ଘଣ୍ଟାର ରାଜା ଫ୍ରାଙ୍କ୍‌ ମୁଲର୍‌: ଯେମିତି ଦାମୀ, ସେମିତି ସ୍ବତନ୍ତ୍ର


ଫ୍ରାଙ୍କ୍‌ ମୁଲର୍ ଘଣ୍ଟା (ଫାଇଲ୍ ଫଟୋ)
ଦାମୀ ଘଣ୍ଟା ପିନ୍ଧିବା ଅନେକ ବ୍ୟକ୍ତିଙ୍କର ସଉକ ଥାଏ। ଏହାବାଦ୍‌ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନେ ବିଭିନ୍ନ ବ୍ରାଣ୍ଡ୍‌ର ଘଣ୍ଟା ସଂଗ୍ରହ କରିଥାନ୍ତି। ଆଜିକାଲିର ଯୁବପିଢ଼ି ନିଜର ଷ୍ଟାଟସ୍‌ ମେଣ୍ଟେନ୍‌ କରିବା ପାଇଁ ଦାମୀ ଘଣ୍ଟା ପିନ୍ଧିବାକୁ ପସନ୍ଦ କରୁଛନ୍ତି। ତେବେ ସାଧାରଣରେ ଦାମୀ ଘଣ୍ଟା କଥା ଉଠିଲେ ଆମେ ଲକ୍ଷେ କିମ୍ବା ଦୁଇ ଲକ୍ଷ ଟଙ୍କିଆ ଘଣ୍ଟା କଥା ଆଲୋଚନା କରିଥାଉ। ମାତ୍ର ଆମେ ଏଠି ଯେଉଁ ଘଣ୍ଟା ସମ୍ପର୍କରେ କହୁଛୁ, ତାକୁ ପାଇବା ସାଧାରଣ ଲୋକ ପକ୍ଷେ ସାତ ସପନ। ଏହି ଘଣ୍ଟାକୁ କେବଳ କୋଟିପତିମାନେ କିଣି ପିନ୍ଧିବାରେ ସକ୍ଷମ ହୋଇଥାନ୍ତି। ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସିପାରେ, ଏହା କି ପ୍ରକାର ଘଣ୍ଟା ଯେ ତାକୁ କିଣିବା ଅସମ୍ଭବ। ପ୍ରକୃତରେ ଏହି ଫ୍ରାଙ୍କ୍‌ ମୁଲର୍‌ ବ୍ରାଣ୍ଡ୍‌ ଘଣ୍ଟାର ଦାମ୍‌ ୬ ଲକ୍ଷରୁ ଆରମ୍ଭ ହୋଇ ପାଖାପାଖି ୭୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି।

ଗୁରୁବାର ଦିଲ୍ଲୀ ଇନ୍ଦିରା ଗାନ୍ଧି ବିମାନ ବନ୍ଦରରେ ଏଭଳି ମୂଲ୍ୟବାନ ଘଣ୍ଟା ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା କଷ୍ଟମ୍‌ ବିଭାଗ। ଶାରଜାହରୁ ନୂଆଦିଲ୍ଲୀ ଆସୁଥିବା ଜଣେ ଭାରତୀୟ ବିମାନଯାତ୍ରୀଙ୍କୁ ଗିରଫ କରିଥିଲା କଷ୍ଟମ୍‌ ବିଭାଗ। ଉକ୍ତ ବ୍ୟକ୍ତି ଜଣକ ୧୫.୮୩ ଲକ୍ଷ ଟଙ୍କାର ଫ୍ରାଙ୍କ୍‌ ମୁଲର୍‌ ଘଣ୍ଟା ପିନ୍ଧିଥିଲେ। ତାଙ୍କଠାରୁ ଏହି ମୂଲ୍ୟବାନ ଘଣ୍ଟାକୁ ଜବତ କରି ପଚରାଉଚରା କରିବା ପରେ ଏ ସମ୍ପର୍କିତ ଅନେକ ତଥ୍ୟ ସାମ୍ନାକୁ ଆସିଥିଲା। ଉକ୍ତ ବ୍ୟକ୍ତି ଜଣକ ଏଭଳି ଅନେକ ଦାମୀ ଜିନିଷକୁ ଚୋରା ଚାଲାଣ କରୁଥିବା ସ୍ବୀକାର କରିଥିଲା। ପୂର୍ବରୁ ମଧ୍ୟ ଏଭଳି ଦାମୀ ଘଣ୍ଟା, ମୋବାଇଲ୍‌ ଚାଲାଣ କରିଥିବା ସେ ମାନିଥିଲା। ଉକ୍ତ ବ୍ୟକ୍ତି ଜଣକ ପିନ୍ଧିଥିବା ଭି ୪୫ ସିସି ଡିଟିୟାଚ୍‌ (ବିଏଲ୍‌) ମଡେଲ୍‌ର ଫ୍ରାଙ୍କ୍‌ ମୁଲର୍‌ ଘଣ୍ଟା ଶାରଜାହାରେ ୧୫.୮୩ ଲକ୍ଷ ଟଙ୍କା ହୋଇଥିବା ବେଳେ ଭାରତରେ ଏହାର ମୂଲ୍ୟ ୨୦ ଲକ୍ଷ ୬୪ ହଜାର ଟଙ୍କା ବୋଲି ଜଣାପଡ଼ିଛି। ତେବେ ଆସନ୍ତୁ ଜାଣିବା ଏହି ଘଣ୍ଟାର କ’ଣ ବିଶେଷତ୍ବ ରହିଛି ଏବଂ ଏହା କାହିଁକି ଏତେ ମୂଲ୍ୟବାନ।

ଫ୍ରାଙ୍କ୍‌ ମୁଲର୍‌ କିଏ
ବାସ୍ତବରେ ଫ୍ରାଙ୍କ୍‌ ମୁଲର୍‌ ନାମକ ଜଣେ ବ୍ୟକ୍ତି ନାମରେ ଏହି ଘଣ୍ଟା ବ୍ରାଣ୍ଡର ନାମକରଣ କରାଯାଇଛି। ଫ୍ରାଙ୍କ୍‌ ମୁଲର୍‌ ୧୧ ଜୁଲାଇ ୧୯୫୮ରେ ସ୍ୱିଜର୍‌ଲ୍ୟାଣ୍ଡ୍‌ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମାତା ଇଟାଲୀୟ ଏବଂ ପିତା ସ୍ୱିସ୍ ଥିଲେ। ବହୁତ କମ୍‌ ବୟସରୁ ଯାନ୍ତ୍ରିକ ଉପକରଣ ପ୍ରତି ଫ୍ରାଙ୍କ୍‌ଙ୍କ ଆଗ୍ରହ ବଢ଼ିଥିଲା। ଘରେ ଥିବା ବିଭିନ୍ନ ପ୍ରକାର ଯନ୍ତ୍ରପାତି ଖୋଲି ତା’ ଭିତରେ କ’ଣ ରହିଛି ତାକୁ ପରୀକ୍ଷାନିରୀକ୍ଷା କରୁଥିଲେ। କିଶୋରାବସ୍ଥାରେ ସେ ପୁରାତନ ଜ୍ୟୋତିଷ ଯନ୍ତ୍ର ସଂଗ୍ରହ କରିବା ଆରମ୍ଭ କରିଦେଇଥିଲେ, ଯାହାକୁ ସେ କବାଡି ଖାନାରୁ କିଣୁଥିଲେ। ଧିରେ ଧିରେ ତାଙ୍କର ବିଭିନ୍ନ ଯନ୍ତ୍ରପାତି ପ୍ରତି ଆକର୍ଷଣ ବଢ଼ିବାକୁ ଲାଗିଲା। ଫଳରେ ସେ ପ୍ରଥମେ ବିଭିନ୍ନ ହାତଘଣ୍ଟାର ମରାମତି  କରିବା ଆରମ୍ଭ କଲେ। ଏହାପରେ ୧୯୮୩ ମସିହାରେ ସେ ପ୍ରଥମ ହାତଘଣ୍ଟା ତଆରି କରିଥିଲେ। ଏହାପରେ ୧୯୯୨ ମସିହାରେ ନିଜ ନାମରେ ହାତ ଘଣ୍ଟାର ବ୍ରାଣ୍ଡ୍‌ ସୃଷ୍ଟି କରିବା ସହ କମ୍ପାନୀ ମଧ୍ୟ ପ୍ରତିଷ୍ଠା କରିଥିଲେ।

ନିଜେ ଆରମ୍ଭ କଲେ କାମ
ସେ ୧୯୮୧ ମସିହାରେ ପ୍ରସିଦ୍ଧ ଜେନେଭା ସ୍କୁଲ୍ ଅଫ୍ ୱାଚ୍‌ରେ ପାଠପଢ଼ା ଆରମ୍ଭ କରିଥିଲେ। ୪ ବର୍ଷର ଉତ୍କୃଷ୍ଟ ଅଧ୍ୟୟନ ପରେ ସେ ସର୍ବାଧିକ ପୁରସ୍କାର ଗ୍ରହଣ କରିଥିଲେ। ସେ ନିଜର ସ୍ୱାଧୀନତା ପାଇଁ କଠିନ ପଥ ବାଛିଥିଲେ। ଅନ୍ୟ ପାଖରେ କାମ କରିବା ପରିବର୍ତ୍ତେ ନିଜର ଏକ କମ୍ପାନୀ ଖୋଲିଥିଲେ। ନିଜକୁ ପ୍ରତିଷ୍ଠିତ କରିବା ପାଇଁ ତାକୁ ବେଶୀ ସମୟ ଲାଗି ନ ଥିଲା। ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ଥିବା ଫ୍ରାଙ୍କ୍‌ ଘଣ୍ଟା ସମ୍ପର୍କିତ ଜ୍ଞାନକୌଶଳରେ ବେଶ୍‌ ମାହିର୍‌ ଥିବାରୁ ତାଙ୍କ ପାଖରୁ ଦୁନିଆର ସବୁଠାରୁ ଦାମୀ ଓ ଐତିହାସିକ ଘଣ୍ଟା ସବୁ ମରାମତି ପାଇଁ ଆସୁଥିଲା। ଏହି ପରିସ୍ଥିତିକୁ ପରିବର୍ତ୍ତନ କରିବାର ଇଚ୍ଛା ତାଙ୍କୁ ନିଜର ଅନନ୍ୟ ଟାଇମ୍‌ ପିସ୍ (ହାତଘଣ୍ଟା) ତାଆରି କରିବାର ପ୍ରେରଣା ଯୋଗାଇଥିଲା। ଫଳରେ ୧୯୮୩ ଫ୍ରାଙ୍କ୍‌ ମୁଲର୍‌ ତାଙ୍କର ପ୍ରଥମ ହାତଘଣ୍ଟା ତିଆରି କରିଥିଲେ। ଏହାପରଠାରୁ ସେ ଆଉ ପଛକୁ ହଟି ନ ଥିଲେ। ପ୍ରାପ୍ତ ସୂଚନା ଅନୁଯାୟୀ, ୨୦୧୦/୨୦୧୧ରେ କମ୍ପାନୀର ଆନୁମାନିକ ମୋଟ ବିକ୍ରି ୨୫୦୨ କୋଟିରୁ ଅଧିକ ହୋଇଥିବା ବେଳେ ଏବେ ହାରାହାରି ଗୋଟିଏ ଘଣ୍ଟାର ମୂଲ୍ୟ ୩୨.୮ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି।

ସୁନା କେସ୍
ଏହି ଘଣ୍ଟାର କେସ୍‌ ଗୋଲାପୀ ରଙ୍ଗର ସୁନାରେ ନିର୍ମିତ। ଏହି ଘଣ୍ଟାର ପରିଧି ୪୪ ମିଲିମିଟର। ଅଟୋମେଟିକ୍‌ ମୁଭମେଣ୍ଟ୍‌ ସହିତ ଏଥିରେ ତାରିଖ ଏବଂ ୪୨ ଘଣ୍ଟାର ପାୱାର ରିଜର୍ଭ କରିବାର ସାମର୍ଥ୍ୟ ରହିଛି। ଏହି ଘଣ୍ଟାରେ ଗ୍ଲାସ୍‌ ସାଫାୟାର୍‌ କ୍ରିଷ୍ଟ୍ରାଲ୍‌ ରହିଛି, ଯାହାକି ଆଣ୍ଟିରିଫ୍ଲେକ୍ଟିଭ୍‌ ହୋଇଥାଏ। ଏକ ନାଇଲନ୍ ଷ୍ଟ୍ରାପ୍ ସହିତ ଆସୁଥିବା ଏହି ଘଣ୍ଟା ଦୁଇ ବର୍ଷର ୱାରେଣ୍ଟି ପ୍ରଦାନ କରେ। ଏହି ଘଣ୍ଟା ତିଆରି କରିବା ପାଇଁ ବ୍ୟବହାର ହେଉଥିବା ଜିନିଷର ଦାମ୍ ମଧ୍ୟ ଖୁବ୍ ଅଧିକ। ଯେଉଁଥିପାଇଁ ଏହି ଘଣ୍ଟାର ଦାମ୍ ମଧ୍ୟ ବଜାରରେ ଅଧିକ ରହିଛି। ଏହି ଘଣ୍ଟାରେ ମଧ୍ୟ ଅନେକ ଫିଚର୍‌ ରହିଛି।

ସେଲିବ୍ରିଟିମାନଙ୍କ ପସନ୍ଦ
ଫ୍ରାଙ୍କ୍‌ ମୁଲର୍‌ଙ୍କ ଘଣ୍ଟା ସାରା ବିଶ୍ୱରେ ସେଲିବ୍ରିଟିମାନେ ପିନ୍ଧନ୍ତି। ଏଥିମଧ୍ୟରେ ହଲିଉଡ ଅଭିନେତା ତଥା ଆମେରିକୀୟ ରାଜନେତା ଆର୍ଣ୍ଣଲ୍ଡ ସ୍ବାରତ୍‌ସେନେଗର, ପ୍ରସିଦ୍ଧ ଇଂରାଜୀ ଗାୟକ ଏଲଟନ୍ ଜନ୍, ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲ୍ଡୋ, କିମ୍ କାର୍ରାଦାସିୟାନ୍, କାନି ୱେଷ୍ଟ୍, ଡେଭିଡ୍ ବେକହମ୍, କନୋର ମ୍ୟାକଗ୍ରେଗର୍, ଫ୍ଲଏଡ୍ ମେୱେଜର, ପ୍ୟାରିସ୍ ହିଲଟନ୍, ଇଭା ଲଙ୍ଗୋରିଆ, କ୍ରିସ୍ ବ୍ରାଉନ୍ ଏବଂ ଜୋସ୍ ମୋର୍ନିଓ ଅଛନ୍ତି। ଯଦି ଆମେ ଭାରତ ବିଷୟରେ କହିବା ତେବେ ଅକ୍ଟୋବର ୨୦୧୯ ରେ କମ୍ପାନୀ ରଣବୀର ସିଂଙ୍କୁ ଏହାର ବ୍ରାଣ୍ଡ ଆମ୍ବାସାଡର କରିଥିଲା। ରଣବୀର ସିଂଙ୍କ ସମେତ ଏହି ଘଣ୍ଟାକୁ କ୍ରିକେଟର ବିରାଟ କୋହଲି, ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଭଳି ଅନେକ ସେଲିବ୍ରିଟିମାନେ ପିନ୍ଧୁଥିବା ନିଜର ଆସିଛନ୍ତି।

ଏହା କାହିଁକି ସ୍ୱତନ୍ତ୍ର?
ଫ୍ରାଙ୍କ୍‌ ମୁଲର୍‌ ବ୍ରାଣ୍ଡ୍‌ ପ୍ରତିବର୍ଷ କରୁଥିବା ଏହାର ‘ବିଶ୍ୱ ପ୍ରିମିୟର୍’ ପାଇଁ ମଧ୍ୟ ବେଶ୍‌ ଜଣାଶୁଣା। ପ୍ରତିବର୍ଷ କମ୍ପାନୀ ଏହି ଘଣ୍ଟାର ଏକ ନୂଆ ସିରିଜ୍‌ ତିଆରି କରିଥାଏ, ଯେଉଁଥିରେ କିଛି ନା କିଛି ସ୍ବତନ୍ତ୍ରତା ରହିଥାଏ। କେବଳ ଏତିକି ନୁହେଁ, ‘ବିଶ୍ୱ ପ୍ରିମିୟର୍’ ସମୟରେ ଉପସ୍ଥାପିତ ହୋଉଥିବା ସିରିଜ୍‌ରେ ନିଶ୍ଚିତ ଭାବରେ ଏପରି କିଛି ବିଶେଷତ୍ବ ଥାଏ, ଯାହା ଘଣ୍ଟା ତିଆରି ଇତିହାସରେ ପୂର୍ବରୁ କେବେ ଦେଖାଯାଇ ନ ଥାଏ। ଆଇକନିକ୍‌ ଜଟିଳତା ଉପରେ ଆଧାର କରି ଫ୍ରାଙ୍କ୍‌ ୧୯୮୬ ମସିହାରୁ ପ୍ରତିବର୍ଷ ନିଜର ବିଶ୍ୱ ପ୍ରିମିୟର୍ ଉପସ୍ଥାପନ କରିଆସୁଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଫ୍ରାଙ୍କ୍ ମୁଲର୍‌ ବ୍ରାଣ୍ଡ୍‌ର ଘଣ୍ଟା ଏହାର ସ୍ବତନ୍ତ୍ର ଡିଜାଇନ୍, ଅନନ୍ୟ ଶୈଳୀ, ସୁନ୍ଦର ଅଫର୍, ଚମତ୍କାର କାରୁକାର୍ଯ୍ୟ ପାଇଁ ବିଶ୍ବବ୍ୟାପୀ ପ୍ରସିଦ୍ଧ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ