ଆମେରିକା ଗୁଇନ୍ଦା ରିପୋର୍ଟରେ ଖୁଲାସା: ଖଶୋଗୀଙ୍କ ହତ୍ୟା ପଛରେ ଏମବିଏସ୍


ଜମାଲ୍ ଖଶୋଗୀ ଓ ଏମବିଏସ୍ (ଫାଇଲ୍ ଫଟୋ)
ଗତ ୨୦୧୮ ଅକ୍ଟୋବର ୨ ତାରିଖରେ ତୁର୍କୀ ରାଜଧାନୀ ଇସ୍ତାନବୁଲ୍‌ସ୍ଥିତ ସାଉଦୀ ଆରବ କନସୁଲେଟରୁ ନିଖୋଜ ହୋଇଥିବା ଆମେରିକା ନିବାସୀ ସାଉଦି ସାମ୍ବାଦିକ ଜମାଲ୍ ଖଶୋଗୀ ପରବର୍ତ୍ତୀ ସମୟରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଥିଲା। ନିଜ ବିବାହ ପାଇଁ ଅନୁମତିପତ୍ର ଆଣିବା ସକାଶେ କନସୁଲେଟ୍ କାର୍ଯ୍ୟାଳୟ ଭିତରେ ପ୍ରବେଶ କରିଥିଲେ ହେଁ ଖଶୋଗୀ ବାହାରକୁ ଆସି ନ ଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣାରେ ଆମେରିକା ଗୁଇନ୍ଦା ସଂସ୍ଥା ପକ୍ଷରୁ ନିୟମିତ ଭାବେ ସାଉଦି ଆରବ ରାଜକୁମାର ମହମ୍ମଦ ବିନ୍ ସଲମାନ୍ (ଏମବିଏସ୍)ଙ୍କର ଭୂମିକା ରହିଛି ବୋଲି କୁହାଯାଇଆସିଛି। ନିକଟରେ ଆମେରିକୀୟ ଗୁଇନ୍ଦା ସଂସ୍ଥା ପୁଣିଥରେ ଏପରି ଏକ ରିପୋର୍ଟ ଦେଇଛି। ତେବେ ଏହି ରିପୋର୍ଟ ପ୍ରକାଶ ପାଇବାର କିଛି ଦିନ ପୂର୍ବରୁ ଆମେରିକାର ନୂଆ ରାଷ୍ଟ୍ରପତି ଜୋ ବାଇଡେନ୍ ଫୋନ୍ ଯୋଗେ ଏମବିଏସ୍‌ଙ୍କ ସହ ଆଲୋଚନା କରିଥିଲେ। ଏହି ଆଲୋଚନାରେ ବାଇଡେନ୍ ସାଉଦି ଆରବ ଯୁବରାଜଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି। ଅବଶ୍ୟ ହ୍ବାଇଟ୍ ହାଉସ୍ ପକ୍ଷରୁ ଅଦ୍ୟାବଧି ବାଇଡେନଙ୍କ ଏହି ଆଲୋଚନା ସମ୍ପର୍କରେ ସୂଚନା ଦିଆଯାଇଥିଲେ ହେଁ ଖଶୋଗୀଙ୍କ ହତ୍ୟାକାଣ୍ଡ ପଛରେ ଏମବିଏସଙ୍କ ଭୂମିକା ରହିଥିବା ନେଇ ରିପୋର୍ଟ ଉପରେ କିଛି ବି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।

ଖଶୋଗୀଙ୍କ ହତ୍ୟାକାଣ୍ଡ ପାଇଁ ଏମବିଏସ୍ ଦାୟୀ ବୋଲି ନିୟମିତ ବ୍ୟବଧାନରେ ଆମେରିକା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଆସିଛି। ଖଶୋଗୀ ସାଉଦି ରାଜ ପରିବାରର ଏକ କଠୋର ସମାଲୋଚକ ଭାବେ ପରିଚିତ ହୋଇଆସିଥିବା ବେଳେ ତାଙ୍କୁ ହତ୍ୟା କରିବା ସକାଶେ ଏମବିଏସ୍ ଯୋଜନାବଦ୍ଧ ଷଡ଼ଯନ୍ତ୍ର କରିଥିବା ଉକ୍ତ ରିପୋର୍ଟରେ ପ୍ରକାଶ ପାଇଥିଲା। କିନ୍ତୁ ଏ ସଂକ୍ରାନ୍ତ ସବୁ ରିପୋର୍ଟ କେବଳ ଗଣମାଧ୍ୟମରେ ପ୍ରକାଶ ପାଇଆସିଥିବା ହେଁ ଅଦ୍ୟାବଧି ବିଧିବଦ୍ଧ ଭାବେ କୌଣସି ଘୋଷଣା ହୋଇନାହିଁ। ସେହିପରି ହ୍ବାଇଟ୍ ହାଉସ୍ ପକ୍ଷରୁ ଗୁରୁବାର ଏକ ବିବୃତି ଜାରି କରାଯାଇଛି। ଉକ୍ତ ବିବୃତିରେ ବାଇଡେନ୍ ଓ ସଲମାନଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ମୁଖ୍ୟତଃ ଦୀର୍ଘସୂତ୍ରୀ ଦ୍ବିପାକ୍ଷିକ ସମ୍ପର୍କ ଉପରେ ଗୁରୁତ୍ବ ଦିଆଯାଇଥିଲା। ଏଥିସହ ନିକଟରେ ସାଉଦୀ ଆରବ ସରକାର ମହିଳା ଅଧିକାର ପାଇଁ ଲଢ଼େଇ କରୁଥିବା ଜଣେ ମହିଳା ଆଇନଜୀବୀ ଏବଂ କେତେକ ରାଜନୈତିକ ବନ୍ଦୀଙ୍କୁ ମୁକ୍ତି କରିଥିବାରୁ ଏନେଇ ସଲମାନଙ୍କୁ ବାଇଡେନ୍ ଧନ୍ୟବାଦ ଜଣାଇଥିବା ଉକ୍ତ ବିବୃତିରେ କୁହାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ