ତୈଳ ଦର ବୃଦ୍ଧିକୁ ବିରୋଧ: ଇଲେକଟ୍ରିକ୍ ସ୍କୁଟରରେ ଗଲେ ମମତା


ଇଲେକଟ୍ରିକ୍ ସ୍କୁଟରରେ ଯାଉଛନ୍ତି ମମତା
ଅନ୍ତର୍ଜାତୀୟ ବଜାରରେ ତୈଳ ଦର ଯଥେଷ୍ଟ ମାତ୍ରାରେ କମ୍ ଥିଲେ ମଧ୍ୟ ଭାରତରେ ଚଳିତ ମାସରେ କ୍ରମାଗତ ଭାବେ ଦର ବଢ଼ି ଚାଲିଛି। ଏପରିକି କେତେକ ରାଜ୍ୟରେ ପେଟ୍ରୋଲ୍ ଓ ଡିଜେଲ୍ ଦର ଶହେ ଟଙ୍କା ଉପରେ ପହଞ୍ଚିଯାଇଛି। ଆଗାମୀ ଦିନରେ ଖାଉଟିଙ୍କୁ ଏହି ମହଙ୍ଗା ମାଡ଼ରୁ ତ୍ରାହି ମିଳିବ କି ନାହିଁ, ସେଥିନେଇ କିଛି କହିବା ବି ସମ୍ଭବପର ନୁହେଁ। ଅବଶ୍ୟ କେତୋଟି ରାଜ୍ୟରେ ଖାଉଟିଙ୍କୁ ସାମାନ୍ୟ ଆଶ୍ବସ୍ତି ଦେବା ସକାଶେ ଟିକସକୁ ସାମାନ୍ୟ ହ୍ରାସ କରାଯାଇଛି। ଏହି ରାଜ୍ୟ ମଧ୍ୟରେ ପଶ୍ଚିମବଙ୍ଗ ଅନ୍ୟତମ ହୋଇଥିବା ବେଳେ ମମତା ବାନାର୍ଜୀ ସରକାର ଭାଟ୍ ଉପରେ ୧ ଟଙ୍କା ଛାଡ଼ କରିଛନ୍ତି। ତେବେ ତୈଳ ଦରର ଅହେତୁକ ବୃଦ୍ଧିକୁ ବିରୋଧ କରି ଟିଏମସି ମୁଖ୍ୟ ମମତା ଗୁରୁବାର ଏକ ଅଭିନବ ପନ୍ଥା ଆପଣାଇଥିବା ଦେଖିବାକୁ ମିଳିଛି। ମମତା ଗୁରୁବାର ନବାନ୍ନାସ୍ଥିତ ରାଜ୍ୟ ସଚିବାଳୟଠାରେ ପହଞ୍ଚିବା ସକାଶେ ରାଷ୍ଟ୍ର ମନ୍ତ୍ରୀ ଫିରହଦ୍ ହକିମ୍‌ଙ୍କ ପଛରେ ବସି ଆସିଥିଲେ। ତୈଳ ଦର ବୃଦ୍ଧି ପ୍ରତିବାଦରେ ସେ ଏକ ଇଲେକଟ୍ରିକ୍ ସ୍କୁଟରରେ ବସି ସଚିବାଳୟରେ ପହଞ୍ଚିଥିଲେ। ସେହିପରି ମମତା ପଛ ସିଟରେ ବସିଥିବା ସମୟରେ ବେକରେ ଏକ ପ୍ଲାକାର୍ଡ ମଧ୍ୟ ଝୁଲାଇଥିଲେ। ସେହିପରି ହେଲମେଟ୍ ପିନ୍ଧିଥିବା ମମତା ସ୍କୁଟରରେ ଯାଉଥିବା ବେଳେ ରାସ୍ତାକଡ଼ରେ ଥିବା ଲୋକମାନଙ୍କୁ ହାତ ହଲାଇ ସ୍ବାଗତ ମଧ୍ୟ କରିଥିଲେ। ହାଜରା ମୋରେଠାରୁ ସଚିବାଳୟ ପର୍ଯ୍ୟନ୍ତ ୫ କିମି ରାସ୍ତା ମମତା ଇଲେକଟ୍ରିକ୍ ସ୍କୁଟରରେ ବସି ଯିବା ଘଟଣା ସ୍ଥାନୀୟ ଲୋକଙ୍କୁ ଚର୍ଚ୍ଚାର ଖୋରାକ ଯୋଗାଇଛି।

ସେହିପରି ରାଜ୍ୟ ସଚିବାଳୟଠାରେ ପହଞ୍ଚିବା ପରେ ମମତା କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ ଏନଡିଏ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ମୋଦୀ ସରକାର କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇ ଜାଣେ। ଦିନକୁ ଦିନ ତୈଳ ଦର ଅହେତୁକ ଭାବେ ବଢ଼ିଚାଲିଥିଲେ ହେଁ ଏହାକୁ ନିୟନ୍ତ୍ରଣ କରିବା ସକାଶେ ମୋଦୀ ସରକାର କୌଣସି ପଦକ୍ଷେପ ନେଇନାହିଁ। ମୋଦୀ ସରକାର କ୍ଷମତାକୁ ଆସିବା ସମୟରେ ପେଟ୍ରୋଲ୍ ଓ ଡିଜେଲ୍ ଦର ଯାହା ଥିଲା, ବର୍ତ୍ତମାନ ସେଥିରେ କେତେ ପରିବର୍ତ୍ତନ ଘଟିଛି ତାହା ସମସ୍ତଙ୍କ ସାମ୍ନାରେ ରହିଛି। ଦେଶର ଜନସାଧାରଣଙ୍କ ସୁଖଦୁଃଖକୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଦେଶକୁ ବିକିବାକୁ ବସିଛନ୍ତି। ସେମାନଙ୍କ କ୍ରମାଗତ ଜନବିରୋଧୀ ପଦକ୍ଷେପ ଏହାର ପ୍ରମାଣ ବୋଲି ମମତା କହିଛନ୍ତି। ସେହିପରି ବୁଧବାର ଅହମଦବାଦାରେ ଉଦଘାଟିତ ହୋଇଥିବା ବିଶ୍ବର ସର୍ବବୃହତ୍ କ୍ରିକେଟ୍ ଷ୍ଟାଡିୟମର ନାମକରଣ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମରେ କରାଯିବା ନିଷ୍ପତ୍ତିକୁ ମଧ୍ୟ ମମତା ସମାଲୋଚନା କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ