ଗୁଲାବୋ: ଯମ କବଳରୁ ଖସି ଆସିଥିଲେ, ଏବେ ଦେଶ ଦୁନିଆରେ ଲୋକପ୍ରିୟ


ଗୁଲାବୋ ସପେରା
ବର୍ତ୍ତମାନ ସମୟରେ ଝିଅଙ୍କ ପ୍ରତି ସମାଜର ଚିନ୍ତାଧାରା ବଦଳିବାରେ ଲାଗିଛି। କିନ୍ତୁ ଏଭଳି ସମୟ ଥିଲା କାହାରି ଘରେ ଝିଅ ଜନ୍ମ ହେବା ମାତ୍ରେ ତାଙ୍କ ଘରେ ଓ ଜୀବନରେ ଖୁସି ନୁହେଁ, ଦୁଃଖର ପାହାଡ଼ ଭାଙ୍ଗି ପଡ଼ୁଥିଲା। ଝିଅମାନଙ୍କୁ ବୋଝ ବୋଲି କୁହାଯାଉଥିଲା। ଲୋକେ ଭାବୁଥିଲେ ଝିଅଙ୍କ ପାଇଁ ଖର୍ଚ୍ଚ କିପରି ହେବ। ବାହାଘର କେମିତି ହେବ। ଏଥିପାଇଁ ଝିଅ ଜନ୍ମ ହେବା ମାତ୍ରେ ଅନେକ ସ୍ଥାନରେ ହତ୍ୟା କରି ଦିଆଯାଉଥିଲା। ରାଜସ୍ଥାନରେ ମଧ୍ୟ କିଛି ବର୍ଷ ପୂର୍ବରୁ ଝିଅ ଜନ୍ମ ହେବା ମାତ୍ରେ ହତ୍ୟା କରାଯାଉଥିଲା। ଏଠାରେ ଯେଉଁ ମହିଳାଙ୍କ ସମ୍ପର୍କରେ କୁହାଯାଇଛି ତାଙ୍କ ସହିତ ମଧ୍ୟ ଏମିତି କିଛି ହୋଇଥିଲା। ଗୁଲାବୋ ସପେରା ଏବେ ଦେଶ ବିଦେଶରେ ଲୋକପ୍ରିୟ। କିନ୍ତୁ ଗୁଲାବୋଙ୍କ ଜନ୍ମ ପରେ ପରେ ତାଙ୍କ ପାଇଁ ସମସ୍ୟା ଆରମ୍ଭ ହୋଇଯାଇଥିଲା।

ଜନ୍ମ ପରେ ମାଟି ତଳେ ପୋତି ଦିଆଯାଇଥିଲା
ପଦ୍ମ ସମ୍ମାନରେ ସମ୍ମାନିତ ଗୁଲାବୋଙ୍କ ନାମ ସମସ୍ତଙ୍କ ପାଟିରେ ରହିଛି। କିନ୍ତୁ ଜନ୍ମ ହେବା ପରେ ତାଙ୍କୁ ହତ୍ୟା କରିବା ପାଇଁ ମାଟି ତଳେ ପୋତି ଦିଆଯାଇଥିଲା। କିନ୍ତୁ ତାଙ୍କ ମା’ ତାଙ୍କୁ ମରିବାକୁ ଦେଇ ନ ଥିଲେ। ଗୁଲାବୋଙ୍କୁ ଖୋଜିବାକୁ ବାହାରି ଯାଇଥିଲେ। ମା’ ଓ ମାଉସୀ କୌଣସିମତେ ତାଙ୍କୁ ଖୋଜି ଖୋଜି ପାଖାପାଖି ୫ ଘଣ୍ଟା ପରେ ଗୁଲାବୋଙ୍କୁ ମାଟିତଳୁ ବାହାର କରି ତାଙ୍କ ଜୀବନ ବଞ୍ଚାଇଥିଲେ।

ଅଭାବରେ କଟିଥିଲା ପିଲାଦିନ
ଗୁଲାବୋଙ୍କ ପିଲାଦିନ ଅଭାବରେ କଟି ଥିଲା। ଜୀବନରେ ବହୁତ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା। କିନ୍ତୁ କୁହାଯାଏ ଯିଏ ଅସୁବିଧା ସହିତ ଲଢ଼ିବା ଶିଖିଛି ସେ ସଫଳତା ପାଇଛି। ସେ ଝିଅମାନଙ୍କ ଜୀବନ ବଞ୍ଚାଇବା ଆରମ୍ଭ କରିଥିଲେ। ତାଙ୍କର ଏହି କାମ ଗାଁ ଲୋକଙ୍କୁ ଖୁବ ପ୍ରଭାବିତ କରିଥିଲା।

ବଡ଼ ହେବା ପରେ ଶିଖିଥିଲେ କାଲବେଲିୟା ଡ୍ୟାନ୍ସ
ଗରିବୀ ଓ ଆର୍ଥିକ ସମସ୍ୟା ଦେଇ ବଞ୍ଚୁଥିଲେ ମଧ୍ୟ ଗୁଲାବୋ ହାର ମାନି ନ ଥିଲେ। ସେ ବଡ଼ ହୋଇ ରାଜସ୍ଥାନର ଲୋକନୃତ୍ୟ କାଲବେଲିୟା ଶିଖିବା ସହିତ ଆଗକୁ ବଢ଼ିଥିଲେ। ଗୁଲାବୋଙ୍କ ଏହି ନୃତ୍ୟ ସମ୍ପର୍କରେ ଲୋକେ ଅଧିକ ଜାଣି ନ ଥିଲେ। କିନ୍ତୁ ଧିରେ ଧିରେ ଏହା ତାଙ୍କୁ ପରିଚିତି ଦେଇଥିଲା ଓ ସେ ଶୋ’ କରିବାରେ ଲାଗିଥିଲେ।

ପିତାଙ୍କ ସହିତ କାମ କରିବାକୁ ଯାଉଥିଲେ
ଗୁଲାବୋଙ୍କ ପିତା ସାପୁଆକେଳା ଥିଲେ। ସେ ସାଧାରଣତଃ ତାଙ୍କ ପିତାଙ୍କ ସହିତ କାମ କରିବାକୁ ଯାଉଥିଲେ। ଗୁଲାବୋଙ୍କ ପିତା ଯେତେବେଳେ ବିନ ବଜାଉଥିଲେ ସେତେବେଳେ ଗୁଲାବୋ ସାପ ଭଳି ନାଚୁଥିଲେ। ସୂଚନାଯୋଗ୍ୟ ଯେ କାଲବେଲିୟା ନୃତ୍ୟ କେବଳ ମହିଳମାନେ କରିଥାନ୍ତି। ଗୁଲାବୋଙ୍କ ଏହି ନୃତ୍ୟ ରାଜସ୍ଥାନରେ ବହୁତ ପ୍ରଚଳିତ ଥିଲା। ଏହି ନୃତ୍ୟକୁ ସେ ଦେଶ ଦୁନିଆ ପର୍ଯ୍ୟନ୍ତ ପହଞ୍ଚାଇଥିଲେ। ଏହାପରେ ସାରା ଦୁନିଆର ଲୋକେ ଏହି ନୃତ୍ୟ ସମ୍ପର୍କରେ ଜାଣିବାରେ ଲାଗିଥିଲେ ଓ ପସନ୍ଦ ମଧ୍ୟ କରିବାରେ ଲାଗିଲେ।

୧୭ ବର୍ଷ ବୟସରେ ୱାଶିଂଟନରେ କରିଥିଲେ ଶୋ’
ଗୁଲାବୋଙ୍କୁ ମାତ୍ର ୧୭ ବର୍ଷ ହୋଇଥିବାବେଳେ ସେ ଫେଷ୍ଟିଭାଲ ଅଫ ଇଣ୍ଡିଆ ପ୍ରୋଗ୍ରାମରେ ପରଫର୍ମ କରିଥିଲେ। ଏହି କାର୍ଯ୍ୟକ୍ରମ ୱାଶିଂଟନରେ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ମଧ୍ୟ ଉପସ୍ଥିତ ଥିଲେ। ଏହାପରେ ଲୋକଙ୍କ ଚିନ୍ତାଧାରା ବଦଳିବାରେ ଲାଗିଥିଲା। ତାଙ୍କୁ ଭିନ୍ନ ଏକ ପରିଚୟ ମିଳିଥିଲା। ତାଙ୍କ ନୃତ୍ୟକୁ ଲୋକ ବହୁତ ପସନ୍ଦ କରିଥିଲେ। ଏହି ଯାତ୍ରା ଗୁଲାବୋଙ୍କ ଜୀବନ ବଦଳାଇ ଦେଇଥିଲା।

ପଦ୍ମଶ୍ରୀରେ ସମ୍ମାନିତ
କାଲବେଲିୟା ନୃତ୍ୟକୁ ନୂଆ ପରିଚୟ ଦେଇଥିବା ଗୁଲାବୋଙ୍କୁ କଳା ଓ ସଂସ୍କୃତି କ୍ଷେତ୍ରରେ ଉତ୍ତମ କାମ ପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ଗୁଲାବୋ ଝିଅମାନଙ୍କୁ ମାଗଣାରେ କାଲବେଲିୟା ନୃତ୍ୟ ଶିକ୍ଷା ଦେବା ଲାଗି ପୁଷ୍କରରେ ଏକ ସ୍କୁଲ ଖୋଲିବାକୁ ଚାହୁଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ