ଅଫ୍‌ବିଟ୍‌ ଡେଷ୍ଟିନେସନ୍‌ରେ ସାମିଲ ଏହି ଗାଁ, ମୋଦି କରିଛନ୍ତି ପ୍ରଶଂସା


ମାୱଲିନ୍‌ନଙ୍ଗ ଗାଁର ଏକ ଦୃଶ୍ୟ
ଅଧିକାଂଶ ଲୋକ କୌଣସି ଗାଁରେ ବୁଲିବା ପାଇଁ ଯୋଜନା କରି ନ ଥାନ୍ତି। ସେମାନେ ଭାବନ୍ତି ଗାଁରେ ଯାଇ କ’ଣ କରିବେ। ଯଦି ଆପଣ ମଧ୍ୟ ଏପରି ଭାବୁଛନ୍ତି ତେବେ ଆମେ ଆପଣଙ୍କୁ ମେଘାଳୟର ଶିଲଙ୍ଗ ନିକଟସ୍ଥ ମାୱଲିନ୍‌ନଙ୍ଗ ଗାଁ ବିଷୟରେ କିଛି ରୋଚକ ତଥ୍ୟ ଜଣାଉଛୁ। ଏହାପରେ ନିଶ୍ଚିତ ଭାବେ ଏହି ଗାଁକୁ ବୁଲିଯିବାକୁ ଚାହିବେ। ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏହି ଗାଁରେ ବୁଲିବା ପାଇଁ ସବୁଠୁ ଅଧିକ ବିଦେଶୀ ପର୍ଯ୍ୟଟକ ଆସିଥାନ୍ତି।

ସ୍ବଚ୍ଛତା ଟାଇଟଲ ହାସଲ କରିଛି ଏହି ଗାଁ
ଏହି ଗାଁକୁ ୨୦୦୩ରେ ଏସିଆର ସବୁଠାରୁ ପରିଷ୍କାର ପରିଚ୍ଛନ୍ନ ଗାଁର ଟାଇଟଲ ମିଳିଥିଲା। ଏହି ଗାଁର ଅନ୍ୟ ଏକ ନାମ ହେଉଛି ଭଗବାନଙ୍କ ବଗିଚା ବା ଗଡ୍‌ସ୍‌ ଓନ୍‌ ଗାର୍ଡେନ୍‌। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ମାୱଲିନ୍‌ନଙ୍ଗ ଗାଁର ପ୍ରଶଂସା କରି ସାରିଛନ୍ତି।

ଅନ୍ୟ ଗାଁଠାରୁ ଅଲଗା
ଉତ୍ତର ପୂର୍ବରେ ଥିବା ଏହି ଛୋଟିଆ ଗାଁକୁ ବୁଲି ଯାଉଥିଲେ ସାଙ୍ଗରେ ଜମାରୁ ବି ପ୍ଲାଷ୍ଟିକ୍‌ ନେଇ ଯାଆନ୍ତୁ ନାହିଁ। କାରଣ ଏହି ଗାଁରେ ପ୍ଲାଷ୍ଟିକ୍‌ ଉପରେ ସମ୍ପୂର୍ଣ୍ଣ ଭାବେ କଟକଣା ଲଗାଯାଇଛି। ମାୱଲିନ୍‌ନଙ୍ଗ ଗାଁର ଲୋକେ ସଫା ସୁତୁରା ପାଇଁ କେବଳ ପ୍ରଶାସନ ଉପରେ ନିର୍ଭର ନ କରି ନିଜେ ପରିଷ୍କାର ପରିଚ୍ଛନ୍ନ କରନ୍ତି। ଗାଁକୁ ପରିସ୍କାର ପରିଚ୍ଛନ୍ନ ରଖିବା ପାଇଁ ପିଲାଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ସଚେତନ। ପ୍ରତ୍ୟେକ ଗଳିର ଛକରେ ବାଉଁଶରେ ତିଆରି ଡଷ୍ଟବିନ୍‌ ରଖାଯାଇଛି। ଯେଉଁଠି ଲୋକେ ଅଳିଆ ଆବର୍ଜନା ପକାନ୍ତି। ଜମା କରି ରଖାଯାଉଥିବା ଅଳିଆକୁ ଗଛର ସାର ଭାବେ ବ୍ୟବହାର କରାଯାଏ। ଏହି ଗାଁରେ ପହଞ୍ଚିବା ପରେ ଏମିତି ଲାଗିବ ଯେମିତି ଏଠାକାର ଲୋକେ ସଫା ସୁତୁରା କରିବା ବ୍ୟତୀତ ଆଉ କିଛି ଜାଣନ୍ତି ନାହିଁ।

ସହରଠାରୁ ଉନ୍ନତ ଏହି ଗାଁ
ମେଘାଳୟର ରାଜଧାନୀ ଶିଲଙ୍ଗଠାରୁ କିଛି ଦୂରରେ ଥିବା ଏହି ମାୱଲିନ୍‌ନଙ୍ଗ ଗାଁ ୨୦୦୩ ପୂର୍ବରୁ ଭାରତ ସହିତ ପୂରା ବିଶ୍ବରେ ଅଜଣା ଥିଲା। ମାତ୍ର ଗ୍ରାମବାସୀଙ୍କ ପ୍ରଚେଷ୍ଟାରେ ଏହା ନୂଆ ରୂପ ପାଇବା ସହ ବିଶ୍ବ ଦରବାରରେ ଜଣାଶୁଣା ହୋଇପାରିଛି। ଏଠାକୁ ବର୍ଷ ସାରା ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳେ। ଏହାଦ୍ବାରା ଗାଁର ରୋଜଗାର ମଧ୍ୟ ବଢ଼ିବାରେ ଲାଗିଛି। ୨୦୧୪ ଜନଗଣନା ଅନୁସାରେ ଏହି ମାୱଲିନ୍‌ନଙ୍ଗ ଗାଁରେ ୯୫ଟି ପରିବାର ରହୁଥିଲେ। ଏହି ଗାଁ ପରିସ୍କାର ପରିଚ୍ଛନ୍ନ ସହିତ ସାକ୍ଷରତା ହାର ମଧ୍ୟ ଶହେ ପ୍ରତିଶତ ରହିଛି। ଏହି ଗାଁର ଆଉ ଏକ ବିଶେଷତ୍ବ ମଧ୍ୟ ରହିଛି। ଭାରତୀୟ ସମାଜରେ ପିତାଙ୍କ ସମ୍ପତ୍ତି ଉପରେ ପୁତ୍ରର ଅଧିକାର ରହିଥାଏ। ମାତ୍ର ଏହି ମାୱଲିନ୍‌ନଙ୍ଗ ଗାଁରେ ପିତାଙ୍କ ନିକଟରେ କୌଣସି ସମ୍ପତ୍ତିର ମାଲିକାନା ରହୁ ନ ଥିବାବେଳେ ମା’ଙ୍କଠାରୁ ଝିଅ ପାଖକୁ ସମ୍ପତ୍ତି ମାଲିକାନା ଯାଇଥାଏ। ଏହି ଗାଁରେ ପିଲାଙ୍କୁ ତାଙ୍କ ମା’ଙ୍କ ସାଙ୍ଗିଆରେ ନାମିତ କରାଯାଏ।

ଏଠାକୁ ବର୍ଷ ତମାମ ଯେ କୌଣସି ସମୟରେ ବୁଲି ଯାଇପାରିବେ। ତେବେ ଶୀତ ଦିନ ଓ ବର୍ଷାରେ ଏଠାରେ ବୁଲିବା ପାଇଁ ଉପଯୁକ୍ତ ସ୍ଥାନ। ଅର୍ଥାତ ମାର୍ଚ୍ଚରୁ ଏପ୍ରିଲ ଏବଂ ସେପ୍ଟେମ୍ବରରୁ ଫେବ୍ରୁଆରୀ ଏଠାକୁ ବୁଲିଯିବାର ଉପଯୁକ୍ତ ସମୟ। ଯଦି ଆପଣ ମଧ୍ୟ ପ୍ରାକୃତିକ ପରିବେଶ ମଧ୍ୟରେ କିଛି ସମୟ ଶାନ୍ତିରେ ବିତାଇବାକୁ ଚାହୁଛନ୍ତି ତେବେ ନିହାତି ଭାବେ ଥରେ ଚାଲନ୍ତୁ ମାୱଲିନ୍‌ନଙ୍ଗ ଗାଁ। ଏଠାରେ ବାଉଁଶରେ ତିଆରି ଛୋଟ ଟ୍ରି ହାଉସ୍‌ରେ ରହିବା ସହ ନିଜକୁ ଏକ ନିଆରା ଅନୁଭୂତି ଦେଇପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ