ପାଟି ସୁଆଦ
ଘରେ ତିଆରି କରନ୍ତୁ ଗାଜର ସୁପ୍

ଗାଜର ସୁପ୍
ଯଦି ଆପଣ ସୁପ୍ ପିଇବାକୁ ପସନ୍ଦ କରନ୍ତି, ତେବେ ବଜାରରେ ମିଳୁଥିବା ପ୍ୟାକ୍ଡ ସୁପ୍ ସ୍ଥାନରେ ଘରେ ତିଆରି କରନ୍ତୁ ସ୍ବାଦିଷ୍ଟ ତଥା ପୋଷକ ତତ୍ତ୍ବରେ ଭରପୂର ଗାଜର ସୁପ୍। ଏହି ସୁପ୍ ଗାଢ଼ ହୋଇଥିବାବେଳେ ଏହାକୁ କ୍ରୁଟନ୍ସ ସହିତ ଖାଇବାକୁ ସବୁ ବୟସର ଲୋକ ପସନ୍ଦ କରନ୍ତି।
କ’ଣ ଦରକାର
୧୨୫ ଗ୍ରାମ୍ ଗାଜର, ଅଧା ମଧ୍ୟମ ଧରଣର ପିଆଜ, ଅଧ ଚାମଚ ଅଲିଭ୍ ଅଏଲ, ଛୋଟ ଛୋଟ କଟା ଯାଇଥିବା ଛୋଟ ଖଣ୍ଡେ ଅଦା, ୧ଟି ରସୁଣ, ୫୦୦ ମିଲି ପାଣି, ୧ ଚିମୁଟା ଲୁଣ, ୧ ଚିମୁଟା ଗୋଲମରିଚ, ୨ଟି ତୁଳସୀ ପତ୍ର, ୨ ଚାମଚ ଲେମ୍ବୁ ରସ, ଏକ ଚିମୁଟା ଜୁଆଣି।
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଗାଜରକୁ ଭଲ ଭାବେ ଧୋଇ ଛୋଟ ଛୋଟ ଖଣ୍ଡ କରି କାଟନ୍ତୁ। ପିଆଜକୁ ମଧ୍ୟ ଛୋଟ ଛୋଟ କରି କାଟନ୍ତୁ। ପ୍ରଥମେ ଏକ କଡ଼େଇରେ ଅଲିଭ୍ ଅଏଲ ପକାଇ ଗରମ କରନ୍ତୁ। କଡ଼େଇ ଗରମ ହୋଇଗଲା ପରେ ପିଆଜ ଓ ଗାଜର ପକାନ୍ତୁ। ଏହା ଉପରେ ଲୁଣ, ଗୋଲମରିଚ ଗୁଣ୍ଡ ଏବଂ ତୁଳସୀ ପତ୍ର ଛିଞ୍ଚନ୍ତୁ। ଏହାକୁ ୩୦ ମିନିଟ୍ ଯାଏ ସିଝିବାକୁ ଛାଡ଼ି ଦିଅନ୍ତୁ। ମାଇକ୍ରୋ ଓଭନ୍ରେ ଏହି ସୁପ୍ କରୁଥିଲେ ପ୍ରଥମେ ମାଇକ୍ରୋ ଓଭନ୍କୁ ୩୫୦ ଡିଗ୍ରୀ ସେଲସିୟସ୍ରେ ପ୍ରି ହିଟ୍ କରନ୍ତୁ। ପ୍ୟାନ୍ରେ ଅଲିଭ୍ ଅଏଲ୍ ଲଗାଇ ଏଥିରେ ଗାଜର, ପିଆଜ, ଲୁଣ, ଗୋଲମରିଚ ଏବଂ ଜୁଆଣି ପକାଇ ୩୦ ମିନିଟ୍ ଯାଏ ୩୫୦ ଡିଗ୍ରୀ ସେଲ୍ସିୟସ୍ରେ ସିଝିବାକୁ ଛାଡ଼ି ଦିଅନ୍ତୁ।
ଏବେ ଅନ୍ୟ ଏକ ପାତ୍ରକୁ ଏହି ରୋଷ୍ଟେଡ୍ ଗାଜର ପିଆଜ ଆଦି ବାହାର କରନ୍ତୁ। ଏବେ ଏଥିରେ ପାଣି ଢାଳି ୧୦ ମିନିଟ୍ ପାଇଁ ସିଝାନ୍ତୁ। ଗାଜର ସିଝିଗଲା ପରେ ଏହାକୁ ହ୍ୟାଣ୍ଡ ବ୍ଲେଣ୍ଡରର ସହାୟତାରେ ମିଶ୍ରଣ କରନ୍ତୁ। ଏହାକୁ ଏକ ଛଣାରେ ଛାଣି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ବାସ୍ଥ୍ୟକର ଏବଂ ସ୍ବାଦିଷ୍ଟ ଗାଜର ସୁପ୍। ଏହା ଉପରେ ତୁଳସୀ ପତ୍ରରେ ସଜାଇ ଗରମ ଗରମ ପରଷନ୍ତୁ।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ