ସମ୍ପର୍କରେ କିଛି କିଛି ଧାରଣା ଦେବା ଉଚିତ। କିଶୋରାବସ୍ଥାରେ ପଦାର୍ପଣ କରୁଥିବା ଝିଅ ସହିତ ବନ୍ଧୁତ୍ବପୂର୍ଣ୍ଣ ବ୍ୟବହାର ପ୍ରଦର୍ଶନ କରନ୍ତୁ। ତାଙ୍କୁ ସହାୟତା କରନ୍ତୁ। ଯାହାଫଳରେ ଋତୁସ୍ରାବ ଆରମ୍ଭ ହୋଇଗଲେ ଝିଅଟି ହଠାତ ଡରିଯିବ ନାହିଁ।

ଯୌବନର ଅନୁଭବ
ଏହି ସମୟରେ ପିଲାଙ୍କ ସ୍ବରରେ କିଛିଟା ପରିବର୍ତ୍ତନ ହୋଇଥାଏ। ଏହି ଯୌବନାବସ୍ଥାରେ ପିଲାଙ୍କୁ ପ୍ୟୁବିକ୍‌ ହେୟାର, ମୁହଁରେ ବ୍ରଣ ହେବା, ହରମୋନ୍‌ରେ ଅସନ୍ତୁଳନ ଭଳି ଅନେକ ପରିବର୍ତ୍ତନର ସାମ୍ନା କରିବାକୁ ପଡ଼େ। ଯାହାକୁ ପିଲାରୁ କିଶୋରାବସ୍ଥାରେ ପାଦ ରଖିଥିବା ପିଲାଟି ହଠାତ୍‌ ବୁଝି ପାରେ ନାହିଁ। ତେଣୁ ଏହି ସମୟରେ ମା’ବାପା କୌଣସି ଲାଜ ନ ରଖି ପିଲାଙ୍କୁ ବନ୍ଧୁ ଭଳି ସବୁକିଛି ବୁଝାଇବା ଉଚିତ।

ଅନ୍ୟ ପ୍ରତି ଆକର୍ଷଣ ବଢ଼ିବା
ଝିଅ ହୁଅନ୍ତୁ ବା ପୁଅ, ଏହି ସମୟରେ ଉଭୟଙ୍କ ଶରୀରରେ ହରମୋନ୍‌ରେ ପରିବର୍ତ୍ତନ ହେବା ଆରମ୍ଭ ହୋଇଯାଏ। ବିପରୀତ ଲିଙ୍ଗ ପ୍ରତି ଆକର୍ଷଣ ବଢ଼ିବା ସ୍ବାଭାବିକ କଥା। ତେଣୁ ଏହି ସମୟରେ ମା’ବାପା ପିଲାଙ୍କ ମନରେ ଉଠୁଥିବା ପ୍ରଶ୍ନର ଉତ୍ତର ଦେବା ଉଚିତ। ପିଲାଙ୍କ ଏହି ଆକର୍ଷଣକୁ ସକାରାତ୍ମକ ଚିନ୍ତାଧାରାରେ ବଦଳାନ୍ତୁ। ସେମାନଙ୍କୁ ବୁଝାନ୍ତୁ ପୁଅ ଓ ଝିଅ ଭଲ ବନ୍ଧୁ ହୋଇପାରିବେ। ଉଭୟ ଉଭୟଙ୍କୁ ସହାୟତା କରିପାରିବେ। ପିଲାଙ୍କ ଚିନ୍ତାଧାରା ଏବଂ ଦୃଷ୍ଟିଭଙ୍ଗୀ ବଦଳାଇବାକୁ ଚେଷ୍ଟା କରନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ