ଟିକା ବଣ୍ଟନରେ ପାତରଅନ୍ତର ଅଭିଯୋଗକୁ ଖଣ୍ଡନ କଲେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ

ଓଡ଼ିଶାରେ ପର୍ଯ୍ୟାପ୍ତ ପରିମାଣରେ ଭ୍ୟାକସିନ୍‌ ମହଜୁଦ ରହିଛି: ଧର୍ମେନ୍ଦ୍ର

ପ୍ରତୀକାତ୍ମକ ଫଟୋ
କୋରୋନା ଟିକାକୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ମତଭେଦ ଦେଖିବାକୁ ମିଳିଛି। ଟିକା ବଣ୍ଟନରେ ପାତରଅନ୍ତର କରାଯାଉଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି ଲେଖି ଅବଗତ କରିଥିଲେ ରାଜ୍ୟ ସ୍ବାସ୍ଥ୍ୟ ସଚିବ। ତେବେ ଏହି ଚିଠିର ଉତ୍ତର ରଖିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଏ ସମ୍ପର୍କରେ ରାଜ୍ୟ ସ୍ବାସ୍ଥ୍ୟ ଏସିଏସ୍ ପ୍ରଦୀପ୍ତ ମହାପାତ୍ରଙ୍କୁ ଚିଠି ଲେଖି ପାତରଅନ୍ତର ଅଭିଯୋଗକୁ ଖଣ୍ଡନ କରିବା ସହ ରୋକ୍ ଠୋକ୍  ଜବାବ ରଖିଛନ୍ତି। ଅନ୍ୟପକ୍ଷରେ ଟିକା ଅଭାବ ନେଇ ରାଜ୍ୟ ସରକାରଙ୍କ କେନ୍ଦ୍ରକୁ ଚିଠି ପ୍ରସଙ୍ଗରେ କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଓଡ଼ିଶାରେ ଓଡ଼ିଶାରେ ପର୍ଯ୍ୟାପ୍ତ ପରିମାଣରେ ଭ୍ୟାକସିନ୍‌ ମହଜୁଦ ରହିଛି। ଏଥିସହ ଖୁବ୍‌ଶୀଘ୍ର ଓଡ଼ିଶାକୁ ଆଉ ୫.୫ ଲକ୍ଷ ଡୋଜ୍‌ ଟିକା ମିଳିବ ବୋଲି ଧର୍ମେନ୍ଦ୍ର କହିଛନ୍ତି।

ରାଜ୍ୟରେ କରୋନା ଟିକାର ଅଭାବ ଥିବା ଓ ଟିକା ଯୋଗାଣରେ କେନ୍ଦ୍ର ପାତର ଅନ୍ତର କରୁଥିବା ଅଭିଯୋଗକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଖଣ୍ଡନ କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଏସିଏସ୍ ପ୍ରଦୀପ୍ତ ମହାପାତ୍ରଙ୍କୁ ଚିଠି ଲେଖି ରାଜେଶ ଭୂଷଣ କହିଛନ୍ତି, ମାର୍ଚ୍ଚ ୨୭ ସୁଦ୍ଧା ଓଡ଼ିଶାକୁ ୩୪ ଲକ୍ଷ ୪୬ ହଜାର ୭୬୦ ଡୋଜ୍ ଟିକା ଦିଆଯାଇଛି।  ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ୨୨ ଲକ୍ଷ ୯୭ ହଜାର ୪୩୧ ଡୋଜ୍ ଟିକା ପ୍ରଦାନ କରିଛନ୍ତି। ଅତଏବ ରାଜ୍ୟ ପାଖରେ ଏବେ ମଧ୍ୟ ୧୧ ଲକ୍ଷ ୪୯ ହଜାର ୩୨୯ ଡୋଜ୍ ଟିକା ଗଚ୍ଛିତ ଅଛି। ରାଜ୍ୟରେ ଦିନକୁ ହାରାହାରି ୬୯ ହଜାର ୭୬ ଜଣ ଲୋକ ଟିକା ନେଉଛନ୍ତି। ୨୮ ଦିନ ଭିତରେ ଆଉ ୫ ଲକ୍ଷ ୪୮ ହଜାର ଟିକା ପହଞ୍ଚିଯିବ ବୋଲି ଭୂଷଣ ଲେଖିଛନ୍ତି। ପ୍ରତିଦିନ ସମସ୍ତ ରାଜ୍ୟର ଟିକାର ସ୍ଥିତି ନେଇ ସମୀକ୍ଷା କରାଯାଉଛି। ଗତ ୩ ଦିନରେ ଓଡ଼ିଶାରେ ୨ ଲକ୍ଷ ୭ ହଜାର ୨୨୯ ଜଣଙ୍କୁ ଟିକା ଦିଆଯାଇଛି। ଓଡ଼ିଶାରେ ଟିକାକରଣର ବେଗ ଓ ଆବଶ୍ୟକତାକୁ ସମୀକ୍ଷା କରାଯାଉଛି, ତେଣୁ ତଦନୁସାରେ ଠିକ ସମୟରେ ଟିକା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

ଏହି ପ୍ରସଙ୍ଗରେ ଟ୍ବିଟ୍‌ କରି ନିଜର ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର କହିଛନ୍ତି, ଓଡ଼ିଶାରେ କୋଭିଡ୍‌ ଟିକା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସହ କଥା ହୋଇଛି। କୋଭିଡ୍‌ ଟିକାର କୌଣସି ଅଭାବ ରହିବ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଓଡ଼ିଶାକୁ ଏପର୍ଯ୍ୟନ୍ତ ୩୪.୪୬ ଲକ୍ଷ ଡୋଜ୍‌ ଯୋଗାଇ ଦିଆଯାଇଛି। ଏଥି ମଧ୍ୟରୁ ୨୩ ଲକ୍ଷ ଡୋଜ୍‌ ଟିକାକରଣ ହୋଇଛି। ୨୮ ମାର୍ଚ୍ଚରେ ଓଡ଼ିଶାକୁ ଆହୁରି ୫.୫ ଲକ୍ଷ ଟିକା ମିଳିବ। ମୁଁ ସୁନିଶ୍ଚିତ କରୁଛି ଯେ, ରାଜ୍ୟ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣରେ ଟିକା ମହଜୁଦ ରହିଛି। ଓଡ଼ିଶା କିମ୍ବା ସମଗ୍ର ଦେଶରେ କୌଣସି ଜାଗାରେ ବି କୋରୋନା ଭ୍ୟାକସିନ୍‌ର ଅଭାବ ନାହିଁ  ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ