ଦୃଢ଼ମନା ମୀନା: ପତିଙ୍କ ଏସିଡ ଆକ୍ରମଣ ପରେ ବି ହରାଇ ନ ଥିଲେ ସାହସ


ଏସିଡ଼ ଆକ୍ରମଣ ପୀଡ଼ିତା ମୀନା ସୋନୀ
ପତି ପତ୍ନୀଙ୍କ ସମ୍ପର୍କ ବହୁତ ନିଆରା। ଜୀବନରେ ଯଦି କୌଣସି ମୁସ୍କିଲ ପରିସ୍ଥିତି ଆସେ, ତେବେ ପତି ପତ୍ନୀ ଉଭୟଙ୍କ ସାହାରା ପାଲଟିଥାନ୍ତି। ସେଥିପାଇଁ ଦୁଇଟି ଶରୀର ଗୋଟିଏ ଜୀବନ ଭାବେ ପତି ପତ୍ନୀଙ୍କ ସମ୍ପର୍କର ପରିଭାଷା। କିନ୍ତୁ ପତି ଯେତେବେଳେ ପତ୍ନୀଙ୍କ ହତ୍ୟାକାରୀ ପାଲଟିଯାଆନ୍ତି, ସେତେବେଳେ କ’ଣ କୁହାଯିବ। ଏଠାରେ ଏଭଳି ଜଣେ ମହିଳାଙ୍କ କାହାଣୀ କୁହାଯାଇଛି, ଯାହାଙ୍କ ବରବାଦୀର କାରଣ କେବଳ ତାଙ୍କ ପତି। ଏହା ସତ୍ତ୍ବେ ସେ ହାର ମାନି ନ ଥିଲେ। ଏଠାରେ ଯେଉଁ ମହିଳାଙ୍କ ସମ୍ପର୍କରେ କୁହାଯାଇଛି, ତାଙ୍କ ନାମ ହେଉଛି ମୀନା ସୋନୀ।

ଏସିଡ ଆକ୍ରମଣ ପଛରେ ପତିଙ୍କ ହାତ
ଆଉ କାହା ସହ ମୀନାଙ୍କ ପ୍ରେମ ସମ୍ପର୍କ ରହିଥିବା ପତି ସନ୍ଦେହ କରୁଥିଲେ। ମୀନା କେବେ ବି ଭାବି ନ ଥିଲେ ତାଙ୍କ ଜୀବନ ନଷ୍ଟ କରିବା ପଛରେ ତାଙ୍କ ପତିଙ୍କ ହାତ ରହିବ ବୋଲି। ଏହି ସମୟ ତାଙ୍କ ପାଇଁ କଷ୍ଟକର ଥିଲା। କିନ୍ତୁ ମୀନା ହାର ମାନିବା ଲୋକ ନ ଥିଲେ। ଏସିଡ ଆକ୍ରମଣ ଫଳରେ ତାଙ୍କ ଶରୀରର ୭୫ ପ୍ରତିଶତ ପୋଡ଼ି ଯାଇଥିଲା। କିନ୍ତୁ ସେ ବଞ୍ଚିବାର ଆଶା ଛାଡ଼ି ନ ଥିଲେ।

୧୬ ବର୍ଷ ବୟସରେ ହୋଇଥିଲା ବାହାଘର

ମୀନା ସୋନୀ ୧୦ମ ଶ୍ରେଣୀ ପାଠ ଶେଷ କରିବା ମାତ୍ରେ ତାଙ୍କ ଘରଲୋକ ତାଙ୍କୁ ମାତ୍ର ୧୬ ବର୍ଷ ବୟସରେ ବାହା କରି ଦେଇଥିଲେ। ମୀନାଙ୍କ ସ୍ବାମୀ ସୁନାରି କାମ କରୁଥିଲେ। କିନ୍ତୁ ବାହାଘର ପରେ ତାଙ୍କ ପତି କାମ ଛାଡ଼ିଦେଲେ। ଦୁଇଟି ଝିଅର ମା’ ମୀନାଙ୍କ ପାଇଁ ଏହି ସମୟ  ବହୁ କଷ୍ଟକର ଥିଲା। ପିଲାଙ୍କ ଦେଖାଶୁଣା ପାଇଁ ମୀନା କାମ କରିବା ଆରମ୍ଭ କରିଥିଲେ।

ଘରୁ ବାହାରିବାକୁ ପତି କରିଥିଲେ ବାରଣ
ମୀନାଙ୍କ ପତି ପୂର୍ବରୁ ରୋଗଗ୍ରସ୍ତ ଥିଲେ। ଏହି କାରଣରୁ ସେ କାମ କରିପାରୁ ନ ଥିଲେ। ପତ୍ନୀଙ୍କ ଟଙ୍କାରେ ହିଁ ସେ ଚଳୁଥିଲେ। କିନ୍ତୁ ଧିରେ ଧିରେ ତାଙ୍କ ପତିଙ୍କ ପାଇଁ ଏସବୁ ଅଭ୍ୟାସରେ ପଡ଼ିଗଲା। ମୀନାଙ୍କ ପତି ତାଙ୍କୁ ବାହାରକୁ ଯିବାକୁ ଦେଉ ନ ଥିଲେ। କାରଣ ମୀନା ଦେଖିବାକୁ ବହୁତ ସୁନ୍ଦରୀ ଥିଲେ। କିନ୍ତୁ ମୀନା ପତିଙ୍କ କଥା ମାନି ନ ଥିଲେ। ସେ ବାହାରକୁ ଯିବା ସହିତ କାମ ମଧ୍ୟ କରୁଥିଲେ।

ଗୋଟିଏ ହାତରେ ପିଲା ଓ ଅନ୍ୟ ହାତରେ କାମ
ନିଜର ଛୋଟ ଝିଅଙ୍କୁ ନେଇ ମୀନା କାମ କରିବାକୁ ଯାଉଥିଲେ। ବଡ଼ ଝିଅକୁ ସେ ତାଙ୍କ ପତିଙ୍କ ପାଖରେ ଛାଡ଼ି ଯାଉଥିଲେ। ମୀନା ପତିଙ୍କ ଠାରୁ ଅଲଗା ରହୁଥିଲେ। ଦିନେ ମୀନାଙ୍କ ପତି ଆସି ତାଙ୍କୁ ବୁଝାଇ ସୁଝାଇ ଏକାଠି ରହିବାକୁ କହିଥିଲେ। ମୀନା ତାଙ୍କ କଥା ମାନିଯାଇଥିଲେ ଓ ସେମାନେ ଅନ୍ୟ ଏକ ଘର ନେଇ ରହିବାରେ ଲାଗିଥିଲେ।

ପୁଣି ଆରମ୍ଭ ହୋଇଥିଲା ପତି ପତ୍ନୀଙ୍କ ମଧ୍ୟରେ ଝଗଡ଼ା
ମୀନା ସୋନୀ ପେସାରେ ରିପୋର୍ଟର ଥିଲେ। ଲୋକେ ତାଙ୍କୁ ଏହି କାମ ପାଇଁ ଜାଣିଥିଲେ। ପତିଙ୍କ ସହିତ ମୀନା ରହିବା ଆରମ୍ଭ କରିଥିଲେ ମଧ୍ୟ ପୁଣିଥରେ ସେମାନଙ୍କ ମଧ୍ୟରେ ମନାନ୍ତର ଆରମ୍ଭ ହୋଇଯାଇଥିଲା। ଏହି ସମୟରେ ମୀନା ଏକ ପୁତ୍ର ସନ୍ତାନ ମଧ୍ୟ ଜନ୍ମ ଦେଇଥିଲେ। ଏପରିସ୍ଥଳେ ଘରକାମ, ପିଲା ସମ୍ଭାଳିବା ଓ ବାହାରକୁ ଯାଇ କାମ କରିବା ମୀନାଙ୍କ ପାଇଁ କଷ୍ଟକର ଥିଲା। ମୀନାଙ୍କ ପତି ପୁଣିଥରେ ଜିଦ ଧରିଥିଲେ ଯେ ମୀନା ବାହାରକୁ ଯାଇ କାମ କରିବେ ନାହିଁ। କିନ୍ତୁ ମୀନାଙ୍କ ଯୁକ୍ତି ଥିଲା ଯେ ଯଦି ସେ ବାହାରକୁ ନ ଯାଆନ୍ତି, ତେବେ ଘର କିପରି ଚଳିବ।

୨୦୦୪ରେ ବଦଳି ଯାଇଥିଲା ମୀନାଙ୍କ ଜୀବନ
ବର୍ଷ ୨୦୦୪ ମଧ୍ୟାହ୍ନ ସମୟ ଥିଲା। ଏହା ଗରମ ଦିନ ଥିଲା। ତାଙ୍କ ସହିତ କ’ଣ ହେବାକୁ ଯାଉଛି ମୀନା ଏ ସମ୍ପର୍କରେ ପୂରାପୂରି ଅଜ୍ଞ ଥିଲେ।  ମୀନା ଶୋଇଥିଲେ। ତାଙ୍କ ପିଲାମାନେ ବାହାରେ ଖେଳୁଥିଲେ। ଏହି ସମୟରେ ମୀନାଙ୍କ ପତି ଆସି ତାଙ୍କ ଦେହରେ ଏସିଡ ପକାଇ ଦେଇଥିଲେ। ଏହା ଏତେ ଯନ୍ତ୍ରଣାଦାୟକ ଥିଲା ଯେ ସେହି ଦିନକୁ ମନେ ପକାଇ ଏବେ ବି ମୀନା ଥରି ଉଠୁଛନ୍ତି।

ଡାକ୍ତରଖାନାରେ ଏକୁଟିଆ ପହଞ୍ଚିଥିଲେ
ଏସିଡ ଆକ୍ରମଣ କରି ତାଙ୍କ ପତି ଫେରାର ହୋଇଯାଇଥିଲେ। ଯନ୍ତ୍ରଣାରେ ଛଟପଟ ମୀନା ଏକୁଟିଆ ହସ୍ପିଟାଲରେ ପହଞ୍ଚିଥିଲେ। ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କ ପତି ଆତ୍ମହତ୍ୟା କରିଦେଇଥିବା ସେ ଜାଣିବାକୁ ପାଇଥିଲେ। ଏହା ଶୁଣିବା ପରେ ମଧ୍ୟ ମୀନା କାନ୍ଦି ନ ଥିଲେ। ମୀନାଙ୍କ ଚେହେରାର ୭୫ ପ୍ରତିଶତ ପୋଡ଼ିଯାଇଥିଲା। ଚମଡ଼ା ଏକାଠି ଲାଗିଯାଇଥିଲା। ଏହାସତ୍ତ୍ବେ ମୀନା ସାହସ ହରାଇ ନ ଥିଲେ।

ଦୁଇ ବର୍ଷ ଯାଏ ପିଲାଙ୍କ ଠାରୁ ଦୂରେଇ ରହିଥିଲେ
ଧିରେ ଧିରେ କ୍ଷତ ଶୁଖିବାରେ ଲାଗିଥିଲା। କିନ୍ତୁ ଏଥିପାଇଁ ସେ ନିଜ ପିଲାଙ୍କ ଠାରୁ ୨ ବର୍ଷ ଯାଏ ଦୂରେଇ ରହିଥିଲେ। କାଳେ ତାଙ୍କ ପିଲାମାନେ ତାଙ୍କୁ ଦେଖି ଡରିବେ ଓ ପାଖକୁ ଆସିବେ ନାହିଁ, ଏହା ଭାବି ମୀନା ଚିନ୍ତାରେ ଥିଲେ।

ଆରମ୍ଭ କରିଥିଲେ ନୂଆ ଜୀବନ
ଏହା ପରେ ମୀନା ଲକ୍ଷ୍ନୌ ଫେରି ଆସି ନୂଆ ଜୀବନ ଆରମ୍ଭ କରିବାକୁ ଲାଗିଲେ। ଏବେ ସେ ତାଙ୍କ ଭଳି ଏସିଡ ପୀଡ଼ିତାଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ସେ ଜେଲ କୋ-ଅଡିର୍ନେଟର ଭାବେ କାମ କରୁଛନ୍ତି। ମୀନା ଜୀବନରେ ବହୁତ କିଛି ଅସୁବିଧାକୁ ସାମ୍ନା କରିଛନ୍ତି। ସେ ନିଜ ଝିଅମାନଙ୍କୁ ସାହସୀ ହେବାକୁ ଚାହୁଛନ୍ତି। ନିଜ ଗୋଡ଼ରେ ଠିଆ ହେବା ପରେ ଯାଇ ସେ ତାଙ୍କ ଝିଅମାନଙ୍କୁ ବାହାଘର କରାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏବେ ମୀନା ତାଙ୍କ କାମ ପାଇଁ ଜଣାଶୁଣା। ପିଲାମାନଙ୍କୁ ଉତ୍ତମ ଶିକ୍ଷା ଦେଉଛନ୍ତି। ବାସ୍ତବରେ ମୀନାଙ୍କ କାହାଣୀ ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ