ଟିକାୟତଙ୍କ ଚେତାବନୀ: ୪୦ ଲକ୍ଷ ଟ୍ରାକ୍ଟର ସହ ହେବ ସଂସଦ ଘେରାଉ


ଅଭିଭାଷଣ ଦେଉଛନ୍ତି ଟିକାୟତ
କେନ୍ଦ୍ର ସରକାର ଯଦି ତୁରନ୍ତ ୩ଟିଯାକ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ନ କରନ୍ତି, ତା’ହେଲେ ଆଗାମୀ ଦିନରେ ସାଂସଦ ଘେରାଉ କରାଯିବ। ଏଥିରେ ୪୦ ଲକ୍ଷ ଟ୍ରାକ୍ଟର ଅଂଶଗ୍ରହଣ କରିବେ ବୋଲି ଚାଷୀ ନେତା ରାକେଶ ଟିକାୟତ ଚେତାବନୀ ଦେଇଛନ୍ତି। ସାମ୍ପ୍ରତିକ ସମୟରେ ହଜାର ହଜାର ସଂଖ୍ୟାରେ ଚାଷୀ ଦିଲ୍ଲୀ ସୀମାବର୍ତ୍ତୀ ଅଞ୍ଚଳରେ ଆନ୍ଦୋଳନ ଜାରି ରଖିଛନ୍ତି। ଚାଷୀମାନଙ୍କୁ ସମର୍ଥନ କରିବା ସକାଶେ ଗତ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ଅବସରରେ ଲାଲକିଲ୍ଲାରେ ଟ୍ରାକ୍ଟର ରାଲି ହୋଇଥିଲା। ଉକ୍ତ ରାଲିରେ ପରବର୍ତ୍ତୀ ସମୟରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା ଓ ଆନ୍ଦୋଳନରତ ଚାଷୀମାନଙ୍କ ମଧ୍ୟରୁ କେତେକ ଲାଲକିଲ୍ଲାରୁ ତିରଙ୍ଗା ହଟାଇ ଖଲିସ୍ତାନକୁ ସମର୍ଥନ କରୁଥିବା ପତାକା ଲଗାଇଥିଲେ। ତେବେ କେନ୍ଦ୍ର ସରକାରଙ୍କ ଉପରେ ଅଧିକ ଚାପ ପକାଇବା ସକାଶେ ଦିଲ୍ଲୀ ମାର୍ଚ୍ଚ ପାଇଁ ଚାଷୀମାନେ ପ୍ରସ୍ତୁତ ରହିବାକୁ ଟିକାୟତ ଆନ୍ଦୋଳନ ଚାଷୀମାନଙ୍କୁ ଆହ୍ବାନ ଦେଇଛନ୍ତି। ଯେକୌଣସି ସମୟରେ ସେମାନଙ୍କୁ ଦିଲ୍ଲୀ ମାର୍ଚ୍ଚ ପାଇଁ ଡାକରା ମିଳିପାରେ ବୋଲି ମଧ୍ୟ ଟିକାୟତ କହିଛନ୍ତି।

ରାଜସ୍ଥାନର ସିକାରରେ ଆୟୋଜିତ ଏକ କିଷାନ ମହାପଞ୍ଚାୟତରେ ଉଦବୋଧନ ଦେଇ ଟିକାୟତ କହିଛନ୍ତି ଯେ ଏଥର ସଂସଦ ଘେରାଉ କରିବା ସକାଶେ ଆନ୍ଦୋଳନରତ ଚାଷୀମାନଙ୍କୁ ଆହ୍ବାନ ଦିଆଯିବ। ଏଥର ଶୋଭାଯାତ୍ରା ବେଶ୍ ବିଶାଳ ହେବ ଓ ସରକାର ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ବାଧ୍ୟ ହେବେ ବୋଲି ଟିକାୟତ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ୪ ଲକ୍ଷ ବଦଳରେ ୪୦ ଲକ୍ଷ ଟ୍ରାକ୍ଟର ଶୋଭାଯାତ୍ରାରେ ସାମିଲ ହେବେ। ଚାଷୀମାନେ ଇଣ୍ଡିଆ ଗେଟ୍‌ରେ ଚାଷ କରିବେ ଓ ସେଠାରେ ଫସଲ ଅମଳ କରିବେ ବୋଲି ଟିକାୟତ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଭିନ୍ନ କୃଷି ସଂଗଠନ ଏକାଠି ହୋଇ କେବେ ସଂସଦ ଘେରାଉ କରାଯିବ, ସେନେଇ ତାରିଖ ନିଶ୍ଚିତ କରିବେ। ଗତ ଜାନୁଆରୀ ୨୬ରେ ଚାଷୀଙ୍କୁ ବଦନାମ କରିବା ସକାଶେ ଷଡ଼ଯନ୍ତ୍ର ହୋଇଥିଲା। କିନ୍ତୁ ଦେଶର ଚାଷୀମାନେ ତିରଙ୍ଗାକୁ ଭଲ ପାଆନ୍ତି, ଦେଶର ନେତାଙ୍କୁ ନୁହେଁ ବୋଲି ସମସ୍ତେ ମନେ ରଖିବା ଉଚିତ। ଯଦି କେନ୍ଦ୍ର ସରକାର କୃଷି ଆଇନକୁ ପ୍ରତ୍ୟାହାର ନ କରନ୍ତି ଓ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଲାଗୁ ନ କରନ୍ତି, ତା’ ହେଲେ ଚାଷୀମାନେ ବାଧ୍ୟ ହୋଇ ଦେଶରେ ଥିବା ବଡ଼ ବଡ଼ କମ୍ପାନୀର ଗୋଦାମଗୁଡ଼ିକୁ ଧ୍ୱଂସ କରିଦେବେ ବୋଲି ମଧ୍ୟ ଟିକାୟତ ଚେତାବନୀ ଦେଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ