ଯଦିଓ ଏବେ ମହିଳାମାନେ ଚନ୍ଦ୍ରରେ ପାଦ ରଖିସାରିଲେଣି, କିନ୍ତୁ ଅନେକ ସ୍ଥାନରେ ଏବେ ବି ମହିଳାମାନେ କେବଳ ଘର କାମ ପାଇଁ ଯୋଗ୍ୟ ବୋଲି ବିବେଚନା କରାଯାଉଛି। ତେବେ ଦେଶରେ ଏଭଳି ଅନେକ ଗାଁ ରହିଛି, ଯାହା ମହିଳାଙ୍କ ଉନ୍ନତିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଓ ସେମାନଙ୍କୁ ଆଗକୁ ଆସିବାକୁ ସୁଯୋଗ ଦେଉଛି। ଉତ୍ତର ପ୍ରଦେଶର ଏକ ଗାଁ ଏଭଳି ଏକ ସୁନ୍ଦର ଉଦାହରଣ ସୃଷ୍ଟି କରିଛି।
ପଢ଼ୁଆ ଝିଅକୁ କଲେ ଗ୍ରାମ ପ୍ରଧାନ
ଆଗ୍ରାର ଜେତୁନପୁରରେ ଗ୍ରାମ ମୁଖିଆ ନିର୍ବାଚନ ହେବାର ଥିଲା। ଏଥିରେ ପ୍ରଧାନ ପଦ ପାଇଁ ୫ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। କିନ୍ତୁ ସମସ୍ତ ଗାଁ ଲୋକ ମିଶି ଜଣେ ପଢ଼ୁଆ ଝିଅକୁ ଗ୍ରାମ ପ୍ରଧାନ କରିବାକୁ ନିଷ୍ପତ୍ତି ନେଇଥିଲେ। ତେଣୁ ସେମାନେ ପଞ୍ଚାୟତ ବସାଇ ଜଣେ ଚାଷୀଙ୍କ ପୋଷ୍ଟ ଗ୍ରାଜୁଏଟ ଝିଅ ସରଲା ଗୁର୍ଜରଙ୍କୁ ଗ୍ରାମ ମୁଖିଆ କରିବାକୁ ନିଷ୍ପତ୍ତି ନେଇଥିଲେ।
ପାଞ୍ଚ ଜଣ ପ୍ରାର୍ଥୀ ଫେରାଇନେଲେ ପ୍ରାର୍ଥିପତ୍ର
ସରଲାଙ୍କୁ ନିର୍ଦ୍ବନ୍ଦ୍ବରେ ଜିତାଇବା ଲାଗି ଅନ୍ୟ ୫ ଜଣ ପ୍ରାର୍ଥୀ ପଞ୍ଚାୟତ ନିର୍ବାଚନରୁ ନିଜ ପ୍ରାର୍ଥିପତ୍ର ଫେରାଇ ନେଇଥିଲେ।
ସରଲା ଗୁର୍ଜର କିଏ
ସରଲା ଗୁର୍ଜର ଜଣେ ଚାଷୀଙ୍କ ଝିଅ। ସେ ସାମ୍ବାଦିକତାରେ ପୋଷ୍ଟ ଗ୍ରାଜୁଏଟ ଡିଗ୍ରୀ ନେଇଛନ୍ତି। ସେ ଗାଁର ଲୋକଙ୍କୁ ବିକାଶ ପାଇଁ ପ୍ରେରିତ କରିବାରେ ଲାଗିଥାନ୍ତି। ଗାଁର ଉନ୍ନତି କେମିତି ହେବ, ତାହା ମଧ୍ୟ ସେ ଲୋକଙ୍କୁ ଜଣାଇଥାନ୍ତି। ସରାଲା ଗାଁ ଲୋକଙ୍କୁ ନିଜର ଯୋଜନା କହିଥିଲେ, ଗାଁ ଲୋକ ତାଙ୍କୁ ଗାଁର ମୁଖିଆ କରିବା ଲାଗି ନିଷ୍ପତ୍ତି ନେଇଥିଲେ।
ଖୋଲାରେ ଶୌଚ ନ କରିବାକୁ ମହିଳାଙ୍କୁ କରୁଛନ୍ତି ସଚେତନ
କେବଳ ଏତିକି ନୁହେଁ, ସରଲା ମହିଳାମାନଙ୍କୁ ଖୋଲାରେ ଶୌଚ କରିବାର ଅପକାରିତା ସମ୍ପର୍କରେ ସଚେତନ କରୁଛନ୍ତି। କାରଣ ସେ ମହିଳାଙ୍କୁ ଖୋଲାରେ ଶୌଚ କରିବାକୁ ବାରଣ କରୁଛନ୍ତି। ଯଦ୍ଦ୍ବାରା ଉକ୍ତ ଅଞ୍ଚଳଟି ଖୋଲା ଶୌଚମୁକ୍ତ ଅଞ୍ଚଳ ହୋଇପାରିବ। ଏଥିସହିତ ଯେଉଁ ବୟସ୍କ ଓ ବିଧବାଙ୍କୁ ପେନସନ ମିଳୁନି, ସେମାନଙ୍କ ଅଧିକାର ପାଇଁ ଲଢ଼ିବାକୁ ଚାହୁଛନ୍ତି। ସରଲା ସମସ୍ତ ସରକାରୀ ଯୋଜନାକୁ ପ୍ରତ୍ୟେକ ଘର ପର୍ଯ୍ୟନ୍ତ ପହଞ୍ଚାଇବା ଲାଗି କାମ କରୁଛନ୍ତି।